ଭଗବାନ ମହାବୀର

 

 

 

 

 

 

 

 

 

 

ଭଗବାନ ମହାବୀର

ଜଗଦୀଶ ଚନ୍ଦ୍ର ଜୈନ

ଅନୁବାଦ : ଶୈଳଜ ରବି

 

ପ୍ରସ୍ତାବନା

 

ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀ ତଥା ତା’ର ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ କିଛି କାଳ କେବଳ ଭାରତ କାହିଁକି, ସମଗ୍ର ଏସିଆର ଇତିହାସରେ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ବୌଦ୍ଧିକ ଏବଂ ଆଧ୍ୟାତ୍ମିକ କ୍ଷେତ୍ରରେ ଦେଖାଦେଇଥିଲା ଏକ ଅଭୂତପୂର୍ବ ସମୁଦ୍ରମନ୍ଥନ । ବୌଦ୍ଧିକ ତଥା ମାନସିକ ପ୍ରତିବନ୍ଧକମାନଙ୍କଠାରୁ ମୁକ୍ତି ପାଇବାର କୌଣସି ଉପାୟ ଦେଖାଯାଉନଥିଲା । ଅନ୍ଧବିଶ୍ଵାସ, ପରଙ୍ଗପୁଷ୍ଟତା, ଅକର୍ମନ୍ୟତା, ସ୍ଵାର୍ଥପରତା ଇତ୍ୟାଦି ପ୍ରବୃତ୍ତିନିଚୟ ଚତୁର୍ଦ୍ଦିଗରେ ଏକାଧିପତ୍ୟ ବିସ୍ତାର କରିଥିଲେ । ଏହିପରି ଦୁର୍ଦ୍ଦିନରେ ଆବିର୍ଭାବ ହେଲେ ଇଉରୋପରେ ସକ୍ରେଟିସ୍, ପାରସ୍ୟରେ ଜରଥୁଷ୍ଟ୍ରା, ଚୀନରେ କନ୍‌ଫୁସିୟସ୍ ଏବଂ ପାଲେସ୍ତାଇନ୍‌ରେ ୟହୁଦୀ ବିଚାରକଗଣ । ଭାରତରେ ଜନ୍ମଗ୍ରହଣ କଲେ ମହାବୀର ଏବଂ ବୁଦ୍ଧଙ୍କ ପରି ମହାନ୍‌ ବ୍ୟକ୍ତିତ୍ଵ । ଉତ୍ତର ବିହାର ମହାବୀରଙ୍କୁ ଜନ୍ମ ଦେଇ ପବିତ୍ର ହୋଇଥିଲା ।

ଲୋକେ କର୍ତ୍ତବ୍ୟବିମୁଖ, ପୁରୁଷାର୍ଥବିହୀନ ଓ ସ୍ଵାର୍ଥସର୍ବସ୍ଵ ହୋଇ ପଡ଼ୁଥିଲେ । ସେମାନଙ୍କର ହିତାହିତଜ୍ଞାନ ଲୋପପାଇଯାଉଥିଲା । ଅନ୍ଧବିଶ୍ଵାସର ଥିଲା ଅଖଣ୍ଡ ସାମ୍ରାଜ୍ୟ । ପରସ୍ପର ଭିତରେ କଳହ, ଈର୍ଷା ଏବଂ ବିଦ୍ଵେଷ ବୃଦ୍ଧି ପାଇବାରେ ଲାଗିଥିଲା । ସମାଜର ତଳ ପାହାଚରେ ଥିବା ଲୋକେ ଅଧିକରୁ ଅଧିକ ଉପେକ୍ଷିତ ହେଉଥିଲେ । ଉଚ୍ଚ ନୀଚ ଭେଦଭାବ ସୁଦୃଢ଼ ହେଉଥିଲା । ଧନ ଏବଂ କ୍ଷମତା ହିଁ ଜୀବନର ମୁଖ୍ୟ ଧ୍ୟେୟ ହୋଇଥିଲା ।

ମହାବୀରଙ୍କ ହୃଦୟରେ ଜାଗ୍ରତ ହେଲା ଜନ-କଲ୍ୟାଣର ଭାବନା । ତେବେ ସମାଜ ପାଇଁ କିଛି କରିବା ପୂର୍ବରୁ ପ୍ରଥମେ ସେଥିପାଇଁ ଯୋଗ୍ୟତା ହାସଲ କରିବା ଉଚିତ ହେବ ନାହିଁ କି-? ଅନ୍ୟର ଉପକାର କରିବା ପୂର୍ବରୁ ପ୍ରଥମେ ନିଜର ପ୍ରବୃତ୍ତିମାନଙ୍କ ଉପରେ ଅଙ୍କୁଶ ଲଗାଇବା ଆବଶ୍ୟକ ନୁହେଁ କି ? ପୃଥିବୀରେ ସୁଖ ଏବଂ ଭୋଗ ବିଳାସର ସାମଗ୍ରୀ ସୀମିତ-। ଏଣୁ ଯେ ପର୍ଯ୍ୟନ୍ତ ଆମେ ଆମର ସୁଖ ସମ୍ଭୋଗର ସାମଗ୍ରୀକୁ ଅନ୍ୟମାନଙ୍କ ସହ ବାଣ୍ଟି କୁଣ୍ଟି ଉପଭୋଗ ନକରିଛୁ, ଯେ ପର୍ଯ୍ୟନ୍ତ ଅନ୍ୟକୁ ତା’ର ନ୍ୟାଯ୍ୟ ଅଧିକାରରୁ ବଞ୍ଚିତ କରିବାରୁ ନିବୃତ୍ତ ନହୋଇଛୁ, ସେ ପର୍ଯ୍ୟନ୍ତ ଅନ୍ୟମାନେ କିପରି ସୁଖୀ ହୋଇପାରିବେ ? ଯଦି ଆମେ ଏହା ନକରୁ ତେବେ ଅନ୍ୟକୁ କଷ୍ଟ ଦେବା ଅବଶ୍ୟମ୍ଭାବୀ ଏବଂ ଅନ୍ୟକୁ ଏପରି କଷ୍ଟ ଦେବା ହିଂସା ଅଟେ ।

ଦୃଢ଼ତାର ସହିତ ମହାବୀର ନିଜର କର୍ତ୍ତବ୍ୟ ସମ୍ପାଦନ କରିବାରେ ଲାଗିଲେ । ପ୍ରଥମେ ସେ ସ୍ଵାବଲମ୍ବୀ ହେବାର ଅର୍ଥାତ୍ ପୁରୁଷାର୍ଥୀ ହେବାର ଶିକ୍ଷା ଦେଲେ । ଭଲ ଅଥବା ଖରାପ କାମର ଫଳ ନିଶ୍ଚୟ ଭୋଗ କରିବାକୁ ପଡ଼ିବ–ସେଥିରୁ ମୁକ୍ତି ଅସମ୍ଭବ । ମନୁଷ୍ୟ ସ୍ଵୟଂ ନିଜର ଭାଗ୍ୟ-ବିଧାତା-ସେ ଯାହା ଚାହିଁବ ତାହା ହୋଇପାରିବ । ଯାହା ଚାହିଁବ ତାହା କରିପାରିବ । ତେଣୁ ନିଜର ଆତ୍ମବିଶ୍ଵାସ ହରାଇ ସେ କାହିଁକି ଅନ୍ୟ ଉପରେ ନିର୍ଭର କରିବ ?

ଯଦି ଆପଣ କର୍ମର ଫଳ ଭୋଗିବା ଅନିବାର୍ଯ୍ୟ ତେବେ ଅନ୍ୟକୁ ଦୁଃଖ ଦେବା ଭଳି କର୍ମ ଆମେ କଦାପି କରିବା ଉଚିତ ନୁହେଁ । ମନୁଷ୍ୟ ଆପଣା ବିଚାର ଓ କର୍ମରେ ସେତିକିବେଳ ଯାଏଁ ପୂର୍ଣ୍ଣ ସ୍ଵାଧୀନତା ଉପଭୋଗ କରିପାରେ ଯେତେବେଳଯାଏ ସେ ଅନ୍ୟର ଧନ-ସମ୍ପତ୍ତି ଉପରେ ଲୋଲୁପ ଦୃଷ୍ଟି ପକାଇ ନଥାଏ ଓ ଅନ୍ୟର ନ୍ୟାଯ୍ୟ ଅଧିକାରରୁ ତାକୁ ବଞ୍ଚିତ କରିନଥାଏ । ଏଥି ନିମିତ୍ତ ନିଜକୁ ନୟନ୍ତ୍ରିତ କରିବା, ଇନ୍ଦ୍ରିୟମାନଙ୍କୁ ଜୟ କରିବା ଏବଂ ନିଜର ଶରୀରକୁ କ୍ଳେଶ ଦେବାର ଆବଶ୍ୟକତା ଥାଏ । ମନୁଷ୍ୟର କାମନା ଆକାଶପରି ଅନନ୍ତ । ଯଦି କୈଳାସ ପର୍ବତ ପରି ସୁନା ରୁପାର ଅଗଣିତ ପର୍ବତ ତା’ ସମ୍ମୁଖରେ ରଖିଦିଆଯାଏ ତଥାପି ତା’ର କାମନା ତୃପ୍ତ ହୋଇପାରେ ନାହିଁ ।

କୌଣସି ବିଷୟରେ ସମ୍ୟକ୍‌ ଜ୍ଞାନ ଅର୍ଜନ କରିବା ଅତ୍ୟନ୍ତ ଆବଶ୍ୟକ । ସମ୍ୟକ୍ ଜ୍ଞାନ ପ୍ରାପ୍ତି ନିମିତ୍ତ ପୂର୍ବାଗ୍ରହଠାରୁ, ଅର୍ଥାତ୍‌ ପୂର୍ବରୁ ରହିଥିବା ବଦ୍ଧମୂଳ ଧାରଣମାନଙ୍କଠାରୁ ମୁକ୍ତି ଆବଶ୍ୟକ । କୌଣସି ବକ୍ତବ୍ୟକୁ ଠିକ୍‌ଭାବେ ବୁଝିବା ପାଇଁ ଆମେ ବକ୍ତାର ଦୃଷ୍ଟିକୋଣକୁ ମଧ୍ୟ ଠିକ୍‌ଭାବେ ବୁଝିଥିବା ଦରକାର । ଏହା ହେଉନଥିବାରୁ ବାରମ୍ବାର ଆମେ ଠକାମିରେ ପଡ଼ୁ । ଭୁଲ୍‌ବୁଝାମଣା ସୃଷ୍ଟି ହୁଏ ଏବଂ ମତଭେଦ ଅଥବା ମନୋମାଳିନ୍ୟ ସାରହୁଏ । ଅନ୍ତଃରାଷ୍ଟ୍ରୀୟ ଦୃଷ୍ଟି କୋଣରୁ ବିଚାରକଲେ ଆମେ ଦେଖୁ ଯେ ପ୍ରତ୍ୟେକଟି ଦେଶ ପୃଥିବୀରେ ଶାନ୍ତି ପ୍ରତିଷ୍ଠା ହେବା ଚାହେଁ । ତଥାପି ଯୁଦ୍ଧର ଅନ୍ତନାହିଁ ! ଏହାର କାରଣ କ’ଣ ? ବାସ୍ତବରେ ବୁଝାମଣାର ଅଭାବ, ସ୍ଵାର୍ଥଲିପ୍‌ସାର ପ୍ରାବଲ୍ୟ ଏବଂ ଅନିୟନ୍ତ୍ରିତ ଆତ୍ମ-ଅଭିମାନ ଏଥିପାଇଁ ଦାୟୀ ।

ଦୁର୍ଭାଗ୍ୟର ବିଷୟ, ଭଗବାନ ମହାବୀରଙ୍କ ଜୀବନଚର୍ଯ୍ୟା ସମ୍ବନ୍ଧୀୟ ଘଟଣାବଳୀ ସଂପର୍କରେ କୌଣସି ସର୍ବସମ୍ମତ ବିବରଣ ଜୈନଗ୍ରନ୍ଥମାନଙ୍କରେ ଦେଖିବାକୁ ମିଳେନାହିଁ । ତଥାପି ଅତ୍ୟନ୍ତ ସଂକ୍ଷିପ୍ତ ହେଲେ ମଧ୍ୟ ମହାବୀରଙ୍କର ଯତ୍‌କିଞ୍ଚିତ ଜୀବନ ଚରିତ ଶ୍ଵେତାମ୍ବର ଏବଂ ଦିଗମ୍ବର ପ୍ରାଚୀନ ଗ୍ରନ୍ଥମାନଙ୍କରେ ରହିଯାଇଛି ଅଥବା ତାଙ୍କର ବହୁମୂଲ୍ୟ ଉପଦେଶମାନଙ୍କ ମଧ୍ୟରୁ ଯତ୍‌କିଞ୍ଚିତ ଶାସ୍ତ୍ରମାନଙ୍କରେ ସଂଗୃହୀତ ହୋଇପାରିଛି–ତାକୁ ହିଁ ଭିତ୍ତିକରି ଆମେ ମହାବୀରଙ୍କର ଜୀବନୀ ଏବଂ ଉପଦେଶ ପ୍ରସ୍ତୁତ କରିବାକୁ ଚେଷ୍ଟା କରିବା । ଆଶା, ତାଙ୍କର ଜୀବନ ଏବଂ ଦୀର୍ଘ ଅନୁଭୂତି ଉପରେ ପର୍ଯ୍ୟବସିତ ତାଙ୍କର ଉପଦେଶାବଳୀ ଆମକୁ ସମୁଚିତ ଦିଗ୍-ଦର୍ଶନ ଦେବାରେ ସହାୟକ ହେବ ।

ଡ. ଜଗଦୀଶ ଚନ୍ଦ୍ର ଜୈନ

Image

 

ବିଷୟ-ସୂଚୀ

 

୧.

ମହାବୀରକାଳୀନ ଶ୍ରମଣ ପରମ୍ପରା ଅନୁଯାୟୀ ଅନ୍ୟ ଧର୍ମାଚାର୍ଯ୍ୟ

୨.

ଜୈନ ତୀର୍ଥଙ୍କର

୩.

ବିହାର ମାଟିରେ ମହାବୀର

 

(କ)

ବର୍ଦ୍ଧମାନଙ୍କ ଜନ୍ମଭୂମି ବୈଶାଳୀ

 

(ଖ)

ଦୀକ୍ଷା-ଗ୍ରହଣ ଏବଂ କେବଳ-ଜ୍ଞାନ ପ୍ରାପ୍ତି

 

(ଗ)

କେବଳୀ ଅବସ୍ଥା ଏବଂ ନିର୍ବାଣପ୍ରାପ୍ତି

୪.

ମହାବୀର ବାଣୀସଂକଳନ

୫.

ଶ୍ରମଣ ସଂଘର ଧର୍ମ ପ୍ରଚାର

୬.

ମହାବୀରଙ୍କର ଉପଦେଶ

୭.

ଜୈନ ସଂସ୍କୃତିର ଅବଦାନ

Image

 

ମହାବୀର-କାଳୀନ ଶ୍ରମଣ-ପରମ୍ପରା ଅନୁଯାୟୀ ଅନ୍ୟ ଧର୍ମାଚାର୍ଯ୍ୟ

 

ଜୈନ ଏବଂ ବୌଦ୍ଧମାନଙ୍କ ପ୍ରାଚୀନ ସାହିତ୍ୟରେ ଶ୍ରମଣ, ପରିବ୍ରାଜକ ଏବଂ ତାପସ ପରମ୍ପରାର ଏପରି ଅନେକ ଦାର୍ଶନିକ ଏବଂ ବିଚାରକମାନଙ୍କ ନାମ ଆଖିରେ ପଡ଼େ ଯେଉଁମାନେ କି ବେଦ, ଈଶ୍ଵର, ଯଜ୍ଞ-ବିହିତ ହିଂସା, ବର୍ଣ୍ଣ-ଜାତି ତଥା ବୈଦିକ ଆଚାର-ବିଚାରଗୁଡ଼ିକୁ ଅସ୍ଵୀକାର କରିଛନ୍ତି ଏବଂ ଯୁଗାନୁକୂଳ ନୂତନ ଚିନ୍ତାଧାରାକୁ ଆଗେଇ ନେଇଛନ୍ତି ।

 

ପାଲିଭାଷାରେ ରଚିତ ପ୍ରାଚୀନ ବୌଦ୍ଧଧର୍ମଗ୍ରନ୍ଥମାନଙ୍କରେ ବ୍ରାହ୍ମଣ ପରମ୍ପରା-ବିରୋଧୀ ଶ୍ରମଣ ଧର୍ମ ଅନୁଯାୟୀ ଛ’ଜଣ ଯଶସ୍ଵୀ ଧର୍ମାଚାର୍ଯ୍ୟଙ୍କ ନାମ ବିଶେଷରୂପେ ଉଲ୍ଲିଖିତ ହୋଇଛି–ପୂରଣ କସ୍‌ସପ, ମକ୍‌ଖଲି ଗୋସାଲ, ଅଜିତ୍ କେଶଙ୍କବଳୀ, ପବୁଧ କଚ୍ଚାୟନ, ସଞ୍ଜୟ ବେଲଟିଂପୁତ ଏବଂ ନିଗଣ୍ଠ ନାତପୁତ୍ତ (ନିଗ୍ରନ୍ଥ ଜ୍ଞାତପୁତ୍ର ମହାବୀର) । ଧର୍ମର ଏହି ମାର୍ଗଦର୍ଶକମାନଙ୍କୁ ସଂଘର ସ୍ଵାମୀ, ଗଣର ଆଚାର୍ଯ୍ୟ, ଜ୍ଞାନୀ, ଯଶସ୍ଵୀ, ତୀର୍ଥଙ୍କର ଲୋକସମ୍ମାନିତ, ଅନୁଭବୀ ତଥା ବହୁକାଳରୁ ଦୀକ୍ଷିତ କୁହାଯାଏ । ଗୌତମ ବୁଦ୍ଧଙ୍କ ସମେତ ଏ ସମସ୍ତ ଯୁଗପୁରୁଷ ନିଶ୍ଚିତ ଭାବେ ସେ ସମୟରେ ଖୁବ୍ ପ୍ରଭାବଶାଳୀ ହୋଇଥିବେ । ଏମାନଙ୍କର ଜ୍ଞାନ-ଗରିମା ଦ୍ଵାରା ଯେ ବିହାରର ମାଟି ଉଦ୍‌ଭାସିତ ହୋଇଥିବ, ଏଥିରେ ସନ୍ଦେହ ନାହିଁ ।

 

ଶ୍ରମଣ-ପରମ୍ପରା ଅନୁସରଣ କରୁଥିବା ଏହି ଧର୍ମାଚାର୍ଯ୍ୟଗଣ ସଂଯମ, ତପ ତଥା ତ୍ୟାଗର ଉପଦେଶ ଶୁଣାଉଥିଲେ ଏବଂ ଘୂରି ଘୂରି ନିଜର ଧର୍ମ ପ୍ରଚାର କରୁଥିଲେ । କେବେ ରାଜଗୃହ, କେବେ ନାଳନ୍ଦା, କେବେ ବୈଶାଳୀ, କେବେ ମିଥିଳା ଅଥବା କେବେ କେବେ ଗ୍ରାମ, ଜନପଦମାନଙ୍କରେ ସେମାନେ ନିଜର ସଂଘ ସହିତ ଭ୍ରମଣ କରୁଥିଲେ । ଏହି ଧର୍ମାଚାର୍ଯ୍ୟମାନଙ୍କର ଆଗମନ ବାର୍ତ୍ତା ପାଇଲେ ଅଙ୍ଗ-ମଗଧର ଜନସାଧାରଣ ଆନନ୍ଦରେ ଆତ୍ମହରା ହୋଇ ପଡ଼ୁଥିଲେ-। ଯାହା ମନରେ ଯାହା ସନ୍ଦେହ ଉଠୁଥିଲା, ସେ ତାହା ନେଇ ଉପସ୍ଥିତ ହେଉଥିଲା-। ପ୍ରଶ୍ନୋତ୍ତର ଛଳରେ ସନ୍ଦେହ ମୋଚନ କରାଯାଉଥିଲା । ଶେଷରେ ଉପସ୍ଥିତ ଶ୍ରୋତୃବର୍ଗଙ୍କୁ ସେ ନିଜର ଯୁକ୍ତି-ତର୍କ ଦ୍ଵାରା ପ୍ରଭାବିତ କରିପାରୁଥିଲା କିମ୍ବା ନିଜର କୌଣସି ଅଲୌକିକ ଶକ୍ତି ପ୍ରଦର୍ଶନ କରି ଚମତ୍କୃତ କରିପାରୁଥିଲା, ତାକୁ ବିଜୟୀ କୁହାଯାଉଥିଲା । ଲୋକଙ୍କ ମଧ୍ୟରେ ତା’ର ପ୍ରତିଷ୍ଠା ବଢ଼ୁଥିଲା ଏବଂ ଭୋଜନାଦି ଦ୍ଵାରା ତାଙ୍କର ସତ୍‌କାର କରାଯାଉଥିଲା ।

 

ଦୁର୍ଭାଗ୍ୟବଶତଃ ନିଗଣ୍ଠ ନାତପୁତ୍ତ ଏବଂ ଗୌତମ ବୁଦ୍ଧଙ୍କୁ ଛାଡ଼ିଦେଲେ ଉପରୋକ୍ତ ଧର୍ମାଚାର୍ଯ୍ୟମାନଙ୍କ ମଧ୍ୟରୁ ଆଉ କାହାରି ସାହିତ୍ୟ ମିଳୁନାହିଁ । ଏହି ସାହିତ୍ୟ ଅଭାବରୁ ସେମାନଙ୍କ ସିଦ୍ଧାନ୍ତ ସଂପର୍କରେ ଆମେ ସମ୍ୟକ୍‌ଜ୍ଞାନ ପାଇପାରୁନାହୁଁ । ବୌଦ୍ଧ ଏବଂ ଜୈନ ଗ୍ରନ୍ଥମାନଙ୍କରେ ସେମାନଙ୍କ ସଂପର୍କରେ ଯାହା ଅଳ୍ପ ବହୁତ ଉଲ୍ଲେଖ ଅଛି, ତାହା ପୂରାପୂରି ସତ୍ୟ ବୋଲି କୁହାଯାଇନପାରେ ।

 

ମଂଖଲିପୁତ୍ର ଗୋଶାଲଙ୍କ ସଂପର୍କରେ ଏକ ବିସ୍ତୃତ ବିବରଣୀ ଶ୍ଵେତମ୍ବର ଜୈନ ଆଗମମାନଙ୍କରେ ଦେଖିବାକୁ ମିଳେ । ସେ ସବୁ ବିବରଣୀରୁ ଗୋଶାଲ ଯେ ଜଣେ ପ୍ରଭାବଶାଳୀ ଧର୍ମାଚାର୍ଯ୍ୟ ହୋଇଥିବେ, ତା’ର ସୂଚନା ମିଳେ । ଆଜୀବକ ସଂପ୍ରଦାୟର ସେ ଜଣେ ମୁଖ୍ୟ ତୀର୍ଥଙ୍କର ଥିଲେ । ଶ୍ରାବସ୍ତୀ (ସହେତ-ମହେତ, ଜିଲ୍ଲା ଗୋଣ୍ଡା) ଥିଲା ତାଙ୍କ ଅନୁଗାମୀମାନଙ୍କର କେନ୍ଦ୍ର । ଆଜୀବକ ସଂପ୍ରଦାୟର ବାରଜଣ ପ୍ରଧାନ ଉପାସକ ଥିଲେ । ସେମାନେ ଗୋଶାଲଙ୍କୁ ସେମାନଙ୍କର ଅରିହନ୍ତ ଦେବରୂପେ ସ୍ଵୀକାର କରୁଥିଲେ । ମାତା-ପିତାଙ୍କୁ ସେମାନେ ସେବା ଶୁଶ୍ରୂଷା କରୁଥିଲେ । ପାଞ୍ଚପ୍ରକାରର ଉଦୁମ୍ବର ଫଳ ଖାଉନଥିଲେ । ଯେଉଁ ଅଣ୍ଡିରା ବାଛୁରୀ ଧରାହୋଇନଥାନ୍ତି ଏବଂ ଯାହାଙ୍କର ନାକ ବନ୍ଧା ହୋଇନଥାଏ, ସେମାନଙ୍କ ଦ୍ଵାରା ବ୍ୟବସାୟ କରୁଥିଲେ । ଅଧିକନ୍ତୁ କେବଳ ହିଂସା-ବିହୀନ ବ୍ୟବସାୟଦ୍ଵାରା ନିଜର ଜୀବିକା ଉପାର୍ଜନ କରୁଥିଲେ । ଗୋଶାଲ ନିମିତ୍ତଶାସ୍ତ୍ରରେ ପଣ୍ଡିତ ଥିଲେ । ପାର୍ଶ୍ଵନାଥଙ୍କ ଶିଷ୍ୟମାନଙ୍କଠାରୁ ଗୋଶାଲ ଏ ବିଦ୍ୟା ଶିକ୍ଷା କରିଥିଲେ । ଦିଗମ୍ବର ସଂପ୍ରଦାୟରେ ମଧ୍ୟ ଗୋଶାଲଙ୍କୁ ପାର୍ଶ୍ଵନାଥଙ୍କ ପରମ୍ପରାର ଅନୁଗାମୀ ବୋଲି ସ୍ଵୀକାର କରାଯାଏ । ଶ୍ଵେତାମ୍ବର ଆଗମମାନଙ୍କ ଅନୁସାରେ ଗୋଶାଲ ମହାବୀରଙ୍କର ତପସ୍ଵୀ ଅବସ୍ଥାରେ ତାଙ୍କର ଶିଷ୍ୟହୋଇ ରହିଥିଲେ । ପରବର୍ତ୍ତୀ ଜୀବନରେ ତାଙ୍କର ମହାବୀରଙ୍କ ସହିତ ମତଭେଦ ଘଟିଲା ଏବଂ ସେମାନେ ପରସ୍ପରଠାରୁ ଅଲଗା ହୋଇଗଲେ । ପୁନଶ୍ଚ ଦୀର୍ଘ ଷୋହଳ ବର୍ଷ ପରେ ଉଭୟଙ୍କର ମିଳନ ହେଲା । ଗୋଶାଲ ନିଜକୁ ‘ଜିନ’ ବୋଲି ଘୋଷଣା କଲେ । ତାଙ୍କର ତେଜୋଲେଶ୍ୟା ସିଦ୍ଧି ଲାଭହେଲା । ମହାବୀର ଗୋଶାଲଙ୍କୁ ତପସ୍ଵୀ ବୋଲି ସ୍ଵୀକାର କରିବା ସଙ୍ଗେ ସଙ୍ଗେ ତାଙ୍କର ତେଜୋଲେଶ୍ୟାର ପ୍ରଶଂସା କଲେ । ଗୋଶାଲ ମହାବୀରଙ୍କ ଉପରେ ତେଜୋଲେଶ୍ୟା ପ୍ରୟୋଗ କଲେ । ଏଥିରେ ମହାବୀରଙ୍କର ଶରୀରକୁ କଷ୍ଟ ହୋଇଥିଲା । ମହାବୀର ଗୋଶାଲଙ୍କର ମୃତ୍ୟୁପରେ ଜୀବିତ ଥିଲେ ।

 

ମହାବୀରଙ୍କ ପରି ଗୋଶାଲ ମଧ୍ୟ ଉଲଗ୍ନ ରହୁଥିଲେ । ଆଜୀବକମତବାଦୀ ସାଧୁମାନଙ୍କ ପାଇଁ ଉଲଗ୍ନ ରହିବା, କଠୋର ତପୋଶ୍ଚର୍ଯ୍ୟା କରିବା ଏବଂ ହାତରେ ଭିକ୍ଷା ଗ୍ରହଣ କରିବା ବିଧି ରହିଛି । ଆଜୀବକ ସାଧୁ-ଭୋଜନ ପାଇଁ କାହାରି ନିମନ୍ତ୍ରଣ ସ୍ଵୀକାର କରନ୍ତି ନାହିଁ କିମ୍ବା ସେମାନଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ଖାଦ୍ୟ ଭୋଜନ କରନ୍ତି ନାହିଁ ।

 

ଭଗବାନ୍ ବୁଦ୍ଧ ଗୋଶାଲଙ୍କୁ ବାଳରେ ତିଆରି କମ୍ବଳ ସହିତ ତୁଳନା କରିଛନ୍ତି ଏବଂ ନିଜର ଶିଷ୍ୟମାନଙ୍କୁ ତାଙ୍କ ସଂପର୍କରେ ସତର୍କ ରହିବା ପାଇଁ ସାବଧାନ କରିଦେଇଛନ୍ତି । ବୁଦ୍ଧ ଗୋଶାଲଙ୍କୁ ମାୟାବୀ ଆଖ୍ୟା ଦେଇଥିଲେ । ଯେପରି ଧୀବର ଜାଲରେ ମତ୍ସ୍ୟ ଧରେ, ସେହିପରି ନିଜର ଯୁକ୍ତି-ଜାଲ ଦ୍ଵାରା ମାୟାବୀ ଗୋଶାଲ ଲୋକଙ୍କୁ ବିଭ୍ରାନ୍ତ କରୁଥିଲେ ।

 

ଗୋଶାଲଙ୍କ ସଂପର୍କରେ ଏ ପ୍ରକାରର ମନ୍ତବ୍ୟ ତାଙ୍କର ପ୍ରଭାବଶାଳୀ ବ୍ୟକ୍ତିତ୍ଵ ସଂପର୍କରେ ସୂଚନା ଦେଇଥାଏ । ମହାବୀର ଏବଂ ଗୋଶାଲ ସାଥିହୋଇ ଛ’ବର୍ଷ କାଳ ବିଚରଣ କରିଥିଲେ । ସେହି ସମୟରେ ଉଭୟଙ୍କ ମଧ୍ୟରେ ହୋଇଥିବା ପ୍ରଶ୍ନୋତ୍ତର ତଥା ସାମୟିକ ଘଟଣାବଳୀ ସଂପର୍କରେ ଜୈନ-ଆଗମମାନଙ୍କରେ ଉଲ୍ଲେଖ ଅଛି । ତାହା ମଧ୍ୟ ଗୋଶାଲଙ୍କ ସ୍ଵତନ୍ତ୍ର ବ୍ୟକ୍ତିତ୍ଵ ଉପରେ ଆଲୋକପାତ କରିଥାଏ । ସମ୍ରାଟ୍‌ ଅଶୋକଙ୍କର ଶିଳାଲେଖମାନଙ୍କରେ ଆଜୀବକ ଶ୍ରମଣମାନଙ୍କୁ ଅଶୋକ ଗୁମ୍ଫା ଦାନ କରିଥିବା କଥା ଉଲ୍ଲେଖ ଅଛି । ବୌଦ୍ଧ ବ୍ରାହ୍ମଣ ଏବଂ ନିର୍ଗ୍ରନ୍ଥମାନଙ୍କ ପରି ଆଜୀବକମାନଙ୍କର ମଧ୍ୟ ଯତ୍ନ ନେବାପାଇଁ ସମ୍ରାଟ୍‌ ଅଶୋକ ନିଜର ଧର୍ମାଧିକାରୀମାନଙ୍କୁ ଆଦେଶ ଦେଇଥିଲେ ।

 

ଏମାନଙ୍କ ବ୍ୟତୀତ ଆହୁରି ଅନେକ ସଂପ୍ରଦାୟ ଏବଂ ମତବାଦର ଉଲ୍ଲେଖ ପ୍ରାଚୀନ ଜୈନ ତଥା ବୌଦ୍ଧ ସୂତ୍ରମାନଙ୍କରେ ରହିଅଛି । ବର୍ତ୍ତମାନ ନାମକୁମାତ୍ର ସେମାନଙ୍କର ଅବଶେଷ ଦେଖିବାକୁ ମିଳେ । ତେବେ ଏସବୁରୁ ଏତିକି ପ୍ରମାଣିତ ହୁଏ ଯେ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀ ଏବଂ ତା’ର ଆଖପାଖ ସମୟ ଭାରତୀୟ ଦର୍ଶନ କ୍ଷେତ୍ରରେ ଏକ ଗଭୀର ବୈଚାରିକ ସମୁଦ୍ରମନ୍ଥନର ସମୟ ଥିଲା । କେବଳ ଉପନିଷଦକାର ନୁହନ୍ତି, ମହାବୀର ବୁଦ୍ଧ ଏବଂ ଅନ୍ୟ ଅନେକ ସୁପରିଚିତ, ସ୍ୱଳ୍ପପରିଚିତ ତଥା ଅପରିଚିତ ଧର୍ମାଚାର୍ଯ୍ୟ ଚିନ୍ତାରାଜ୍ୟରେ ପରିବର୍ତ୍ତନର ସ୍ଵର ଉତ୍ତୋଳନ କରିଥିଲେ-

 

ମହାବୀର ଏବଂ ବୁଦ୍ଧ ଉଭୟ ଶ୍ରମଣ-ପରମ୍ପରା ଅନୁସରଣ କରିଥିଲେ । ଉଭୟ ସମସାମୟିକ ଥିଲେ । ଉଭୟ କ୍ଷତ୍ରିୟକୁଳରେ ଜନ୍ମଗ୍ରହଣ କରିଥିଲେ । ମହାବୀର ଜ୍ଞାତୃପୁତ୍ର ଏବଂ ବୁଦ୍ଧ ଶାକ୍ୟପୁତ୍ର ରୂପେ ପରିଚିତ ଥିଲେ । ଉଭୟଙ୍କୁ ଯଥାକ୍ରମେ ‘ଜିନ’ ଏବଂ ‘ବୁଦ୍ଧ’ କୁହାଯାଉଥିଲା । କାଶୀଠାରୁ ଦୂରରେ, ଉଭୟ ମଗଧରେ ଜନ୍ମଗ୍ରହଣ କରିଥିଲେ । ଏହା ମଧ୍ୟ ଉଭୟଙ୍କର ପ୍ରଧାନ କର୍ମସ୍ଥଳୀ ଥିଲା । ସମ୍ରାଟ୍‌ ବିମ୍ବିସାର (ଶ୍ରେଣିକ), ଅଜାତଶତ୍ରୁ (କୂଣିକ) ତଥା ଲିଚ୍ଛବୀ ଏବଂ ମଲ୍ଲଗଣମାନେ ସେତେବେଳେ ରାଜତ୍ଵ କରୁଥିଲେ । ଗୋଟିଏ ସହର, ଗୋଟିଏ ବସ୍ତିରେ ଉଭୟ ବିହାର କରିଥିଲେ । ଗୋଟିଏ ପରିବାରକୁ ଉଭୟ ଧର୍ମୋପଦେଶ ଦେଇଥିଲେ । ଉଭୟଙ୍କର ଶିଷ୍ୟମାନେ ପରସ୍ପରର ସତ୍‌ସଙ୍ଗ କରୁଥିଲେ, ଧାର୍ମିକ ତତ୍ତ୍ଵମାନଙ୍କ ଉପରେ ଚର୍ଚ୍ଚା କରୁଥିଲେ ଏବଂ ପରସ୍ପର ପରସ୍ପରଦ୍ଵାରା ପ୍ରଭାବିତ ହୋଇ ଅନେକ ସମୟରେ ନିଜ ଧର୍ମରେ ସଂସ୍କାର ଆଣୁଥିଲେ । ସେତେବେଳେ ଧର୍ମ-ବିଦ୍ଵେଷ ନଥିଲା । ଫଳରେ ଗୋଟିଏ ପରିବାର ଭିତରେ ବିଭିନ୍ନ ସଭ୍ୟଙ୍କର ଜୈନ, ବୌଦ୍ଧ ଆଦି ବିଭିନ୍ନ ଧର୍ମପାଳନର ସ୍ଵାଧୀନତା ଥିଲା ।

 

ମହାବୀର ଏବଂ ବୁଦ୍ଧ ଉଭୟ ତପ ଆଚରଣ କରିଥିଲେ । ଉଭୟ ବେଦକୁ ଅପୌରୁଷେୟ–ଅର୍ଥାତ୍‌ ସିଧା ଈଶ୍ଵରଙ୍କ ମୁଖ-ନିଃସ୍ରୁତ ବୋଲି ସ୍ଵୀକାର କରୁନଥିଲେ । ବୈଦିକ ଯଜ୍ଞକୁ ଫଳଦାୟକ ବୋଲି ମାନୁନଥିଲେ । କର୍ମ ଅପେକ୍ଷା ଜ୍ଞାନକୁ ମୁଖ୍ୟ ବୋଲି ଭାବୁଥିଲେ । ଈଶ୍ଵର ଜଗତ୍‌ର ସ୍ରଷ୍ଟା–ଏହା ଉଭୟ ଅସ୍ଵୀକାର କରୁଥିଲେ । ଜାତି ଅପେକ୍ଷା କର୍ମକୁ ଅଗ୍ରାଧିକାର ଦେଉଥିଲେ । ଉଭୟ ଅହିଂସାକୁ ପରମ ଧର୍ମ ବୋଲି ଘୋଷଣା କରିଛନ୍ତି । ଉଭୟ ସଂଘ ସ୍ଥାପନ କରିଥିଲେ । ଉଭୟ ପଣ୍ଡିତଙ୍କର ଭାଷା ସଂସ୍କୃତକୁ ଛାଡ଼ି ମଗଧର ଭାଷା ମାଗଧୀରେ ଉପଦେଶ ଦେଉଥିଲେ । ଉଭୟ ଧର୍ମପ୍ରଚାର ପାଇଁ ବିଭିନ୍ନ ସ୍ଥାନ ପରିଭ୍ରମଣ କରିଥିଲେ । ଉଭୟ ଧର୍ମର ସାଧୁମାନଙ୍କ ପାଇଁ ଚାତୁର୍ମାସ୍ୟାରେ ଗମନ ନିଷେଧ ଅଟେ । ଉଭୟ ମଗଧ ବାହାରକୁ ଯାଇ ଧର୍ମପ୍ରଚାର କରିଥିଲେ । ମହାବୀର ୭୨ ବର୍ଷ ବୟସରେ ଏବଂ ବୁଦ୍ଧ ୮ ବର୍ଷ ବୟସରେ ନିର୍ବାଣ ଲାଭ କରିଥିଲେ । ବୁଦ୍ଧ ମହାବୀରଙ୍କ ଅପେକ୍ଷା ବୟସରେ ବଡ଼ ଥିଲେ । ବୁଦ୍ଧଙ୍କ ନିର୍ବାଣ ପରେ ମହାବୀର ନିର୍ବାଣ ଲାଭ କରିଥିଲେ ।

Image

 

ଜୈନ ତୀର୍ଥଙ୍କର

 

ଜୈନ-ପରମ୍ପରା ଜୈନଧର୍ମକୁ ଶାଶ୍ଵତ ବୋଲି ଘୋଷଣା କରିଥାଏ । ଏଣୁକରି ଜୈନଧର୍ମ ମଝିରେ ମଝିରେ ଅପ୍ରକଟ ହୋଇଯାଉଥିଲେ ମଧ୍ୟ ଏହାର ବିନାଶ ଅସମ୍ଭବ ବୋଲି ଜୈନମାନେ ବିଶ୍ଵାସ କରନ୍ତି । ଜୈନଧର୍ମରେ ଚବିଶ ଜଣ ତୀର୍ଥଙ୍କରଙ୍କୁ ସ୍ଵୀକାର କରାଯାଇଛି । ଋଷଭ ଅଥବା ରୂଷଭେଦେବ, ଯାହାଙ୍କୁ ଆଦିନାଥ ମଧ୍ୟ କୁହାଯାଏ, ଅବସର୍ପିଣୀ କାଳର ଆଦି-ତୀର୍ଥଙ୍କର ଅଟନ୍ତି । ତାଙ୍କୁ ନୀତି-ନିୟମମାନଙ୍କର ପ୍ରଥମ ସଂସ୍ଥାପକ କୁହାଯାଏ । ଅଯୋଧ୍ୟାନଗରୀରେ ଇକ୍ଷ୍ୱାକୁବଂଶରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଦୁଇ ରାଣୀ ଥିଲେ । ପ୍ରଥମ ରାଣୀଙ୍କଠାରୁ ଭରତ ଓ ବ୍ରାହ୍ମୀ ତଥା ଦ୍ଵିତୀୟ ରାଣୀଙ୍କଠାରୁ ବାହୁବଲି ଓ ସୁନ୍ଦରୀ ଜନ୍ମଗ୍ରହଣ କରିଥିଲେ । ସିଂହାସନାରୋହଣ ପରେ ସେ ଗଣସ୍ଥାପନା କଲେ । ରାଜ୍ୟବାସୀ ନରନାରୀଙ୍କୁ କଳାଶିକ୍ଷା ଦିଗରେ ପ୍ରୋତ୍ସାହନ ଦେଲେ । ଖାଦ୍ୟ ପଦାର୍ଥ ରାନ୍ଧି ଖାଇବା, ବାସନ ତିଆରି କରିବା, ଲୁଗା ବୁଣିବା ଆଦି କର୍ମ ଶିକ୍ଷା ଦେଲେ । ବ୍ରାହ୍ମୀଙ୍କୁ ଅକ୍ଷରଜ୍ଞାନ, ସୁନ୍ଦରୀଙ୍କୁ ଗଣିତ, ଭରତଙ୍କୁ ସ୍ଥାପତ୍ୟ-କଳା ଏବଂ ବାହୁବଳିଙ୍କୁ ଚିତ୍ରକଳା ଶିକ୍ଷା ଦେଲେ । ଶେଷରେ ଭରତଙ୍କୁ ରାଜ୍ୟଭାର ଅର୍ପଣ କରି ଶ୍ରମଣ ଦୀକ୍ଷା ଗ୍ରହଣ କଲେ । ତପସ୍ଵୀ-ଜୀବନରେ ସୁଦୂର ଦେଶମାନ ଭ୍ରମଣ କଲେ । ଶେଷରେ କେବଳ ଜ୍ଞାନଲାଭ କରି କୈଳାସ ପର୍ବତ ଉପରେ ନିର୍ବାଣ ପାଇଲେ ।

 

ଋଷଭଙ୍କ ପରେ ଅନ୍ୟ ତୀର୍ଥଙ୍କରମାନଙ୍କର ଆବିର୍ଭାବ ହୋଇଥିଲା । ସବୁ ତୀର୍ଥଙ୍କର କ୍ଷତ୍ରିୟକୁଳରେ ଜନ୍ମଗ୍ରହଣ କରିଥିଲେ । ଅଧିକାଂଶ ତୀର୍ଥଙ୍କର ଇକ୍ଷ୍ୱାକୁ ବଂଶରେ ଜନ୍ମଗ୍ରହଣ କରିଥିଲେ ଏବଂ ସମ୍ମେଦଶିଖର ଉପରେ ନିର୍ବାଣ ଲାଭ କରିଥିଲେ । ଜୈନ ଗ୍ରନ୍ଥମାନଙ୍କରେ ଏ ତୀର୍ଥଙ୍କରମାନଙ୍କର ଗର୍ଭବାସ, ଜନ୍ମ, ତପ, ଜ୍ଞାନ ଏବଂ ମୋକ୍ଷ–ଏ ପଞ୍ଚକଲ୍ୟାଣର ବର୍ଣ୍ଣନା ସମସ୍ତଙ୍କ କ୍ଷେତ୍ରରେ ପ୍ରାୟ ସମାନ ପ୍ରକାରର ଅଟେ । ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଥମ ୨୨ ଜଣ ତୀର୍ଥଙ୍କରଙ୍କ ସଂପର୍କରେ କୌଣସି ପ୍ରମାଣ ମିଳୁନାହିଁ; ବରଂ ସେମାନଙ୍କର ଦୀର୍ଘ ଜୀବନକାଳ ତଥା ସେମାନଙ୍କର ପରସ୍ପର ଭିତରେ ଥିବା କାଳଗତ ବ୍ୟବଧାନ ଇତ୍ୟାଦିକୁ ବିଚାର କରିବସିଲେ ସେମାନଙ୍କର ପରମ୍ପରାଗତ ପୌରାଣିକତା ସପକ୍ଷରେ ହିଁ ଅଧିକ ବଳିଷ୍ଠ ଯୁକ୍ତି ମିଳିଥାଏ ।

 

ନେମି ବା ଅରିଷ୍ଟନେମିଙ୍କୁ ଜୈନଧର୍ମର ୨୨ତମ ତୀର୍ଥଙ୍କର କୁହାଯାଏ । ଜୈନ-ପରମ୍ପରା ଅନୁଯାୟୀ ତାଙ୍କୁ ଯାଦବମାନଙ୍କର ପ୍ରିୟ ଏବଂ ବାସୁଦେବ କୃଷ୍ଣଙ୍କର ଦାଦିପୁଅ ଭାଇ ବୋଲି ସ୍ଵୀକାର କରାଯାଏ । ଶୌର୍ଯ୍ୟପୁର (ସୁରଜପୁର, ଜିଲ୍ଲା ଆଗ୍ରା)ର ମହାରାଜା, ସମୁଦ୍ରବିଜୟଙ୍କ ମହାରାଣୀ ଶିବାଙ୍କ ଗର୍ଭରେ ଅରିଷ୍ଟନେମି ଜନ୍ମଗ୍ରହଣ କରିଥିଲେ । ତାଙ୍କର ବିବାହ ରାଜା ଉଗ୍ରସେନଙ୍କ କନ୍ୟା ରାଜମତୀଙ୍କ ସହିତ ହେବା ସ୍ଥିର ହୋଇସାରିଥିଲା । ସେ ବରଯାତ୍ରୀ ନେଇ ରାଜୀମତୀଙ୍କୁ ବିବାହ କରିବା ପାଇଁ ଯାଉଥିବାବେଳେ ତାଙ୍କୁ ନଗର ଉପାନ୍ତରେ ବନ୍ଧାହୋଇଥିବା ପଶୁମାନଙ୍କର ବିକଳ ଆର୍ତ୍ତନାଦ ଶୁଣାଗଲା । ବରଯାତ୍ରୀଙ୍କ ଭୋଜିଭାତ ପାଇଁ ଯେ ସେ ପଶୁମାନେ ଉଦ୍ଦିଷ୍ଟ ଏହା ବୁଝିବାକୁ ତାଙ୍କର ବିଳମ୍ବ ଘଟିଲା ନାହିଁ । ତାଙ୍କର ସଂସାର ପ୍ରତି ବୈରାଗ୍ୟ ଉଦୟ ହେଲା । ସେ ଶ୍ରମଣ ଦୀକ୍ଷା ଗ୍ରହଣ କଲେ । ଗିର୍‌ନାର୍‌ ପର୍ବତ ଉପରେ ତାଙ୍କର ନିର୍ବାଣପ୍ରାପ୍ତ ହେଲା ।

 

ପାର୍ଶ୍ଵନାଥଙ୍କର ଐତିହାସିକତା

 

ପାର୍ଶ୍ଵନାଥ ଜୈନଧର୍ମର ୨୩ଶ ତୀର୍ଥଙ୍କର ରୂପେ ସ୍ଵୀକୃତ । ଶେଷ ତୀର୍ଥଙ୍କର ଭଗବାନ୍‌ ମହାବୀରଙ୍କର ୨୫୦ ବର୍ଷ ପୂର୍ବେ ଖ୍ରୀଷ୍ମ-ପୂର୍ବ ୮ମ ଶତାବ୍ଦୀରେ ସେ ଆବିର୍ଭାବ ହୋଇଥିଲେ । ବାରାଣସୀର ଇକ୍ଷ୍ୱାକୁବଂଶୀୟ ରାଜା ଅଶ୍ଵସେନଙ୍କ ଗୃହରେ ରାଣୀ ବାମାଦେବୀଙ୍କ ଗର୍ଭରେ ସେ ଜନ୍ମଗ୍ରହଣ କରିଥିଲେ । ସେ ଗୃହସ୍ଥାଶ୍ରମ ଅବଲମ୍ବନ କରିବା ପରେ ୭୦ ବର୍ଷ ସାଧୁଜୀବନ ଅତିବାହିତ କଲେ । ଘୋର ତପଶ୍ଚରଣ ପରେ ସେମ୍ମଦଶିଖର ଉପରେ ସିଦ୍ଧିଲାଭ କଲେ । ଅହିଚ୍ଛତ୍ରା, ହସ୍ତିନାପୁର, ଶ୍ରାବସ୍ତୀ, ସାକେତ ଓ କୌଶାମ୍ବୀ ଇତ୍ୟାଦି ନଗରମାନଙ୍କରେ ଭ୍ରମଣ କଲେ ଏବଂ ପଶ୍ଚିମ-ବଙ୍ଗଳାର ବିଭିନ୍ନ ଜାତିଙ୍କ ମଧ୍ୟରେ ଧର୍ମପ୍ରଚାର କଲେ । ପ୍ରାଚୀନ ଜୈନ ଆଗମମାନଙ୍କରେ ଭଗବାନ ପାର୍ଶ୍ଵନାଥଙ୍କୁ ପୁରୁଷଶ୍ରେଷ୍ଠ, ଲୋକପୂଜିତ, ସଂବୁଦ୍ଧ, ସର୍ବଜ୍ଞ, ଧର୍ମତୀର୍ଥଙ୍କର ତଥା ଜିନ ଇତ୍ୟାଦି ବିଶ୍ଳେଷଣ ଦିଆଯାଇଛି ।

 

ତାଙ୍କ ଧର୍ମକୁ ସୁସଂଗଠିତ କରିବାପାଇଁ ପାର୍ଶ୍ଵନାଥ ତାକୁ ଚାରିଭାଗରେ ବିଭକ୍ତ କରିଥିଲେ; ଯଥା–ଶ୍ରମଣ, ଶ୍ରମଣୀ, ଶ୍ରାବକ, ଶ୍ରାବିକା । ସଂଘର ସୁରକ୍ଷା ପାଇଁ ସେ ଗଣଧର ବା ପ୍ରମୁଖ ଶିଷ୍ୟମାନଙ୍କୁ ନିଯୁକ୍ତ କରିଥିଲେ । ପୁଷ୍ପଚୁଳା ଥିଲେ ତାଙ୍କର ସାଧ୍ଵୀ-ସଂଘର ପ୍ରମୁଖ ଗଣିନୀ-। ପାର୍ଶ୍ଵନାଥଙ୍କର ଅନେକ ଶିଷ୍ୟ (ପାର୍ଶ୍ଵପତ୍ୟାୟ)ଙ୍କର ଉଲ୍ଲେଖ ଜୈନ-ଆଗମମାନଙ୍କରେ ମିଳେ-। ସେମାନେ ମହାବୀରଙ୍କର ସମସାମୟିକ ବିହାର ତଥା ତା’ର ଆଖପାଖ ଅଞ୍ଚଳମାନଙ୍କରେ ବିଚରଣ କରୁଥିଲେ । ପାର୍ଶ୍ଵନାଥଙ୍କର ଶିଷ୍ୟମାନେ ନିମିତ୍ତଶାସ୍ତ୍ର ଅଧ୍ୟୟନ କରୁଥିଲେ । ତୁଙ୍ଗିୟା ନଗରୀ (ବିହାର ସରିଫ୍ ନିକଟରେ ତୁଙ୍ଗି ଗ୍ରାମ) ପାର୍ଶ୍ଵନାଥଙ୍କର ଶିଷ୍ୟମାନଙ୍କ କେନ୍ଦ୍ର ଥିଲା । ସେଠାରେ ସେ ତାଙ୍କର ସଂଘ ସହିତ ବିହାର କରୁଥିଲେ । ବାଣିଜ୍ୟ ଗ୍ରାମ ବସାଢ଼ ନିକଟବର୍ତ୍ତୀ ବନିୟା)ରେ ଭଗବାନ ମହାବୀର ଏବଂ ପାର୍ଶ୍ଵନାଥଙ୍କର ଶିଷ୍ୟ ଶ୍ରମଣ ଗାଙ୍ଗେୟଙ୍କ ମଧ୍ୟରେ ହୋଇଥିବା ଆଲୋଚନାର ଉଲ୍ଲେଖ ଭଗବତୀସୂତ୍ର (୯, ୩୨)ରେ ଦେଖିବାକୁ ମିଳେ । ଗାଙ୍ଗେୟଙ୍କର ସନ୍ଦେହ ମୋଚନ କରିବାକୁ ଯାଇ ଭଗବାନ ମହାବୀର ପାର୍ଶ୍ଵନାଥଙ୍କୁ ‘ପୁରୁଷଶ୍ରେଷ୍ଠ’ ବିଶେଷଣରେ ଭୂଷିତ କରିଛନ୍ତି ଓ ତାଙ୍କ ପ୍ରତି ନିଜର ସମ୍ମାନ ପ୍ରଦର୍ଶନ କରିଛନ୍ତି । ଶେଷରେ ଗାଙ୍ଗେୟ ପାର୍ଶ୍ଵନାଥଙ୍କର ଚତୁର୍ଯାମ ଧର୍ମ–ଅହିଂସା, ସତ୍ୟ, ଅଚୌର୍ଯ୍ୟ ଓ ଅପରିଗ୍ରହ ତ୍ୟାଗକରି ମହାବୀରଙ୍କ ପ୍ରତିପାଦିତ ପଞ୍ଚମହାବ୍ରତ–ଅହିଂସା, ସତ୍ୟ, ଅଚୌର୍ଯ୍ୟ ଓ ବ୍ରହ୍ମଚର୍ଯ୍ୟ ଏବଂ ଅପରିଗ୍ରହକୁ ସ୍ଵୀକାର କଲେ-

 

କୁମାର ଶ୍ରମଣ କେଶୀ ପାର୍ଶ୍ଵନାଥଙ୍କର ଅନ୍ୟ ଜଣେ ବଶିଷ୍ଟ ଶିଷ୍ୟ ଥିଲେ । ପୂର୍ବ ଗ୍ରନ୍ଥମାନଙ୍କ ସଂପର୍କରେ ତାଙ୍କର ଗଭୀର ଜ୍ଞାନ ହେତୁ ଶ୍ରମଣ ସଂଘରେ ସେ ସୁପ୍ରତିଷ୍ଠିତ ଥିଲେ । ଏକଦା ସେ ତାଙ୍କର ୫୦୦ ସାଧୁବିଶିଷ୍ଟ ସଂଘକୁ ଧରି ଶ୍ରାବସ୍ତୀରେ ପହଞ୍ଚିଲେ । ସେଠାରେ ଭଗବାନ ମହାବୀରଙ୍କର ଗଣଧର ଗୌତମ ଇନ୍ଦ୍ରଭୂତିଙ୍କ ସହିତ କେଶୀଙ୍କର ଯେଉଁ ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତାଳାପ ହୋଇଥିଲା ତାହା ଉତ୍ତରାଧ୍ୟୟନ (୨୩)ରେ ସୁରକ୍ଷିତ ଅଛି :

 

‘‘ପାର୍ଶ୍ଵନାଥ ଚାରି ଯାମ ତଥା ମହାବୀର ପଞ୍ଚମହାବ୍ରତ ସଂପର୍କରେ ଉପଦେଶ ଦେଇଛନ୍ତି । ସେହିପରି ପାର୍ଶ୍ଵନାଥ ସଚେଳ ଧର୍ମ-ବସ୍ତ୍ର ସହିତ ମୁନୀ ଧର୍ମ ଏବଂ ମହାବୀର ଅଚେଳ ଧର୍ମ-ବସ୍ତ୍ରରହିତ ମୁନୀ ଧର୍ମ-ସଂପର୍କରେ ଉପଦେଶ ଦେଇଛନ୍ତି । ଏତାଦୃଶ ମତଭେଦର କାରଣ କ’ଣ ହୋଇପାରେ ?” -କେଶୀ ଗୌତମ ଇନ୍ଦ୍ରଭୂତିଙ୍କୁ ପ୍ରଶ୍ନ କଲେ ।

 

ଇନ୍ଦ୍ରଭୂତି ଉତ୍ତର ଦେଲେ–‘‘ବସ୍ତୁତଃ ଚାରି ଯାମ ଏବଂ ପଞ୍ଚ ମହାବ୍ରତ ଭିତରେ ସେପରି କିଛି ବିଶେଷ ପାର୍ଥକ୍ୟ ନାହିଁ । ଶିଷ୍ୟମାନଙ୍କର ଭିନ୍ନ ଭିନ୍ନ ରୁଚି ଅନୁଯାୟୀ ଭିନ୍ନ ଭିନ୍ନ ଉପଦେଶ ଦିଆଯାଇଛି । କାହାପାଇଁ ଏ ପ୍ରକାରର ତତ୍ତ୍ଵ ହୃଦୟଗ୍ରାହୀ ହେଉଛି ତ ଆଉ କାହାପାଇଁ ସେ ପ୍ରକାରର ଉପଦେଶ ହୃଦୟ ଗ୍ରାହୀ ହେଉଛି । ଭଗବାନ ପାର୍ଶ୍ଵନାଥ ଏବଂ ଭଗବାନ ମହାବୀର ଉଭୟ ମହାନ୍‌ ତପସ୍ଵୀ ଥିଲେ–ଉଭୟ ଗୋଟିଏ ପଥର ପଥିକ ଥିଲେ । ଉଭୟ ଜ୍ଞାନ, ଦର୍ଶନ ଏବଂ ଚରିତ୍ରକୁ ମୋକ୍ଷର ସିଦ୍ଧି ବୋଲି ମାନୁଥିଲେ । ବସ୍ତ୍ର ଧାରଣ ସଂପର୍କରେ ଉଭୟ ବିଶ୍ଵାସ କରୁଥିଲେ ଯେ, ବାହ୍ୟ ବେଶ କେବଳ ସାଧନମାତ୍ର ଅଟେ; ଚିତ୍ତଶୁଦ୍ଧି ମୁଖ୍ୟ ଅଟେ । ତାହାହିଁ କେବଳ ସିଦ୍ଧିର କାରଣ ହୋଇପାରେ ।”

 

ଇନ୍ଦ୍ରଭୂତିଙ୍କର ଉତ୍ତର ଶୁଣି କେଶୀ ପରମ ସନ୍ତୋଷ ଲାଭ କଲେ ଏବଂ ଭଗବାନ ମହାବୀରଙ୍କର ପଞ୍ଚ-ମହାବ୍ରତକୁ ସ୍ଵୀକାର କରିନେଲେ । ପାର୍ଶ୍ଵନାଥ ଏବଂ ମହାବୀରଙ୍କ ସିଦ୍ଧାନ୍ତର ସମନ୍ଵୟକାରୀ ଉତ୍ତରାଧ୍ୟୟନ ସୂତ୍ରର ଏହି ମୀମାଂସା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ । ମୂଳ ସିଦ୍ଧାନ୍ତକୁ ଅକ୍ଷୁଣ୍ଣ ରଖିବା ସଙ୍ଗେ ସଙ୍ଗେ ସମୟର ଆବଶ୍ୟକତା ଅନୁଯାୟୀ ସିଦ୍ଧାନ୍ତର ବ୍ୟବହାରିକ ରୂପରେ କିପରି ପରିବର୍ତ୍ତନ ଅଣାଯାଇପାରେ, ତା’ର ଏକ ପ୍ରକୃଷ୍ଟ ମାର୍ଗଦର୍ଶନ ହେଲା ଇନ୍ଦ୍ରଭୂତିଙ୍କର ଉପରୋକ୍ତ ମୀମାଂସା ।

 

ପାର୍ଶ୍ଵନାଥ ତାଙ୍କ ସଂଘର କଠୋର ଅନୁଶାସନ ଉପରେ ଖୁବ୍‌ ଗୁରୁତ୍ଵ ଆରୋପ କରୁଥିଲେ । ନିର୍ଗନ୍ଥ ଧର୍ମରେ ପ୍ରତିପାଦିତ ତପ ତଥା ସଂଯମର ନିୟମାବଳୀକୁ ପାଳନ କରିବା ସହଜ ବ୍ୟାପାର ନଥିଲା । ଅନେକ ଶ୍ରମଣ କଠିନ ତପଶ୍ଚର୍ଯ୍ୟା ଦ୍ଵାରା ଭୟଭୀତ ହୋଇ ମଝିରୁ ବାଟ ଭାଙ୍ଗି ସରଳ ରାସ୍ତା ଖୋଜିନେଉଥିଲେ । ସାଧୁ-ଜୀବନ ତ୍ୟାଗ କରି କେହି କେହି ପରିବ୍ରାଜକ ହୋଇଯାଉଥିଲେ ଅଥବା ଗୃହସ୍ଥାଶ୍ରମକୁ ଫେରିଯାଉଥିଲେ । ସ୍ଥବିର ମୁନିଚନ୍ଦ୍ର ପାର୍ଶ୍ଵନାଥଙ୍କର ଜଣେ ବିଶିଷ୍ଟ ଶିଷ୍ୟ ଥିଲେ । ତାଙ୍କର ଶିଷ୍ୟମଣ୍ଡଳୀ ସହିତ କୁମାରାୟ ନିକଟସ୍ଥ ଗୋଟିଏ କୁମ୍ଭାରର ଶାଳରେ ଥରେ ସେ ଅବସ୍ଥାନ କରୁଥାନ୍ତି । ମଂଖଲି ଗୋଶାଲ ସେହି ସମୟରେ ଭଗବାନ ମହାବୀରଙ୍କ ସହିତ ବିଚରଣ କରୁଥାନ୍ତି । ସ୍ଥବିର ମୁନିଚନ୍ଦ୍ର ଏବଂ ତାଙ୍କର ଶିଷ୍ୟମାନଙ୍କୁ ପରିଗ୍ରହ ସହିତ ଦେଖି ଗୋଶାଲ ମହାବୀରଙ୍କୁ ପଚାରିଲେ ଯେ ସେ ସାଧୁମାନେ ପରିଗ୍ରହୀ ହୋଇଥିବା ହେତୁ ସେମାନଙ୍କୁ ଶ୍ରମଣ ନିର୍ଗ୍ରନ୍ଥଙ୍କ ଅନୁସରଣକାରୀ ବୋଲି କିପରି କୁହାଯିବ ? ମହାବୀର ଗୋଶଲଙ୍କୁ ଉତ୍ତର ଦେଲେ ଯେ ସେ ସାଧୁମାନେ ପାର୍ଶ୍ଵନାଥଙ୍କ ପରମ୍ପରା ଅନୁସରଣକାରୀ । ଅତଏବ ତାଙ୍କର କେହି କିଛି କ୍ଷତି କରିପାରିବ ନାହିଁ । ସେ କହିଲେ ଯେ ସେ ସାଧୁମାନେ ଆରମ୍ଭୀ ହିଂସାରୁ ମୁକ୍ତ ନୁହଁନ୍ତି । ସେମାନେ ବସ୍ତ୍ର ପିନ୍ଧନ୍ତି ଏବଂ ମରଣ ପରେ ଜିନକଳ୍ପ (ଜିନ ଭଗବାନଙ୍କ ପରି ନଗ୍ନ ରହିବା) ଧାରଣ କରନ୍ତି । ପାର୍ଶ୍ଵନାଥଙ୍କର ଶ୍ରମଣ-ପରମ୍ପରାରେ ସ୍ତ୍ରୀମାନେ ମଧ୍ୟ ଦୀକ୍ଷିତ ହେଉଥିଲେ ।

 

ପାର୍ଶ୍ଵନାଥ ଏବଂ ତାଙ୍କର ଶିଷ୍ୟମାନେ ବିହାର ତଥା ପୂର୍ବ ଉତ୍ତରପ୍ରଦେଶରେ ବିଚରଣ କରୁଥିଲେ । ତାଙ୍କର ନିର୍ବାଣ-ଭୂମି ସମ୍ମେଦଶିଖର ନିକଟବର୍ତ୍ତୀ ପଶ୍ଚିମ-ବଙ୍ଗଳାର କେତେକ ଅଞ୍ଚଳରେ ପାର୍ଶ୍ଵନାଥ ପ୍ରତିପାଦିତ ନିର୍ଗ୍ରନ୍ଥ ଧର୍ମର ଚିହ୍ନ ଦେଖିବାକୁ ମିଳେ । ବଙ୍ଗଳାର ମାନଭୂମ, ସିଂହଭୂମ ଏବଂ ଲୋହରଡ଼ଗ୍‍ଗା ଆଦି ସ୍ଥାନରେ ସରାକ (ଜୈନ ଶ୍ରାବକ) ଜାତି ଆଜି ମଧ୍ୟ ପାର୍ଶ୍ଵନାଥଙ୍କର ଉପାସକ ଅଟନ୍ତି । ଏହି ଜାତିର ଲୋକେ ଜଳ ଛାଣି କରି ପିଅନ୍ତି ଏବଂ ଜୀବହତ୍ୟା ଭୟରେ ସୂର୍ଯ୍ୟାସ୍ତ ପୂର୍ବରୁ ଖାଇନିଅନ୍ତି । ବଙ୍ଗଳାର ବୀରଭୂମି ଏବଂ ବାଙ୍କୁଡ଼ା ଆଦି ଜିଲ୍ଲାରେ ଆଷାଢ଼, ଶ୍ରାବଣ, ଭାଦ୍ରବ ଏବଂ ଆଶ୍ୱିନ–ଏହି ଚାରିମାସରେ, ବିଶେଷ କରି ଶ୍ରାବଣ ଏବଂ ଭାଦ୍ରବ ମାସରେ ମନସା ନାମକ ସର୍ପ-ଦେବତାଙ୍କର ପୂଜା କରାଯାଏ । ସମ୍ଭବତଃ, ଭଗବାନ ପାର୍ଶ୍ଵନାଥଙ୍କ ମସ୍ତକଭୂଷଣ ହୋଇଥିବା ନାଗରାଜ ଧରେଣେନ୍ଦ୍ର ହିଁ ଏଠାରେ ମନସାରୂପେ ପୂଜିତ । ପାର୍ଶ୍ଵନାଥଙ୍କ ନିର୍ବାଣଭୂମି ସମ୍ମେଦଶିଖରକୁ ବଙ୍ଗଳାର ସାନ୍ତାଳମାନେ ମାରଂଗବୁରୁ (ପାହାଡ଼ଦେବତା) ନାମ ଦେଇଥାନ୍ତି ଏବଂ ସେଠାରେ ଛଗଳ ବଳି ଦେଇଥାନ୍ତି । ବଙ୍ଗଳାର ଆଦିମଗଞ୍ଜ, ଦେଉଲଭୀରା (ଜିଲ୍ଲା ବାଙ୍କୁଡ଼ା), କାଣ୍ଟା-ବେନିୟା (ଚବିଶ ପ୍ରଗଣା) ଏବଂ ସୁଇଷା ତଥା ରାଞ୍ଚି ଜିଲ୍ଲାର ଅଗାଶିୟା ଆଦି ସ୍ଥାନରେ ଖୋଦନ ପରେ ପାର୍ଶ୍ଵନାଥଙ୍କର ପ୍ରତିମା ମିଳୁଛି । ଏଥିରୁ ଏହି ପ୍ରଦେଶରେ ପାର୍ଶ୍ଵନାଥଙ୍କର ଲୋକପ୍ରିୟତାର ପରିଚୟ ମିଳେ । ଭଲଭାବେ ଅନ୍ଵେଷଣ କରାଗଲେ ଏଠାରେ ଆହୁରି ଅନେକ ମୂଲ୍ୟବାନ୍ ଐତିହାସିକ ସାମଗ୍ରୀର ସନ୍ଧାନ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି ।

Image

 

ଭଗବାନ ମହାବୀର

ବିହାର ମାଟିରେ ମହାବୀର

 

(କ) ବର୍ଦ୍ଧମାନଙ୍କ ଜନ୍ମଭୂମି ବୈଶାଳୀ

 

ପ୍ରାକୃତିକ ସୁଷମାର ଗନ୍ତାଘର, ବିଦେହ ଜନପଦର ରାଜଧାନୀ ବୈଶାଳୀ (ଆଧୁନିକ ବସାଢ଼) ନଗରୀରେ ମହାବୀର ଜନ୍ମଗ୍ରହଣ କରିଥିଲେ । ବଜ୍ଜୀ ଗଣତନ୍ତ୍ରର ମୁଖ୍ୟ ନଗରୀ ଥିଲା ବୈଶାଳୀ । ସେଠାରେ ନାଗରିକଙ୍କ ଦ୍ଵାରା ନିର୍ବାଚିତ ପ୍ରତିନିଧିମାନେ ଗଣତାନ୍ତ୍ରିକ ପଦ୍ଧତିରେ ଶାସନ କରୁଥିଲେ । ସେମାନଙ୍କର ସାଂଗଠନିକ ଶକ୍ତି ତଥା ଶାସନ-ଦକ୍ଷତା ପାଇଁ ସେମାନେ ପ୍ରସିଦ୍ଧ ଥିଲେ । ବୈଶାଳୀରେ ବହିଯାଉଥିଲା ଗଣ୍ଡକୀ (ଗଣ୍ଡକ) ନଦୀ । ଗଣ୍ଡକୀ ତଟରେ ଅବସ୍ଥିତ ଥିଲା କୁଣ୍ଡ ଗ୍ରାମ ଅଥବା କୁଣ୍ଡପୁର (ଆଧୁନିକ ବାସୁକୁଣ୍ଡ) ନାମକ ଉପନଗର । କୁଣ୍ଡଗ୍ରାମ ଦୁଇଭାଗରେ ବିଭକ୍ତ ହୋଇଥିଲା–କ୍ଷତ୍ରିୟ କୁଣ୍ଡଗ୍ରାମ ଏବଂ ବ୍ରାହ୍ମଣ କୁଣ୍ଡଗ୍ରାମ । କ୍ଷତ୍ରିୟ କୁଣ୍ଡଗ୍ରାମରେ କ୍ଷତ୍ରିୟ ଏବଂ ବ୍ରାହ୍ମଣ କୁଣ୍ଡଗ୍ରାମରେ ବ୍ରାହ୍ମଣଙ୍କ ବସତି ଥିଲା । ମହାବୀର କ୍ଷତ୍ରିୟ କୁଣ୍ଡଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ବଜ୍ଜୀ ଦେଶ (ଚମ୍ପାରନ, ମୁଜାଫରପୁର, ଦରଭଙ୍ଗା ଛପରା ଜିଲ୍ଲା) ଶାସନ କରୁଥିଲେ । ବଜ୍ଜୀସଂଘ ଅନ୍ତର୍ଗତ ବିଦେହ, ଲିଚ୍ଛବୀ, ଜ୍ଞାତୃ, ବୃଜ୍ଜୀ, ଉଗ୍ର, ଭୋଗ, ଇକ୍ଷ୍ୱାକୁ ଓ କୌରବ ନାମକ ଆଠଟି କୁଳ । ମହାବୀର ଜ୍ଞାତୃକୁଳରେ ଜନ୍ମଗ୍ରହଣ କରିଥିଲେ । ବାସୁକୁଣ୍ଡଠାରେ ଶହ ଶହ ବର୍ଷ ହେବ ଦୁଇ ଏକର ଜମି ଅନାବାଦୀ ଅବସ୍ଥାରେ ପଡ଼ିଛି । ତା’ ଚାରିପଟ ଜମି ଚାଷ କରିଯାଉଥିଲେ ମଧ୍ୟ ସେ ଚକଡ଼ାଟି ଚାଷ କରାଯାଏନାହିଁ । ସେହିଠାରେ ମହାବୀର ଜନ୍ମଗ୍ରହଣ କରିଥିଲେ ବୋଲି କୁହାଯାଏ । ଆଖପାଖ ଗାଁର ଲୋକେ ମହାବୀରଙ୍କ ଉଦ୍ଦେଶ୍ୟରେ ଲଡ଼ୁ ଓ ବାଦାମ-ଜାତୀୟ ଶୁଖିଲା ଫଳ ଇତ୍ୟାଦି ଭୋଗ କରିଥାନ୍ତି । ଏଠାକାର ଗୋପ ଆଦି କେତେକ ଜାତିଙ୍କ ଭିତରେ ଗୌତମଗୋତ୍ର ଦେଖିବାକୁ ମିଳେ । ଏମାନେ ମାଂସ-ଭକ୍ଷଣ କରନ୍ତି ନାହିଁ । ବୈଶାଳୀରେ ଜନ୍ମଗ୍ରହଣ କରିଥିବାରୁ ମହାବୀରଙ୍କୁ ବୈଶାଳୀୟ ଏବଂ ଜ୍ଞାତୃକୁଳରେ ଜନ୍ମଗ୍ରହଣ କରିଥିବାରୁ ତାଙ୍କୁ ଜ୍ଞାତୃ-ପୁତ୍ର ମଧ୍ୟ କୁହାଯାଏ । ଲିଚ୍ଛଜୀବଂଶରେ ଜନ୍ମଗ୍ରହଣ କରିଥିବାରୁ ସେ ପ୍ରିୟଦର୍ଶୀ ଥିଲେ ଏବଂ ତାଙ୍କର ବ୍ୟକ୍ତିତ୍ଵ ଚିତ୍ତାକର୍ଷକ ଥିଲା । ତାଙ୍କ ପିତାଙ୍କ ନାମ ଥିଲା ସିଦ୍ଧାର୍ଥ । ସେ ଜ୍ଞାତୃକୁଳର କ୍ଷତ୍ରିୟଙ୍କ ଭିତରେ ମୁଖିଆ ଥିଲେ । ବୈଶାଳୀର ପ୍ରସିଦ୍ଧ ଶାସକ ତଥା ଗଣରାଜାମାନଙ୍କର ମୁଖିଆ ଚେଟକଙ୍କର ଭଉଣୀ ତ୍ରିଶଳା ଥିଲେ ମହାବୀରଙ୍କର ମା’ । ସେ ବିଦେହଦତ୍ତା ଅଥବା ପ୍ରିୟକାରିଣୀ ନାମରେ ମଧ୍ୟ ପରିଚିତ ଥିଲେ । ମହାବୀରଙ୍କର ମାତା-ପିତା ଶ୍ରମଣୋପାସକ ଥିଲେ ଏବଂ ପାର୍ଶ୍ଵନାଥଙ୍କର ଅନୁଚର ଥିଲେ ।

 

ଯେଉଁଦିନ ରାତିରେ ମହାବୀର ତ୍ରିଶଳାଙ୍କ ଗର୍ଭରେ ଅବତରଣ କଲେ, ସେଦିନ ମାତା ତ୍ରିଶଳା ବହୁ ସୁନ୍ଦର ସ୍ଵପ୍ନ ଦେଖିଲେ । ବିଛଣାରୁ ଉଠି ସେ ସିଦ୍ଧାର୍ଥଙ୍କ ନିକଟରେ ପହଞ୍ଚିଲେ ଏବଂ ତାଙ୍କୁ ସ୍ଵପ୍ନକଥା ଶୁଣାଇଲେ । ସକାଳ ହୁଅନ୍ତେ ସିଦ୍ଧାର୍ଥ ସ୍ଵପ୍ନଫଳ ଜାଣିପାରୁଥିବା ପଣ୍ଡିତମାନଙ୍କୁ ଡକାଇ ସେ ସମସ୍ତ ସ୍ଵପ୍ନର ତାତ୍ପର୍ଯ୍ୟ ପଚାରିଲେ । ପଣ୍ଡିତମାନେ ଭବିଷ୍ୟତ ବାଣୀ କଲେ ଯେ ତାଙ୍କ ଘରେ ଜଣେ ଦିବ୍ୟଚେତନାସମ୍ପନ୍ନ ପୁତ୍ର ଜନ୍ମହେବ । ତାଙ୍କର ଅଲୌକିକ ପ୍ରତିଭା ଦ୍ଵାରା ସମଗ୍ର ପୃଥିବୀ ଆଲୋକିତ ହେବ ।

 

ପଣ୍ଡିତମାନଙ୍କର ଏହି ଭବିଷ୍ୟତବାଣୀ ଶୁଣି ସିଦ୍ଧାର୍ଥ ଏବଂ ତ୍ରିଶଳା ଖୁବ୍‌ ଆନନ୍ଦିତ ହେଲେ । ତ୍ରିଶିଳା ଅତି ସାବଧାନତା ସହକାରେ ନିଜର ଗର୍ଭରକ୍ଷା କରିବାକୁ ଲାଗିଲେ । ଉଠାବସା, ଚଲାବୁଲା ସବୁଥିରେ ସେ ସାବଧାନତା ରକ୍ଷା କଲେ । ପରିମିତ ପଥ୍ୟ ଭୋଜନ କଲେ । ଚିନ୍ତା, ଶୋକ, ଦୁଃଖ ଏବଂ ଭୟଠାରୁ ଦୂରରେ ରହିଲେ । ମନ ପ୍ରସନ୍ନ ରଖିବା ଭଳି କଥା ଓ କାହାଣୀ ଶୁଣିଲେ ।

 

ଏହିଭଳି ନ’ମାସ ସାଢ଼େ ସାତ ଦିନ ବିତିଗଲା । ତ୍ରିଶଳା ମାତା ଏକ ପ୍ରିୟଦର୍ଶନ ଶିଶୁକୁ ଜନ୍ମଦେଲେ । ସବୁଆଡ଼େ ଆନନ୍ଦର ଢେଉ ଖେଳିଗଲା । ପରିଚାରିକାଗଣ ଦୌଡ଼ି ଦୌଡ଼ି ସିଦ୍ଧାର୍ଥଙ୍କ ପାଖରେ ପହଞ୍ଚିଲେ ଓ ତାଙ୍କୁ ପୁତ୍ରଜନ୍ମ ସଂବାଦ ଦେଲେ । ସମାଚାର ପାଇ ରାଜା ଉତ୍‌ଫୁଲ୍ଲ ହୋଇପଡ଼ିଲେ ଓ ସଂବାଦ ଦେଇଥିବା ଦାସୀମାନଙ୍କୁ ଦାନ ଧର୍ମ ଦ୍ଵାରା ସତ୍‌କାର କରି ସବୁ ଦିନ ପାଇଁ ଦାସୀବୃତ୍ତିରୁ ମୁକ୍ତ କରିଦେଲେ ।

 

କ୍ଷତ୍ରିୟ-କୁଣ୍ଡଗ୍ରାମକୁ ସଜାଇବା ପାଇଁ ଆଦେଶ ହେଲା । ନଗର ପରିଷ୍କାର କରାଗଲା । ସୁଗନ୍ଧ ଜଳ ଛିଞ୍ଚାଗଲା, ନଗରର ଗୃହମାନ ଚୂନଧଉଳା କରାଗଲା । ପ୍ରତି ଘର ଉପରେ ପତାକା ଉଡ଼ାଗଲା । ଚନ୍ଦନ-କଳଶ ସ୍ଥାପନା କରାଗଲା । ତୋରଣ ଗଢ଼ାଗଲା । ଧୂପର ଭୂରୁ-ଭୂରୁ ଗନ୍ଧରେ ସାରା ନଗର ମହକି ଉଠିଲା । ନଟମାନେ ଖେଳ ଦେଖାଇଲେ । ନର୍ତ୍ତକୀମାନେ ବିଭିନ୍ନ ପ୍ରକାର ନୃତ୍ୟ ଓ ଅଭିନୟ ପ୍ରଦର୍ଶନ କଲେ । ବିଦୂଷକମାନେ ହାସ୍ୟରସ ଦ୍ଵାରା ପ୍ରଜାଙ୍କର ଚିତ୍ତବିନୋଦନ କଲେ । କଥା, ସ୍ତୋତ୍ରପାଠ ଏବଂ ରାସଲୀଳା ଇତ୍ୟାଦିର ଆୟୋଜନ ହେଲା । ପ୍ରାୟ ଦଶଦିନ ପର୍ଯ୍ୟନ୍ତ ଖୁବ୍‌ ଜାକଜମକରେ ଆନନ୍ଦୋତ୍ସବ ଚାଲିଲା ।

 

ନବଜାତ ଶିଶୁର ସଂସ୍କାର କର୍ମ କରାଗଲା । ଚନ୍ଦ୍ର-ସୂର୍ଯ୍ୟ ଦର୍ଶନ କରାଗଲା । ସାରା ରାତି ଅନିଦ୍ରା ରହି, ଗାଅଣ ବାଜଣ ଭିତରେ ‘ରତଜଗା’ ପାଳନ କରାଗଲା । ଏକାଦଶ ଦିବସରେ ସୂତକ ପାଳନ କରାଗଲା ଏବଂ ତାପରେ ଆତ୍ମୀୟ-ସ୍ଵଜନ ଓ ବନ୍ଧୁମାନଙ୍କୁ ଭୋଜନ, ପାନ, ବସ୍ତ୍ର ଏବଂ ଅନ୍ୟାନ୍ୟ ଉପହାରମାନ ଦେଇ ଆପ୍ୟାୟିତ କରାଗଲା । ଗଣରାଜା ସମସ୍ତଙ୍କ ସମକ୍ଷରେ ଘୋଷଣା କଲେ ଯେ-ଏ ଶିଶୁ ଗର୍ଭକୁ ଆସିବା ସମୟରୁ ହିଁ ରାଜ୍ୟର ସୁଖ, ସମୃଦ୍ଧି ବଢ଼ିଛି । ଏଣୁ ଏହାର ନାମ ବର୍ଦ୍ଧମାନ ରଖିବା ଠିକ୍‌ ହେବ । ଉପସ୍ଥିତ ପ୍ରଜାଗଣ ଆନନ୍ଦ-ଉଚ୍ଛ୍ୱାସ ଭିତରେ ଏହି ପ୍ରସ୍ତାବ ଅନୁମୋଦନ କଲେ ।

 

ତୁଳସୀ ଦୁଇପତ୍ରରୁ ବାସେ

 

ବର୍ଦ୍ଧମାନ ଖୁବ୍‌ ଗେହ୍ଳାରେ ବଢ଼ିବାକୁ ଲାଗିଲେ । ଚନ୍ଦ୍ରକଳା ପରି ସେ ବଢ଼ୁଥାନ୍ତି । ଏକାଧିକ ଦାସୀ ତାଙ୍କ ପାଇଁ ନିଯୁକ୍ତ ହୋଇଥାନ୍ତି–କିଏ ଦୁଧ ପିଆଏ, କିଏ ତେଲ-ମାଲପା ଲଗାଇ ଗାଧୋଇଦିଏ, କିଏ ବସ୍ତ୍ର, ଆଭୂଷଣ ଆଦି ପିନ୍ଧାଇଦିଏ । ତାଙ୍କ ଉପରେ ଖରାପ ଦୃଷ୍ଟି ନପଡ଼ିବା ପାଇଁ କିଏ ତାଙ୍କୁ କଳା ଗୋରଚିନା ଇତ୍ୟାଦି ଲଗାଇ ଦିଏ, କିଏ ତାଙ୍କର ମନୋରଞ୍ଜନ ପାଇଁ ଖେଳାଏ ତ କିଏ ତାଙ୍କୁ କାଖେଇ ବୁଲାଏ ।

 

ପିଲାଟିବେଳୁ ବର୍ଦ୍ଧମାନ ଖୁବ୍‌ ବୀର, ଧୀର ଏବଂ ଗମ୍ଭୀର ପ୍ରକୃତିର ଥିଲେ । ଦରକାର ବେଳେ ସେ ଖୁବ୍‌ ସାହସର ସହିତ ବିପଦର ସମ୍ମୁଖୀନ ହେଉଥିଲେ; ଡରି ପଳାଇଯାଉ ନଥିଲେ । ଥରକର ଘଟଣା–ସେ ସାଥୀମାନଙ୍କ ସହିତ ଖେଳୁଥିଲେ । ଏତିକିବେଳେ ଏକ ବିଷଧର ସାପ ଗୋଟିଏ ଗଛ ଗଣ୍ଡିରେ ଗୁଡ଼େଇ ହୋଇ ଫଁ ଫଁ ଶବ୍ଦ କରୁଥିବାର ଦେଖାଗଲା । ସାପକୁ ଦେଖି ବର୍ଦ୍ଧମାନଙ୍କ ଖେଳ ସାଥୀମାନେ ଭୟରେ ଯେ ଯୁଆଡ଼େ ପଳାଇଗଲେ; ମାତ୍ର ବର୍ଦ୍ଧମାନ ନିର୍ଭୀକଭାବେ ସେଠାରେ ଠିଆହୋଇ ରହିଲେ । ସେ ସାପକୁ ହାତରେ ଧରି ବୁଲେଇ, ବୁଲେଇ ଦୂରକୁ ଛାଟିଦେଲେ । ତାଙ୍କ ସଂପର୍କରେ ଆଉ ଏକ ଗଳ୍ପ ଅଛି । ଥରେ ସେ ନିଜ ସାଥୀମାନଙ୍କ ସହ ଖେଳୁଥିବାବେଳେ ସ୍ଵର୍ଗର ଜଣେ ଦେବତା ନିଜର ରୂପ ବଦଳାଇ ସେମାନଙ୍କ ଭିତରେ ମିଶିଗଲେ । ଖେଳ ନିୟମ ଅନୁଯାୟୀ ଯିଏ ଖେଳରେ ହାରିଯିବ ସେ ଜିତିଥିବା ଖେଳାଳିକୁ କାନ୍ଧରେ ବସାଇ ବୁଲାଇବ । ସେ ଦେବତା ଖେଳରେ ବର୍ଦ୍ଧମାନଙ୍କଠାରୁ ହାରିଗଲେ । ମାତ୍ର ବର୍ଦ୍ଧମାନ ତା’ ପିଠିରେ ବସୁ ବସୁ ସେ ଦେବତା ଦିବ୍ୟଶକ୍ତିବଳରେ ନିଜ ଶରୀରକୁ ଏପରି ପ୍ରକାଣ୍ଡ କରିଦେଲେ ଯେ ସେ ଗୋଟାଏ ଭୀଷଣକାୟ ରାକ୍ଷସ ପରି ଦେଖାଗଲେ । ମାତ୍ର ବର୍ଦ୍ଧମାନ ଭୟଭୀତ ନ ହୋଇ ତାଙ୍କ ପିଠି ଉପରେ ଖୁବ୍‌ ଜୋର୍‌ରେ ଏକ ମୁଥା ମାରିଲେ । ମାଡ଼ ଖାଇ ସେ ଦେବତା ନିଜର ପ୍ରକୃତ ରୂପ ଦେଖାଇଲେ ଓ ବର୍ଦ୍ଧମାନଙ୍କ ନିକଟରେ କ୍ଷମା ମାଗିଲେ ।

 

ଏ ଗଳ୍ପ ଅବତରଣା କରିବାର ତାତ୍ପର୍ଯ୍ୟ ହେଲା, ବର୍ଦ୍ଧମାନ ପିଲାଟି ବେଳୁ ଖୁବ୍‌ ସାହସୀ ଥିଲେ । କିଛି ବିପଦ ଦେଖାଦେଲେ ସେ ଖୁବ୍‌ ଧୈର୍ଯ୍ୟର ସହ ତା’ର ମୁକାବିଲା କରୁଥିଲେ । ଏହି କାରଣରୁ ସେ ମହାବୀର ନାମରେ ପ୍ରଖ୍ୟାତ ହେଲେ ।

 

ବର୍ଦ୍ଧମାନଙ୍କର ବୟସ ଯେତେବେଳେ ଆଠ ବର୍ଷ, ସେତେବେଳେ ସିଦ୍ଧାର୍ଥ ତାଙ୍କୁ ପାଠଶାଳାକୁ ପଠାଇଲେ । ଖୁବ୍‌ ଧୁମ୍‌ଧାମରେ ଉତ୍ସବ ପାଳିତ ହେଲା । ବର୍ଦ୍ଧମାନ ବିଦ୍ୟାଳୟରେ ପହଞ୍ଚି ଆଚାର୍ଯ୍ୟଙ୍କୁ ବ୍ୟାକରଣ ପ୍ରଶ୍ନ ପଚାରିବାକୁ ଲାଗିଲେ । ଆଚାର୍ଯ୍ୟ ସେ ପ୍ରଶ୍ନମାନଙ୍କର ଉତ୍ତର ଦେଇ ନପାରିବାରୁ ବର୍ଦ୍ଧମାନ ଆଚାର୍ଯ୍ୟ ଆସନରେ ବସି ଉକ୍ତ ବିଷୟଗୁଡ଼ିକ ପ୍ରତିପାଦନ କରିବାକୁ ଲାଗିଲେ ।

 

ଗୃହସ୍ଥାଶ୍ରମ ଆଡ଼କ

 

ବର୍ଦ୍ଧମାନଙ୍କର ଯୁବାବସ୍ଥା ଉପଗତ ହେଲା । ମଣିଷ ଜୀବନରେ ଏ ଅବସ୍ଥା ନୂଆ ନୂଆ ସମସ୍ୟା ନେଇ ଉପସ୍ଥିତ ହୁଏ । ବାଲ୍ୟାବସ୍ଥା ଖେଳକୁଦ, ହସଖୁସି ଭିତରେ କଟିଯାଏ । ଯୌବନ ଆଣେ ଏକ ନୂତନ ଆବେଗ, ଏକ ନୂତନ ଉନ୍ମାଦନା, ଭାବୀ ଜୀବନ ସଂପର୍କରେ ଗମ୍ଭୀର ଭାବେ ବିଚାର କରିବାକୁ ଏହା ପ୍ରେରଣା ଦିଏ ।

 

ଗଣ ରାଜାର ସନ୍ତାନ ହିସାବରେ ପୃଥିବୀର ସବୁ ସୁଖ-ସମ୍ଭୋଗ ବର୍ଦ୍ଧମାନଙ୍କର ହାତମୁଠାରେ ଥିଲା । ତଥାପି ତାଙ୍କର ଶାନ୍ତି ନଥିଲା । ଯେଉଁ ସୁଖ-ସମ୍ଭୋଗର ସେ ଅଧିକାରୀ ଥିଲେ, ତାହା ସମସ୍ତଙ୍କ ଭାଗ୍ୟରେ କାହିଁକି ଜୁଟୁ ନାହିଁ–ଏହି ଚିନ୍ତା ବାରମ୍ବାର ତାଙ୍କ ମନକୁ ଆସୁଥିଲା-। ମନୁଷ୍ୟ ମନୁଷ୍ୟ ଭିତରେ ସତେ କେତେ ପାର୍ଥକ୍ୟ ! ଜଣକ ସୁଖର ଅନ୍ତ ନାହିଁ, ଆଉ ଜଣେ ଦୁଃଖ ପାରାବାରରେ ଉବେଇ-ଟୁବେଇ ହେଉଛି । ଜୀବନମରଣ ପ୍ରଶ୍ନ ମଧ୍ୟ ତାଙ୍କ ମନକୁ ଆନ୍ଦୋଳିତ କଲା । ମନୁଷ୍ୟ ଆସେ କେଉଁଠୁ ? ମୃତ୍ୟୁପରେ ଯାଏ ବା କୁଆଡ଼େ ? ଏହାପଛରେ କି ରହସ୍ୟ ଲୁଚି ରହିଛି ? ପୃଥିବୀରେ ଦୁଃଖୀ ଲୋକଙ୍କ ସଂଖ୍ୟା କାହିଁକି ଅଧିକ ? ମନୁଷ୍ୟ କାମନାର ତୃପ୍ତି କାହିଁକି ନାହିଁ ? ପୃଥିବୀ କାହିଁକି ମୂଢ଼ତା ଦ୍ଵାରା ଏପରି ଆଚ୍ଛାଦିତ ଯେ ମନୁଷ୍ୟ ନିଜର ହିତ, ଅହିତ ବୁଝିପାରୁନାହିଁ ? ଏହିପରି ଚିନ୍ତା କରି କରି ତାଙ୍କର ସମୟ ଅତିବାହିତ ହେଲା ।

 

ଯୁବାବସ୍ଥା ଆସିଲା । ବର୍ଦ୍ଧମାନଙ୍କର ବ୍ୟକ୍ତିତ୍ଵ ଥିଲା ଖୁବ୍ ପ୍ରଭାବଶାଳୀ । ସୌମ୍ୟଦର୍ଶନ ଏହି ଯୁବକଙ୍କର ଶରୀର ଉତ୍ତପ୍ତ ସୁନା ଭଳି ଝଟକୁଥିଲା । ତାଙ୍କର ଲଲାଟ, ଆଖି, କାନ, ନାକ, କପାଳ ଥିଲା ଅବର୍ଣ୍ଣନୀୟ । ସତେକି ଛାଞ୍ଚରେ ଢଳାହୋଇ ଗଢ଼ାହୋଇଥିଲା ତାଙ୍କର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ । ନିଜର ଅଲିଅଳି ଶିଶୁକୁ ଏକ ଅପରୂପ ଯୁବାରେ ପରିଣତ ହେବା ଦେଖି ପିତାମାତାଙ୍କର ଆନନ୍ଦର ସୀମା ରହିଲା ନାହିଁ । ଧୁମ୍‌ଧାମରେ ବିବାହ ହେବ, କେତେ ଆନନ୍ଦ ଉତ୍ସବ, ମଙ୍ଗଳାଚାର, ଦାନଧର୍ମ, ବନ୍ଧୁବାନ୍ଧବ ସଙ୍ଖୋଳା । ଯେଉଁଦିନ ବର୍ଦ୍ଧମାନ ଗୃହସ୍ଥାଶ୍ରମରେ ପ୍ରବେଶ କରିବେ ସେଦିନ ସତେ କେତେ ବଡ଼ ଆନନ୍ଦର ଦିନ ନ ହେବ ! ଏହିପରି ସୁଖ ସ୍ଵପ୍ନ ଦେଖି ଦେଖି ବର୍ଦ୍ଧମାନଙ୍କର ମାତା ପିତା ଆନନ୍ଦ-ସାଗରରେ ନିମଜ୍ଜିତ ହେଉଥିଲେ ।

 

ବର୍ଦ୍ଧମାନଙ୍କ ସୁଗୁଣର ଖ୍ୟାତି ବହୁ ଦୂରଯାଏ ବ୍ୟାପିଗଲା । ବହୁଆଡ଼ୁ ବିବାହ ପ୍ରସ୍ତାବ ଆସିବାକୁ ଲାଗିଲା । ଏକୁ ଆରେକ ବଳି ଅନୁପମ ସୁନ୍ଦରୀ, ସୁଗୁଣସମ୍ପନ୍ନା କନ୍ୟାଙ୍କର ବିବାହ ପ୍ରସ୍ତାବ ନେଇ କନ୍ୟାପିତାମାନେ ଗଣକରାଜା ସିଦ୍ଧାର୍ଥଙ୍କ ପାଖରେ ପହଞ୍ଚିଲେ । ସିଦ୍ଧାର୍ଥ ଉକ୍ତ ପ୍ରସ୍ତାବଗୁଡ଼ିକୁ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଲେ । ମାତ୍ର ବର୍ଦ୍ଧମାନଙ୍କ ଅନୁମତି ନ ମିଳିବାଯାଏ କୌଣସି ନିଷ୍ପତ୍ତି ଗ୍ରହଣ କରିବା କିପରି ବା ସମ୍ଭବ ? ସିଦ୍ଧାର୍ଥ ବର୍ଦ୍ଧମାନଙ୍କର ବନ୍ଧୁମାନଙ୍କ ସହିତ ଆଲୋଚନା କଲେ ଏବଂ ବିବାହ ସଂପର୍କରେ ବର୍ଦ୍ଧମାନଙ୍କ ମତାମତ ଗ୍ରହଣ କରିବାକୁ ସେମାନଙ୍କୁ କହିଲେ । ବର୍ଦ୍ଧମାନ ବନ୍ଧୁମାନଙ୍କୁ ଜଣାଇଦେଲେ ଯେ ଗୃହସ୍ଥାଶ୍ରମରେ ପ୍ରବେଶ ନ କରିବା ପାଇଁ ସେ ବହୁତ ଆଗରୁ ସ୍ଥିର କରିସାରିଛନ୍ତି । କିନ୍ତୁ ମାତା ତ୍ରିଶଳାଙ୍କ ଇଚ୍ଛାକୁ ମଧ୍ୟ ଉପେକ୍ଷା କରିବା ତାଙ୍କ ପକ୍ଷରେ ସମ୍ଭବ ନଥିଲା । ଶେଷରେ ମାତାଙ୍କ ସ୍ନେହ ନିକଟରେ ତାଙ୍କୁ ମୁଣ୍ଡ ନୂଆଁଇବାକୁ ପଡ଼ିଲା । ନିଜର ଇଚ୍ଛା ନଥିଲେ ମଧ୍ୟ ବର୍ଦ୍ଧମାନ ବିବାହ କରିବାକୁ ସ୍ଵୀକୃତି ଦେଇଦେଲେ ।

 

ରାଜକୁମାରୀ ଯଶୋଦାଙ୍କ ସହିତ ବର୍ଦ୍ଧମାନଙ୍କର ବିବାହ ହୋଇଗଲା ।

 

ବର୍ଦ୍ଧମାନଙ୍କ ବିବାହ ସଂପର୍କରେ ପରସ୍ପର ବିରୋଧୀ ମତ ରହିଛି ।

 

(କ) ସାଧାରଣତଃ ଦିଗମ୍ବର ସଂପ୍ରଦାୟ ମହାବୀରଙ୍କୁ ଅବିବାହିତ ଏବଂ ଶ୍ଵେତାମ୍ବର ସଂପ୍ରଦାୟ (ଆଚାରଙ୍ଗ, ୨,୧୫,୧୫; କଳ୍ପସୂତ୍ର, ୫, ୧୧୨) ବିବାହିତ ବୋଲି ମାନିଥାଆନ୍ତି । କେତେକ ଶ୍ଵେତାମ୍ବର ଗ୍ରନ୍ଥରେ (ସମବାୟାଂଗ, ୧୯; ସ୍ଥାନାଂଗ ୪୭୧; ଆବଶ୍ୟକ ନିର୍ଯୁକ୍ତି ୨୨୧-୨୨; ବିମଳସୂଚୀ, ପଉମଚରିୟ ୫୭-୫୮) ତାଙ୍କୁ ଅବିବାହିତ ବୋଲି କୁହାଯାଇଛି ।

 

(ଖ) ଦିଗମ୍ବର ପରମ୍ପରା ଅନୁଯାୟୀ ତାଙ୍କର ବିବାହ କଳିଙ୍ଗରାଜା ଜିତଶତ୍ରୁଙ୍କ କନ୍ୟା ଯଶୋଦାଙ୍କ ସହିତ ସ୍ଥିର ହୋଇ ସାରିଥିଲା । ମଙ୍ଗଳକୃତ୍ୟ ପୂର୍ବରୁ ହେଉଥିବା ମଙ୍ଗଳଗାନ ମଧ୍ୟ ସରିଯାଇଥିଲା । କିନ୍ତୁ ବର୍ଦ୍ଧମାନ ସଂସାରର ମୋହମାୟା ତ୍ୟାଗ କରି ତପ କରିବାକୁ ଚାଲିଗଲେ । (ଜିନସେନ, ହରିବଂଶ ପୁରାଣ, ୬୬.୮)

 

(ଗ) ବାଳକ ବର୍ଦ୍ଧମାନଙ୍କର ଜନ୍ମୋତ୍ସବ ପରି ତାଙ୍କର ବିବାହୋତ୍ସବ ପାଳିତ ହୋଇଥିବାର ଉଲ୍ଲେଖ ମିଳେନାହିଁ । ତାଙ୍କର ପ୍ରିୟଦର୍ଶନା ନାମରେ ଏକ କନ୍ୟା ମଧ୍ୟ ଜନ୍ମହେଲା । ପ୍ରିୟଦର୍ଶନାଙ୍କର ବିବାହ ସେହି ନଗରର କ୍ଷତ୍ରିୟ କୁମାର ଜାମାଳିଙ୍କ ସହିତ ହୋଇଗଲା ।

 

କିନ୍ତୁ ଗୃହସ୍ଥାଶ୍ରମରେ ରହି ମଧ୍ୟ ସାଂସାରିକ ମୋହମାୟା ବର୍ଦ୍ଧମାନଙ୍କୁ ସ୍ପର୍ଶ କରିପାରିନଥିଲା । ଏକାନ୍ତରେ ବସି ସେ ଚିନ୍ତାକରନ୍ତି–କ’ଣ ସାଂସାରିକ ବିଷୟ ବାସନାର ବଶବର୍ତ୍ତୀ ହୋଇ ଆତ୍ମ-ବିସ୍ମୃତ ହେବା ଉଚିତ ? ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରିବାରୁ ରକ୍ଷା ପାଇବା ପାଇଁ କ’ଣ ପ୍ରବଳ ପୁରୁଷାର୍ଥର ଆବଶ୍ୟକତା ନାହିଁ ? ମନୁଷ୍ୟ ଜନ୍ମ ପାଇବା ଅତ୍ୟନ୍ତ କଠିନ ଅଟେ-। ମନୁଷ୍ୟ ଜନ୍ମ ସଙ୍ଗେ ସଙ୍ଗେ ସମ୍ୟକ୍ ଜ୍ଞାନ ଲାଭ ଆହୁରି ଦୁର୍ଲ୍ଲଭ । ଧର୍ମର ରହସ୍ୟ ବୁଝିବା ତହୁଁବଳି ଦୁଷ୍କର । କର୍ମର ବିନାଶ ସାଧନ କରି ନିଜ ଉପରେ ବିଜୟଲାଭ କରିବା ସର୍ବପ୍ରଥମ କର୍ତ୍ତବ୍ୟ । ଜୀବନ କ୍ଷଣଭିଂଗୁର । ତା’ ଉପରେ ଭରସା କରିବା ବୃଥା । କେତେବେଳେ ଯେ ଯମଦୂତ ଆସି ଦୁଆରେ ଛିଡ଼ାହେବେ କେହି କହିପାରିବେ ନାହିଁ । ପୃଥିବୀରେ ଏପରି ଅନେକ ଲୋକ ଅଛନ୍ତି; ଯାହାଙ୍କର ତିଳେହେଲେ ହିତାହିତ ଜ୍ଞାନ ନାହିଁ । ନିଜ ନିଜକୁ ଭୁଲିଯାଇ ମିଛମାୟା ସଂସାରରେ ସେମାନେ ଘାଣ୍ଟି ହେଉଥାନ୍ତି । କାମ, କ୍ରୋଧ, ମଦ, ମୋହ ଏବଂ ଲୋଭର.....

 

(ଘ) ବିବାହ ସମୟରେ ମହାବୀରଙ୍କର ବୟସ କେତେ ହୋଇଥିଲା ତାହାର ମଧ୍ୟ ସୂଚନା କୌଣସିଠାରେ ଦିଆଯାଇନାହିଁ ।

 

(ଙ) ଯଶୋଦାଙ୍କ ସଂପର୍କରେ ମଧ୍ୟ ବିଶେଷ କିଛି ଜାଣିବାକୁ ମିଳେ ନାହିଁ ।

 

(ଚ) ବର୍ଦ୍ଧମାନଙ୍କର ଦୀକ୍ଷା ପ୍ରସଙ୍ଗ ଆଲୋଚନା ସମୟରେ ଯଶୋଦାଙ୍କ ସଂପର୍କରେ କୌଣସି ଉଲ୍ଲେଖ ନ ଥିବା ଏକ ବିଚାରଣୀୟ ବିଷୟ ଅଟେ ।

 

(ଛ) କେବଳ-ଜ୍ଞାନପ୍ରାପ୍ତି ପରେ ଭଗବାନ ମହାବୀର ଯେତେବେଳେ ବୈଶାଳୀରେ ବିହାର କଲେ, ସେତେବେଳେ ମଧ୍ୟ ଯଶୋଦାଙ୍କ ନାମ ଶୁଣାଯାଇନଥିଲା ।

 

ଭଗବତୀ ସୂତ୍ରରେ ଉଲ୍ଲିଖିତ ଜାମାଳି ପ୍ରସଙ୍ଗରେ ଏହାର ଉଲ୍ଲେଖ ନାହିଁ । ବଶୀଭୂତ ହୋଇ ଅନ୍ୟକୁ କଷ୍ଟ ଦିଅନ୍ତି । ସେମାନଙ୍କର ମଙ୍ଗଳ ବିଧାନ ପାଇଁ ଏବଂ ସେମାନଙ୍କୁ ସତ୍‌ମାର୍ଗରେ ଆଗେଇ ନେବା ପାଇଁ ଅନବରତ ପୁରୁଷାର୍ଥର ତଥା ଅତୁଟ ଧୈର୍ଯ୍ୟର ଆବଶ୍ୟକତା ରହିଛି । ଏହି ବିରାଟ କାର୍ଯ୍ୟ ସଂପାଦନ କରିବାକୁ ହେଲେ ନିଜକୁ ସେଥିପାଇଁ ଅଧିକରୁ ଅଧିକ ଯୋଗ୍ୟ କରି ଗଢ଼ିବାର ମଧ୍ୟ ଆବଶ୍ୟକତା ରହିଛି ।

 

(ଖ) ଦୀକ୍ଷା-ଗ୍ରହଣ ଏବଂ କେବଳ-ଜ୍ଞାନ ପ୍ରାପ୍ତି

 

ଯୁବାବସ୍ଥାରେ ମନୁଷ୍ୟର ଇନ୍ଦ୍ରିୟମାନେ ପରିପକ୍ଵ ହୋଇଯାଆନ୍ତି, ଉପଭୋଗ୍ୟ ସାମଗ୍ରୀମାନଙ୍କର ଉପଭୋଗ ପାଇଁ; ଲାଳସା ଅଦମ୍ୟ ହୁଏ । ଏ ବୟସରେ ସାଂସାରିକ ମୋହ ମମତା ତ୍ୟାଗ କରି ଦୀକ୍ଷା-ଗ୍ରହଣ କରିବାର ଉତ୍କଟ ଇଚ୍ଛା କ୍ଵଚିତ ଲୋକଙ୍କ ମନରେ ଉଦୟ ହୁଏ ।

 

ମହାବୀରଙ୍କର ବୟସ ଯେତେବେଳେ ୨୮ ବର୍ଷ, ତାଙ୍କର ମାତା ପିତା ସ୍ଵର୍ଗାରୋହଣ କଲେ ।

 

ସେମାନେ ବଞ୍ଚିଥିବା ପର୍ଯ୍ୟନ୍ତ ଦୀକ୍ଷା ଗ୍ରହଣ ନ କରିବାକୁ ମହାବୀର ପ୍ରତିଜ୍ଞା କରିଥିଲେ-। ପିତାମାତାଙ୍କ ଦେହାନ୍ତ ପରେ ମହାବୀର ଅଗ୍ରଜ ନଂଦିବର୍ଦ୍ଧନଙ୍କ ସମକ୍ଷରେ ଦୀକ୍ଷା ପ୍ରସ୍ତାବ ରଖିଲେ । କିନ୍ତୁ ସେ ଦୀକ୍ଷା ନେବାପାଇଁ ଅନୁମତି ଦେଲେ ନାହିଁ । ସେ କହିଲେ–‘‘ଶ୍ରମଣ-ନିର୍ଗ୍ରଂଥ-ମାନଙ୍କର ତପ ଏବଂ ବ୍ରତ ନିୟମମାନ ମାନି ଚଳିବା ଅତି କଠିନ ବିଷୟ ଅଟେ । ବଡ଼ ବଡ଼ ତପସ୍ଵୀ ହଟି ଯାଇଛନ୍ତି । ଅତ୍ୟନ୍ତ କୁଚ୍ଛ୍ର, କଠୋର ଏଇ ନିର୍ଗ୍ରନ୍ଥ ପ୍ରବଚନ । ବର୍ତ୍ତମାନ ତ ତୁମେ ବୟସରେ ବହୁତ ଛୋଟ । ପରିଣତ ବୟସରେ ଦୀକ୍ଷା ନେବ ।”

 

ମହାବୀର ଜୀବନର ଅସାରତା ଭଲଭାବେ ହୃଦୟଙ୍ଗମ କରିଥିଲେ । ତଥାପି ବଡ଼ ଭାଇଙ୍କ ଆଜ୍ଞା ଶିରୋଧାର୍ଯ୍ୟ କରି ଯେନତେନପ୍ରକାରେଣ ଦୁଇବର୍ଷ ବିତାଇଦେଲେ ।

 

ଦିଗମ୍ବର ପରମ୍ପରା ଅନୁଯାୟୀ ମହାବୀରଙ୍କର ଦୀକ୍ଷା ସମୟରେ ତାଙ୍କର ମାତା ପିତା ଜୀବିତ ଥିଲେ । ସେମାନେ ମହାବୀରଙ୍କୁ ବ୍ରହୁତ ବୁଝାଇଥିଲେ ।

 

ଦିନେ ତାଙ୍କ ମନରେ ମାନବସେବାର ଭାବନା ଅତି ପ୍ରବଳ ହୋଇ ଉଠିଲା । ଏଥର ସେ ଗୃହତ୍ୟାଗ କରିବା ପାଇଁ ସ୍ଥିର ନିଶ୍ଚୟ କରିନେଲେ । ବହୁତ ବୁଝାଶୁଝା କରାଇବା ପରେ ମଧ୍ୟ ଯେତେବେଳେ ସେ ତିଳେହେଲେ ହୁଙ୍କିଲେ ନାହିଁ, ସେତେବେଳେ ତାଙ୍କ ପାଇଁ ନିଷ୍କ୍ରମଣସତ୍କାରର ବ୍ୟବସ୍ଥା କରାଗଲା । ରତ୍ନଖଚିତ ସୁନ୍ଦର ପାଲିଙ୍କି ଆସିଲା । ସୁଗନ୍ଧ ଜଳରେ ବର୍ଦ୍ଧମାନ ସ୍ନାନ କଲେ-। ଉତ୍ତମ ବସ୍ତ୍ର ଏବଂ ଅଳଙ୍କାରମାନ ପିନ୍ଧି ସେ ପାଲିଙ୍କିରେ ପୂର୍ବଦିଗକୁ ମୁହଁ କରି ବସିଲେ-। ତାଙ୍କ ଡାହାଣ ପଟେ ଶୁଦ୍ଧ ବସ୍ତ୍ରାଳଙ୍କାର ଧାରଣ କରି ଏବଂ ଶ୍ଵେତବସ୍ତ୍ର ପରିଧାନ କରି ଜଣେ କୁଳବୃଦ୍ଧା ଆସନ ଗ୍ରହଣ କଲେ । ବାଁପଟେ ରଜୋହରଣ, ପାତ୍ର ଦୀକ୍ଷା ସାମଗ୍ରୀ ଧରି ଅଂବଧାତା (ବଡ଼ ଧାଈ) ବସିଲେ । ପଛପଟେ ଷୋହଳ ଶୃଙ୍ଗାର କରି ଏକ ଯୁବତୀ ଚାମର ପକାଇବାରେ ଲାଗିଥାଏ ଓ ଆଉ ଜଣେ ଆଗରେ ଛିଡ଼ା ହୋଇ ପଙ୍ଖା କରୁଥାଏ ।

 

ବର୍ଦ୍ଧମାନ ବହୁମୂଲ୍ୟ ଝୀନବସ୍ତ୍ର ତ୍ୟାଗ କଲେ, ଅମୂଲ୍ୟ ଅଳଙ୍କାର ତ୍ୟାଗ କଲେ, ସରସ, ସ୍ଵାଦିଷ୍ଟ ଖାଦ୍ୟ ସାମଗ୍ରୀକୁ ଚିରଦିନ ପାଇଁ ତ୍ୟାଗ କଲେ, ବନ୍ଧୁ, ପ୍ରିୟଜନମାନଙ୍କୁ ତ୍ୟାଗ କଲେ ଏବଂ ଏକାନ୍ତ ବାସ ପାଇଁ ଆଗକୁ ପାଦ ବଢ଼ାଇଲେ । ପ୍ରଜାଗଣ ଅଭିନନ୍ଦନ ଜଣାଇଲେ । ଗୁରୁଜନ ଅଶୀର୍ବାଦ କଲେ । ପ୍ରତିଷ୍ଠିତ ନାଗରିକମାନେ ବହନ କରୁଥିବା ପାଲିଙ୍କିଟି କ୍ଷତ୍ରିୟ କୁଂଡଗ୍ରାମ ବାହାରେ ଜ୍ଞାତୃଖଣ୍ଡ ଉଦ୍ୟାନ ଆଡ଼େ ମୁହାଁଇଲା ।

 

ମାର୍ଗଶିର କୃଷ୍ଣପକ୍ଷ ୧୦ ଦିନ ଶୁଭଦିନ ଥିଲା । ଉଦ୍ୟାନରେ ପହଞ୍ଚି ବର୍ଦ୍ଧମାନ ଜୟଜୟକାର ଧ୍ୱନି ଭିତରେ ପାଲିଙ୍କିରୁ ଓହ୍ଲାଇଲେ । ଦେହରୁ ବସ୍ତ୍ର, ଅଳଙ୍କାର କାଢ଼ିଦେଲେ । ପଂଚ ମୁଷ୍ଟିରେ ନିଜର କେଶକୁ ଓପାଡ଼ିଲେ । କୁଳବୃଦ୍ଧା ତାହା ଏକ ଉତ୍ତମ ରେଶମ ଲୁଗାରେ ଗ୍ରହଣ କଲେ । କୁଳବୃଦ୍ଧା ତଥା କୁଟୁମ୍ବର ଅନ୍ୟମାନଙ୍କର ଗୁରୁଗମ୍ଭୀର ସ୍ଵର ଶୁଣାଗଲା–‘‘ହେ ପୁତ୍ର ! ଯତ୍ନପୂର୍ବକ ସଂଯମ ପାଳନ କରିବୁ, ନିଜର ବ୍ରତ ତଥା ନିୟମରେ ଅଟଳ ରହିବୁ, କ୍ଷଣକ ପାଇଁ ମଧ୍ୟ ପ୍ରମାଦ କରିବୁ ନାହିଁ ।”

 

ମହାବୀରଙ୍କର ଦୀର୍ଘ ତପସ୍ୟା

 

ମହାବୀର ଆପଣାର ବିଚାର ଶୃଙ୍ଖଳାରେ ଅଟଳ ଥିଲେ । ନୂଆ ଜୀବନରେ ସେ ପ୍ରବେଶ କରିଥିଲେ । ପୁରୁଣା ସାଙ୍ଗ ସାଥୀଙ୍କଠାରୁ ସେ ବିଚ୍ଛିନ୍ନ ହୋଇ ଯାଇଥିଲେ । ଜ୍ଞାତି-କୁଟୁମ୍ବଙ୍କର ସ୍ନେହ ପ୍ରେମକୁ ପଛରେ ପକେଇ ଦେଇଥିଲେ । ବର୍ତ୍ତମାନ ତାଙ୍କର ଆଉ କାହାରି ପ୍ରତି ମୋହ ନଥିଲା । କୌଣସି ଚିନ୍ତା ନଥିଲା । ଆଗପଛ ଦ୍ଵନ୍ଦ୍ୱ ନ ଥିଲା–ପୂରାପୂରି ଅଚିନ୍ତା, ନିଧଡ଼କ । ଏପରି ଅମୂଲ୍ୟ ସୁଯୋଗ ଆଉ କେବେ ମିଳିବ ? ସେ ଦୃଢ଼ ପ୍ରତିଜ୍ଞା କଲେ ଯେତେ ବାଧାବିଘ୍ନ ଆସୁ, ନିଜ ଧ୍ୟେୟରୁ ଟିକେ ବି ହଟିବେ ନାହିଁ, ଯେତେ ବିପଦ ଆସୁ, ପଛକୁ ଫେରିବାର ଆଉ ପ୍ରଶ୍ନନାହିଁ ।

 

ଏହି ବିଚାରରେ ମଗ୍ନ ରହି ସେ ଏକଦା ଜ୍ଞାତୃଖଣ୍ଡ ତ୍ୟାଗ କରି କୁମ୍ମାର ଗ୍ରାମରେ ପହଞ୍ଚିଗଲେ । ସେଠାରେ ସେ ଧ୍ୟାନମଗ୍ନ ହେଲେ । ଏହି ସମୟରେ ଜଣେ ଗୋପାଳ ତା’ର ବଳଦମାନଙ୍କୁ ନେଇ ସେଠାରେ ପହଞ୍ଚିଲା । ବଳଦମାନଙ୍କୁ ଚରିବାକୁ ଛାଡ଼ିଦେଲା ଓ ସେମାନଙ୍କ ଉପରେ ଟିକେ ନଜର ରଖିବାକୁ ମହାବୀରଙ୍କୁ ଅନୁରୋଧ କଲା । କିଛି ସମୟ ପରେ ଫେରି ସେ ଦେଖେ ତ ବଳଦମାନେ ନାହାନ୍ତି । ସେମାନଙ୍କ ସଂପର୍କରେ ମହାବୀରଙ୍କୁ ପଚାରିଲା । କିନ୍ତୁ ମହାବୀର ତ ଧ୍ୟାନରେ ବସିଥିଲେ । କିଛି ସମୟ ଖୋଜିବା ପରେ ସେ ଅବଶ୍ୟ ତା’ ବଳଦମାନଙ୍କୁ ପାଇଗଲା । ତେବେ ତା’ର ଧାରଣା ହେଲା ଯେ ଏସବୁ ନିଶ୍ଚୟ ସେଇ ଆଖିବୁଜି ବସିଥିବା ପାଜିର କାମ । ସେ ପାଞ୍ଚଣ ଧରି ମହାବୀରଙ୍କୁ ମାରିବା ପାଇଁ ଦୌଡ଼ିଲା । ତାଙ୍କ ତପସ୍ଵୀ ଜୀବନର ପ୍ରଥମ ଅନୁଭୂତି ହେଲା–ଜୀବନ ପୁଷ୍ପଶଯ୍ୟା ନୁହେଁ, କଣ୍ଟକିତ ପଥ ।

 

କୁମାର ଗ୍ରାମରୁ ଚାଲି ଚାଲି ସେ ମୋରାଗ ନିକଟରେ ପହଞ୍ଚିଲେ । ସେଠାରେ ଜନୈକ ତାପସ-କୁଳପତିଙ୍କର ଆଶ୍ରମ ଥିଲା । କୁଳପତି ତାଙ୍କୁ ସେଠାରେ ଚାତୁର୍ମାସ୍ୟ ପାଳନ କରିବା ପାଇଁ ଅନୁରୋଧ କଲେ । ମହାବୀର ତାଙ୍କର ଅନୁରୋଧ ରକ୍ଷାକଲେ । ଘାସର ଏକ କୁଟୀରରେ ସେ ଚାତୁର୍ମାସ୍ୟ ପାଳନ କଲେ । ବର୍ଷା ହୋଇ ନଥିବାରୁ ନୂଆ ଘାସ ଗାଁ ଜମିରେ କଅଁଳି ନ ଥାଏ । ଏଣୁକରି ଗାଁର ଗାଈମାନେ ସେ କୁଡ଼ିଆର ଘାସ ଖାଇଯାଉଥାନ୍ତି । ଆଶ୍ରମର ଅନ୍ୟାନ୍ୟ ତପସ୍ଵୀମାନେ ଗାଈମାନଙ୍କୁ ମାରି ଘଉଡ଼ାଇ ଦେଉଥାନ୍ତି । କିନ୍ତୁ ମହାବୀର ? ସେ ଥିଲେ ଧ୍ୟାନମଗ୍ନ-। କୁଳପତିଙ୍କୁ ମହାବୀରଙ୍କର ଏପରି ମତିଗତି ଭଲ ଲାଗିଲା ନାହିଁ । ସେ କହିଲେ, ‘‘ପକ୍ଷୀ ସୁଦ୍ଧା ତା’ର ନୀଡ଼କୁ ରକ୍ଷା କରିବାପାଇଁ ଉଦ୍ୟମ କରୁଛି, ଅଥଚ ତୁମେ ଏତିକି ବି କରିପାରୁ ନାହଁ-?” ମହାବୀର ସେ ସ୍ଥାନ ପରିତ୍ୟାଗ କରି ଚାଲିଗଲେ । ଏହି ସମୟରେ ତାଙ୍କ ମନରେ ଏକ ବିଚାର ଉଦିତ ହେଲା ‘‘ଯଦି କୌଣସି ଏକ ସ୍ଥାନରେ ରହିବା ଦ୍ଵାରା କାହାରିକୁ କଷ୍ଟଦେବାକୁ ପଡ଼େ ତେବେ ସେ ସ୍ଥାନ ପରିତ୍ୟାଗ କରିବା ଭଲ ଏବଂ ଯେଉଁ ସ୍ଥାନରେ ରହିବ କାର୍ଯ୍ୟୋତ୍ସର୍ଗପୂର୍ବକ ସେ ସ୍ଥାନରେ ରହିବ । ସେଠାରୁ ସେ ଗଲେ ଅଝିଂୟାଗ୍ରାମ । ସେଠି ଅସ୍ଥି ଗଦା ମରାହୋଇ ରହିଥିବାରୁ ସେ ସ୍ଥାନକୁ ଅଝିଂୟାଗ୍ରାମ କୁହାଯାଉଥିଲା । ଶୂଳପାଣି ଯକ୍ଷର ତାହା ଥିଲା କାରସାଦୀ । ଯକ୍ଷ ମଧ୍ୟ ମହାବୀରଙ୍କୁ ଅନେକ କଷ୍ଟ ଦେଲା । ମାତ୍ର ସ୍ଥିତପ୍ରଜ୍ଞ ମହାବୀର ସେସବୁକୁ ପ୍ରଶାନ୍ତ ବଦନରେ ସହିଗଲେ । ଚାତୁର୍ମାସ୍ୟ ଉପଗତ ହେଲା । ଚାତୁର୍ମାସ୍ୟରେ ବିହାର କରିବା ଜୈନ ଶ୍ରମଣଙ୍କ ପାଇଁ ନିଷେଧ । ମହାବୀରଙ୍କର ଏହା ଥିଲା ପ୍ରଥମ ଚାତୁର୍ମାସ୍ୟ ।

 

ଗ୍ରାମରୁ ଗ୍ରାମ ବିହାର କରି ମହାବୀର ରାଜଗୃହ ଦେଇ ନାଳନ୍ଦାରେ ପହଞ୍ଚିଲେ । ସେଠାରେ ତାଙ୍କୁ ଜଣେ ସାଥୀ ମିଳିଗଲେ–ମଂଖଲିପୁତ୍ର ଗୋଶାଳ । ସେ ମଧ୍ୟ ବର୍ଷାବାସ ପାଇଁ ସେଠାରେ ଅଟକି ଯାଇଥିଲେ । ଉଭୟଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ସ୍ଥାପନ ହେଲା । ପରସ୍ପର ପ୍ରତି ପରସ୍ପରର ଆକର୍ଷଣ ବଢ଼ିଲା । ଛଅବର୍ଷ ପର୍ଯ୍ୟନ୍ତ ଉଭୟେ ଏକାଠି ରହିଲେ । ଏହି ଅବସରରେ ପରସ୍ପର ପରସ୍ପର ଦ୍ଵାରା ପ୍ରଭାବିତ ହେଲେ । ଇଏ ଥିଲା ଦ୍ଵିତୀୟ ଚାତୁର୍ମାସ୍ୟ । ତୃତୀୟ ଚାତୁର୍ମାସ୍ୟ ଉଭୟେ ଚମ୍ପାରେ କଟାଇଲେ ।

 

ସେଠାରୁ ବାହାରି ସେମାନେ ପହଞ୍ଚିଲେ କୁମାରାୟ ନିକଟରେ । ସେଠାରେ ପାର୍ଶ୍ଵନାଥଙ୍କର ଶିଷ୍ୟ ସ୍ଥବିର ମୁନିଚନ୍ଦ୍ର ନିଜର ସାଧୁସଙ୍ଘ ସହିତ ରହୁଥିଲେ । ତାଙ୍କୁ ପରିଗ୍ରହ ସହିତ ଦେଖି ଗୋଶାଳ ସେ ସଂପର୍କରେ ଆଲୋଚନା କଲେ । ଚୋରାଗ ସନ୍ନିବେଶ ଗଲେ । ସେ ସମୟରେ ଶତ୍ରୁରାଜ୍ୟ ପକ୍ଷରୁ ଆକ୍ରମଣର ଆଶଙ୍କା ସର୍ବଦା ରହୁଥିଲା । ରାଜକର୍ମଚାରୀମାନେ ମହାବୀର ଏବଂ ଗୋଶାଳଙ୍କୁ ଶତ୍ରୁ ପକ୍ଷର ଗୁପ୍ତଚର ଭାବି ବାନ୍ଧି ପକାଇଲେ ଏବଂ ଏକ ଗର୍ତ୍ତ ମଧ୍ୟରେ ଝୁଲାଇଦେଲେ । ମହାବୀରଙ୍କର ତପସ୍ୟା ସଫଳତା ଦିଗରେ ଆଗେଇ ଚାଲିଥିଲା । ଉଭୟ ମହାବୀର ଓ ଗୋଶାଳ ପୃଷ୍ଠଚମ୍ପାରେ ଚତୁର୍ଥ ଚାତୁର୍ମାସ୍ୟ ବିତାଇଲେ ।

 

ଶ୍ରାବସ୍ତୀ ଆଦି ସ୍ଥାନରେ ବିହାର କରି ଉଭୟ କଲମ୍ବୁକ ନିକଟରେ ପହଞ୍ଚିଲେ । ଏଥର ସେମାନଙ୍କୁ ଚୋର ବୋଲି ସନ୍ଦେହ କରି ଧରିନିଆଗଲା । ସେଠାରୁ ସେମାନେ ଚାଲିଲେ ଲାଢ଼ ଦେଶ (ରାଢ଼, ପଶ୍ଚିମ ବଙ୍ଗଳା) ଅଭିମୁଖେ । ମହାବୀରଙ୍କର ସହିବା ଶକ୍ତିର ଅସଲ ପରୀକ୍ଷା, ଏବେ ବି ଆରମ୍ଭ ହୋଇନଥିଲା । ଏହି ପ୍ରଦେଶଟି ବଜ୍ଜଭୂମି ଓ ସୁବ୍‌ଇଭୂମି ନାମକ ଦୁଇଭାଗରେ ବିଭକ୍ତ ହୋଇଥିଲା । ଜନବସତି ଏଠାରେ ଥିଲା ବହୁତ ବିରଳ । ସୁଦୀର୍ଘ ପଥ ଚାଲିବା ପରେ ମଧ୍ୟ ରହିବା ପାଇଁ ସ୍ଥାନ ଖୋଜି ବାହାର କରିବା କଷ୍ଟସାଧ୍ୟ ଥିଲା । ଋକ୍ଷ ଖାଦ୍ୟ ଖାଉଥିବା ହେତୁ ଏଠାକାର ଅଧିବାସୀମାନେ ଥିଲେ ସ୍ଵଭାବତଃ ଅତ୍ୟନ୍ତ କ୍ରୋଧୀ । ସାଧୁସନ୍ଥଙ୍କ ଛାଇ ପଡ଼ିଲେ ସେମାନଙ୍କ ନାହି ଡେଉଁଥିଲା । ମହାବୀରଙ୍କର ଉଲଗ୍ନ ଶରୀର ଦେଖି ସେମାନେ ତାଙ୍କ ପଛରେ କୁକୁର ଲଗାଇ ଦେଉଥିଲେ । ବେଳେବେଳେ ପ୍ରହାର କରୁଥିଲେ । ପିଲାଏ ତାଙ୍କ ଉପରକୁ ଧୂଳି ପକାଉଥିଲେ କିମ୍ବା ତାଙ୍କୁ ଦେଖି ଭୟରେ ପଳାଇଯାଇ ଘର କୋଣରେ ଲୁଚୁଥିଲେ । କୌଣସି ଗ୍ରାମରେ ମହାବୀର ପହଞ୍ଚିବା ସଙ୍ଗେ ସଙ୍ଗେ ବ୍ୟବସ୍ଥା ହୋଇଯାଉଥିଲା ତାଙ୍କୁ ତଡ଼ିବା ପାଇଁ । ତାଙ୍କୁ କ୍ଷତ ବିକ୍ଷତ କରି ଦିଆଯାଉଥିଲା ଏବଂ ତାଙ୍କର ଗୋଦହନ, ଉକଣ୍ଡୁ ଆଦି ଆସନରୁ ତାଙ୍କୁ ଖସେଇ ତଳେ ପକେଇ ଦିଆହେଉଥିଲା । ମାତ୍ର ସେହି ଦୀର୍ଘ ତପସ୍ଵୀଙ୍କର ଶପଥ ଥିଲା କାୟା, ମନ ଅଥବା ବାକ୍ୟରେ କୌଣସି ପ୍ରାଣୀକୁ କଷ୍ଟ ଦେବେ ନାହିଁ ।

 

*ଦିଗମ୍ବର ପରମ୍ପରା ଅନୁଯାୟୀ ମହାବୀରଙ୍କୁ ଉପସର୍ଗୀତୀତ ବୋଲି ଧରି ନିଆଯାଇଛି-

 

ମହାବୀର ସ୍ଵ ଶରୀରର ମମତ୍ଵବୋଧ ତ୍ୟାଗ କରିଥିଲେ । ସଂଗ୍ରାମର ଅଗ୍ରଭାଗରେ ଦୃଢ଼ତାର ସହିତ ଦଣ୍ଡାୟମାନ ହସ୍ତୀ ପରି ଦୁଃସହ ଦୁଃଖ ତଥା ଲାଞ୍ଛନା ସହ୍ୟ କରି ସେ ନିଜ ନାମର ସାର୍ଥକତା ପ୍ରତିପାଦନ କରିଥିଲେ । ଚରମ ସହନଶକ୍ତି ତଥା ପରମ ଆତ୍ମବିଶ୍ଵାସର ସତେକି ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ସେହି ମହାନ ଆତ୍ମା । ଉଦ୍ଦୀୟ (ଉଦିୟା, ଜିଲ୍ଲା ହଜାରିବାଗ)ରେ ପହଞ୍ଚି ମହାବୀର ଓ ଗୋଶାଳ ପଞ୍ଚମ ଚାତୁର୍ମାସ୍ୟ ଅତିବାହିତ କଲେ ।

 

କୂବିୟ ସନ୍ନିବେଶରେ ଉଭୟଙ୍କୁ ଗୁପ୍ତଚର ଭାବି ପୁଣି ଥରେ ବନ୍ଦୀ କରାଗଲା । ସେଠାରୁ ମୁକ୍ତିପାଇବା ପରେ ସେମାନେ ଚାଲିଲେ ବୈଶାଳୀ ଅଭିମୁଖେ । ଗାଁକୁ ଗାଁ ଭ୍ରମଣ କରିବା ପରେ ପୁଣି ଉଦ୍ଦୀୟ ଆସି ସେଠାରେ ଚାତୁର୍ମାସ୍ୟ କଲେ ।

 

ତପସ୍ଵୀ ଜୀବନର ସେ ଛଅବର୍ଷ ତାଙ୍କର ଅତିବାହିତ ହେଲା ଅତି କଷ୍ଟରେ । ଭୋକ, ଶୋଷ, ଗ୍ରୀଷ୍ମ, ଶୀତ, ମଶା, ଡାଆଁଶ, ସାପ, ବିଛା, ହିଂସ୍ର ଜୀବଜନ୍ତୁ ଅଥବା ରାଜକର୍ମଚାରୀଙ୍କ ଉପଦ୍ରବ ସବୁକିଛି ସେ ସହିଯାଉଥିଲେ ହସି ହସି ନୀରବରେ । ଭବିଷ୍ୟତ ଜୀବନ ପାଇଁ ଏହାକୁ ସେ ତାଲିମ ବୋଲି ଗ୍ରହଣ କରିନେଉଥିଲେ ।

 

ଗ୍ରାମରୁ ଗ୍ରାମ ପରିଭ୍ରମଣ କରି ସେମାନେ ପହଞ୍ଚିଲେ ଲେହଗ୍‌ଗଲା (ଲୋହର ଡଗ୍‌ଗା, ଜିଲ୍ଲା ରାଞ୍ଚି) ଠାରେ । ରାଜଧାନୀରେ ଗୁପ୍ତଚରଙ୍କ ଉପଦ୍ରବ ବଢ଼ିଯାଇଥିଲେ । ଗୁପ୍ତଚର ବୋଲି ସନ୍ଦେହ କରି ପୁଣି ଥରେ ସେମାନଙ୍କୁ ବନ୍ଦୀ କରିନିଆଗଲା । ସେଠାରୁ ପୁରିମତାଲ (ମାଳଭୂମି ନିକଟରେ ପୁରଲିୟା) ଓ ଗୋଭୂମି (ଗୋମହ, ଜିଲ୍ଲା ଗୟା) ଦେଇ ସେମାନେ ପହଞ୍ଚିଲେ ରାଜଗୃହରେ । ସେଠାରେ ଅଷ୍ଟମ ଚାତୁର୍ମାସ୍ୟ କଟାଇଲେ ।

 

ପୁଣିଥରେ ମହାବୀର ଗୋଶାଳଙ୍କୁ ସାଥିରେ ନେଇ ଲାଢ଼ ଦେଶରେ ବିହାର କରିବାକୁ ସ୍ଥିର କଲେ । ପୁଣି ସେଇ ଅପମାନ, ଲାଞ୍ଛନା, ଉପଦ୍ରବ ଓ ଶାରୀରିକ ଯାତନାର ହେଲା ପୁନରାବୃତ୍ତି । ମାତ୍ର କଷ୍ଟ ସହ୍ୟ କରିବାର ସଫଳ ଅଭ୍ୟାସ କରିସାରିଥିଲେ ମହାବୀର । ଶରୀର ପ୍ରତି ଥିବା ମୋହ-ମମତା ଯିଏ ସଂପୂର୍ଣ୍ଣ ତ୍ୟାଗ କରିସାରିଛି ତା’ର ପୁଣି କି ଲଞ୍ଛନା, କି କଷ୍ଟ ?

 

ଲାଢ଼ ଦେଶରୁ ସେମାନେ ଚାଲିଲେ ସିଦ୍ଧତ୍‌ଥପୁର । ସେଠାରୁ ଯାଇ ପହଞ୍ଚିଲେ କୁମ୍ମଗ୍ରାମରେ । ସେଠାରେ ବୈଶ୍ୟାୟନ ନାମକ ବାଳ-ତପସ୍ଵୀଙ୍କ ସହିତ ଗୋଶାଳଙ୍କର ତର୍କ ବିତର୍କ ହେଲା । ବୈଶ୍ୟାୟନ ରାଗିଯାଇ ଗୋଶାଳଙ୍କ ପ୍ରତି ତେଜୋଲେଶ୍ୟା ଛାଡ଼ିଲେ । ମହାବୀର ଗୋଶାଳଙ୍କୁ ବଞ୍ଚାଇଲେ । ମହାବୀରଙ୍କ ଦ୍ଵାରା ପ୍ରତିପାଦିତ ତେଜୋଲେଶ୍ୟା ସିଦ୍ଧ କରିବା ପାଇଁ ଗୋଶାଳ ଶ୍ରାବସ୍ତି ଚାଲିଗଲେ । ମହାବୀର ବୈଶାଳୀ ରାସ୍ତା ଧରିଲେ । ସେଠାରୁ ଡଙ୍ଗାରେ ଗଣ୍ଡକ ନଦୀ ପାରିହୋଇ ବାଣିଜ୍ୟଗ୍ରାମ ଯିବା କଥା । ମାତ୍ର ଡଙ୍ଗା ଭଡ଼ା ନଦେଇ ପାରିଲେ ତାଙ୍କୁ କିଏବା ଘାଟ ପାରି କରିଦେବ ? ଯାହାହେଉ, କୌଣସିମତେ ବାଣିଜ୍ୟଗ୍ରାମରେ ପହଞ୍ଚିଲେ । ସେଠାରୁ ଶ୍ରାବସ୍ତୀ ଯାଇ ଦଶମ ଋତୁର୍ମାସ୍ୟ ବିତାଇଲେ ।

 

ବିହାର କରି କରି ଦଢ଼ଭୂମି (ଧଳଭୂମ୍, ଜିଲ୍ଲା ସିଂହଭୂମ୍)ରେ ପହଞ୍ଚିଲେ । ସେ ରାଜ୍ୟ ଥିଲା ମୁଖ୍ୟତଃ ଅନାର୍ଯ୍ୟ ଲୋକଙ୍କର ବାସସ୍ଥାନ । ସେଠାରେ ଏବଂ ଆଖପାଖ ଅଞ୍ଚଳରେ ମହାବୀରଙ୍କୁ ଅନେକ କଷ୍ଟ ସହିବାକୁ ପଡ଼ିଥିଲା । ତଥାପି ସେ ଅଞ୍ଚଳରେ ସେ ଛଅମାସ ପର୍ଯ୍ୟନ୍ତ ବୁଲିଲେ । ତୋସାଳୀ (ଧୌଳି, ଜିଲ୍ଲା କଟକ)ରେ ପହଞ୍ଚିବା କ୍ଷଣି ତାଙ୍କୁ ଚୋର ବୋଲି ସନ୍ଦେହ କରି ଧରିନିଆଗଲା ଓ ଫାଶୀଖୁଣ୍ଟରେ ଚଢ଼େଇ ଦିଆହେଉଥିଲା । କୌଣସିମନ୍ତେ ସେ ସଂକଟରୁ ଉଦ୍ଧାର ପାଇ ସେଇ ଦୀର୍ଘ ତପସ୍ଵୀ ଆବିଭିୟା, ସେୟଲୟା, ଶ୍ରାବସ୍ତୀ, କୌଶାମ୍ବୀ, ବାରାଣାସୀ, ରାଜଗୃହ ଏବଂ ମିଥିଳା ପରିଭ୍ରମଣ କରି ପୁଣି ବୈଶାଳୀରେ ପହଞ୍ଚିଲେ ।

 

ସେଠାରେ ଏକାଦଶ ଚାତୁର୍ମାସ୍ୟ କଟାଇଲେ ।

 

ସେଠାରୁ ପୁଣି କୌଶାମ୍ବୀ ଲେଉଟିଲେ । ନଗରରେ ଭ୍ରମଣ କରି କରି ବହୁତ ଦିନ ବିତିଗଲା; କିନ୍ତୁ ଅଭିଗ୍ରହ ପୂରଣ ନ ହେବାରୁ ତାଙ୍କୁ ଆହାର ଲାଭ ହେଲା ନାହିଁ । ଚମ୍ପାନଗରୀ ରାଜା ଦଧିବାହନଙ୍କ କନ୍ୟା ଚନ୍ଦନବାଳା ଦାସୀ ହୋଇ ଲୁହାବେଡ଼ିରେ ବନ୍ଧାହୋଇ ପଡ଼ିଥିଲେ । ତାଙ୍କରି ହାତରୁ ଝୋଳରେ ପଡ଼ିଥିବା ବିରିଡାଲି ଖାଇ ଶେଷରେ ସେ ପାରଣା କଲେ । ଚମ୍ପାରେ ଦ୍ୱାଦଶ ଚାତୁର୍ମାସ୍ୟ ବିତିଲା ।

 

ବାରବର୍ଷର ତପସ୍ୟା କିଛି କମ୍‌ କୁଚ୍ଛ୍ର ସାଧନା ନୁହେଁ । କେଡ଼େ କେଡ଼େ ପରାକ୍ରମୀଙ୍କର ଧୈର୍ଯ୍ୟଚ୍ୟୁତ ଘଟିଯାଇଛି, ମନ ବିଚଳିତ ହୋଇଯାଇଛି, ପୂର୍ବର ଭୋଗ-ବିଳାସ ମନେପଡ଼ି ଜୀବନ ଅତିଷ୍ଠ ହୋଇଉଠିଛି । ବୋଧ ହେଉଥିଲା, ମହାବୀର ମାନବ ଜନ୍ମ ପାଇ ମଧ୍ୟ ଅତିମାନବ ସ୍ତରକୁ ଉଠିଯାଇଥିଲେ । କେବଳ ଶରୀର ଧାରଣ ପାଇଁ ସେ ରୁଖା-ସୁଖା ଗଣ୍ଡାଏ ଖାଉଥିଲେ ସିନା; ଅଧିକାଂଶ ସମୟ ତାଙ୍କର ଉପବାସରେ କଟୁଥିଲା । ଜଳସୁଦ୍ଧା ସ୍ପର୍ଶ କରୁନଥିଲେ । ତାଙ୍କ ପାଇଁ ଅନ୍ୟଲୋକ ପ୍ରସ୍ତୁତ କରିଥିବା ଖାଦ୍ୟ ସେ ସ୍ପର୍ଶ କରୁନଥିଲେ । ଭିକ୍ଷା ପାଇଁ ବାଟରେ ଗଲାବେଳେ ଶ୍ରମଣ, ବ୍ରାହ୍ମଣ, ଭିକ୍ଷୁକ, ଅତିଥି, ଚଣ୍ଡାଳ, ବିରାଡ଼ି, କୁକୁର ତଥା କ୍ଷୁଧା-ତୃଷ୍ଣାତୁର ପକ୍ଷୀଙ୍କୁ ଦେଖିଲେ ତାଙ୍କର ହୃଦୟ ଦୟା ବିଗଳିତ ହେଉଥିଲା ଏବଂ ସେ ନୀରବରେ ସେଠାରୁ ପ୍ରସ୍ଥାନ କରୁଥିଲେ । ଖାଦ୍ୟ ପେୟ ପ୍ରତି ତାଙ୍କର ତିଳେ ହେଲେ ଆସକ୍ତି ନ ଥିଲା । ରୁଖା-ସୁଖା, ବାସି-ଥଣ୍ଡା ଖାଦ୍ୟ ଖାଉଥିଲେ ଏବଂ ତାହା ବି ଯଦି ମିଳୁ ନ ଥିଲା ତେବେ ଶାନ୍ତି ଭାବରେ କ୍ଷୁଧା ସମ୍ବରଣ କରି ରହିଯାଉଥିଲେ । ସ୍ଵାସ୍ଥ୍ୟ ପ୍ରତି ସେ ଏତେ ଟିକେ ମଧ୍ୟ ଧ୍ୟାନ ଦେଉ ନଥିଲେ । ଅକସ୍ମାତ୍‌ ନିଦ ଲାଗିଆସିଲେ ସୁଦ୍ଧା ହଠାତ୍‌ ଉଠିପଡ଼ି ଧ୍ୟାନରେ ବସିଯାଉଥିଲେ । ରୋଗ ହେଲେ ଚିକିତ୍ସା କରାଉନଥିଲେ । ବିରେଚନ, ବମନ, ବିଲେପନ ଇତ୍ୟାଦି ପ୍ରତି ସଂପୂର୍ଣ୍ଣ ଉଦାସୀନ ରହୁଥିଲେ । ଭୟଙ୍କର ଶୀତ ଋତୁରେ ଯେତେବେଳେ କି ଅସମ୍ଭବ ଥଣ୍ଡା ପବନର ପ୍ରକୋପ ସହି ନପାରି ଲୋକଙ୍କର ଦାନ୍ତକୁ ଦାନ୍ତ ବାଡ଼େଇ ହେଉଥିଲା, ବଡ଼ ବଡ଼ ତପସ୍ଵୀ ତଥା ସାଧୁ ସନ୍ନ୍ୟାସୀ ସୁଦ୍ଧା ବାୟୁରହିତ ଛିଦ୍ରହୀନ ସ୍ଥାନ ଅନ୍ଵେଷଣ କରୁଥିଲେ, ନିଆଁ ଜାଳି ଅଥବା ମୋଟାବସ୍ତ୍ର ଘୋଡ଼ାଇ ହୋଇ ଶୀତର ପ୍ରକୋପରୁ ରକ୍ଷା ପାଇବାକୁ ଚେଷ୍ଟା କରୁଥିଲେ । ଦୀର୍ଘ ତପସ୍ଵୀ ଶ୍ରମଣ ସିଂହ ମହାବୀର ଖୋଲା ସ୍ଥାନରେ ନିଜର ଦୁଇହାତ ମେଲାଇ ଧାନରେ ଲୀନ ହୋଇ ଯାଉଥିଲେ । ଗ୍ରୀଷ୍ମଋତୁରେ ଉକଣ୍ଡ ନାମକ ଏକ କଷ୍ଟଦାୟକ ମୁଦ୍ରାରେ ବସି ପ୍ରଚଣ୍ଡ ଖରାବେଳେ ସୂର୍ଯ୍ୟଙ୍କ ଆଡ଼କୁ ମୁହଁ କରି ତପ ସାଧନ କରୁଥିଲେ ।

 

କର୍ମଫଳ ଅବଶ୍ୟ ମିଳିଥାଏ । ସିଦ୍ଧିମୂଳରେ ଥାଏ ପୁରୁଷାର୍ଥ । ମହାବୀର ଜମ୍ଭିୟା ଗ୍ରାମରେ ପହଞ୍ଚିସାରିଥିଲେ । ବୈଶାଖ ଶୁକ୍ଳପକ୍ଷ ୧୦ ଦିନ ଏକ ପବିତ୍ର ଦିବସ । ଋଜୁ ବାଳିକା ନଦୀକୂଳରେ, ଶ୍ୟାମାକ ନାମକ ଗୃହପତିଙ୍କ ଚାଷ ଜମିରେ ଥିବା ଶାଳବୃକ୍ଷ ମୂଳରେ, ଗୋଦହନ ଆସନରେ ସେ ଧ୍ୟାନ କରୁଥିଲେ ।

 

ହଠାତ୍‌ ତାଙ୍କୁ ବୋଧହେଲା, ସତେକି ସମସ୍ତ ବନ୍ଧନ ତୁଟିଯାଇଛି-। ମନର ସମସ୍ତ ଗ୍ରନ୍ଥି ଖୋଲି ଖୋଲି ଯାଉଛି, ସଂଶୟରୂପୀ ଅନ୍ଧକାର ନଷ୍ଟ ହୋଇଯାଇଛି, ଚତୁର୍ଦ୍ଦିଗରେ ଜ୍ଞାନାଲୋକ ବିକରିତ ହେଉଛି । ଯାହା ନଥିଲା ତାହା ମିଳିଗଲା, ଯାହା ଅଜ୍ଞାତ ଥିଲା ତାହା ବିଷୟରେ ସମ୍ୟକ୍‌ ଜ୍ଞାନ ମିଳିଗଲା, ଯାହା ଅଦୃଷ୍ଟ ଥିଲା ତାହା ସାକ୍ଷାତ ସମ୍ମୁଖରେ ଉପସ୍ଥିତ ହେଲା, ଯାହା କେବେ ଶୁଣାଯାଇ ନଥିଲା ତା’ର ଅନାହତ ନାଦ ଶୁଣାଗଲା । ଦୀର୍ଘ ତପସ୍ଵୀଙ୍କର ମନସ୍କାମନା ପୂର୍ଣ୍ଣ ହେଲା-। ଜ୍ଞାନ-ଚକ୍ଷୁ ଉନ୍ମୋଚିତ ହେଲା-। ଜ୍ଞାନର ଏହା ଥିଲା ଚରମ ଅବସ୍ଥା-। ‘‘ବର୍ତ୍ତମାନ ସେ ନିଶ୍ଚୟ ଅନ୍ୟର ହିତସାଧନ ପାଇଁ କିଛି କରିପାରିବେ’’–ତାଙ୍କର ମନରେ ଏତାଦୃଶ ଏକ ଲହରୀ ଉଠିଲା-

 

ମହାବୀରଙ୍କର ଶିଷ୍ୟମଣ୍ଡଳୀ

 

ମହାବୀରଙ୍କର କେବଳ-ଜ୍ଞାନ ବା ବୋଧି ପ୍ରାପ୍ତିର ଖବର ତଡ଼ିତ୍‌ ବେଗରେ ସର୍ବତ୍ର ବ୍ୟାପୀଗଲା । ଏବେ ସେ ତୀର୍ଥଙ୍କର, ବୀତରାଗ, ବୁଦ୍ଧ, ଭଗବାନ, ଅର୍ହତ୍‌, ଜିନ, କେବଳୀ, ସର୍ବଜ୍ଞ ଓ ସର୍ବଦର୍ଶୀ ବୋଲାଇବାକୁ ଲାଗିଲେ । ରାଗ, ଦ୍ଵେଷ, କ୍ରୋଧ, ମାୟା, ମାୟା ତଥା ଲୋଭ ଉପରେ ସେ ବିଜୟଲାଭ କଲେ ।

 

ଭଗବାନ ଜମ୍ଭିୟାଗ୍ରାମରୁ ମଜ୍‌ଝିମ ପାଓ୍ୱା (ମଧ୍ୟମ ପାୱା, ପାୱା ଅଥବା ଅପ୍‌ପା; ପାୱାନଗର ଜିଲ୍ଲା ଦେଓରିୟା) ଆସିଲେ ଏବଂ ସେଠାରେ ମହାସେନ ଉଦ୍ୟାନରେ ଅବସ୍ଥାନ କଲେ-

 

ଦେଖନ୍ତୁ ଆଚାରାଙ୍ଗ (୬); କଳ୍ପସୂତ୍ର, (୫. ୧୧୨-୧୨୦); ଆବଶ୍ୟକ ନିର୍ଯୁକ୍ତି (୧୧୧-୫୨୭); ଆବଶ୍ୟକ ଚୂର୍ଣ୍ଣି (ପୃ.୨୬୮-୩୨୩), ଜିନସେନ, ହରିବଂଶ ପୁରାଣ; ଗୁଣଭଦ୍ର, ଉତ୍ତର ପୁରାଣ ।

 

ସେହି ସମୟରେ ସୋମିଲ ନାମକ ଧନାଢ଼୍ୟ ବ୍ରାହ୍ମଣ ଏକ ପ୍ରକାଣ୍ଡ ଯଜ୍ଞର ଆୟୋଜନ କରିଥିଲେ । ସେଥିରେ ମଗଧର ଶତାଧିକ ବିଦ୍ଵାନ ବ୍ରାହ୍ମଣ ନିଜର ଶିଷ୍ୟମଣ୍ଡଳୀ ସହିତ ଉପସ୍ଥିତ ଥିଲେ । ମଧ୍ୟମ ପାୱାପୁରୀରେ ଖୁବ୍‌ ଚହଳ ପଡ଼ିଯାଇଥାଏ । ଇନ୍ଦ୍ରଭୂତି, ଅଗ୍ନିଭୂତି; ବାୟୁଭୂତି, ବ୍ୟକ୍ତ, ସୁଧର୍ମା, ମଣ୍ଡିତ, ମୌର୍ଯ୍ୟପୁତ୍ର, ଅକମ୍ପିତ, ଅଚଳଭ୍ରାତା, ମେତାର୍ଯ୍ୟ ଏବଂ ପ୍ରଭାସ ଇତ୍ୟାଦି ଥିଲେ ସେହି ପଣ୍ଡିତଙ୍କ ଭିତରେ ମୁଖ୍ୟ ଇନ୍ଦ୍ରଭୂତି, ଅଗ୍ନିଭୂତି ଏବଂ ବାୟୁଭୂତିଏ ତିନି ଥିଲେ ଗୌତମ ଗୋତ୍ରୀୟ । ସେମାନେ ଗୋବୁର ଗ୍ରାମରେ ରହୁଥିଲେ । ବ୍ୟକ୍ତ ଓ ସୁଧର୍ମା ଥିଲେ କୋଲ୍ଲାଗ ସନ୍ନିବେଶର ଅଧିବାସୀ । ବ୍ୟକ୍ତଙ୍କର ଗୋତ୍ର ଥିଲା ଭରଦ୍ଵାଜ ଏବଂ ସୁଧର୍ମାଙ୍କର ଅଗ୍ନି ବୈଶାୟନ । ଉଭୟ ମଣ୍ଡିତ ଓ ମୌର୍ଯ୍ୟପୁତ୍ର ସନ୍ନିବେଶର ଅଧିବାସୀ ଥିଲେ । ମଣ୍ଡିତ ବଶିଷ୍ଠ ଗୋତ୍ରର ଏବଂ ମୌର୍ଯ୍ୟପୁତ୍ର କଶ୍ୟପ ଗୋତ୍ରର ଥିଲେ । ଅକମ୍ପିତ ଥିଲେ ମିଥିଳାବାସୀ ଏବଂ ଗୌତମ ଗୋତ୍ରୀୟ । ହାରିତ ଗୋତ୍ରୀୟ ଅଚଳଭ୍ରାତା ଥିଲେ କୋଶଳବାସୀ । ମେତାର୍ଯ୍ୟ ଓ ପ୍ରଭାସ କୌଣ୍ଡିନ୍ୟ ଗୋତ୍ରୀୟ ମେତାର୍ଯ୍ୟ ତୁଙ୍ଗିକର ଓ ପ୍ରଭାସ ରାଜଗୃହର ଅଧିବାସୀ ଥିଲେ । ଏମାନଙ୍କ ବ୍ୟତୀତ ଆହୁରି ଅନେକ ଦିଗ୍‌ଗଜ ପଣ୍ଡିତ ଭଗବାନ ମହାବୀରଙ୍କର କୀର୍ତ୍ତି ଶୁଣି ନିଜ ନିଜର ସନ୍ଦେହ ମୋଚନ ପାଇଁ ଏବଂ କେହି ତାଙ୍କ ସହିତ ତର୍କଯୁଦ୍ଧରେ ଅବତୀର୍ଣ୍ଣ ହେବାପାଇଁ ସେହି ସହରରେ ପଦାର୍ପଣ କଲେ । ତୀର୍ଥଙ୍କରଙ୍କର ଦର୍ଶନ ପାଇଁ ଲୋକେ ଥାଟ ପଟାଳୀ ଭାଙ୍ଗିବାକୁ ଲାଗିଲେ । ସତେକି ସ୍ଵର୍ଗରୁ କେହି ଜଣେ ଦେବତା ପୃଥିବୀପୃଷ୍ଠରେ ଅବତରଣ କରିଛନ୍ତି ।

 

ଇନ୍ଦ୍ରଭୂତି ଥିଲେ ଭେଜଟି ବିଦ୍ୟାରେ ପାରଙ୍ଗମ । ଅନ୍ୟାନ୍ୟ ଏଗାର ଜଣ ବ୍ରାହ୍ମଣ ବିଦ୍ଵାନ ନିଜ ନିଜ ବିଷୟରେ ଥିଲେ ଅସାଧାରଣ ପଣ୍ଡିତ । ନିଜ ନିଜର ସନ୍ଦେହ ନେଇ ସେମାନେ ପହଞ୍ଚିଲେ ମହାସେନ ଉଦ୍ୟାନରେ । ଇନ୍ଦ୍ରଭୂତିଙ୍କର ସନ୍ଦେହ ଥିଲା ଆତ୍ମା ସମ୍ବନ୍ଧରେ ।

 

ଦିଗମ୍ବର ପରମ୍ପରା ଅନୁଯାୟୀ ମହାବୀର ତାଙ୍କର ପ୍ରଥମ ଉପଦେଶ ରାଜଗୃହର ବିତୁଳାଚଳ ପର୍ବତ ଉପରେ ପ୍ରଦାନ କରିଥିଲେ ।

 

ଅଗ୍ନିଭୂତ ଜାଣିବାକୁ ଚାହୁଁଥିଲେ କର୍ମ ସଂପର୍କରେ । ବାୟୁଭୂତି ଜୀବ ଏବଂ ଶରୀରକୁ ଏକ ବୋଲି ଭାବୁଥିଲେ । ବ୍ୟକ୍ତି ଏହି ପ୍ରତ୍ୟକ୍ଷୀଭୂତ ଜଗତକୁ ସ୍ଵପ୍ନ ସଦୃଶ ଏକ ଭ୍ରମ ବୋଲି ବିଚାର କରୁଥିଲେ । ସୁଧର୍ମା କହୁଥିଲେ ଯେ ଏ ଜନ୍ମରେ ଯେ ଯେଉଁ ଯୋନିରେ ଜନ୍ମ ହୋଇଛୁ ପରଜନ୍ମରେ ସେ ସେଇ ଯୋନିରେ ଜନ୍ମ ହେବା ବିଧେୟ । ମଣ୍ଡିତଙ୍କର କର୍ମବନ୍ଧ ତଥା ମୋକ୍ଷର ବାସ୍ତବିକତା ସଂପର୍କରେ ସନ୍ଦେହ ଥିଲା । ମୌର୍ଯ୍ୟପୁତ୍ରଙ୍କର ସ୍ଵର୍ଗ, ଅକମ୍ପିତଙ୍କର ନର୍କ, ଅଚଳଭ୍ରାତାଙ୍କର ପୁଣ୍ୟ-ପାପ, ମେତାର୍ଯ୍ୟଙ୍କର ପରଲୋକ ଓ ପ୍ରଭାସଙ୍କର ନିର୍ବାଣ ସଂପର୍କରେ ସନ୍ଦେହ ଥିଲା ।

 

ଭଗବାନ ମହାବୀରଙ୍କ ସହିତ ସେ ବିଦ୍ଵାନମାନଙ୍କର ବହୁ ସମୟ ଧରି ଚର୍ଚ୍ଚା, ତର୍କ-ବିତର୍କ, ଉତ୍ତର-ପ୍ରତ୍ୟୁତ୍ତର ଚାଲିଲା । ଭଗବାନ ମହାବୀର ନିଜର ଶାନ୍ତ, ଗମ୍ଭୀର ଅନୁପମ ଶୈଳୀରେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେଉଥିଲେ । ତାଙ୍କର ଶାନ୍ତ ତଥା ପ୍ରସନ୍ନ ମୁଖ-ମୁଦ୍ରାରେ ସମସ୍ତେ ପ୍ରଭାବିତ ହେଉଥିବା ଭଳି ମନେହେଉଥିଲା । ଶେଷରେ ନିଜ ନିଜର ସନ୍ଦେହ ଦୂର ହୋଇଯିବା ପରେ ଜଣକ ପରେ ଜଣେ ଏଗାରଜଣଯାକ ବିଦ୍ଵାନ ଭଗବାନଙ୍କର ଶିଷ୍ୟତ୍ଵ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କଲେ । ‘ଅହୋ ! ସ୍ଵୟଂ ଯେଉଁମାନେ ଗୁରୁପଦରେ ପ୍ରତିଷ୍ଠିତ ଥିଲେ, ସେମାନେ ଶିଷ୍ୟ ହୋଇଗଲେ । ଭଗବାନ ମହାବୀର ସେମାନଙ୍କୁ ଶ୍ରୀମଣ୍ୟ ଦୀକ୍ଷା ଦେଇ ନିଜର ପଟ୍ଟଧର କରିନେଲେ । ଭବିଷ୍ୟତରେ ଏହି ଏଗାରଜଣ ବିଦ୍ଵାନ ମହାବୀରଙ୍କର ଗଣଧର ରୂପେ ପରିଚିତ ହେଲେ । ବାର ଅଙ୍ଗ, ଚଉଦ ପୂର୍ବ ଏବଂ ସମସ୍ତ ଶ୍ରୁତର ଗଭୀର ଅଧ୍ୟୟନ ତଥା ମନନ କରି ଏମାନେ କାହିଁ କାହିଁ ଦୂର ରାଜ୍ୟରେ ଭଗବାନ ମହାବୀରଙ୍କର ସାର୍ବଜନୀନ ଉପଦେଶର ପ୍ରଚାର ତଥା ପ୍ରସାର କରିବାକୁ ଲାଗିଲେ ।

 

ଦେଖନ୍ତୁ କଳ୍ପସୂତ୍ର (8, 1-4; 5, 7-12); ଆବଶ୍ୟକ ନିର୍ଯୁକ୍ତି (644 ଆଦି, 656 ଆଦି); ଆବଶ୍ୟକ ଚୂର୍ଣ୍ଣୀ (ପୃ 334 ଆଦି); ଜିନସେନ, ହରିବଂଶ ପୁରାଣ ।

 

(ଗ) କେବଳୀ ଅବସ୍ଥା ଓ ନିର୍ବାଣପ୍ରାପ୍ତି

 

କେବଳ-ଜ୍ଞାନ ହେବା ପରେ ଧର୍ମୋପଦେଶ ମାଧ୍ୟମରେ ଜନ-କଲ୍ୟାଣ କରିବା ବାକି ଥିଲା । ପ୍ରଥମ ଉପଦେଶ ସମୟରେ ହିଁ ଚତୁର୍ବିଧ ସଂଘର ସ୍ଥାପନା ହୋଇଯାଇଥିଲା । ସାଧୁ ବା ସ୍ଵାଧୀ ଆଚାର୍ଯ୍ୟ ଅଥବା ଗଣିନୀଙ୍କର ନେତୃତ୍ଵରେ ରହିବେ, ଶ୍ରୀବକଗଣ ଭିକ୍ଷା ଆଦି ପ୍ରଦାନ କରି ସାଧୁ-ସାଧ୍ଵୀଙ୍କର ରକ୍ଷଣାବେକ୍ଷଣ କରିବେ ତଥା ସେମାନଙ୍କର ଧର୍ମୋପଦେଶ ଶ୍ରବଣ କରି ଜୀବନ ସଫଳ କରିବେ–ଏହି ପାରସ୍ପରିକ ସହଯୋଗ ଥିଲା ସଙ୍ଘ ସ୍ଥାପନାର ଉଦ୍ଦେଶ୍ୟ ।

 

ରାଜଗୃହରେ ମେଘକୁମାରଙ୍କ ଦୀକ୍ଷା

 

ମଧ୍ୟମ ପାୱାରେ କିଛିଦିନ ଅତିବାହିତ କରି କୈବଲ୍ୟ ଅବସ୍ଥା ପ୍ରାପ୍ତ ହୋଇଥିବା ଭଗବାନ ମହାବୀର ଗ୍ରାମରୁ ଗ୍ରାମାନ୍ତର ବିହାର କରି ରାଜଗୃହରେ ପହଞ୍ଚିଲେ । ସେଠାରେ ଗୁଣଶୀଳ ଚୈତ୍ୟରେ ଅବସ୍ଥାନ କଲେ । ତାଙ୍କ ଆଗମନ ବାର୍ତ୍ତା ଗଳିକନ୍ଦିରେ ବିଜୁଳି ପ୍ରାୟେ ଖେଳିଗଲା । ତାଙ୍କର ଦର୍ଶନାଭିଳାଷୀ ଅନେକ ଉଗ୍ର, ଉଗ୍ରପୁତ୍ର, ଭୋଗ, ଭୋଗପୁତ୍ର, ରାଜନ୍ୟ, କ୍ଷତ୍ରିୟ, ବ୍ରାହ୍ମଣ, ଭଟ୍ଟ, ଯୋଦ୍ଧା, ଧର୍ମଶାସ୍ତ୍ରପାଠୀ, ମଲ୍ଲକୀ, ଲିଚ୍ଛବୀ, ମାଣ୍ଡଲିକ, ଯୁବରାଜ, ଗୃହସ୍ଥ, ଧନୀକ, ନଗରସେଠ, ସେନାପତି ତଥା ସାର୍ଥବାହ ଆଦି ସେଠାରେ ଭିଡ଼ ଜମାଇଲେ ।

 

ସେ ସମୟରେ ମଗଧରେ ଶ୍ରେଣିକ ବିମ୍ବିସାର ନାମକ ପ୍ରତାପୀ ରାଜା ଶାସନ କରୁଥିଲେ । ତାଙ୍କର ରାଣୀ ଧାରିଣୀଙ୍କଠାରୁ ଉତ୍ପନ୍ନ ରାଜକୁମାର ମେଘକୁମାର ଯେତେବେଳେ ଏ କୋଳାହଳ ଶୁଣିଲେ ତାଙ୍କର କଞ୍ଚୁକିକୁ ଡାକିକରି ପଚାରିଲେ । କଞ୍ଚୁକି ଉତ୍ତର ଦେଲେ–‘‘ହେ ଦେବାନୁପ୍ରିୟ ! ଶ୍ରମଣ ଭଗବାନ ତୀର୍ଥଙ୍କର ମହାବୀର ନଗରୀରେ ପଦାର୍ପଣ କରିଛନ୍ତି । ତାଙ୍କର ଦର୍ଶନ ପାଇଁ ନଗରବାସୀଙ୍କର ଏ ଭିଡ଼ ।’’ ଏହା ଶୁଣି ମେଘକୁମାର ଚାରୋଟି ଅଶ୍ଵ ଯୋଚା ହେଉଥିବା ରଥକୁ ପ୍ରସ୍ତୁତ କରାଇଲେ; ସ୍ନାନାଦି ନିତ୍ୟକର୍ମ ସାରିଲେ ଓ ବିଭିନ୍ନ ପ୍ରକାର ଅଳଙ୍କାର ବିଭୂଷିତ ହୋଇ ସେ ରଥରେ ଭଗବାନଙ୍କ ଦର୍ଶନାର୍ଥେ ବାହାରିଗଲେ ।

 

ଦୂରରୁ ଭଗବାନଙ୍କ ଦର୍ଶନ କରି ମେଘକୁମାର ରଥରୁ ଅବତରଣ କଲେ, ଶରୀରରୁ ସମସ୍ତ ରାଜଚିହ୍ନ ଉତାରି ପକାଇଲେ ଏବଂ ଯୋଡ଼ହସ୍ତ ହୋଇ ତାଙ୍କ ନିକଟରେ ପହଞ୍ଚିଲେ । ଭଗବାନଙ୍କୁ ତିନିଥର ପ୍ରଦକ୍ଷିଣ କଲେ, ବନ୍ଦନା କଲେ, ନମସ୍କାର କଲେ ଏବଂ ବିନୟପୂର୍ବକ ଉପାସନା କରି ଉପବେସନ କଲେ ।

 

କେବଳୀ ଭଗବାନଙ୍କର ପ୍ରଥମ ଧର୍ମୋପଦେଶ ଆରମ୍ଭ ହେଲା । ଉପଦେଶ ଶ୍ରବଣ କରି ମେଘକୁମାରଙ୍କ ମନରେ ଦିବ୍ୟ ସନ୍ତୋଷ ଜାତହେଲା । ଭଗବାନଙ୍କର ପୁନଃ ପୁନଃ ବନ୍ଦନା କରି ସେ କହିଲେ–‘‘ଭକ୍ତେ ! ଆପଣଙ୍କ ଉପଦେଶ ମୋତେ ଅତ୍ୟନ୍ତ ହିତକର ବୋଧହେଉଛି । ନିର୍ଗ୍ରନ୍ଥ ପ୍ରବଚନ ଅତ୍ୟନ୍ତ ରୁଚିକର ହେଲା । ଆପଣଙ୍କ ବକ୍ତବ୍ୟ ସଂପୂର୍ଣ୍ଣ ସତ୍ୟ, ତାହା ମୋର ଇଷ୍ଟ ପାଇଁ ଉଦ୍ଦିଷ୍ଟ, ହେ ଦେବାନୁପ୍ରିୟ ! ମୁଁ ମୋର ମାତା ପିତାଙ୍କ ଅନୁମତି ଆଣି ଆପଣଙ୍କ ନିକଟରୁ ପ୍ରବଜ୍ଜ୍ୟା ଗ୍ରହଣ କରିବା ଚାହୁଁଛି ।”

 

ଭଗବାନ ଉତ୍ତର ଦେଲେ–‘‘ହେ ଦେବାନୁପ୍ରିୟ ! ତୁମେ ଯାହା ଉଚିତ ମନେକରୁଛ ତାହାକର, ସେଥିରେ କୌଣସି ପ୍ରତିବନ୍ଧକ ନାହିଁ ।” ମେଘକୁମାର ନିଜ ରଥରେ ପୁଣି ପ୍ରାସାଦକୁ ଫେରିଲେ । ମାତା-ପିତାଙ୍କ ଚରଣ ବନ୍ଦନା କରି କହିଲେ, ‘‘ମୋତେ ଶ୍ରମଣ ଭଗବାନ ମହାବୀରଙ୍କର ଧର୍ମ ଅତ୍ୟନ୍ତ ରୁଚିକର ବୋଧହେଲା ।

 

ମାତା-ପିତା–‘‘ପୁତ୍ର ! ତୁ ଧନ୍ୟ ହେଲୁ । ତୁ ମହା ଭାଗ୍ୟବାନ୍‌ । ଭଗବାନଙ୍କର ଉପଦେଶ ତୋ ପାଇଁ ପ୍ରୀତିକର ହୋଇଥିବାରୁ ତୋ ଜନ୍ମ ସଫଳ ହୋଇଛି ।

 

ମେଘକୁମାର– ‘‘ଆପଣ ଦୁହେଁ ଅନୁମତି ଦେଲେ ମୁଁ ଭଗବାନଙ୍କର ଶ୍ରମଣ ଧର୍ମରେ ଦୀକ୍ଷିତ ହେବା ଚାହେଁ ।”

 

ଏହା ଶୁଣି ରାଣୀ ଧାରିଣୀ ମୂର୍ଚ୍ଛିତ ହୋଇ ଭୂମିରେ ପଡ଼ିଗଲେ । ଚେତା ଫେରିବା ପରେ ଅଶ୍ରୁ ବର୍ଷଣ କରି ପୁତ୍ରକୁ କହିଲେ, ହେ ମେଘ । ତୁ ମୋର ଏକୋଇର ବାଳା ଅନ୍ଧର ଲଉଡ଼ି-। ବହୁ ମୂଲ୍ୟ ରତ୍ନ ପରି ପ୍ରିୟ, ଉଦୁମ୍ବର ପୁଷ୍ପ ପରି ଦୁର୍ଲଭ । କ୍ଷଣକ ପାଇଁ ସୁଦ୍ଧା ତୋତେ ମୂର୍ଚ୍ଛି ମୁଁ ରହିପାରିବି ନାହିଁ । ଅତଏବ ଯେ ପର୍ଯ୍ୟନ୍ତ ମୁଁ ଜୀବିତ ଅଛି, ସେ ପର୍ଯ୍ୟନ୍ତ ସାଂସାରିକ ଜୀବନ ଯାପନ କର । ମୋ ମୃତ୍ୟୁ ପରେ ବଂଶ ବିସ୍ତାର କରି ସାରି ପରିଣତ ବୟସରେ ପଛେ ଗୃହସ୍ଥଧର୍ମ ତ୍ୟାଗ କରି ଶ୍ରମଣ ଦୀକ୍ଷା ଗ୍ରହଣ କରିବୁ ।”

 

ମେଘକୁମାର–‘‘ମା’ । ତୁମେ ଯାହା କହିଲ ତାହା ଠିକ୍ କଥା; ମାତ୍ର ଏ ମନୁଷ୍ୟ ଜୀବନ ଅନିଶ୍ଚିତ, ଅନିତ୍ୟ । ସହସ୍ର ଦୁଃଖ, କ୍ଳେଶରେ ପରିପୂର୍ଣ୍ଣ । ଏ ଜୀବନ କ୍ଷଣ ଭଙ୍ଗୁର । କେଜାଣି କେତେବେଳେ ଶେଷ ସମୟ ଆସି ପହଞ୍ଚିଯିବ । ଏଣୁ ମୋତେ ଶ୍ରମଣ ଧର୍ମରେ ଦୀକ୍ଷିତ ହେବାର ଅନୁମତି ଦିଅ । ମୋର ମନୁଷ୍ୟ ଜୀବନ ସାର୍ଥକ ହେଉ ।

 

ମାତା–‘‘ତୁ ଜାଣିନାହୁଁ, ଶ୍ରମଣ ଭଗବାନ ମହାବୀରଙ୍କ ଧର୍ମ ପାଳନ କେତେ କଷ୍ଟ । ଏଥିରେ ସର୍ପ ପରି ଏକନିଷ୍ଠ ଦୃଷ୍ଟି ତଥା ତରବାରୀ ପରି ଏକନିଷ୍ଠ ଧାର ରଖିବାକୁ ହୁଏ । ଲୁହାର ଚଣା ଚୋବାଇବା ପରି ଅତ୍ୟନ୍ତ କଠିନ ଅଟେ । ବାଲି ଗ୍ରାସ କରିବାପରି ଅତ୍ୟନ୍ତ ନୀରସ ଅଟେ । ଗଙ୍ଗାର ଉଜାଣି ସ୍ରୋତରେ ପହଁରିବା ପରି ଅଥବା ମହାସମୁଦ୍ରକୁ ପହଁରି ପହଁରି ପାରିହେବାକୁ ଚେଷ୍ଟା କରିବା ପରି ଏକାନ୍ତ କଷ୍ଟକର ଅଟେ । ଅସିଧାରା ବ୍ରତ ପରି ଏହାର ଆଚରଣ ଅତ୍ୟନ୍ତ ଦୁଷ୍କର ଅଟେ । ପୁଅରେ, ଶ୍ରମଣ ନିର୍ଗ୍ରନ୍ଥକୁ ରୁଖା-ଶୁଖା ଖାଦ୍ୟ ଖାଇ ଜୀବନ ନିର୍ବାହ କରିବାକୁ ପଡ଼ିଥାଏ । ଭୋକ-ଶୋଷ, ଖରା-ବର୍ଷା ଆଦି ନୀରବରେ ସହିବାକୁ ହୋଇଥାଏ, ରୋଗରେ ପଡ଼ିଲେ ଚିକିତ୍ସା ଅଭାବରୁ ଅଶେଷ ଯନ୍ତ୍ରଣା ସହିବାକୁ ହୋଇଥାଏ । ତୋ ଭଳି ସୁକୁମାର ଶିଶୁ ଏ ଦାରୁଣ କଷ୍ଟ କିପରି ସହିପାରିବ ?”

 

ମେଘକୁମାର–‘‘ହେ ମାତା ! ତୁମେ ଯାହା କହିଲ ତାହା ଠିକ୍ କଥା । କିନ୍ତୁ ଏ ଭୟ ତ କେବଳ ଇହ-ଜଗତ-ସର୍ବସ୍ଵ ଭୀରୁ ଓ ନପୁଂସକମାନଙ୍କ କ୍ଷେତ୍ରରେ ଶୋଭାପାଏ । ଧୀର, ବୀର, ପରାକ୍ରମୀ ପୁରୁଷ ଏ ସବୁ ଛୋଟ ଛୋଟ ବିପଦରେ ବିଚଳିତ ହୋଇପଡ଼େନା । ଭଗବାନ ମହାବୀରଙ୍କ ନିକଟକୁ ଯାଇ ପ୍ରବ୍ରଜ୍ୟା ଗ୍ରହଣ କରିବାକୁ ତୁମେ ମୋତେ ଅନୁମତି ଦିଅ ।”

 

ଅନେକ ବୁଝାଇବା ପରେ ମଧ୍ୟ ସେତେବେଳେ ମେଘକୁମାର ନିଜର ନିଷ୍ପତ୍ତିରେ ଅଟଳ ରହିଲେ ତାଙ୍କର ମାତା କହିଲେ ‘‘ତେବେ ଠିକ୍‌ ଅଛି । ଅନ୍ତତଃ ଦିନକ ପାଇଁ ତୁ ରାଜ୍ୟଭାର ଗ୍ରହଣ କରି ମୋର ଅଭିଳାଷ ପୂର୍ଣ୍ଣ କର ।”

 

ମେଘକୁମାର ମାତା-ପିତାଙ୍କ ଆଜ୍ଞା ଶିରୋଧାର୍ଯ୍ୟ କରି ମୌନପୂର୍ବକ ସମ୍ମତି ପ୍ରଦାନ କଲେ । ରାଜା ଶ୍ରେଣିକ ରାଜ୍ୟାଭିଷେକ ପାଇଁ ପ୍ରସ୍ତୁତି କରିବାକୁ କୌଟୁମ୍ବିକ ପୁରୁଷଙ୍କୁ ଆଦେଶ ଦେଲେ ।

 

ରାଜକୁମାରଙ୍କୁ ସୁନା ଓ ଚାନ୍ଦି କଳସରେ ସ୍ନାନ କରାଇଦିଆଗଲା । ପୁଷ୍ପମାଳାରେ ସଜ୍ଜିତ କରି ଦିଆଗଲା । ଦୁନ୍ଦୁଭି ଘୋଷ ତଥା ଜୟ ବିଜୟ ଶବ୍ଦରେ ଗଗନ ପବନ ପ୍ରକମ୍ପିତ ହେଲା-। ରାଜା ଶ୍ରେଣିକ ପୁତ୍ରକୁ ଅଶୀର୍ବାଚନ ଶୁଣାଇଲେ–‘‘ହେ ପୁତ୍ର ! ବିଜୟୀ ହୁଅ, ଶତ୍ରୁକୁ ଦମନ କର ଓ ମିତ୍ରକୁ ପାଳନ କର । ମଗଧର ଆଧିପତ୍ୟ ତୁମକୁ ପ୍ରାପ୍ତ ହେଉ । ରାଜା ଭରତଙ୍କ ପରି ସୁଖ୍ୟାତି ଅର୍ଜନକରି ରାଜ୍ୟ ଉପଭୋଗ କର ।”

 

ଅଭିଷେକ ଉତ୍ସବ ସରିବା ସଙ୍ଗେ ସଙ୍ଗେ ମେଘକୁମାର ସର୍ବପ୍ରଥମେ ଦୋକାନରୁ ସାଧୁଙ୍କ ଯୋଗ୍ୟ ରଜୋହରଣ ଓ ପାତ୍ର ମଗାଇବାକୁ ଆଦେଶ ଦେଲେ । ବାଳ କାଟିବା ପାଇଁ ଭଣ୍ଡାରୀକୁ ଖବର ଦେବାପାଇଁ ଆଦେଶ ଦେଲେ । ଭଣ୍ଡାରୀ ଉପସ୍ଥିତ ହେଲା । ସୁରଭି ଗନ୍ଧୋଦକରେ ହସ୍ତ ପଦ ପ୍ରକ୍ଷାଳନ କଲା । ଚାରି ପରସ୍ତ ହୋଇଥିବା ଶୁଦ୍ଧ ବସ୍ତ୍ରରେ ମୁଖ ଆଚ୍ଛାଦନ କଲା ଓ ଚାରି ଆଙ୍ଗୁଳି ଛାଡ଼ି ମେଘକୁମାରଙ୍କ ବାଳ କାଟିଲା । ମାତା ଧାରିଣୀ ଉକ୍ତ କେଶକୁ ଗୋଟିଏ ବସ୍ତ୍ରରେ ତୋଳିନେଲେ ଏବଂ ସ୍ମୃତି ସ୍ଵରୂପ ତାକୁ ଏକ ରତ୍ନ ଡବାରେ ବନ୍ଦକରି ତକିଆ ତଳେ ରଖିଲେ ।

 

ମେଘକୁମାରଙ୍କୁ ସ୍ନାନ କରାଇଦିଆଗଲା । ଗୋଶୀର୍ଷ ଚନ୍ଦନ ବୋଳି ଦିଆଗଲା । ବସ୍ତ୍ର ଓ ଅଳଙ୍କାର ପିନ୍ଧାଇଦିଆଗଲା । ପୁଣି ସେ ପାଲିଙ୍କିରେ ଚଢ଼ିଲେ । ଧାରିଣୀ ମାତା ଡାହାଣ ପଟେ ଭଦ୍ରାସନରେ ବସିଲେ । ତାଙ୍କର ବାଁପଟରେ ରଜୋହରଣ ତଥା ପାତ୍ର ଧାରଣ କରି ଅମ୍ବଧାତା ଆସନ ଗ୍ରହଣ କଲେ । ଦୁଇପଟରେ ଦୁଇଜଣ ସୁନ୍ଦରୀ ତରୁଣୀ ଚାମର କଲେ । ଜୟ-ବିଜୟ ଶବ୍ଦ ଶୁଣାଗଲା ।

 

ଗୁଣଶିଳ ଚୈତ୍ୟରେ ପହଞ୍ଚି ରାଜା ଶ୍ରେଣିକ ଓ ରାଣୀ ଧାରିଣୀ ସ୍ଵପୁତ୍ରକୁ ଶିଷ୍ୟ-ଭିକ୍ଷା ରୂପେ ପ୍ରସ୍ତୁତ କଲେ । ଧାରିଣୀ ମା’ ଗମ୍ଭୀର ସ୍ଵରରେ ପୁତ୍ରକୁ କହୁଥାନ୍ତି–‘‘ବାପରେ । ସାବଧାନ ହୋଇ ସଂଯମ ପାଳନ କରୁଥିବୁ । ଅଭିକ୍ରମ କେବେ ଶିଥିଳ କରିବୁ ନାହିଁ । ଭ୍ରମରେ ପଡ଼ିବୁ ନାହିଁ । ଆମେ ମଧ୍ୟ ଭବିଷ୍ୟତରେ ଏଇ ମାର୍ଗ ଅନୁସରଣ କରୁ । ଭଗବାନ ମହାବୀର ରାଜଗୃହରେ ତାଙ୍କର ତ୍ରୟୋଦଶ ବର୍ଷାକାଳ ପୂର୍ଣ୍ଣ କଲେ । କୈବଲ୍ୟ ଅଗସ୍ଥା ପ୍ରାପ୍ତି ହେବାପରେ ତାହା ଥିଲା ତାଙ୍କର ପ୍ରଥମ ଚାତୁର୍ମାସ୍ୟ ।

 

ଚତୁର୍ଦ୍ଦଶ ଚାତୁର୍ମାସ୍ୟ–ବ୍ରାହ୍ମଣକୁଣ୍ଡ ଗ୍ରାମରେ ଦେବାନନ୍ଦା ଓ ଋଷଭଦତ୍ତଙ୍କ ଦୀକ୍ଷା

 

ରାଜଗୃହରୁ ଭଗବାନ୍‌ଙ୍କର ଆଗମନ ଶୁଣି ମହାବୀରଙ୍କର ପ୍ରକୃତ ମାତାପିତା ଦେବାନନ୍ଦା ବ୍ରାହ୍ମଣୀ, ଋଷଭଦତ୍ତ ବ୍ରାହ୍ମଣ ତଥା ଅନ୍ୟାନ୍ୟ ଜ୍ଞାତି-କୁଟୁମ୍ବ ଖୁବ୍‌ ଉତ୍ସୁକ ହୋଇ ତାଙ୍କର ଦର୍ଶନପାଇଁ ଆସିଲେ । ମାତା ଦେବାନନ୍ଦାଙ୍କର ସେ ସମୟରେ କି ଅବସ୍ଥା ହୋଇଥିବ ତାହା କେବଳ କୌଣସି ସହୃଦୟ କବି ଚିତ୍ରଣ କରିପାରେ । ନିଜ ପୁଅକୁ ଦେଖି ତାଙ୍କ ଆଖିରୁ ଅଶ୍ରୁଧାରା ଏବଂ ସ୍ତନରୁ କ୍ଷୀରଧାରା ବହିବାକୁ ଲାଗିଲା । ଗୌତମ ଗଣଧର ପ୍ରଶ୍ନ କଲେ–‘‘ଭଗବାନ୍‌ ! ଆପଣ ତ କ୍ଷତ୍ରିୟାଣୀ ତ୍ରିଶଳାଙ୍କର ପୁତ୍ର । ଆପଣଙ୍କୁ ଦେଖି ଦେବାନନ୍ଦାଙ୍କ ସ୍ତନରୁ କ୍ଷୀର ସ୍ରବିଲା କିପରି ?” ଭଗବାନ ଉତ୍ତର ଦେଲେ–‘‘ହେ ଗୌତମ ! ଦେବାନନ୍ଦା ମୋର ପ୍ରକୃତ ମାତା ଅଟନ୍ତି ଏବଂ ମୁଁ ତାଙ୍କର ପୁତ୍ର ଅଟେ ।

 

ଜ୍ଞାତାଧର୍ମ କଥା ।

 

ନିଜ ପୁଅକୁ ଦେଖି ମାତା ସ୍ତନରୁ କ୍ଷୀର ଝରିବା ସ୍ଵାଭାବିକ ଅଟେ ।”

 

ମହାବୀର ତାଙ୍କର ମାତା-ପିତାଙ୍କୁ ଶ୍ରମଣ-ଧର୍ମରେ ଦୀକ୍ଷିତ କଲେ । ବ୍ରାହ୍ମଣ-କୁଣ୍ଡ ନିକଟରେ ଥିବା କ୍ଷତ୍ରିୟ-କୁଣ୍ଡ ଗ୍ରାମରେ ମହାବୀର ଜନ୍ମଗ୍ରହଣ କରିଥିଲେ । ମହାବୀରଙ୍କର ଉକ୍ତ ପିତାମାତାଙ୍କର ମୃତ୍ୟୁ ତାଙ୍କର ଦୀକ୍ଷାଗ୍ରହଣ ପୂର୍ବରୁ ହୋଇସାରିଥିଲା । କିନ୍ତୁ ତାଙ୍କର ଝିଅ ପ୍ରିୟଦର୍ଶନୀ ଓ ତାଙ୍କର ଜୋଇଁ ଜାମାଳି ସେଠି ରହୁଥିଲେ । ତାଙ୍କର ବଡ଼ଭାଇ ନନ୍ଦିବର୍ଦ୍ଧନ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ।

 

ଭଗବାନ କ୍ଷତ୍ରିୟ-କୁଣ୍ଡ ଗ୍ରାମରେ ପହଞ୍ଚିବା ପରେ ତାଙ୍କର ବନ୍ଧୁବାନ୍ଧବ, ସାଙ୍ଗସାଥୀ ତାଙ୍କୁ ଦେଖିବା ପାଇଁ ହୁଏତ ବ୍ୟାକୁଳ ହୋଇପଡ଼ିଥିବେ । ମାତ୍ର ସେମାନଙ୍କର ଅଥବା ତାଙ୍କର ପତ୍ନୀ ଯଶୋଦାଙ୍କର କୌଣସି ଉଲ୍ଲେଖ ମଧ୍ୟ ଏଠାରେ ଦେଖିବାକୁ ମିଳେ ନାହିଁ । ଭଗବାନଙ୍କର ଧର୍ମୋପଦେଶ ଶ୍ରବଣ କରି ଜାମାଳି ଶ୍ରମଣ-ଦୀକ୍ଷା ଗ୍ରହଣ କଲେ । ପ୍ରିୟଦର୍ଶନା ପତିଙ୍କ ପଦାଙ୍କ ଅନୁସରଣ କଲେ । ବୈଶାଳୀରେ ମହାବୀର ଚତୁର୍ଦ୍ଦଶ ଚାତୁର୍ମାସ୍ୟ କଟାଇଲେ । କେବଳୀ ଅବସ୍ଥାରେ ଏହା ଥିଲା ତାଙ୍କର ଦ୍ଵିତୀୟ ଚାତୁର୍ମାସ୍ୟ ।

 

ପଞ୍ଚଦଶ ଚାତୁର୍ମାସ୍ୟ–କୌଶାମ୍ବୀରେ ଜୟନ୍ତୀଙ୍କର ଦୀକ୍ଷା ଗ୍ରହଣ

 

ବୈଶାଳୀରୁ ଭଗବାନ ବତ୍ସ ଜନପଦ ଅଭିମୁଖେ ବିହାର କଲେ । ସେହି ସମୟରେ କୌଶାମ୍ବୀରେ ରାଜା ଶତାନୀକ ରାଜ୍ୟ ଶାସନ କରୁଥାନ୍ତି । ତାଙ୍କ ରାଣୀଙ୍କ ନାମ ମୃଗାବତୀ । ଉଦୟନ ତାଙ୍କର ପୁତ୍ର ।

 

୧–ଶ୍ଵେତାମ୍ବର-ପରମ୍ପରା ଅନୁଯାୟୀ ମହାବୀର ପ୍ରଥମେ ଦେବାନନ୍ଦା ବ୍ରାହ୍ମଣୀଙ୍କ ଗର୍ଭରେ ଦେଖାଦେଲେ । ତାପରେ ଗର୍ଭହରଣ ଦ୍ଵାରା ତ୍ରିଶଳାଙ୍କ ଗର୍ଭରେ ତାଙ୍କୁ ପହଞ୍ଚାଇ ଦିଆଗଲା । ଦିଗମ୍ବର-ପରମ୍ପରା ଗର୍ଭହରଣ କଥା ସ୍ଵୀକାର କରେନାହିଁ ।

 

୨–ଜମାଳିଙ୍କର ପତ୍ନୀରୂପେ ପ୍ରିୟଦର୍ଶନାଙ୍କର ବର୍ଣ୍ଣନା ଭଗବତୀ-ସୂତ୍ରରେ ଦେଖିବାକୁ ମିଳେ ନାହିଁ । (ଅଧ୍ୟାୟ ୩, ପାଦଟୀକା ୨ ଦ୍ରଷ୍ଟବ୍ୟ)

 

୩–ଭଗବତୀ-ସୂତ୍ର (୯-୬) ।

 

ମହାବୀର ଯେତେବେଳେ କୌଶାମ୍ବୀ ଆଗମନ କଲେ ରାଜକୁମାର ଉଦୟନ, ତାଙ୍କର ମାତା ମୃଗାବତୀ ଏବଂ ପିଉସୀ ଜୟନ୍ତୀଙ୍କ ସହିତ ତାଙ୍କର ପୂଜା-ଅର୍ଚ୍ଚନା ପାଇଁ ଗଲେ । ଧର୍ମୋପଦେଶ ଶୁଣିବା ପରେ ଉଦୟନ ତାଙ୍କର ମାଆଙ୍କ ସହିତ ଫେରିଆସିଲେ; ମାତ୍ର ଜୟନ୍ତୀ ସେଇଠାରେ ରହିଗଲେ । ଭଗବାନ ମହାବୀରଙ୍କଠାରୁ ସେ ତାଙ୍କର ଅନେକ ସନ୍ଦେହର ସମାଧାନ ପାଇଲେ ।

 

ଜୟନ୍ତୀ–‘‘ଭଗବାନ୍‌ ! ଜୀବନକୁ କ’ଣ ଭରାକ୍ରାନ୍ତ କରିଦିଏ ?”

 

ମହାବୀର–‘‘ହେ ଜୟନ୍ତୀ ! ହିଂସା, ମିଥ୍ୟା, ଚୋରି, କୁଶୀଳ, ପରିଗ୍ରହ, କ୍ରୋଧ, ମାନ, ମାୟା, ଲୋଭ ଆଦି ପାପସ୍ଥାନମାନଙ୍କ ହେତୁ ଜୀବନ ଭାରାକ୍ରାନ୍ତ ହୋଇଯାଏ । ଏହାଫଳରେ ତା’ର ସଂସାର-ପରିଭ୍ରମଣ ବଢ଼ିଯାଏ ଏବଂ ସେ ଅନନ୍ତକାଳ ପର୍ଯ୍ୟନ୍ତ କଷ୍ଟ ପାଏ । ପପସ୍ଥାନର ଭାର କମିଗଲେ ଜୀବ ହାଲୁକା ଅନୁଭବ କରେ ଏବଂ ସଂସାର-ସମୁଦ୍ର ପାରିହୋଇଯାଏ ।

 

ଜୟନ୍ତୀ–‘‘ଭଗବାନ୍‌ ! ସୁପ୍ତି ଶ୍ରେୟ, ନା ଜାଗୃତି ?”

 

ମହାବୀର–‘‘ଜୟନ୍ତୀ ! କେତେକ ଲୋକଙ୍କ ପକ୍ଷରେ ସୁପ୍ତି ଶ୍ରେୟ । ଆଉ କେତେକଙ୍କ ପକ୍ଷରେ ଜାଗୃତି । ଅଧାର୍ମିକ ବ୍ୟକ୍ତି ପକ୍ଷରେ ଶୋଇରହିବା ଭଲ; କାରଣ ତଦ୍ୱାରା ସେ ଅନ୍ୟର କ୍ଷତି କରିବା ଭଳି ଅଧାର୍ମିକ କ୍ରିୟାକଳାପରୁ ନିବୃତ୍ତ ହୁଏ । କିନ୍ତୁ ଧାର୍ମିକ ପୁରୁଷ ଜାଗ୍ରତ ରହିବା ଉଚିତ । ତଦ୍ଦ୍ୱାରା ସେ ପରର ମଙ୍ଗଳ କରିବା ସଙ୍ଗେ ସଙ୍ଗେ ନିଜେ ପୁଣ୍ୟ ଅର୍ଜନ କରିପାରେ ।

 

ଜୟନ୍ତୀ ଭଗବାନ୍‌ ମହାବୀରଙ୍କ ନିକଟରେ ଆହୁରି ଅନେକ ପ୍ରଶ୍ନ ନିବେଦନ କଲେ । ପ୍ରତ୍ୟେକଟି ପ୍ରଶ୍ନର ଯଥାଯଥ ଉତ୍ତର ପାଇ ସନ୍ତୋଷ ଲାଭ କଲେ । ଶ୍ରମଣୀ-ଦୀକ୍ଷା ଗ୍ରହଣ କରି ନିର୍ବାଣପଦ ଲାଭ କଲେ । କୌଶାମ୍ବୀରୁ ଭଗବାନ କୋଶଳ ଅଭିମୁଖେ ବିହାର କଲେ । ଶ୍ରାବସ୍ତୀରେ ପ୍ରବେଶ କରି ସେ ସୁମନୋଭଦ୍ର ତଥା ସୁପ୍ରତିଷ୍ଠ ନାମକ ଦୁଇଜଣ ଗୃହସ୍ଥଙ୍କୁ ଶ୍ରମଣଧର୍ମରେ ଦୀକ୍ଷିତ କଲେ ।

 

ଭଗବତୀ-ସୂତ୍ର (୧୨.୨) ।

 

ମହାବୀର ଭଗବାନ ପୁଣି ନିଜର ଜନ୍ମଭୂମି ବିଦେହକୁ ପ୍ରତ୍ୟାବର୍ତ୍ତନ କଲେ । ବାଣିଜ୍ୟଗ୍ରାମରେ ପହଞ୍ଚି ସେ ଦୁଇପଲାସ ଚୈତ୍ୟରେ ଅବସ୍ଥାନ କଲେ ।

 

ବାଣିଜ୍ୟ ଗ୍ରାମରେ ଆନନ୍ଦ ନାମକ ଜଣେ ସମୃଦ୍ଧିଶାଳୀ ଗୃହପତି ବାସ କରୁଥିଲେ । ତାଙ୍କର ଅପରିମିତ ସୁନା-ଚାନ୍ଦି, ଗାଈ-ବଳଦ, ଖେତ-ହଳ, ଯାନ-ବାହନ ଏବଂ ଯାନପାତ୍ର ଆଦି ଥିଲା । ଭଗବାନଙ୍କର ଉପଦେଶ ଶ୍ରବଣ କରି ଆନନ୍ଦ ଶ୍ରାବକର ୧୨ ବ୍ରତ ଗ୍ରହଣ କଲେ । ଶ୍ରମଣ-ନିର୍ଗ୍ରନ୍ଥଙ୍କୁ ନିର୍ଦ୍ଦୋଷ ଅନ୍ନପାନାଦି ଦ୍ଵାରା ସମ୍ମାନିତ କରି ତାଙ୍କର ଉପାସନା କରିବାର ନିୟମ ଗ୍ରହଣ କଲେ । ଆନନ୍ଦଙ୍କର ପତ୍ନୀ ଶିୟାନନ୍ଦା ମଧ୍ୟ ଶ୍ରାବିକ ବ୍ରତ ଗ୍ରହଣ କଲେ । ଭଗବାନ ବାଣିଜ୍ୟଗ୍ରାମରେ ପଞ୍ଚଦଶ ଚାତୁର୍ମାସ୍ୟ–ଅର୍ଥାତ୍‌ କେବଳ ଜ୍ଞାନପ୍ରାପ୍ତି ପରେ ତୃତୀୟ ଚାତୁର୍ମାସ୍ୟା ଅତିବାହିତ କଲେ ।

 

ଷୋଡ଼ସ ଚାତୁର୍ମାସ୍ୟ ରାଜଗୃହରେ

 

ବାଣିଜ୍ୟଗ୍ରାମରୁ ଭଗବାନ ପୁନଶ୍ଚ ମଗଧ ଅଭିମୁଖେ ବିହାର କଲେ । ରାଜଗୃହରେ ଧନ୍ୟ ତଥା ଶାଳିଭଦ୍ରଙ୍କୁ ଶ୍ରମଣ-ଧର୍ମରେ ଦୀକ୍ଷିତ କଲେ । ଭଗବାନ ମହାବୀର ସେଠାରେ ଷୋଡ଼ଶ-କୈବଲ୍ୟ ଅବସ୍ଥା ପରେ ଚତୁର୍ଥ-ଚତୁର୍ମାସ୍ୟ ଅତିବାହିତ କଲେ ।

 

ସପ୍ତଦଶ ଚାତୁର୍ମାସ୍ୟ ବାଣିଜ୍ୟ ଗ୍ରାମରେ

 

ରାଜଗୃହରୁ ଭଗବାନ ଚମ୍ପା ଅଭିମୁଖେ ପ୍ରସ୍ଥାନ କଲେ । ଚମ୍ପାରେ ରାଜକୁମାର ମହଚନ୍ଦ୍ରଙ୍କୁ ଶ୍ରମଣ-ଧର୍ମରେ ଦୀକ୍ଷିତ କଲେ । କାମଦେବଙ୍କୁ ଶ୍ରମଣ ଉପାସକ କରାଇଲେ । ଭଗବାନ ନିର୍ଗ୍ରନ୍ଥ-ନିର୍ଗ୍ରନ୍ଥିନୀମାନଙ୍କୁ କାମଦେବଙ୍କ ପରି ଦୃଢ଼ ଆତ୍ମ-ସଂଯମ ପାଳନ କରିବାକୁ ଉପଦେଶ ଦେଲେ ।

 

୧-ଉପାସକ ଦଶା (୧) ।

 

୨-ଉପାସକ ଦଶା (୨) ।

 

ଚମ୍ପାରୁ ସିନ୍ଧୁ-ସୌବୀର ଜନପଦର ରାଜା ଉଦୟନଙ୍କୁ ଶ୍ରମଣ-ଧର୍ମରେ ଦୀକ୍ଷିତ କରିବା ପାଇଁ ଭଗବାନ ମହାବୀର ବୀତିଭୟ ନଗରକୁ ଗମନ କରିଥିବାର ଉଲ୍ଲେଖ ମିଳେ । ତାପରେ ବାଣିଜ୍ୟ-ଗ୍ରାମରେ ସେ ସପ୍ତଦଶ କେବଳୀ ଅବସ୍ଥାରେ ପଞ୍ଚମ ଚାତୁର୍ମାସ୍ୟ ବିତାଇଲେ ।

 

ରାଜଗୃହରେ ଅଷ୍ଟାଦଶ ଚାତୁର୍ମାସ୍ୟ

 

ଭଗବାନ ମହାବୀର ବାଣିଜ୍ୟଗ୍ରାମରୁ ବାରାଣସୀ ଆସିଲେ ଏବଂ କୋଷ୍ଠକ ଚୈତ୍ୟରେ ଅବସ୍ଥାନ କଲେ । ଏଠାରେ ସେ ଗୃହପତି ଚୂଲଣିପିତା ଓ ଗୃହପତି ସୁରାଦେବଙ୍କୁ ଶ୍ରାବକ ବ୍ରତ ପ୍ରଦାନ କଲେ ।

 

ବାରାଣସୀରୁ ସେ ଆଲଭିୟା ଆସିଲେ । ପୁଦ୍‍ଗଳ ପରିବ୍ରାଜକ ଶ୍ରମଣଦୀକ୍ଷା ଗ୍ରହଣ କଲେ । ଆଲଭିୟାର ଚୁଲ୍ଲଶତକ ଗୃହପତି ଶ୍ରାବକ ବ୍ରତ ଗ୍ରହଣ କଲେ । ଆଲଭିୟାରୁ ମଗଧ ଅଭିମୁଖେ ବିହାର କଲେ । ରାଜଗୃହରେ ମକାୟୀ ଆଦି ଗୃହସ୍ଥଙ୍କୁ ଶ୍ରମଣ-ଧର୍ମରେ ଦୀକ୍ଷିତ କଲେ । ଭଗବାନ ଏଠାରେ ଅଷ୍ଟାଦଶ-କେବଳୀ ଅବସ୍ଥାରେ ଷଷ୍ଠ-ଚାତୁର୍ମାସ୍ୟ ପାଳନ କଲେ ।

 

ଊନବିଂଶ ଚାତୁର୍ମାସ୍ୟ ପୁନଶ୍ଚ ରାଜଗୃହରେ

 

ମଗଧରେହିଁ ଭଗବାନଙ୍କର ବିହାର ଜାରି ରହିଲା । ମଗଧରାଜା ଶ୍ରେଣିକ ବିମ୍ବସାର ମହାବୀରଙ୍କୁ ଦର୍ଶନ କଲେ । ମହାବୀର ଭବିଷ୍ୟବାଣୀ କଲେ ଯେ ଶ୍ରେଣିକ ତାଙ୍କର ମୃତ୍ୟୁପରେ ନର୍କଗାମୀ ହେବେ; ମାତ୍ର ତାପରେ ତୀର୍ଥଙ୍କର ହେବେ । ରାଜଗୃହରେ ଭଗବାନ ଶ୍ରେଣିକ-ପୁତ୍ର ଅଭୟକୁମାର ତଥା ଅନ୍ୟ ରାଜପୁତ୍ରମାନଙ୍କୁ ଶ୍ରମଣ-ଧର୍ମରେ ଦୀକ୍ଷିତ କରାଇଲେ । ଶ୍ରେଣିକଙ୍କର ଅନେକ ରାଣୀ ମଧ୍ୟ ଶ୍ରମଣୀ-ଦୀକ୍ଷା ଗ୍ରହଣ କଲେ । ଭଗବାନଙ୍କର ଏହା ଥିଲା ଊନବିଂଶ-କେବଳୀ ଅବସ୍ଥାରେ ସପ୍ତମ-ଚାତୁର୍ମାସ୍ୟ ।

 

୧-ଭଗବତୀ-ସୂତ୍ର (୧୩, ୬)

 

୨-ଉପାସକ ଦଶା (୩ ଓ ୪)

 

୩-ଭଗବତୀ ସୂତ୍ର (୧୧.୧୨)

 

୪-ଉପାସକ ଦଶା (୫)

 

ବୈଶାଳୀରେ ବିଂଶତିତମ ଚାତୁର୍ମାସ୍ୟ

 

କେବଳୀ ଭଗବାନ ବତ୍ସଦେଶ ଅଭିମୁଖେ ପ୍ରୟାଣକଲେ । ଯେତେବେଳେ ସେ କୌଶାମ୍ବୀକୁ ଆସିଲେ ଉଜ୍ଜୟିନୀର ରାଜା ଚଣ୍ଡପ୍ରଦ୍ୟୋତ ରାଣୀ ମୃଗାବତୀଙ୍କୁ ପାଇବା ପାଇଁ କୌଶାମ୍ବୀ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଥିଲେ । ଯୁଦ୍ଧରୁ ରାଜ୍ୟବାସୀଙ୍କୁ ବଞ୍ଚାଇବାପାଇଁ ମୃଗାବତୀ ମହାବୀରଙ୍କର ଶରଣ ପଶିଲେ । ଚଣ୍ଡପ୍ରଦ୍ୟୋତ ସେଠାରେ ପୂର୍ବରୁ ଉପସ୍ଥିତ ଥିଲେ । ସ୍ତ୍ରୀମାନଙ୍କ ପ୍ରତି ପୁରୁଷଙ୍କର ଲମ୍ଫଟତା ସଂପର୍କରେ ଭଗବାନ ସେତେବେଳେ ଆଖ୍ୟାନ ଶୁଣାଉଥିଲେ । ସେହି ଅବସରରେ ମୃଗାବତୀ ଦୀକ୍ଷା ଗ୍ରହଣ କରିବାର ଇଚ୍ଛା ପ୍ରକଟକଲେ । ରାଜା ଶତାନୀକ ମୃତ୍ୟୁବରଣ କରିସାରିଥିଲେ । ଏଣୁ ରାଣୀ ଚଣ୍ଡପ୍ରତାପଙ୍କର ଅନୁମତି ନେଇ ଦୀକ୍ଷା ଗ୍ରହଣ କଲେ । ଚଣ୍ଡପ୍ରତାପଙ୍କର ଆଠ ରାଣୀ ମଧ୍ୟ ଦୀକ୍ଷିତ ହୋଇଗଲେ ।

 

ମହାବୀର ବିଦ୍ରୋହ ଅଭିମୁଖେ ପ୍ରସ୍ଥାନ କଲେ । ବୈଶାଳୀରେ ପହଞ୍ଚି ବିଂଶତିତମ-କୈବଲ୍ୟ ପ୍ରାପ୍ତି ପରେ ଅଷ୍ଟମ-ଚାତୁର୍ମାସ୍ୟ ବିତାଇଲେ ।

 

ବାଣିଜ୍ୟ-ଗ୍ରାମରେ ଏକବିଂଶତିତମ ଚାତୁର୍ମାସ୍ୟ

 

ମହାବୀର ମିଥିଳା ଅଭିମୁଖେ ଚାଲିଲେ । ସେଠାରୁ କାକନ୍ଦୀ ଏବଂ ଶ୍ରାବସ୍ତୀ ବାଟଦେଇ ପାଞ୍ଚାଳ, ଶୂରସେନ ଏବଂ କୁରୁ ଆଦି ସ୍ଥାନରେ ବିହାର କଲେ ।

 

ଭଗବାନଙ୍କର ଉପଦେଶ ଶ୍ରବଣ କରି କାକନ୍ଦୀରେ ଭଦ୍ରା ସେଠାନୀଙ୍କର ପୁତ୍ର ଧନ୍ୟଙ୍କର ବୈରାଗ୍ୟ ଜାତ ହେଲା । ବହୁତ ଜାକଜମକରେ ଧନ୍ୟଙ୍କର ନିଷ୍କ୍ରମଣ-ସତ୍କାର କରାଗଲା-। ରାଜା ମଧ୍ୟ ସେଥିରେ ଉପସ୍ଥିତ ଥିଲେ । ଧନ୍ୟଙ୍କର ତପଶ୍ଚର୍ଯ୍ୟାକୁ ଭଗବାନ ମହାବୀର ମହାଦୁଷ୍କର ବୋଲି ଘୋଷଣା କଲେ । କାମ୍ପିଲ୍ୟରେ ଭଗବାନ କୁଣ୍ଡକୋଲିକ ଗୃହପତିଙ୍କୁ ଶ୍ରାବକ-ବ୍ରତ ପ୍ରଦାନ କଲେ ।

 

ପୋଲାସପୁରଠାରେ ଭଗବାନ ମହାବୀର ସଦ୍ଦାଲପୁତ୍ର ନାମକ କୁମ୍ଭାର ଓ ତା’ ସ୍ତ୍ରୀ ଅଗ୍ନିମିତ୍ରାଙ୍କୁ ଶ୍ରାବକର ୧୨ଟି ବ୍ରତ ଉପଦେଶ ଦେଲେ । ମଙ୍ଗଲିପୁତ୍ର ଗୋଶାଳଙ୍କ ଦ୍ଵାରା ପ୍ରତିପାଦିତ ଆଜୀବନ ମତର ସିଦ୍ଧାନ୍ତ ସଦ୍ଦାଲପୁତ୍ର ଜାଣିଥିଲେ । ବାଣିଜ୍ୟ-ଗ୍ରାମରେ ଭଗବାନ ୨୧ତମ-କୈବଲ୍ୟ ଅବସ୍ଥା ପରେ ନବମ-ଚାତୁର୍ମାସ୍ୟ କଲେ ।

ଦ୍ୱାବିଂଶତତମ ଚାତୁର୍ମାସ୍ୟ ରାଜଗୃହରେ

ବର୍ଷା ଋତୁ ସମାପ୍ତ ହେବା ପରେ ଭଗବାନ ମଗଧ ଅଭିମୁଖେ ବିହାର କଲେ । ରାଜଗୃହରେ ମହାଶତକ ଗୃହପତିଙ୍କୁ ଶ୍ରାବକ-ଦୀକ୍ଷା ଦେଲେ । ସ୍ଵପତ୍ନୀଙ୍କ ସୃଷ୍ଟ ବହୁ ବାଧାବିଘ୍ନର ସମ୍ମୁଖୀନ ହୋଇ ମଧ୍ୟ ମହାଶତକ ନିଜର ବ୍ରତନିଷ୍ଠାରେ ଅଟଳ ରହିଲେ । ସେଠାରେ ମହାବୀର ଏବଂ ପାର୍ଶ୍ଵପତ୍ୟ ସାଧୁମାନଙ୍କ ଭିତରେ କାଳ ସମ୍ବନ୍ଧୀୟ ଚର୍ଚ୍ଚା ଚାଲିଲା । ପାର୍ଶ୍ଵାପତ୍ୟ ସାଧୁମାନେ ଭଗବାନ ମହାବୀରଙ୍କୁ ସର୍ବଜ୍ଞ ଓ ସର୍ବଦର୍ଶୀ ଘୋଷିତ କରି ତାଙ୍କର ପଞ୍ଚ-ମହାବ୍ରତକୁ ଗ୍ରହଣ କଲେ-। ରାଜଗୃହରେ ଭଗବାନ ୨୨ତମ-କୈବଲ୍ୟ ପ୍ରାପ୍ତିପରେ ଦଶମ-ଚାତୁର୍ମାସ୍ୟ ଅତିବାହିତ କଲେ ।

ବାଣିଜ୍ୟ ଗ୍ରାମରେ ତ୍ରୟୋବିଂଶତିତମ ଚାତୁର୍ମାସ୍ୟ

ଭଗବାନ ପଶ୍ଚିମ ଦିଗକୁ ପ୍ରୟାଣ କଲେ । କୃତାଙ୍ଗଲା ନଗରୀରେ ପହଞ୍ଚି ଛତ୍ରପଲାଶ ଚୈତ୍ୟରେ ଅବସ୍ଥାନ କଲେ । ସେତେବେଳେ ଶ୍ରୀବସ୍ତୀରେ ସ୍କନ୍ଦକ ନାମକ ପରିବ୍ରାଜକ ବାସକରୁଥିଲେ । ସେ ଚାରିବେଦ, ଇତିହାସ, ପୁରାଣ ଏବଂ ନିଘଣ୍ଟୁ ନାମକ କୋଷରେ ପଣ୍ଡିତ ତଥା ନୀତି ଏବଂ ଦର୍ଶନ ଶାସ୍ତ୍ରରେ ପାରଦର୍ଶୀ ଥିଲେ । କୃତାଙ୍ଗଲାରେ ଭଗବାନ ମହାବୀର ଅବସ୍ଥାନ କରୁଥିବା ଶୁଣି ସ୍କନ୍ଦକ ନିଜର ଚିହ୍ନ, ପାତ୍ର ଇତ୍ୟାଦି ସହିତ ତାଙ୍କର ଦର୍ଶନ ପାଇଁ ଆସିଲେ । ଭଗବାନଙ୍କର ଧର୍ମୋପଦେଶ ଶୁଣି ସ୍କନ୍ଦକ ଶ୍ରମଣଦୀକ୍ଷା ସ୍ଵୀକାର କଲେ ।

୧-ଉପାସକ ଦଶା (୭) । ୨-ଉପାସକ ଦଶା (୮) । ୩-ଭଗବତୀ-ସୂତ୍ର (୫.୯) । ୪-ଭଗବତୀ-ସୂତ୍ର (୨.୭) ।

କୃତାଙ୍ଗଲାରୁ ଭଗବାନ ଶ୍ରୀବସ୍ତୀ ଅଭିମୁଖେ ଚାଲିଲେ । ସେଠାରେ ନନ୍ଦନୀ-ପିତା ଏବଂ ସାଲିହୀ ପିତାଙ୍କୁ ଶ୍ରାବକ ବ୍ରତ ପ୍ରଦାନ କଲେ । ଭଗବାନ ବାଣିଜ୍ୟ-ଗ୍ରାମରେ ୨୩ତମ-କୈବଲ୍ୟ ପ୍ରାପ୍ତିପରେ ଏକାଦଶ ଚାତୁର୍ମାସ୍ୟ ଅତିବାହିତ କଲେ ।

ରାଜଗୃହରେ ଚତୁର୍ବିଂଶତିତମ ଚତୁର୍ମାସ୍ୟ

ମହାବୀର ବ୍ରାହ୍ମଣକୁଣ୍ଡ ଗ୍ରାମରେ ପହଞ୍ଚି ଦୁତିପଲାଶ ବନରେ ଅବସ୍ଥାନ କଲେ । ସେଠାରୁ ବତ୍ସ ଜନପଦ ଅଭିମୁଖେ ପଦଯାତ୍ରା କରି କୌଶାମ୍ବୀରେ ପହଞ୍ଚିଲେ । ମଗଧ ଅଭିମୁଖେ ପ୍ରୟାଣ କରି ରାଜଗୃହରେ ପହଞ୍ଚିଲେ ଏବଂ ଗୁଣଶିଳ ଚୈତ୍ୟରେ ଅବସ୍ଥାନ କଲେ । ରାଜଗୃହରେ ମହାବୀର ଭଗବାନ ଏବଂ ଗୌତମ ଗଣଧରଙ୍କ ମଧ୍ୟରେ ପର୍ଯ୍ୟୁପାସନା ସଂପର୍କରେ ନିମ୍ନଲିଖିତ ପ୍ରଶ୍ନୋତ୍ତର ହୋଇଥିଲା ।

ଗୌତମ–“ହେ ଭଗବାନ୍‌ ! ଶ୍ରମଣ ଅଥବା ବ୍ରାହ୍ମଣଙ୍କ ପର୍ଯ୍ୟୁପାସନା କରିବା ଦ୍ଵାରା କି ଲାଭ ହୁଏ ?”

ମହାବୀର–‘‘(ସତ୍‌ଶାସ୍ତ୍ର) ଶ୍ରବଣ ।”

ଗୌତମ–‘‘ଶ୍ରବଣ ଦ୍ଵାରା କି ଲାଭ ହୁଏ ?”

ମହାବୀର–‘‘ଜ୍ଞାନ ।”

ଗୌତମ–‘‘ଜ୍ଞାନପ୍ରାପ୍ତିରେ କି ଲାଭ ?”

ମହାବୀର–‘‘ବିଜ୍ଞାନ (ବିବେକ-ଜ୍ଞାନ) ।”

ଗୌତମ–‘‘ବିଜ୍ଞାନରେ କି ଲାଭ ?”

ମହାବୀର–‘‘ପ୍ରତ୍ୟାଖ୍ୟାନ (ପାପ ତ୍ୟାଗ) ।”

ଗୌତମ–‘‘ପ୍ରତ୍ୟାଖ୍ୟାନରେ କି ଲାଭ ?”

ମହାବୀର–‘‘ସଂଯମ ।”

ଗୌତମ–‘‘ସଂଯମର ଫଳଶ୍ରୁତି କ’ଣ ?”

ମହାବୀର–‘‘ନିରାଶ୍ରବ ହେବା (ପାପକର୍ମରୁ ନିବୃତ୍ତ ହେବା) ।’’

ଉପାସକ ଦଶା (୯ ଏବଂ ୧୦) ।

ଗୌତମ–‘‘ନିରାଶ୍ରବ ହେବାର ଫଳଶ୍ରୁତି ?”

ମହାବୀର–‘‘ତପ ଆଚରଣ ।”

ଗୌତମ–“ତପାଚରଣର ଫଳଶ୍ରୁତି ?”

ମହାବୀର–‘‘କର୍ମରୂପକ ମଳ ପରିଷ୍କାର ହୁଏ ।”

ଗୌତମ–“କର୍ମରୂପକ ମଳ ପରିଷ୍କାର ହେବାର କି ଲାଭ ?”

ମହାବୀର–“ନିଷ୍କ୍ରିୟତ୍ଵ (ମାନସିକ, ବାଚିକ ଏବଂ କାୟିକ କର୍ମସମୂହର ନିରୋଧ) ।”

ଗୌତମ–“ନିଷ୍କ୍ରିୟତ୍ଵରେ କି ଲାଭ ?”

ମହାବୀର–‘‘ସିଦ୍ଧି ।”

ମହାବୀରଙ୍କର ୨୪ତମ-କୈବଲ୍ୟପ୍ରାପ୍ତି ଅବସ୍ଥାରେ ଦ୍ଵାଦଶ-ଚାତୁର୍ମାସ୍ୟ ରାଜଗୃହରେ ଅତିବାହିତ ହେଲା ।

ପଞ୍ଚବିଂଶତିତମ ଚାତୁର୍ମାସ୍ୟ ମିଥିଳାରେ

ଭଗବାନ ଚମ୍ପା ଅଭିମୁଖେ ବିହାର କଲେ । ଶ୍ରେଣିକ ରାଜାଙ୍କର ଦଶଜଣ ପୌତ୍ର ଦୀକ୍ଷା ଗ୍ରହଣ କଲେ । ମାକନ୍ଦୀପୁତ୍ର ଜିନପାଳିତଙ୍କୁ ଶ୍ରମଣଧର୍ମରେ ଦୀକ୍ଷିତ କଲେ । ଭଗବାନ ଶ୍ରମଣ-ଶ୍ରମଣୀଙ୍କୁ ଜିନପାଳିତଙ୍କ ପରି ବ୍ରତ-ନିୟମ ପାଳନରେ ଦୃଢ଼ ରହିବା ଶିକ୍ଷା ଦେଲେ । ବିଦେହରେ ପହଞ୍ଚି କାଙ୍କଦୀ ନଗରୀର କ୍ଷେମକ, ଧୃତିଧର ଇତ୍ୟାଦି ଗୃହସ୍ଥମାନଙ୍କୁ ଶ୍ରାମଣ୍ୟ-ଦୀକ୍ଷା ଦେଲେ । ୨୫ତମ-କୈବଲ୍ୟ ଅବସ୍ଥାରେ ତ୍ରୟୋଦଶ-ଚାତୁର୍ମାସ୍ୟ ମିଥିଳାରେ କଟାଇଲେ ।

 

ଷଡ଼୍‍ବିଂଶତିତମ ଚାତୁର୍ମାସ୍ୟ ମିଥିଳାରେ

 

ସେଠାରୁ ଅଙ୍ଗ ଜନପଦ ଅଭିମୁଖେ ବିହାର କଲେ । ରାଜା ଶ୍ରେଣିକଙ୍କର ଦଶଜଣଯାକ ବିଧବା ରାଣୀ ଶ୍ରମଣୀ-ଦୀକ୍ଷାରେ ଦୀକ୍ଷିତ ହେଲେ । ମହାବୀର ୨୬ତମ-କୈବଲ୍ୟ ଅବସ୍ଥାରେ ତ୍ରୟୋଦଶ-ଚାତୁର୍ମାସ୍ୟ ମିଥିଳାରେ କଟାଇଲେ ।

 

ଭଗବତୀ-ସୂତ୍ର (୨, ୫) ।

 

* ଗୀତାଧର୍ମ କଥା (୯) ।

 

ସପ୍ତବିଂଶତିତମ ଚାତୁର୍ମାସ୍ୟ ମିଥିଳାରେ

 

ବର୍ଷା ଋତୁ ସମାପ୍ତ ହୁଅନ୍ତେ ମହାବୀର ବୈଶାଳୀରୁ ଶ୍ରାବସ୍ତୀ ଅଭିମୁଖେ ବିହାର କଲେ-। ବୈଶାଳୀରେ କୂଣିକ ଅଜାତଶତ୍ରୁଙ୍କ କନିଷ୍ଠ ଭ୍ରାତା ହଲ୍ଲ ଏବଂ ବିହଲ୍ଲଙ୍କୁ ଦୀକ୍ଷା ଦେଲେ ।

 

ଶ୍ରୀବସ୍ତୀରେ ପହଞ୍ଚି ଭଗବାନ କୋଷ୍ଠକ ଚୈତ୍ୟରେ ରହିଲେ । ସେଠାରେ ହାଲାହଲ କୁମ୍ଭାରର କୁମ୍ଭାରଶାଳରେ ଆସି ରହୁଥିଲେ ଗୋଶାଳକ । ତାଙ୍କ ସଂପର୍କରେ ପୂର୍ବରୁ କହିଛୁ । ୨୪ବର୍ଷର କଠିନ ସାଧନା ପରେ ଗୋଶାଳଙ୍କର ଜ୍ଞାନ ପ୍ରାପ୍ତି ହୋଇଥିଲା । ସେ ଭଗବାନ ମହାବୀରଙ୍କ ସହିତ ଛଅବର୍ଷ ରହିବା ପରେ ଅଲଗା ହୋଇଯାଇଥିଲେ । ଦୁଇବର୍ଷ ଗୋଶାଳ ଏକାକୀ ରହିଲେ ଏବଂ ବର୍ତ୍ତମାନ ଷୋଳ ବର୍ଷ ପରେ ଜିନପଦ ଧାରଣ କରି ନିଜର ସ୍ଵତନ୍ତ୍ର ସଂଘ ସ୍ଥାପନ କଲେ । ଆଜୀବିକ ସିଦ୍ଧାନ୍ତ ଉପଦେଶ ଦେଇ ସେ ଶ୍ରାବସ୍ତୀରେ ବିହାର କରୁଥିଲେ ।

 

ମହାବୀର ଯେତେବେଳେ ଶୁଣିବାକୁ ପାଇଲେ ଯେ ଗୋଶାଳ ନିଜକୁ ନିଜେ ଜିନ ବୋଲି ଘୋଷଣା କରୁଛନ୍ତି, ସେ ତା’ର ବିରୋଧ କଲେ । ଏହା ଶୁଣି ଗୋଶାଳ ଭୀଷଣ କ୍ରୂଦ୍ଧ ହେଲେ । ଗ୍ରାମକୁ ଭିକ୍ଷା କରିବା ପାଇଁ ଯାଇଥିବା ମହାବୀରଙ୍କର ଶିଷ୍ୟ ଆନନ୍ଦ ମୁନୀଙ୍କୁ ଡାକି ଗୋଶାଳ କହିଲେ, ‘‘ଯଦି ତୁମର ଗୁରୁ ମୋ ସମ୍ବନ୍ଧରେ ଆଉ କିଛି କହନ୍ତି, ତେବେ ମୁଁ ମୋର ତେଜୋବଳରେ ତାଙ୍କୁ ଭସ୍ମ କରିଦେବି ।’’

 

ଆନନ୍ଦ ଯେତେବେଳେ ଏକଥା ଭଗବାନ ମହାବୀରଙ୍କୁ କହିଲେ, ଭଗବାନ ଉତ୍ତର ଦେଲେ–‘‘ଏଥିରେ ସନ୍ଦେହ ନାହିଁ ଯେ ଗୋଶାଳ ନିଜର ତେଜଦ୍ଵାରା ପାଷାଣମୟ ମାରଣ ମହାଯନ୍ତ୍ରର ଆଘାତ ସଦୃଶ ଯେକୌଣସି ବ୍ୟକ୍ତିଙ୍କୁ ଆଘାତ କରି ତାକୁ ଭସ୍ମ କରିପାରନ୍ତି । ସ୍ଵତେଜ ବଳରେ ସେ ଅଙ୍ଗ, ବଙ୍ଗ, ମଗଧ, ମଳୟ, ମାଳବ ଆଦି ୧୬ ଜନପଦଙ୍କୁ ଜାଳି ଭସ୍ମ କରି ଦେଇପାରନ୍ତି; ମାତ୍ର ମୋର ସେ ତିଳେ ମାତ୍ର ଅନିଷ୍ଟ କରିବାକୁ ସମର୍ଥ ହେବେ ନାହିଁ । ଏହା ସତ୍ତ୍ୱେ ମହାବୀର ଅଯଥାରେ ଗୋଶାଳଙ୍କୁ ହଇରାଣ କରିବାକୁ ନିଜ ଶିଷ୍ୟମାନଙ୍କୁ ବାରଣ କଲେ ।

 

ଇତିମଧ୍ୟରେ ମହାବୀରଙ୍କଠାରୁ କୌଣସି ଉତ୍ତର ନ ପାଇ ଗୋଶାଳ ନିଜର ଶିଷ୍ୟ ପରିବାର ସହିତ କୋଷ୍ଠକ ଚୈତ୍ୟରେ ଆସି ପହଞ୍ଚିଲେ । ମହାବୀରଙ୍କୁ ସମ୍ବୋଧନ କରି କହିଲେ–‘‘ହେ ଆୟୁଷ୍ମାନ୍‌ କାଶ୍ୟପ ଗୋତ୍ରୀୟ ! ଯେଉଁ ଗୋଶାଳକୁ ତୁମେ ନିଜର ଶିଷ୍ୟ ବୋଲି ମନେକରୁଛ ସେ ଗୋଶାଳ କେବେଠୁ ମରିସାରିଲାଣି । ତା’ର ମରିବାର ସାତ ଭବ ବିତିଗଲାଣି । ବର୍ତ୍ତମାନ ମୁଁ ଶ୍ରୀବସ୍ତୀର ହାଲାହଲା କୁମ୍ଭାରର କୁମ୍ଭାରଶାଳରେ ମଙ୍ଗଲିପୁତ୍ର ଗୋଶାଳକ ନାମରେ ଗତ ୧୬ବର୍ଷ ହେବ ରହୁଛି ।’’ ମହାବୀର ଉତ୍ତର ଦେଲେ–‘‘ଇଏ ତୁମର ମିଥ୍ୟା ପ୍ରଳାପମାତ୍ର ।’’

 

ଏହା ଶୁଣି ଗୋଶାଳ କ୍ରୋଧରେ ଅଗ୍ନିଶର୍ମା ହୋଇଗଲେ । ସେ ମହାବୀରଙ୍କ ପ୍ରତି ନିଜର ତେଜୋଲେଶ୍ୟ ପ୍ରୟୋଗ କରି କହିଲେ–‘‘ତୁ ମୋର ତେଜରେ ନଷ୍ଟଭ୍ରଷ୍ଟ ହୋଇଯିବୁ । ଛଅମାସ ଭିତରେ ପିତ୍ତଜ୍ଵରରେ ପୀଡ଼ିତ ହୋଇ କାଳଧର୍ମ ପ୍ରାପ୍ତ ହେବୁ ।” ମହାବୀର ଉତ୍ତର ଦେଲେ -‘‘ହେ ଗୋଶାଳକ ! ତୋର ତେଜୋଲେଶ୍ୟା ମୋର କିଛି କ୍ଷତି କରିପାରିବ ନାହିଁ । ମୁଁ ଆହୁରି ୧୬ବର୍ଷ ଜୀବିତ ରହିବି । କିନ୍ତୁ ତୁ ସ୍ଵୟଂ ନିଜ ତେଜରେ ପରାଭୂତ ହେବୁ । ସାତୋଟି ରାତି ପରେ କାଳଧର୍ମ ପ୍ରାପ୍ତ ହେବୁ ।”

 

ଶାସ୍ତ୍ର-ପରମ୍ପରା ଅନୁଯାୟୀ ମହାବୀରଙ୍କର ଭବିଷ୍ୟତବାଣୀ ସତ ହେଲା । ନିଜର ଅନ୍ତିମ ସମୟ ଉପସ୍ଥିତ ଜାଣି ଗୋଶାଳ ନିଜର ଛବିରମାନଙ୍କୁ ଡକାଇ ଆଦେଶ କଲେ–‘‘ହେ ଛବିରବୃନ୍ଦ ! ମୋ ମୃତ୍ୟୁ ପରେ ମୋତେ ସୁଗନ୍ଧ ଜଳରେ ସ୍ନାନ କରାଇ ଶରୀରରେ ଚନ୍ଦନ ପ୍ରଲେପ ଦେଇ, ବହୁମୂଲ୍ୟ ବସ୍ତ୍ରାଭୂଷଣରେ ସଜ୍ଜିତ କରି ମୋତେ ଶିବିକାରେ ଶୁଆଇଦେବ । ଶ୍ରାବସ୍ତୀରେ ମୋର ଶବକୁ ଘୂରାଇ ଆଣିବ ଏବଂ ଘୋଷଣା କରିଦେବ ଯେ ୨୪ତମ ତୀର୍ଥଙ୍କର ଗୋଶାଳ ସମସ୍ତ ଦୁଃଖର ଅବସାନ ଘଟାଇ ସିଦ୍ଧ ହୋଇଗଲେ ।”

 

ମହାବୀର ଶ୍ରାବସ୍ତୀରୁ ବାହାରି ମେଣ୍ଢୀୟ ଗ୍ରାମରେ ପହଞ୍ଚିଲେ ଏବଂ ସାଣ କୋଷ୍ଠକ ନାମକ ଚୈତ୍ୟରେ ଅବସ୍ଥାନ କଲେ । ତାଙ୍କ ଶରୀରରେ ତୀବ୍ର ପ୍ରଦାହ ବିକାର ଦେଖାଦେଲା ଏବଂ ରକ୍ତଝାଡ଼ା ହେବାକୁ ଲାଗିଲା । ଚାରିଆଡ଼େ ପ୍ରଘଟ ହୋଇଗଲା ଯେ ଗୋଶାଳଙ୍କର ତପତେଜରେ ଅଭିଭୂତ ମହାବୀର ଶୀଘ୍ର କାଳଧର୍ମ ପ୍ରାପ୍ତ ହେବେ । ଏହା ଶୁଣି ତାଙ୍କର ଶିଷ୍ୟବର୍ଗ କ୍ରନ୍ଦନ କରିବାକୁ ଲାଗିଲେ । ମହାବୀର ସମସ୍ତଙ୍କୁ ସାନ୍ତ୍ୱନା ଦେଇ ବୁଝାଇଲେ ଯେ ତାଙ୍କର ଆହୁରି ୧୬ ବର୍ଷ ଆୟୁଷ ଅଛି । ରେବତୀ ଶ୍ରାବିକାଙ୍କ ଗୃହରୁ ଆନୀତ ଭିକ୍ଷା ସେବନ କରି ଭଗବାନ ମହାବୀର ଆରୋଗ୍ୟ ଲାଭ କଲେ ।

 

ମେଣ୍ଢୀୟ ଗ୍ରାମରୁ ମହାବୀର ମିଥିଳା ଅଭିମୁଖେ ବିହାର କଲେ । ମିଥିଳାରେ ୨୭ତମ-କୈବଲ୍ୟ ପ୍ରାପ୍ତି ପରେ ପଞ୍ଚଦଶ-ଚାତୁର୍ମାସ୍ୟ କଟାଇଲେ ।

 

ବାଣିଜ୍ୟ-ଗ୍ରାମରେ ଅଷ୍ଟାବିଂଶତିତମ ଚାତୁର୍ମାସ୍ୟ

 

ଭଗବାନ ଶ୍ରାବସ୍ତୀ, ଅହିଚ୍ଛତ୍ରା, ହସ୍ତିନାପୁର ଆଦି ନଗରରେ ବିହାର କଲେ । ଶ୍ରାବସ୍ତୀରେ ମହାବୀରଙ୍କର ଶିଷ୍ୟ ଗୌତମ ଇନ୍ଦ୍ରଭୂତି ଏବଂ ପାର୍ଶ୍ଵନାଥଙ୍କ ଶିଷ୍ୟ କେଶୀକୁମାରଙ୍କ ମଧ୍ୟରେ ବାର୍ତ୍ତାଳାପ ହେଲା । ଏହାର ଉଲ୍ଲେଖ ପୂର୍ବରୁ କରାଯାଇଛି । ଗ୍ରାମକୁ ଗ୍ରାମ ବିହାର କରି କରି ଭଗବାନ ହସ୍ତିନାପୁରରେ ପହଞ୍ଚିଲେ । ସେଠାରେ ରାଜା ଶିବ ତାପସ ପ୍ରବ୍ରଜ୍ୟା ଗ୍ରହଣ କରିଥିଲେ । ମହାବୀର ତାଙ୍କୁ ଶ୍ରମଣ-ଦୀକ୍ଷା ଦେଲେ । ସେ ସେହି ସମୟରୁ ରାଜର୍ଷି ରୂପେ ପରିଚିତ ହେଲେ ।

 

ଭଗବାନ ମହାବୀର ବାଣିଜ୍ୟ-ଗ୍ରାମ ଅଭିମୁଖେ ଚାଲିଲେ । ସେଠାରେ ଭଗବାନଙ୍କର ୨୮ତମ-କୈବଲ୍ୟ ପ୍ରାପ୍ତି ପରେ ଷୋଡ଼ଶ-ଚାତୁର୍ମାସ୍ୟ ଅତିବାହିତ ହେଲା ।

 

ଉନବିଂଶତିତମ ଚାତୁର୍ମାସ୍ୟ ରାଜଗୃହରେ

 

୨୯ତମ-କୈବଲ୍ୟ ଅବସ୍ଥାରେ ସପ୍ତଦଶ-ଚାତୁର୍ମାସ୍ୟ ରାଜଗୃହରେ ବିତିଲା ।

 

ଭଗବତୀ-ସୂତ୍ର (୧୫), ଭଗବତୀ-ସୂତ୍ର (୧୧, ୯)

 

ତ୍ରିଂଶତମ ଚାତୁର୍ମାସ୍ୟ ବାଣିଜ୍ୟ-ଗ୍ରାମରେ

 

ଚମ୍ପାରେ ପହଞ୍ଚି ସାଲ-ମହାସାଲ ନାମକ ଯୁବରାଜ ବନ୍ଧୁମାନଙ୍କୁ ଦୀକ୍ଷିତ କଲେ ।

 

ଦଶାର୍ଣ୍ଣରେ ଦଶାର୍ଣ୍ଣଭଦ୍ର ରାଜାଙ୍କୁ ଦୀକ୍ଷା ଦେଲେ । ସେଠାରୁ ସେ ବିଦେହକୁ ବାହୁଡ଼ିଲେ-। ବାଣିଜ୍ୟ-ଗ୍ରାମବାସୀ ବ୍ରାହ୍ମଣଶାସ୍ତ୍ରବେତ୍ତା ସୋମିଲ ବ୍ରାହ୍ମଣଙ୍କର ସନ୍ଦେହ ମୋଚନ କରି ତାଙ୍କୁ ଶ୍ରମଣୋସ୍ତ୍ରପାସକ ଦୀକ୍ଷା ଦେଲେ । ସୋମିଲ ଭଗବାନଙ୍କୁ ପ୍ରଶ୍ନକଲେ–‘‘ଭଗବାନ୍‌ ! ସରିସବ (ସୋରିଷ) ଭକ୍ଷ ନା ଅଭକ୍ଷ ?” ମହାବୀର ଉତ୍ତର ଦେଲେ–‘‘ସରିସବ ଅର୍ଥ ଯଦି ‘ସଦୃଶ ବୟ ଯାହାର’ (ବନ୍ଧୁ) ହୋଇଥାଏ, ତେବେ ତାହା ଅଭକ୍ଷ । ଯଦି ତା’ ଅର୍ଥ ସୋରିଷ ହୋଇଥାଏ ତେବେ ତାହା ଭକ୍ଷଅଟେ ।’

 

ମହାବୀରଙ୍କର ତାହା ୩୦ ତମ-କୈବଲ୍ୟ ପ୍ରାପ୍ତି ପରେ ଅଷ୍ଟାଦଶ ଚାତୁର୍ମାସ୍ୟ ଥିଲା ।

 

ଏକତ୍ରିଂଶତମ ଚାତୁର୍ମାସ୍ୟ ବୈଶାଳୀରେ

 

ମହାବୀର କୋଶଳ-ପାଞ୍ଚାଳ ଅଭିମୁଖେ ଗମନ କରି ସାକେତ, ଶ୍ରାବସ୍ତୀ, କାମ୍ପିଲ୍ୟପୁର ଆଦି ନଗର ଭ୍ରମଣ କଲେ ଏବଂ ବୈଶାଳୀରେ ପହଞ୍ଚିଲେ । ସେଠାରେ ସେ ୩୧ତମ-କୈବଲ୍ୟ ଅବସ୍ଥାରେ ଊନବିଂଶ-ଚାତୁର୍ମାସ୍ୟ ବିତାଇଲେ ।

 

ଦ୍ଵାତ୍ରିଂଶତମ ଚାତୁର୍ମାସ୍ୟା ବୈଶାଳୀରେ

 

ବିଦେହ, କୋଶଳ ଓ କାଶୀ ଇତ୍ୟାଦି ପ୍ରଦେଶରେ ବିହାର କରି କରି ବୈଶାଳୀରେ ପହଞ୍ଚିଥିଲେ । ସେଠାରେ ଭଗବାନ ୩୨ତମ-କୈବଲ୍ୟ ଅବସ୍ଥାରେ ବିଂଶତମ-ଚାତୁର୍ମାସ୍ୟ କଟାଇଲେ ।

 

ଭଗବତୀ-ସୂତ୍ର (୧୮, ୧୦)

 

ବାଣିଜ୍ୟ-ଗ୍ରାମ ବୈଶାଳୀର ଅନ୍ତର୍ଭୁକ୍ତ ଥିଲା । ଉଭୟ ମଧ୍ୟଦେଇ ଗଣ୍ଡକ ନଦୀ ପ୍ରବାହିତ ହେଉଥିଲା । ବାଣିଜ୍ୟ-ଗ୍ରାମଠାରେ ଭଗବାନଙ୍କ ସହିତ ପାର୍ଶ୍ୱାପତ୍ୟ ଗାଙ୍ଗେୟ ଶ୍ରମଣଙ୍କର ଭେଟହେବା କଥା ପୂର୍ବରୁ କୁହାଯାଇଛି ।

 

ତ୍ରୟତ୍ରିଂଶତମ ଚାତୁର୍ମାସ୍ୟ ରାଜଗୃହରେ

 

ଭଗବାନ ପୁଣି ମଗଧ ଅଭିମୁଖେ ପ୍ରତ୍ୟାବର୍ତ୍ତନ କଲେ ଓ ରାଜଗୃହରେ ପହଞ୍ଚିଲେ । ସେଠାରୁ ସେ ଚମ୍ପା ଅଭିମୁଖେ ଚାଲିଲେ । ପୁଣି ରାଜଗୃହ ଫେରିଲେ । କେବଳ ଜ୍ଞାନ ଉତ୍ପନ୍ନ ନହେଉଥିବାରୁ ଗୌତମଙ୍କ ମନରେ ଯେଉଁ ଆଶଙ୍କା ଉତ୍ପନ୍ନ ହୋଇଥିଲା, ତା’ର ନିରାକରଣ କଲେ-। କାଳୋଦାୟୀଙ୍କୁ ଶ୍ରମଣ-ଦୀକ୍ଷା ଦେଲେ । ରାଜଗୃହରେ ଭଗବାନ ପୁଣି ଚାତୁର୍ମାସ୍ୟ କଟାଇଲେ-। ତାହା ଥିଲା ତାଙ୍କର ୩୩ତମ-କୈବଲ୍ୟ ପ୍ରାପ୍ତିପରେ ୨୧ତମ-ଚାତୁର୍ମାସ୍ୟ ।

 

ଚତୁର୍ବିଂଶତମ ଚାତୁର୍ମାସ୍ୟ ନାଳନ୍ଦାରେ

 

ରାଜଗୃହର ଉତ୍ତର-ପୂର୍ବରେ ଅବସ୍ଥିତ ନାଳନ୍ଦା ରାଜଗୃହର ଏକ ଉପନଗର ରୂପେ ପରିଚିତ ଥିଲା । ଭଗବାନ ନାଲନ୍ଦା ଅଭିମୁଖେ ବିହାର କଲେ । ସେଠାରେ ପାର୍ଶ୍ଵଙ୍କର ଅନୁଚର ଉଦକ ପେଢ଼ାଳପୁତ୍ର ମହାବୀରଙ୍କର ପଞ୍ଚମହାବ୍ରତ ଗ୍ରହଣ କଲେ । ତାହା ଥିଲା ଭଗବାନଙ୍କର ୩୪ତମ କୈବଲ୍ୟ ଅବସ୍ଥାରେ ୨୨ତମ ବର୍ଷାକାଳ ।

 

ପଞ୍ଚତ୍ରିଂଶତମ ଚାତୁର୍ମାସ

 

ଭଗବାନଙ୍କର ୩୫ତମ (କୈବଲ୍ୟପ୍ରାପ୍ତି ପରେ ୨୩ତମ) ବର୍ଷାକାଳ ବୈଶାଳୀରେ, ୩୬ତମ (୨୪ତମ) ମିଥିଳାରେ, ୩୭ତମ (୨୫ତମ) ରାଜଗୃହରେ, ୩୮ତମ (୨୬ତମ) ନାଳନ୍ଦାରେ, ୩୯ତମ (୨୭ତମ) ପୁଣି ମିଥିଳାରେ, ୪୦ତମ (୨୮ତମ) ପୁନଶ୍ଚ ମିଥିଳାରେ ଏବଂ ୪୧ତମ (୨୯ତମ) ରାଜଗୃହରେ ଅତିବାହିତ ହେଲା ।

 

ଭଗବତୀ ସୂତ୍ର (୭, ୧୦)

 

ସୂତ୍ରକୃତାଙ୍ଗ (୨, ୭)

 

ଏହି ଭାବରେ ଭଗବାନ ମହାବୀର କେବଳୀ ଅବସ୍ଥାରେ ୩୦ବର୍ଷ କାଳ ଏକସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ବିହାର କରିବାରେ ଲାଗିଲେ; କେବଳ ଚାତୁର୍ମାସ୍ୟରେହିଁ ସେ ଗୋଟିଏ ସ୍ଥାନରେ ଅବସ୍ଥାନ କରନ୍ତି । ଏହି ଦୀର୍ଘ ସମୟ ଭିତରେ ନିଜର ଦିବ୍ୟବାଣୀ ଦ୍ଵାରା ସେ ଅସଂଖ୍ୟ ନର-ନାରୀଙ୍କର କଲ୍ୟାଣସାଧନ କଲେ; ନିଗ୍ରନ୍ଥ ଧର୍ମ-ସିଦ୍ଧାନ୍ତଗୁଡ଼ିକର ବ୍ୟାଖ୍ୟା କଲେ, ଶ୍ରମଣ ସଂଘଗୁଡ଼ିକୁ ପୁନଃ ସଂଗଠିତ କଲେ, ଶ୍ରମଣ-ଶ୍ରମଣୀମାନଙ୍କ ଅନୁଶାସନକୁ ସୁଦୃଢ଼ କଲେ, ନିଗ୍ରନ୍ଥ ଧର୍ମର ପ୍ରଚାର ତଥା ପ୍ରସାର ପାଇଁ ସ୍ଵଶିଷ୍ୟବର୍ଗଙ୍କୁ ଅନୁପ୍ରାଣିତ କଲେ, ରାଜା-ମହାରାଜା, ରାଣୀ-ମହାରାଣୀଙ୍କଠାରୁ ଆରମ୍ଭ କରି ସାଧାରଣ ସ୍ତ୍ରୀ ପୁରୁଷଙ୍କ ପର୍ଯ୍ୟନ୍ତ ବିନା ବାଛବିଚାରରେ ସେସବୁ ଶ୍ରେଣୀର ମୋକ୍ଷାର୍ଥୀ ବ୍ୟକ୍ତିଙ୍କୁ ଶ୍ରମଣ-ଧର୍ମରେ ଦୀକ୍ଷିତ କଲେ; ଅନେକଙ୍କୁ ଶ୍ରାବକ ତଥା ଶ୍ରାବିକା ବ୍ରତ ଦେଇ ନିର୍ଗନ୍ଥ ଧର୍ମ ଅନୁସରଣରେ ବ୍ରତୀ କରାଇଲେ ।

 

ବର୍ଷା ଋତୁ ସମାପ୍ତ ହୁଅନ୍ତେ ତୀର୍ଥଙ୍କର ଭଗବାନଙ୍କର କିଛି କାଳ ରାଜଗୃହରେ ବିତିଲା । ତାପରେ ରାଜଗୃହରୁ ବିହାର କରି କରି ମଜ୍‌ଝିମପାୱାରେ ପହଞ୍ଚିଲେ ଏବଂ ଚାତୁର୍ମାସ୍ୟ କଟାଇବା ପାଇଁ ହସ୍ତିପାଳ ରାଜାଙ୍କର କାନୁନ୍‌ନଗୋଙ୍କ କାର୍ଯ୍ୟାଳୟରେ ଅବସ୍ଥାନ କଲେ । ତାଙ୍କୁ ୭୨ ବର୍ଷ ପୂରିବାକୁ ଯାଉଥିଲା । ୩୦ ବର୍ଷ ସେ ଗୃହବାସ କଲେ, ୧୨ବର୍ଷ ତପ କଲେ ଏବଂ ୩୦ ବର୍ଷ କେବଳୀ ଅବସ୍ଥାରେ ରହିଲେ । ତାହା ଥିଲା ତାଙ୍କର ଅନ୍ତିମ–୪୨ତମ ଚାତୁର୍ମାସ୍ୟ । ବର୍ଷା ଋତୁର ତିନିମାସ ବିତିଯାଇଥିଲା ।

 

ଦେଖନ୍ତୁ, ଗୋପାଳଦାସ ଜୀବଭାଇ ପଟେଲ, ଶ୍ରୀ ମହାବୀର କଥା, ୧୯୫୦; ମୁନି କଲ୍ୟାଣ ବିଜୟ, ଶ୍ରମଣ ଭଗବାନ ମହାବୀର, ବି. ସଂ. ୧୯୭୫; ୪୨-ଚାତୁର୍ମାସ୍ୟର ନାମ ପାଇଁ ଦେଖନ୍ତୁ କଳ୍ପସୂତ୍ର (୫, ୧୨୩) ଜିନ ପ୍ରଭସୂର, ବିବିଧ ତୀର୍ଥକଳ୍ପ ଅନ୍ତର୍ଗତ ଅପାପା ବୃହତ୍‌ କଳ୍ପ ।

 

ଚତୁର୍ଥ ମାସ ପ୍ରାୟ ଅଧାଅଧି ହୋଇଆସିଥାଏ । ମହାବୀରଙ୍କର ଥାଏ ନିର୍ଜଳ ଉପବାସ-। ଉପଦେଶର ଅନ୍ତିମ ଧାରା ପ୍ରବାହିତ ହେଉଥାଏ । ପୁଣ୍ୟ ଏବଂ ପାପ ସଂପର୍କୀୟ ସାରଗର୍ଭିତ ଉପଦେଶ ତାଙ୍କର ଦିବ୍ୟ ମୁଖରୁ ନିଃସୃତ ହେଉଥାଏ । କାର୍ତ୍ତିକ ମାସ, କୃଷ୍ଣପକ୍ଷ ଅମାବାସ୍ୟାର ତମସାବୃତ୍ତା ରାତ୍ରୀ ଉପନୀତ ହେଲା । ଅନ୍ତିମ ଦର୍ଶନ ପାଇଁ ଶିଷ୍ୟ-ସମୁଦାୟ ଉପସ୍ଥିତ ଥିଲେ-। ଧୀରେ ଧୀରେ ମନ, ବଚନ ଏବଂ ଶରୀରରେ ସ୍ଥିରତା ଆସିବା ଆରମ୍ଭ କଲା । ସ୍ଵର ସ୍ତବ୍‌ଧ ହେଲା, ସ୍ପନ୍ଦନ ବନ୍ଦ ହୋଇଗଲା ଏବଂ ଅଙ୍ଗ-ପ୍ରତ୍ୟଙ୍ଗ ନିଶ୍ଚିଳ ହୋଇଗଲା । ଚେତନା କେଉଁ ଅଜ୍ଞାତ ରାଜ୍ୟରେ ବିଲୀନ ହେଲା । ଇଏ ଥିଲା ନିର୍ବାଣ ଅବସ୍ଥା । ସମସ୍ତ କର୍ମ ନାଶ ହେଲା, ମହାମୁନୀ ପରମପଦ ପ୍ରାପ୍ତ ହେଲେ । ଅନନ୍ତ ଦର୍ଶନ, ଅନନ୍ତ ଜ୍ଞାନ, ଅନନ୍ତ ବୀର୍ଯ୍ୟ ତଥା ଅଫୁରନ୍ତ ଆନନ୍ଦର ରାଜ୍ୟରେ ଭଗବାନ ମହାବୀର ବିଲୀନ ହୋଇଗଲେ ।

 

କାଶୀ-କୋଶଳର ଅଠର ଗଣରାଜା ତଥା ନଅ ମଲ୍ଲ ଏବଂ ନଅ ଲୀଚ୍ଛାବୀ ଗଣରାଜାଙ୍କ ନିକଟରେ ଯେତେବେଳେ ଏ ସମ୍ବାଦ ପହଞ୍ଚିଲା ଖୁବ୍‌ ଧୁମ୍‌ଧାମ୍‌ରେ ନିର୍ବାଣ ମହୋତ୍ସବ ପାଳିତ ହେଲା । ସର୍ବତ୍ର ଦୀପ ଜଳିଉଠିଲା । ଦୀପର ଅବଳୀରେ ଅମାବାସ୍ୟାର ଅନ୍ଧ-ତମସା-ରାତ୍ରି ଜ୍ୟୋତିର୍ମୟ ହେଲା । ଏବେବି ଏହି ପବିତ୍ର ଦିବସକୁ ସ୍ମରଣ କରି ଦିପାବଳୀ ମହୋତ୍ସବ ପାଳିତ ହେଉଛି ।

 

ମହାବୀରଙ୍କ ନିର୍ବାଣର ଚର୍ଚ୍ଚା ସର୍ବତ୍ର ବ୍ୟାପିଗଲା । ଭୁବନ ପ୍ରଦୀପ ଚିରଦିନ ପାଇଁ ନିର୍ବାପିତ ହେଲା । କେହି ଜଣେ କହିଲେ, ‘‘ବିଶ୍ଵର ଏକ ଦିବ୍ୟ ବିଭୂତି ଅନ୍ତର୍ହିତ ହେଲେ, ବିଶ୍ଵ ଶୋଭାବିହୀନ ହେଲା; ମାତ୍ର ଭଗବାନ ମହାବୀରଙ୍କର ଉପଦେଶ-ବାଣୀ ଆମେ ଘରେ ଘରେ ପହଞ୍ଚାଇବୁ ।’’

 

ଖ୍ରୀଷ୍ଟପୂର୍ବ ୫୨୭ର ଏ ଘଟଣା । ଭଗବାନ ମହାବୀରଙ୍କର ନିର୍ବାଣପ୍ରାପ୍ତିର ଅଢ଼େଇ ହଜାର ବର୍ଷ ହୋଇଗଲା । ଏଇ ଉପଲକ୍ଷେ ସାରା ଭାରତରେ ଭଗବାନଙ୍କର ୨୫୦୦ ନିର୍ବାଣ-ମହୋତ୍ସବ ଖୁବ୍‌ ଜାକ୍‌ଜମକ୍‌ରେ ପାଳିତ ହୋଇଛି ।

 

ଦେଖନ୍ତୁ, କଳ୍ପସୂତ୍ର (୫, ୧୨୨-୨୮); ଗୁଣଚନ୍ଦ୍ରଗଣି ମହାବୀରଚରିୟ, ପ୍ରସ୍ତାବ (୮); ଜିନସେନ, ହରିବଂଶ ପୁରାଣ; ଗୁଣଭଦ୍ର, ଉତ୍ତର ପୁରାଣ ।

Image

 

ମହାବୀର ବାଣୀ ସଂକଳନ

 

ଭଗବାନ ମହାବୀରଙ୍କର ଉପଦେଶାମୃତରେ କେଉଁ କେଉଁ ବିଷୟ ଆଲୋଚିତ ହୋଇଥିଲା, ତା’ର ବିସ୍ତୃତ ବିବରଣୀ ମିଳୁନାହିଁ; ମାତ୍ର ତାଙ୍କର ମୁଖ୍ୟ ଶିଷ୍ୟଗଣ ଭଗବାନଙ୍କର ବିଶେଷ ବିଶେଷ ଉପଦେଶ ସ୍ଵ ସ୍ମୃତିରେ ସୁରକ୍ଷିତ ରଖିବାକୁ ଚେଷ୍ଟା କରିଆସିଛନ୍ତି । ପରମ୍ପରା ଅନୁଯାୟୀ ଅର୍ହତ ଭଗବାନ ନିଜର ଗଣଧରମାନଙ୍କୁ ଯାହା ଉପଦେଶ ଦେଇଥିଲେ, ତାହା ସେମାନେ ଜୈନ-ଶାସନର ମଙ୍ଗଳସାଧନ ପାଇଁ ସୂତ୍ର ରୂପେ ନିବଦ୍ଧ କରିଥିଲେ । ତାହାକୁ ଆଗମ, ଶ୍ରୁତଜ୍ଞାନ ଅଥବା ସିଦ୍ଧାନ୍ତ କୁହାଯାଉଛି । ଆଗମମାନଙ୍କ ମଧ୍ୟରେ ଅଙ୍ଗ ସର୍ବପ୍ରାଚୀନ ଅଟେ; ତା’ର ସଂଖ୍ୟା ବାର । ତାହା ଦ୍ଵାଦଶାଙ୍ଗ ରୂପେ ପରିଚିତ । ବୌଦ୍ଧମାନଙ୍କର ତ୍ରିପିଟକ ପରି ଦ୍ଵାଦଶାଙ୍ଗକୁ ଗଣିପିଟକ ମଧ୍ୟ କୁହାଯାଏ ।

 

ଦିଗମ୍ବର ତଥା ଶ୍ଵେତାମ୍ବର ଉଭୟ ପନ୍ଥୀ ସ୍ଵୀକାର କରନ୍ତି ଯେ, ମହାବୀରଙ୍କର ବାଣୀ ତାଙ୍କର ଗଣଧରମାନଙ୍କ ଦ୍ଵାରା ଦ୍ଵାଦଶାଙ୍ଗରେ ଲିପିବଦ୍ଧ ହୋଇଛି । ଭଗବାନଙ୍କର ୧୧ଜଣ ଗଣଧର ଥିଲେ । ସମସ୍ତେ ନିଜ ନିଜର ପଠନ ଅନୁଯାୟୀ ଦ୍ଵାଦଶାଙ୍ଗ ରଚନା କଲେ । ଦିଗମ୍ବର ପରମ୍ପରା ଅନୁଯାୟୀ ଭଗବାନଙ୍କର ପ୍ରଥମ ଗଣଧର ଗୌତମ ଇନ୍ଦ୍ରଭୂତି ଦ୍ଵାଦଶାଙ୍କ ରଚନା କରିଥିଲେ । ମାତ୍ର ଶ୍ଵେତାମ୍ବର-ପରମ୍ପରା ଅନୁଯାୟୀ ବର୍ତ୍ତମାନ ମିଳୁଥିବା ୧୧ ଅଙ୍ଗ ମହାବୀରଙ୍କର ପଞ୍ଚମ ଗଣଧର ସୁଧର୍ମା ପ୍ରଣୟନ କରିଥିଲେ ବୋଲି ଧରାଯାଏ ।

 

ବର୍ତ୍ତମାନ ଆଗମ ଗ୍ରନ୍ଥର କେତେ ଭାଗ ମହାବୀରଙ୍କ ପ୍ରତିପାଦିତ ଓ କେତେ ଭାଗ ଗଣଧର ତଥା ଉତ୍ତରକାଳୀନ ଆଚାର୍ଯ୍ୟଙ୍କ ଦ୍ଵାରା ପ୍ରଣୀତ ତାହା ଜାଣିବାର ଉପାୟ ଆମ ପାଖରେ ନାହିଁ । ମହାବୀରଙ୍କ ନିର୍ବାଣରେ ପ୍ରଥମ କେତେ ଶତାବ୍ଦୀ ପର୍ଯ୍ୟନ୍ତ ଶ୍ରୁତି-ଜ୍ଞାନର ଏହି ପରମ୍ପରା କେବଳ ଗୁରୁମୁଖ ଦେଇ ପ୍ରସାରିତ ହେଉଥିଲା । ଏପରି ଅବସ୍ଥାରେ ଉତ୍ତରୋତ୍ତର କାଳରେ ଶ୍ରୁତ ବିଚ୍ଛେଦ ଘଟିବା କିଛି ବି ନୁହେଁ; ବରଂ ଆଶ୍ଚର୍ଯ୍ୟର ବିଷୟ ହେଲା, ସବୁ ସତ୍ତ୍ୱେ ଶ୍ରୁତର କିଛି ଅଂଶ କାଳକବଳିତ ହୋଇପାରିନାହିଁ । ପରିଣାମ ସ୍ଵରୂପ, ବର୍ତ୍ତମାନ ଆଗମମାନଙ୍କରେ କେତେକ ସ୍ଥାନରେ ଆମୂଳ ପରିବର୍ତ୍ତନ ହୋଇଯାଇଛି, ନୂଆ ନୂଆ ନାମ ପ୍ରବେଶ କରାଯାଇଛି, ପରିମାଣ ହ୍ରାସ ହୋଇଛି ତଥା ଅନେକ ବୃଦ୍ଧ ପରମ୍ପରା ଏବଂ ସମ୍ପ୍ରଦାୟ ଖଣ୍ଡିତ ହୋଇଯାଇଛି । କେତେକ ସ୍ଥାନରେ ଆଗମର ସୂତ୍ର ଅସ୍ପଷ୍ଟ ଏବଂ ସେ ସବୁର ସ୍ପଷ୍ଟୀକରଣ ପାଇଁ ଟୀକାକାରମାନେ ନିଜର ବ୍ୟାଖ୍ୟା ପ୍ରସ୍ତୁତ କରିଛନ୍ତି । ସ୍ଵୟଂ ଟୀକାକାରମାନଙ୍କର କଥନାନୁସାରେ ତାଙ୍କର ଅନେକ ବ୍ୟାଖ୍ୟା ସନ୍ତୋଷପ୍ରଦ ନୁହେଁ; କେତେକ ସ୍ଥଳରେ ଆଚାର୍ଯ୍ୟମାନଙ୍କର ମତଭେଦ କଥା ଉଲ୍ଲେଖ ଅଛି । ଏସବୁରୁ ଏତିକି ସୂଚନା ମିଳେ ଯେ ଆଗମ ସିଦ୍ଧାନ୍ତ ଅନେକ ସ୍ଥଳରେ ବିଚ୍ଛିନ୍ନ ହୋଇଯିବା ଫଳରେ ପ୍ରାଚୀନ ଜୈନ-ସାହିତ୍ୟର ପ୍ରଭୂତ କ୍ଷତି ହୋଇଛି ।

 

ବର୍ତ୍ତମାନ ମିଳୁଥିବା ଆଗମ ସାହିତ୍ୟ କେବଳ ଶ୍ଵେତାମ୍ବର-ପରମ୍ପରା ଦ୍ଵାରା ଅନୁସୃତ ହୁଏ । ଦିଗମ୍ବର-ପରମ୍ପରା ଏହାକୁ ସ୍ଵୀକାର କରେ ନାହିଁ । ଦିଗମ୍ବର-ପରମ୍ପରା ବିଶ୍ଵାସ କରେ ଯେ ଗୁରୁ-ଶିଷ୍ୟ ପରମ୍ପରା ଅନୁସାରେ ମୌଖିକଭାବେ ଗଡ଼ିଆସୁଥିବା ମହାବୀରଙ୍କର ଉପଦେଶ କ୍ରମଶଃ ଲୋପ ହୋଇଗଲା । କିନ୍ତୁ ଦ୍ୱାଦଶାଙ୍ଗର କିଛି ଅଂଶ ଅଗ୍ରାୟଣୀପୂର୍ବର କର୍ମପ୍ରକୃତ ନାମକ ଅଧିକାର ବିଷୟରେ ଜାଣିଥିବା ଆଚାର୍ଯ୍ୟ ଧରସେନଙ୍କର ମନେଥିଲା । ପରମ୍ପରାଗତ ଶ୍ରୁତ ଯେପରି ଲୋପ ନ ହେବ, ସେଥିପାଇଁ ସେ ମହାବୀରଙ୍କ ନିର୍ବାଣର ୬୧୪-୮୩ ମଧ୍ୟରେ ପୁଟିଦନ୍ତ ଓ ଭୂତବଳି ନାମରେ ତାଙ୍କର ଦୁଇଜଣ ମେଧାବୀ ଶିଷ୍ୟଙ୍କୁ ସେହିସବୁ ସିଦ୍ଧାନ୍ତ ସଂପର୍କରେ ଶିକ୍ଷା ଦେଲେ ଏବଂ ତାକୁ ଆଧାର କରି ସେମାନେ ଦ୍ରାବିଡ଼ ଦେଶକୁ ଯାଇ ଷଟ୍‌ଖଣ୍ଡାଗମ ରଚନା କଲେ । ଦିଗମ୍ବର ସଂପ୍ରଦାୟ ଅନୁଯାୟୀ ଷଟ୍‌ଖଣ୍ଡାଗମରେ ଦ୍ଵାଦଶ ଅଙ୍ଗ ଦୃଷ୍ଟିବାଦ (ଯେଉଁଥିରେ କି ଚଉଦଟି ପୂର୍ବର ଅନ୍ତଭବି ହୋଇଥାଏ)ର କିଛି ଅଂଶ ସୁରକ୍ଷିତ ରହିଛି । ଦିଗମ୍ବର ସଂପ୍ରଦାୟରେ ସେହି ଆଗମ ସର୍ବାଧିକ ପ୍ରାଚୀନ ଅଟେ । ଏହାର ସମୟକାଳ ପ୍ରଥମ ଖ୍ରୀଷ୍ଟାବ୍ଦ ଅଥବା ଦ୍ଵିତୀୟ ଖ୍ରୀଷ୍ଟାବ୍ଦ ବୋଲି ଧରାଯାଇଥାଏ । ଶ୍ଵେତାମ୍ବର ପରମ୍ପରାରେ ଦଶବୈକାଳିକ ସୂତ୍ରର କତିପୟ ଅଧ୍ୟୟନ ତଥା ଓଧନିର୍ଯୁକ୍ତି, ବୃହତ୍‌କଳ୍ପ, ନିଶୀଥ, ବ୍ୟବହାର ଆଦି କେତେକ ଆଗମ ଗ୍ରନ୍ଥ ପୂର୍ବ ଗ୍ରନ୍ଥମାନଙ୍କରୁ ଉଦ୍ଧୃତ ବୋଲି ଧରାଯାଏ ।

 

ଜୈନ ଆଗମମାନଙ୍କର ସଂକଳନ

 

ବୌଦ୍ଧ ତ୍ରିପିଟକ ସଂକଳନ କରିବା ପାଇଁ ବୌଦ୍ଧ ଭିକ୍ଷୁମାନଙ୍କର ଯେପରି ତିନୋଟି ସଂଗତି ଡକାଯାଇଥିଲା, ଜୈନ-ଆଗମକୁ ସୁବ୍ୟବସ୍ଥିତ କରିବା ପାଇଁ ଜୈନ ଶ୍ରମଣମାନଙ୍କର ସେହିପରି ତିନୋଟି ସମ୍ମିଳନୀ ଆହ୍ଵାନ କରାଯାଇଥିବା କଥା ଜୈନଗ୍ରନ୍ଥମାନଙ୍କରେ ଦେଖିବାକୁ ମିଳେ । ପ୍ରଥମ ସମ୍ମେଳନ ମହାବୀର-ନିର୍ବାଣର ୧୬୦ ବର୍ଷ ପରେ (ଖ୍ରୀ:ପୂ: ୩୬୩) ପାଟଳିପୁତ୍ର (ପାଟଣା) ଠାରେ ଆହ୍ଵାନ କରାଯାଇଥିଲା । ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସମୟରେ ମଗଧରେ ଏକ ବଡ଼ ଦୁର୍ଭିକ୍ଷ ପଡ଼ିଥିଲା । ଜୈନ ସାଧୁଗଣ ଆଚାର୍ଯ୍ୟ ଭଦ୍ରବାହୁଙ୍କ ନେତୃତ୍ଵରେ ଅନ୍ୟତ୍ର ବିହାର କରିବାକୁ ଚାଲିଗଲେ । ଅଳ୍ପ କେତେକ ସାଧୁ ସ୍ଥୂଳଭଦ୍ରଙ୍କ ନେତୃତ୍ଵରେ ସେଇଠାରେ ରହିଗଲେ । ଦୁର୍ଭିକ୍ଷ ପରେ ପାଟଳିପୁତ୍ରରେ ଜୈନ ସାଧୁମାନଙ୍କର ଏକ ସମ୍ମେଳନ ଅନୁଷ୍ଠିତ ହେଲା । ସେହି ସମ୍ମେଳନରେ ଦ୍ୱାଦଶାଙ୍ଗ ଭିତରୁ ଯାହାର ଯାହା ମନେଥିଲା, ସେ ସବୁକୁ ବ୍ୟବସ୍ଥିତ କରି ସଂକଳନ କରାଗଲା । ଏହିଭଳି ଭାବରେ ଏଗାରଟି ଅଙ୍ଗର ସଂକଳନ ହୋଇଗଲା । ଦ୍ଵାଦଶାଙ୍ଗ ଭିତରୁ ଦୃଷ୍ଟିବାଦ କାହାରି ମନେ ନଥିଲା । ତାହା ଲୋପ ପାଇଗଲା । ଏହାକୁ ‘ପାଟଳୀପୁତ୍ର ବାଚନା’ କୁହାଯାଏ ।

 

ମହାବୀରଙ୍କ ନିର୍ବାଣର ପ୍ରାୟ ୮୨୭ ଅଥବା ୮୪୦ (୩୦୦-୩୧୩ ଖ୍ରୀଷ୍ଟାବ୍ଦ) ବର୍ଷ ପରେ ପୁନଶ୍ଚ ଆଗମମାନଙ୍କର ସଙ୍କଳନ କରାଯିବାର ଆବଶ୍ୟକତା ଅନୁଭବ କରାଗଲା । ସେଥିପାଇଁ ଆର୍ଯ୍ୟ ସ୍କନ୍ଦିଲଙ୍କ ନେତୃତ୍ଵରେ ଦ୍ଵିତୀୟ ସମ୍ମେଳନ ମଥୁରାରେ ଅନୁଷ୍ଠିତ ହେଲା । ସେତେବେଳେ ମଧ୍ୟ ଦୁର୍ଭିକ୍ଷ ହେତୁ ଆଗମ ସାହିତ୍ୟର ଯଥେଷ୍ଟ କ୍ଷତି ଘଟିଲା । ଦୁର୍ଭିକ୍ଷ ପରେ ସମ୍ମେଳନର କାର୍ଯ୍ୟକ୍ରମରୁ ଯାହାର ଯେତିକି ମନେପଡ଼ିଲା, ତାହା ଲିପିବଦ୍ଧ କରାଗଲା ଓ ଏକତ୍ରିତ କରାଗଲା । ଏହା ‘ମାଥୁରୀ ବାଚନା’ ନାମରେ ପରିଚିତ । ବର୍ତ୍ତମାନ ପ୍ରଚଳିତ ଆଗମ ସାହିତ୍ୟରେ ଏପରି ଅନେକ ଆଗମ ଅଛି, ଯାହାର ସଂକଳନ ଏହି ବାଚନାକୁ ଆଧାର କରି କରାଯାଇଛି । ଏଣୁ ଏହି ବାଚନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।

 

ଆଗମଗୁଡ଼ିକୁ ଆହୁରି ଅଧିକ ବ୍ୟବସ୍ଥିତ ରୂପ ଦେବା ନିମିତ୍ତ ତୃତୀୟ ସମ୍ମେଳନ ମହାବୀର-ନିର୍ବାଣର ପ୍ରାୟ ୯୮୦ ବା ୯୯୩ ବର୍ଷ ପରେ (ଖ୍ରୀଷ୍ଟାବ୍ଦ ୪୫୩-୬୬) ମାଥୁରୀ ବାଚନା ଅନୁଯାୟୀ ପ୍ରତିଭାସମ୍ପନ୍ନ ଆଚାର୍ଯ୍ୟ ଦେବର୍ଦ୍ଧି ଗଣି କ୍ଷମାଶ୍ରମଣଙ୍କ ନେତୃତ୍ଵରେ ବଲଭୀ (ସୌରାଷ୍ଟ୍ରର ବଲ୍ଲା)ରେ ଆୟୋଜିତ ହୋଇଥିଲା । ବିବିଧ ବାଚନା ଉପରେ ଆଧାରିତ ଜୈନ-ଆଗମମାନଙ୍କର ବିଷୟକୁ ନେଇ ଯେଉଁ ସବୁ ଅସଙ୍ଗତ ସୃଷ୍ଟି ହୋଇଥିଲା, ସେଥିରେ ସମନ୍ଵୟ ପ୍ରତିଷ୍ଠା କରିବାର ପ୍ରଶ୍ନ ଜୈନ ଶ୍ରମଣମାନଙ୍କ ଆଗରେ ରହିଥିଲା । ‘ମାଥୁରୀ ବାଚନା’କୁ ଆଧାର କରି ଏହି ସମ୍ମେଳନରେ ବାଚନା-ଭେଦ ଓ ପାଠଭେଦଗତ ଅସଙ୍ଗତିଗୁଡ଼ିକୁ ଦୂର କରାଯିବାକୁ ଚେଷ୍ଟା କରାଯାଇଥିଲା । ଏହା ସହିତ ସମସ୍ତ ଆଗମ-ସାହିତ୍ୟକୁ ଲିପିବଦ୍ଧ କରିବାର ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ମଧ୍ୟ ଏହି ସମ୍ମେଳନରେ ସମ୍ପାଦିତ ହୋଇଥିଲା । ଦୃଷ୍ଟିବାଦ ମିଳୁନଥିବା ହେତୁ ତାକୁ ଲୁପ୍ତ ବୋଲି ଘୋଷିତ କରାଗଲା । ଶ୍ଵେତାମ୍ବର ସମ୍ପ୍ରଦାୟ ମାନ୍ୟତା ଦେଉଥିବା ବର୍ତ୍ତମାନର ଆଗମ ୫ମ ଖ୍ରୀଷ୍ଟାବ୍ଦରେ ହୋଇଥିବା ଏହି ସଂକଳନ କାର୍ଯ୍ୟର ଫଳଶ୍ରୁତି । ଯାହା ପୂର୍ବରୁ କହିରଖିଛୁ, ମହାବୀର-ନିର୍ବାଣର ୧୦୦୦ ବର୍ଷ ପରେ ସଂକଳିତ ଜୈନ ଆଗମର ସ୍ଵରୂପରେ ନିଶ୍ଚିତ ଭାବେ ଅନେକ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ ହୋଇଥିବ । ଜୈନ ଆଗମର ଟୀକାକାରମାନେ ଆଗମ ସମ୍ବନ୍ଧୀ ଅନେକଗୁଡ଼ିଏ ପାଠାନ୍ତର ଉଲ୍ଲେଖ ନିଜ ଟୀକାମାନଙ୍କରେ କରିଛନ୍ତି । ଏହି ପାଠାନ୍ତର ହେତୁ ଅର୍ଥ ଅନେକ ସ୍ଥାନରେ ବିବଦମାନ ସ୍ତରକୁ ଚାଲିଆସିଥିବା ବିଷୟରେ ସେମାନେ ସଚେତନ ହୋଇଯାଇଛନ୍ତି । ଏହି ଅବସ୍ଥା ସୁଧାରିବା ପାଇଁ ବହୁ ସ୍ଥାନରେ ମୂଳ ପାଠ ବୋଲି ବିବେଚିତ ପାଠକୁ ବ୍ୟାଖ୍ୟାକାରମାନେ ସଂଶୋଧନ କରିଦେଇଛନ୍ତି । ଆଗମର ମୂଳ ଭାଷା କ’ଣ ଥିଲା, ତା’ର ସଠିକ ଉତ୍ତର ନିରୂପଣ କରିବା ଆହୁରି ଜଟିଳ ବିଷୟ ହୋଇପଡ଼ିଛି । ଭଗବାନ ମହାବୀର ଯେଉଁ ଅର୍ଦ୍ଧମାଗଧି ଭାଷାରେ ପ୍ରବଚନ ଦେଇଥିବେ, ମହାବୀର ନିର୍ବାଣର ୧୦୦୦ ବର୍ଷ ପରେ ନିଶ୍ଚିତଭାବେ ସେଥିରେ ଯଥେଷ୍ଟ ପରିବର୍ତ୍ତନ ହୋଇଥିବ । ବସ୍ତୁତଃ ଆଗମର ଯାହା ମୂଳ ଭାଷା ଥିବ, ତାହା ଲିପିବଦ୍ଧ କରିବାପାଇଁ ସେତେବେଳେ ଯଥେଷ୍ଟ ସମୟ ମିଳିନଥିବ ଏବଂ ତାକୁ ଲିପିବଦ୍ଧ କରିବାପାଇଁ ଯାହା ବା ସମୟ ଥିବ ବର୍ତ୍ତମାନ ଆଗମ ଭାଗ୍ୟରେ ସେତିକି ମଧ୍ୟ ଜୁଟି ନାହିଁ-। ତା’ ଛଡ଼ା ଜୈନଧର୍ମର ପ୍ରଚାର ପାଇଁ ଦେଶ ଦେଶ ଭ୍ରମଣ କରୁଥିବା ଜୈନ ଆଶ୍ଚର୍ଯ୍ୟମାନଙ୍କର ଭାଷା ଉପରେ ସେହି ସେହି ପ୍ରଦେଶରେ କଥିତ ଲୋକଭାଷାର ପ୍ରଭାବ ନିଶ୍ଚୟ ପଡ଼ିଥିବ-। ଏହା ଫଳରେ ମଧ୍ୟ ଆଗମର ଭାଷାରେ ପରିବର୍ତ୍ତନ ହୋଇଥିବ । ବିଭିନ୍ନ ଆଗମ-ଗ୍ରନ୍ଥରେ ପ୍ରାକୃତ ବ୍ୟାକରଣର ବିଭିନ୍ନ ପ୍ରକାରର ନିୟମ ଦେଖାଯାଏ । ତାହା ଆଗମ ଭାଷାରେ ବାରମ୍ବାର ଘଟିଥିବା ପରିବର୍ତ୍ତନର ପ୍ରମାଣ ।

 

ଦିଗମ୍ବର ଓ ଶ୍ଵେତାମ୍ବର ପରମ୍ପରା

 

ବୁଦ୍ଧ-ପରନିର୍ବାଣ ପରେ ବୁଦ୍ଧଙ୍କ ବାଣୀକୁ ନେଇ ଯେପରି ବୌଦ୍ଧ ପରମ୍ପରାରେ ହୀନଯାନ, ମହାଯାନ ଆଦି ମତଭେଦ ଦେଖାଦେଲା, ସେହିପରି ଅପେକ୍ଷାକୃତ ଅଳ୍ପମାତ୍ରାରେ ହେଲେ ବି ମହାବୀରଙ୍କ କ୍ଷେତ୍ରରେ ମଧ୍ୟ ଘଟିଲା । ଏହି ପରିପ୍ରେକ୍ଷୀରେ ଜୈନ-ଆଗମମାନଙ୍କରେ ପ୍ରତିପାଦର ସପ୍ତ ନିହ୍ନବ ଉଲ୍ଲେଖନୀୟ । ନିହ୍ନବ ଅର୍ଥ ଅସ୍ଵୀକୃତ, ସଂଶୟ ଅଥବା ସନ୍ଦେହ; ଅର୍ଥାତ୍‌ ଭଗବାନଙ୍କ ବାଣୀକୁ ନେଇ ନିହ୍ନବର ପ୍ରତିଷ୍ଠାତାମାନଙ୍କ ମଧ୍ୟରେ ମତଭେଦ ଘଟିଲା ଏବଂ ସେମାନେ ନିଜ ନିଜର ମତବାଦ ପ୍ରତିଷ୍ଠା କଲେ । ଏମାନଙ୍କ ମଧ୍ୟରେ ଜାମାଳିଙ୍କ ନାମ ସର୍ବପ୍ରଥମେ ଆସିଥାଏ । ଜାମାଳି ଥିଲେ ମହାବୀରଙ୍କର ଏକ ପକ୍ଷରେ ଭଣଜା ଓ ଆର ପକ୍ଷରେ ଜାମାତା । ମହାବୀରଙ୍କ ପାଦତଳେ ତାଙ୍କର ଶ୍ରାମଣ୍ୟ ଦୀକ୍ଷା ଗ୍ରହଣ ବିଷୟ ପୂର୍ବରୁ କୁହାଯାଇଛି । ମହାବୀରଙ୍କର ଜୀବଦ୍ଦଶାରେ, ତାଙ୍କର କେବଳଜ୍ଞାନ ପ୍ରାପ୍ତିର ୧୪ ବର୍ଷ ପରେ ଏହି ନିହ୍ନବ ପ୍ରବର୍ତ୍ତନ ହୋଇଥିଲା । ଏହାର ଦୁଇବର୍ଷ ପରେ ଚତୁର୍ଦ୍ଦଶ ପୂର୍ବଧାରୀ ଆଚାର୍ଯ୍ୟ ବସୁଙ୍କର ଶିଷ୍ୟ ତିଷ୍ୟଗୁପ୍ତ ଦ୍ଵିତୀୟ ନିହ୍ନବ ପ୍ରବର୍ତ୍ତନ କଲେ । ଶେଷ ପାଞ୍ଚଟି ନିହ୍ନବର ଉତ୍ପତ୍ତି ମହାବୀର ଭଗବାନଙ୍କର ନିର୍ବାଣ ପରେ ହୋଇଥିଲା । ସପ୍ତମ ନିହ୍ନବର ଉତ୍ପତ୍ତି ସମୟ ମହାବୀର ନିର୍ବାଣର ୫୩୪ ବର୍ଷ ପରେ ହୋଇଥିବାର କୁହାଯାଇଥାଏ ।

 

ଏହି ପରିପ୍ରେକ୍ଷୀରେ ଦିଗମ୍ବର-ଶ୍ଵେତାମ୍ବର ମତଭେଦ ବିଚାରଣୀୟ ଅଟେ । ମହାବୀରଙ୍କ ସମୟରେ ଏହି ମତଭେଦ ନଥିଲା । ପରବର୍ତ୍ତୀ ସମୟରେ ଶ୍ଵେତାମ୍ବର ଗ୍ରନ୍ଥମାନଙ୍କରେ ବୋଟିକ ନିହ୍ନବ ଅର୍ଥାତ୍‌ ଦିଗମ୍ବର ସଂଘ ନାମକ ଅଷ୍ଟମ ନିହ୍ନବର ଉଲ୍ଲେଖ ଅଛି । ଏହାର ଉତ୍ପତ୍ତି ମହାବୀର ନିର୍ବାଣର ୬୦୯ ବର୍ଷ ପରେ ଘଟିଥିଲା ବୋଲି ସ୍ଵୀକାର କରାଯାଏ । ମୋକ୍ଷପ୍ରାପ୍ତି ନିମିତ୍ତ ବସ୍ତ୍ରଧାରଣ କରିବା ପ୍ରଶ୍ନ ନେଇ ମିଳୁଥିବା ଶ୍ଵେତାମ୍ବର ଆଗମମାନଙ୍କରେ ଉଭୟ ସବସ୍ତ୍ର ଓ ଅବସ୍ତ୍ର ପରମ୍ପରାର ଉଲ୍ଲେଖ ଅଛି । ଯେଉଁ ସାଧୁ ବସ୍ତ୍ର ଧାରଣ କରିବାକୁ ଚାହୁଁନଥିଲେ ସେ ଉଲଗ୍ନ ରହୁଥିଲେ ଓ ଯେଉଁମାନେ ସେପରି ରହିବାକୁ ଅସମର୍ଥ ହେଉଥିଲେ ସେମାନେ ବସ୍ତ୍ର ଧାରଣ କରୁଥିଲେ । ଶ୍ଵେତାମ୍ବର ପରମ୍ପରା ଅନୁଯାୟୀ ଭଗବାନ ମହାବୀର ବସ୍ତ୍ର ଧାରଣ କରୁନଥିଲେ ଏବଂ ପାର୍ଶ୍ଵନାଥଙ୍କର ଶିଷ୍ୟମାନେ ବସ୍ତ୍ର ଧାରଣ କରୁଥିଲେ । କେଶୀ-ଗୌତମ ସଂବାଦରେ ମଧ୍ୟ ବସ୍ତ୍ରକୁ କେନ୍ଦ୍ର କରି ଉତ୍‌ଥାପିତ କେଶୀ ପ୍ରଶ୍ନର ଉତ୍ତର ଦେଇ ଗୌତମ କହିଛନ୍ତି ଯେ ବସ୍ତ୍ର ଆଦି ବାହ୍ୟ ବେଶ କେବଳ ସାଧନ-ମାତ୍ର ଅଟେ । ମୁଖ୍ୟ ବିଷୟ ହେଲା ଚିତ୍ତଶୁଦ୍ଧି । ଏଥିରୁ ଏହାହିଁ ପ୍ରମାଣିତ ହେଉଛି ଯେ ସେ ସମୟରେ ଦିଗମ୍ବର-ଶ୍ଵେତାମ୍ବର ମତଭେଦ ସୃଷ୍ଟି ହୋଇନଥିଲା ।

 

ମହାବୀରଙ୍କ ପରେ ଗୌତମ, ଇନ୍ଦ୍ରଭୂତି, ସୁଧର୍ମା ଏବଂ ଜମ୍ବୁସ୍ଵାମୀଙ୍କର ପରମ୍ପରା ଦିଗମ୍ବର ଏବଂ ଶ୍ଵେତାମ୍ବର ଉଭୟ ସମ୍ପ୍ରଦାୟଦ୍ୱାରା ମାନ୍ୟତା ପ୍ରାପ୍ତ ହୋଇଥିଲା । ମହାବୀରଙ୍କ ନିର୍ବାଣ ପରେ କେବଳ ଜ୍ଞାନ ପ୍ରାପ୍ତି ପର୍ଯ୍ୟନ୍ତ ଆର୍ଯ୍ୟ ସୁଧର୍ମ ଜୈନ ସଂଘର ନେତୃତ୍ଵ ନେଇଥିଲେ । ପୁନଶ୍ଚ ସଂଘର ଭାର ସ୍ଵ ଶିଷ୍ୟ ଜମ୍ବୁସ୍ଵାମୀଙ୍କ ଉପରେ ନ୍ୟସ୍ତ କରି ସେ ୧୦୦ ବର୍ଷ ବୟସରେ ନିର୍ବାଣ ଲାଭ କଲେ । ଜମ୍ବୁସ୍ଵାମୀ ଥିଲେ ଅନ୍ତିମ କେବଳୀ । ତାଙ୍କ ପରେ କେବଲଜ୍ଞାନ ତଥା ନିର୍ବାଣର ଦ୍ଵାର ବନ୍ଦ ହୋଇଗଲା । ତାଙ୍କ ପରେ ଉଭୟର ପରମ୍ପରା ଭିନ୍ନ ଭିନ୍ନ ହୋଇଗଲା । ଦିଗମ୍ବର ପରମ୍ପରାରେ ବିଷ୍ଣୁ, ନନ୍ଦୀ, ଅପରାଜିତ, ଗୋବର୍ଦ୍ଧନ ଏବଂ ଭଦ୍ରବାହୁ ତଥା ଶ୍ଵେତାମ୍ବର ପରମ୍ପରାରେ ପ୍ରଭବ, ଶୟଂଭବ, ଯଶୋଭଦ୍ର, ସଂଭୂତ ବିଜୟ ଏବଂ ଭଦ୍ରବାହୁ ନାମରେ ପାଞ୍ଚଜଣ ଶ୍ରୁତ କେବଳୀ ହୋଇଥିଲେ । ଭଦ୍ରବାହୁଙ୍କୁ ଉଭୟ ସମ୍ପ୍ରଦାୟ ଚଉଦଟି ପୂର୍ବ ଜାଣିଥିବା ଶେଷ ଶ୍ରୁତ କେବଳୀ ବୋଲି ସ୍ଵୀକାର କରିଥାନ୍ତି । ଆଚାର୍ଯ୍ୟ ଭଦ୍ରବାହୁ ପାଟଳିପୁତ୍ର-ବାଚନାର ସମସାମୟିକ ଅଟନ୍ତି । ଏହି ପାଟଳିପୁତ୍ର-ବାଚନରେ ହିଁ ଆଗମମାନଙ୍କୁ ବ୍ୟବସ୍ଥିତ ରୂପ ଦେବା ନିମିତ୍ତ ଜୈନ ଶ୍ରମଣମାନଙ୍କର ପ୍ରଥମ ପ୍ରଚେଷ୍ଟା ହୋଇଥିଲା । ଏହା ବ୍ୟତୀତ ମଥୁରାର କଙ୍କାଳୀଟିଲେରେ ୨୦୦୦ ବର୍ଷର ପ୍ରାଚୀନ ଜୈନ ତୀର୍ଥଙ୍କରମାନଙ୍କର ଯେଉଁ ନଗ୍ନମୂର୍ତ୍ତିମାନ ମିଳିଛି, ସେ ସବୁ ଉଭୟ ଦିଗମ୍ବର ଏବଂ ଶ୍ଵେତାମ୍ବର ସମ୍ପ୍ରଦାୟ ଦ୍ଵାରା ପୂଜିତ ହେଉଥିଲେ । ଏଥିରୁ ପ୍ରମାଣିତ ହେଉଛି ଯେ ଖ୍ରୀଷ୍ଟାବ୍ଦ ପ୍ରଥମ ଶତାବ୍ଦୀର ପ୍ରାକ୍‌କାଳରେ ମଧ୍ୟ ଉଭୟ ସମ୍ପ୍ରଦାୟ ମଧ୍ୟରେ କୌଣସି ମତଭେଦ ନଥିଲା । ଉଭୟ ସମ୍ପ୍ରଦାୟର ପ୍ରାଚୀନ ସାହିତ୍ୟରେ ପରିଦୃଷ୍ଟ ପରମ୍ପରାଗତ ବିଷୟ ଏବଂ ସେଥି ସହିତ ସମ୍ବନ୍ଧିତ ଗାଥାଗୁଡ଼ିକରେ ଅନେକ ସାମଞ୍ଜସ୍ୟ ରହିଥିବାର ଦେଖାଯାଏ । ଏଥିରୁ ମଧ୍ୟ ପ୍ରମାଣିତ ହୁଏ ଯେ ଉଭୟ ଗୋଟିଏ ସ୍ରୋତରୁ ଉତ୍ପନ୍ନ ।

 

ବସ୍ତ୍ର ପ୍ରଶ୍ନ ହିଁ ଉଭୟ ସମ୍ପ୍ରଦାୟ ମଧ୍ୟରେ ମତଭେଦର ପ୍ରଧାନ କାରଣ ହୋଇ ରହିଛି । ଏହି ଦୃଷ୍ଟିରୁ ଦିଗମ୍ବର (ନଗ୍ନ-ବସ୍ତ୍ରରହିତ) ଏବଂ ଶ୍ଵେତାମ୍ବର (ଶ୍ଵେତ-ବୟସହିତ) ଶବ୍ଦ ତାତ୍ପର୍ଯ୍ୟପୂର୍ଣ୍ଣ ଅଟେ । ଯଦ୍ୟପି ବସ୍ତ୍ର-ସମ୍ବନ୍ଧୀ ଚର୍ଚ୍ଚା ପାର୍ଶ୍ଵନାଥଙ୍କ ଅନୁଚର ଶ୍ରମଣକୁମାର କେଶୀ ଏବଂ ମହାବୀରଙ୍କ ଅନୁଚର ଗୌତମ ଇନ୍ଦ୍ରଭୂତିଙ୍କ ସମୟରୁ ଚାଲିଆସିଛି, ତଥାପି ପ୍ରଥମ ଖ୍ରୀଷ୍ଟାବ୍ଦର ଶେଷ ଭାଗରୁ ହିଁ ଏ ବିବାହ ସ୍ଥାୟୀ ରୂପ ନେଇଛି । ସେହି ସମୟରେ ମହାବୀର-ନିର୍ବାଣର ୬୦୯ ବର୍ଷ ପରେ (ଖ୍ରୀଷ୍ଟାବ୍ଦ ୮୩) ଦିଗମ୍ବର ସମ୍ପ୍ରଦାୟର ଆବିର୍ଭାବ ହୋଇଥିବା କଥା ଶ୍ୱେତାମ୍ବର ସମ୍ପ୍ରଦାୟ ପ୍ରଚାର କଲା ଓ ରାଜା ବିକ୍ରମାଦିତ୍ୟଙ୍କ ମୃତ୍ୟୁର ୧୩୬ ବର୍ଷ ପରେ (ଖ୍ରୀ: ୮୦) ଶ୍ଵେତାମ୍ବର ସମ୍ପ୍ରଦାୟର ଉତ୍ପତ୍ତି ହୋଇଥିବା କଥା ଦିଗମ୍ବର ସଂପ୍ରଦାୟ ପ୍ରଚାର କଲେ ।

 

ପ୍ରତ୍ୟେକ ଅପରକୁ ଅତିବାଦ ବୋଲି ଭର୍ତ୍ସନା କରିଛନ୍ତି । ମୂଳ ଆଗମ ସାହିତ୍ୟ ଲୁପ୍ତ ହୋଇଯାଇଥିବାରୁ ଆଗମମାନଙ୍କରେ ବହୁ ଅସଂଗତି ଉତ୍ପନ୍ନ ହେଲା । ଏହା ଦିଗମ୍ବର ଶ୍ଵେତାମ୍ବର ମତଭେଦକୁ ଆହୁରି ବଳ ଯୋଗାଇଲା । ମୂଳ ପରମ୍ପରା ବିସ୍ମୃତ ହୋଇଯାଆନ୍ତେ ଭଗବାନ ମହାବୀରଙ୍କ ଜୀବନକୁ ନେଇ ମଧ୍ୟ ଦୁଇ ସଂପ୍ରଦାୟ ମଧ୍ୟରେ ମତଭେଦ ବୃଦ୍ଧି ପାଇଲା । ପରବର୍ତ୍ତୀ କାଳରେ ଦିଗମ୍ବର ଓ ଶ୍ଵେତାମ୍ବରମାନଙ୍କ ମୂର୍ତ୍ତି ଭିନ୍ନ ଭିନ୍ନ ରୂପରେ ପୂଜିତ ହେଲେ । ପୂଜାବିଧି, କ୍ରିୟାକାଣ୍ଡ ଇତ୍ୟାଦିକୁ ନେଇ ମଧ୍ୟ ଧୀରେ ଧୀରେ ଅଧିକରୁ ଅଧିକ ବିଭେଦ ବଢିଲା । ବାସ୍ତବରେ ଦେଖିଲେ ବାହ୍ୟ କ୍ରିୟାକାଣ୍ଡକୁ ହିଁ ନେଇ ଉଭୟ ସଂପ୍ରଦାୟ ମଧ୍ୟରେ ଯାହା ମତଭେଦ ରହିଛି । ମହାବୀରଙ୍କର ମୌଳିକ ସିଦ୍ଧାନ୍ତକୁ ନେଇ ବିଶେଷ କିଛି ଗୁରୁତ୍ଵପୂର୍ଣ୍ଣ ମତଭେଦ ଦୃଷ୍ଟି ପଥାରୂଢ଼ ହୁଏନାହିଁ ।

 

ଦିଗମ୍ବରମାନଙ୍କର ଆଉ ଏକ ପରମ୍ପରା ମଧ୍ୟ ରହିଛି । ସମ୍ରାଟ୍‌ ଚନ୍ଦ୍ର ଗୁପ୍ତଙ୍କ ସମୟରେ (ଖ୍ରୀ:ପୂ ୪ର୍ଥ ଶତାବ୍ଦୀ) ପାଟଳୀପୁତ୍ରରେ ବାରବର୍ଷ ଧରି ଦୁର୍ଭିକ୍ଷ ପଡ଼ିଥିଲା । ସେହି ସମୟରେ ଭଦ୍ରବାହୁ ନିଜ ସଂଘକୁ ଧରି ଦକ୍ଷିଣ ଭାରତ ବିହାର କରିବାକୁ ଗଲେ । ସ୍ଥୂଳଭଦ୍ର ନିଜର ସଂଘ ସହିତ ମଗଧରେ ରହିଗଲେ । ଦୁର୍ଭିକ୍ଷ ପରେ ଭଦ୍ରବାହୁ ଯେତେବେଳେ ଶିଷ୍ୟମାନଙ୍କୁ ଧରି ମଗଧକୁ ଲେଉଟିଲେ ସେ ମଗଧରେ ରହୁଥିବା ସାଧୁମାନଙ୍କର ଆଚାର-ବିଚାରରେ ଅନେକ ପରିବର୍ତ୍ତନ ଲକ୍ଷ୍ୟ କଲେ । ସେ ସାଧୁମାନେ ଶ୍ଵେତବସ୍ତ୍ର ଧାରଣ କରୁଥିଲେ; ଯଦିଓ ଦକ୍ଷିଣରୁ ପ୍ରତ୍ୟାବର୍ତ୍ତନ କରିଥିବା ସାଧୁବୃନ୍ଦ ମହାବୀରଙ୍କ ପରି ଉଲଗ୍ନ ରହୁଥିଲେ ।

 

୧୪୬୭ରେ ଶ୍ଵେତାମ୍ବର ସମ୍ପ୍ରଦାୟ ମଧ୍ୟରେ ସ୍ଥାନକବାସୀ ସମ୍ପ୍ରଦାୟର ଉତ୍ପତ୍ତି ହେଲା । ଏହାର ପ୍ରବର୍ତ୍ତକ ଲୌଙ୍କାଶାହ ଅହମଦବାଦର ଅଧିବାସୀ ଏ ସଂପ୍ରଦାୟ ତୁଣ୍ଢିଆ (ଅନ୍ଵେଷଣକାରୀ) ନାମରେ ମଧ୍ୟ ପରିଚିତ ଥିଲା । ଏମାନେ ମୂର୍ତ୍ତିପୂଜାକୁ ସ୍ଵୀକାର କରୁନଥିଲେ । ଏମାନଙ୍କର ଧର୍ମପୀଠକୁ ସ୍ଥାନକ କୁହାଯାଉଥିଲା । ଏଠାରେ କୌଣସି ମୂର୍ତ୍ତି ରହୁ ନଥିଲା । ଯେଉଁ ଆଗମମାନଙ୍କରେ ମୂର୍ତ୍ତିପୂଜାର ଉଲ୍ଲେଖ ରହିଛି ସେ ସବୁକୁ ସେମାନେ ସ୍ଵୀକାର କରନ୍ତି ନାହିଁ । ନିଜ ପନ୍ଥାର ସାଧୁମାନଙ୍କ ପ୍ରତି ସେମାନେ ଅତ୍ୟନ୍ତ ଶ୍ରଦ୍ଧାଶୀଳ । ପଠନ ପାଠନ ବ୍ୟତୀତ ଅନେକ ସ୍ଥାନକବାସୀ ସମାଜସେବା କାର୍ଯ୍ୟରେ ଭାଗ ନେଉଥିବାର ଦେଖାଯାଏ । ସ୍ଥାନକବାସୀ ସଂପ୍ରଦାୟର ବହୁ ଭକ୍ତ ଉତ୍ତର ଭାରତରେ ସ୍ଥାନେ ସ୍ଥାନେ ରହିଛନ୍ତି ।

 

ଆଜିଠାରୁ ଦୁଇଶହ ବର୍ଷ ପୂର୍ବେ ଆଚାର୍ଯ୍ୟ ଭିକ୍ଷୁ ଅଥବା ଭୀଖଣଜୀ ତେରାପନ୍ଥ ସ୍ଥାପନ କରିଥିଲେ । ତେରାପନ୍ଥର ସାଧୁ ଓ ସାଧ୍ଵୀମାନଙ୍କର ନିଜର କୌଣସି ଧର୍ମପୀଠ ନାହିଁ । ସେମାନେ ଯେଉଁଠାକୁ ଯାଆନ୍ତି ସେଠାରେ ସ୍ଥାନ ମାଗି ରହିଯାନ୍ତି । ଆଚାର୍ଯ୍ୟ ତୁଳସୀ ଏହି ପନ୍ଥାର ନବମ ଆଚାର୍ଯ୍ୟ ଅଟନ୍ତି । ସେ ଶହ ଶହ ସାଧୁ, ସାଧ୍ଵୀ ତଥା ଲକ୍ଷାଧିକ ଶ୍ରାବକ-ଶ୍ରାବିକାମାନଙ୍କୁ ନେତୃତ୍ଵ ଦେଇ ଆସୁଛନ୍ତି । ଅଣୁ ବ୍ରତ ଆନ୍ଦୋଳନର ସେ ପ୍ରବର୍ତ୍ତକ ଅଟନ୍ତି । ଶ୍ରୀଜୈନ ଶ୍ୱେତାମ୍ବର ତେରାପନ୍ଥୀ ମହାସଭା ଆନୁକୁଲ୍ୟରେ ଜୈନ ଆଗମମାନଙ୍କର ପ୍ରକାଶନ-ରୂପୀ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ସମ୍ପନ୍ନ କରାଯାଉଛି ।

Image

 

ଶ୍ରମଣ ସଂଘର ଧର୍ମପ୍ରଚାର

 

ଲିଚ୍ଛବୀ ନିଜର ଗଣ ଅଥବା ସଂଘ ବ୍ୟବସ୍ଥା ପାଇଁ ପ୍ରସିଦ୍ଧି ଲାଭ କରିଛି । ଭଗବାନ ମହାବୀର ଲିଚ୍ଛବୀକୁଳରେ ଜନ୍ମ ଗ୍ରହଣ କରିଥିଲେ । ଏଣୁ ତାଙ୍କର ସଂଘ-ବ୍ୟବସ୍ଥା ନିଶ୍ଚିତ ଭାବେ ଏମାନଙ୍କୁ ପ୍ରଭାବିତ କରିଥିବ । ପାର୍ଶ୍ଵନାଥଙ୍କ ପରି ମହାବୀରଙ୍କର ସଂଘ ମଧ୍ୟ ଚାରିଭାଗରେ ବିଭକ୍ତ ହୋଇଥିଲା–ଶ୍ରମଣ, ଶ୍ରମଣୀ, ଶ୍ରାବକ ଏବଂ ଶ୍ରାବିକା । ଏହାକୁ ଚତୁର୍ବିଧ ସଂଘ କୁହାଯାଇଥାଏ । ଏହି ଅବସ୍ଥାରେ କେବଳ ଶ୍ରମଣ-ଶ୍ରମଣୀଙ୍କର ଅଥବା ଶ୍ରାବକ-ଶ୍ରାବିକାଙ୍କର ଦେଖାଚାହାଁ କରୁନଥିଲେ; ପରନ୍ତୁ ଶ୍ରମଣ-ଶ୍ରମଣୀ ତଥା ଶ୍ରାବକ-ଶ୍ରାବିକା ମଧ୍ୟ ପରସ୍ପରକୁ ଧର୍ମରେ ସୁଦୃଢ଼ ରଖିବା ଦିଗରେ ଯତ୍ନଶୀଳ ହେଉଥିଲେ । ଜୈନ ସାଧୁମାନେ ଦୂର ଦେଶମାନଙ୍କରେ ଭ୍ରମଣ କରି ନିର୍ଗ୍ରନ୍ଥ ଧର୍ମର ପ୍ରଚାର ତଥା ସମାଜରେ ଅହିଂସ ଭାବନାର ପ୍ରସାର କରିଛନ୍ତି । ଗୃହସ୍ଥ ସେମାନଙ୍କର ଭୋଜନ, ପାନ ତଥା ଆଶ୍ରୟର ବ୍ୟବସ୍ଥା କରି ପୁଣ୍ୟ ଉପାର୍ଜନ କରିଥାନ୍ତି ।

 

ଭଗବାନ ମହାବୀର ନିଜର ଶ୍ରମଣ ସଂଘକୁ ସୁଦୃଢ଼ ରଖିବା ନିମିତ୍ତ କଠୋର ଅନୁଶାସନ ବିଧାନ କରିଛନ୍ତି । ସେ କହିଛନ୍ତି, ‘‘ହେ ଆୟୁଷ୍ମନ୍‌ ଶ୍ରମଣ ! ନିଜର ଇନ୍ଦ୍ରିୟ ଉପରେ ଅଙ୍କୁଶ ରଖ; ଶୟନ, ଜାଗରଣ, ଉପବେଶନ, ଚାଲି-ଚଳଣ ସବୁଥିରେ ସବୁବେଳେ ସତର୍କ ରୁହ । ଗୋଟିଏ କ୍ଷଣ ମଧ୍ୟ ପଦ ସ୍ଖଳନ ନହେଉ; କାରଣ କିଏ ଜାଣେ କେଉଁ ମୁହୂର୍ତ୍ତରେ କେଉଁ ଆଡ଼ୁ ପ୍ରଲୋଭନ ଆସି ତୁମକୁ ପଥଚ୍ୟୁତ କରିବ । ଅତଏବ ଯେପରି କଇଁଛ ନିଜକୁ ବିପଦରୁ ରକ୍ଷା କରିବା ନିମିତ୍ତ ନିଜର ଅଙ୍ଗପ୍ରତ୍ୟଙ୍ଗକୁ ନିଜର ଖୋଳପା ଭିତରେ ଲୁକ୍‌କାୟିତ କରେ, ସେହିପରି ତୁମେ ମଧ୍ୟ ତୁମର ମନକୁ ନିଜ ଆୟତ୍ତରେ ରଖ ଏବଂ ତୁମର ଚଞ୍ଚଳ ମନୋବୃତ୍ତି ସମୂହକୁ ଅବାଟରେ ଯିବାରୁ ନିବୃତ୍ତ କର ।”

 

ଜୈନ ଶ୍ରମଣ ପଞ୍ଚ ମହାବ୍ରତ ପାଳନ କରନ୍ତି । ତାଙ୍କ ପାଇଁ ବା ତାଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ଖାଦ୍ୟ ସେ ଖାଆନ୍ତି ନାହିଁ; ନିମନ୍ତ୍ରିତ ହୋଇ ଭୋଜନ କରନ୍ତି ନାହିଁ; କନ୍ଦମୂଳ, ଫଳ ଇତ୍ୟାଦି ତ୍ୟାଗ କରି ଭିକ୍ଷାବୃତ୍ତିରେ ଜୀବନ ନିର୍ବାହ କରନ୍ତି । ଏହାର ତାତ୍ପର୍ଯ୍ୟ ହେଲା, ଏପରି କୌଣସି କର୍ମ ସେ କରିବେ ନାହିଁ ଯଦ୍ଦ୍ଵାରା ଅନ୍ୟ ପାଇଁ କିଞ୍ଚିତ୍‌ ମାତ୍ରାରେ ହେଲେ ବି କ୍ଳେଶ ଉପୁଜିବ ।

 

ଶରୀରକ୍ଳେଶ ଦ୍ଵାରା ମନ ଏବଂ ଇନ୍ଦ୍ରିୟ ଉପରେ ବିଜୟ ଲାଭ କରିବାର ଆଦର୍ଶ ମହାବୀର ସ୍ଵ ତପସ୍ଵୀ-ଜୀବନରେ ଦେଖାଇ ଯାଇଥିଲେ । ମହାବୀରଙ୍କ ପରବର୍ତ୍ତୀ ଯୁଗର ଶିଷ୍ୟ-ପ୍ରଶିଷ୍ୟବର୍ଗ ସେହି ଆଦର୍ଶର ଅନୁସରଣ କରିଥିଲେ । ନିଜର ପାର୍ଥିବ ଶରୀର ପ୍ରତି ସେମାନଙ୍କର ତିଳେମାତ୍ର ମମତ୍ଵବୋଧ ନଥିଲା । ସେମାନଙ୍କର ତପସ୍ୟା ଅତ୍ୟନ୍ତ କୃଚ୍ଛ୍ର ଥିଲା ।

 

କ୍ଷୁଧା, ତୃଷ୍ଣା, ଗ୍ରୀଷ୍ମ, ଶୀତ, ମାନ-ଅପମାନ, ଲାଭ-କ୍ଷତି ଇତ୍ୟାଦି ପରୀଷହ ବ୍ୟତିରେକ ଜୈନ ଶ୍ରମଣମାନଙ୍କୁ ଆହୁରି ଅନେକ ପ୍ରକାରର ଭୟଙ୍କର ଯନ୍ତ୍ରଣା ସହିବାକୁ ପଡ଼ୁଥିଲା । ଧର୍ମୋପଦେଶ ନିମିତ୍ତ ସେମାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯିବାପାଇଁ ପଡ଼ୁଥିଲା । ଯାତାୟାତ ପଥ ବିପଦମୁକ୍ତ ନ ଥିଲା । ହିଂସ୍ର, ଶ୍ଵାପଦ, ବନବାସୀ ହିଂସ୍ର ଜାତିର ଲୋକ ତଥା ଚୋର ତସ୍କରଙ୍କ ଉପଦ୍ରବ ସହ୍ୟ କରିବୋକୁ ପଡ଼ୁଥିଲା । ଦୁର୍ଗମ ପର୍ବତ, ନଦୀ-ନାଳ ଏବଂ ମରୁଭୂମି ପାର ହୋଇ ଅଗ୍ରସର ହେବାକୁ ପଡ଼ୁଥିଲା । ବର୍ଷା ହେତୁ ନଦୀରେ ବନ୍ୟା ଆସିଗଲେ ଅଟକିଯିବାକୁ ପଡ଼ୁଥିଲା । ରାସ୍ତାଘାଟ ନ ଥିବାରୁ ଅନେକ ସମୟରେ ପଥଭ୍ରଷ୍ଟ ହେବାର ଭୟ ଥିଲା-। ରାଷ୍ଟ୍ର-ବିପ୍ଲବ ହେଲେ ସାଧୁମାନେ ସଙ୍କଟର ସମ୍ମୁଖୀନ ହେଉଥିଲେ । ଶ୍ରମଣଙ୍କୁ ଗୁପ୍ତଚର ବୋଲି ସନ୍ଦେହ କରି ବେଳେବେଳେ ଧରିନିଆଯାଉଥିଲା ଓ ବଧ-ବନ୍ଧନ ଆଦି ମଧ୍ୟ ବେଳେବେଳେ ଭାଗ୍ୟରେ ଯୁଟୁଥିଲା । ବିଧର୍ମୀ ରାଜା ଜୈନ ଶ୍ରମଣମାନଙ୍କୁ ଦେଶରୁ ନିର୍ବାସିତ କରିଦେଉଥିଲେ, ସେମାନଙ୍କର ଭୋଜନ, ପାନ ଇତ୍ୟାଦି ବନ୍ଦ କରି ଦେଉଥିଲେ, ଧର୍ମୋପକରଣ ଛଡ଼େଇ ନେଉଥିଲେ କିମ୍ବା ସେମାନଙ୍କର ଚରିତ୍ର ସଂହାର କରିବାକୁ ଚେଷ୍ଟା କରୁଥିଲେ । ସେ ସମୟରେ ଜୈନ ଉପାସକମାନଙ୍କର ସଂଖ୍ୟା କମ୍‌ ଥିଲା । ତେଣୁ ସାଧୁମାନଙ୍କର କୌଣସି ବସ୍ତିରେ ଆଶ୍ରୟ ପାଇବା କଷ୍ଟକର ଥିଲା । ଶ୍ରମଣ କୌଣସି ବୃକ୍ଷ ତଳେ ଏକାନ୍ତ ବାସ କରିବାକୁ ବାଧ୍ୟ ହେଉଥିଲେ । ରୋଗ ଏବଂ ଦୁର୍ଭିକ୍ଷଜନିତ କଷ୍ଟ ମଧ୍ୟ କିଛି କମ୍‌ ନଥିଲା । ବହୁ ସମୟରେ କୌଣସି ଭୟଙ୍କର ରୋଗରେ ପୀଡ଼ିତ ହେଲେ, ଦୁର୍ଭିକ୍ଷ ପଡ଼ିଲେ, ବୃଦ୍ଧାବସ୍ଥା ଉପଗତ ହେଲେ ଧର୍ମ ପାଇଁ ତାଙ୍କୁ ଶରୀର ତ୍ୟାଗ କରିବାକୁ ପଡ଼ୁଥିଲା ।

 

ଜୈନ ଶ୍ରମଣଙ୍କ ପରି ଜୈନ ସାଧ୍ଵୀମାନେ ମଧ୍ୟ ଜୈନସଂଘର ବିଶିଷ୍ଟ ଅଙ୍ଗ ଥିଲେ । ସାଧୁଙ୍କ ପରି ସେମାନଙ୍କୁ ମଧ୍ୟ ଘର ଘର ବୁଲି ଭିକ୍ଷାବୃତ୍ତି କରିବାକୁ ପଡ଼ୁଥିଲା । କହିବା ବାହୁଲ୍ୟ ମାତ୍ର ଯେ ସାଧୁମାନଙ୍କ ଅପେକ୍ଷା ସାଧ୍ଵୀମାନଙ୍କୁ ଅଧିକ ଅନୁଶାସନ ତଥା ସଂଯମ ଆଚରଣ କରିବାକୁ ପଡ଼ୁଥିଲା । ସାଧୁମାନଙ୍କୁ ଆଦେଶ ଥିଲା ଯେ ସେମାନେ ସାଧ୍ଵୀମାନଙ୍କର ସୁରକ୍ଷା ପାଇଁ ଯଥାସାଧ୍ୟ ଯତ୍ନବାନ୍‌ ହେବେ, ଯେପରିକି ସେମାନଙ୍କର ଶୀଳବ୍ରତ ଅଖଣ୍ଡ ରହିପାରିବ ।

 

ବୌଦ୍ଧଧର୍ମ ପରି ଜୈନଧର୍ମ ମଧ୍ୟ ସ୍ତ୍ରୀଜାତିକୁ ଦୋଷୀ ସାବ୍ୟସ୍ତ କରିଥାଏ; ମାତ୍ର ବୁଦ୍ଧଙ୍କ ଅପେକ୍ଷା ମହାବୀର ଏ ଦିଗରେ ଅଧିକ ଉଦାର ବୋଲି ମନେହୁଏ । ପାର୍ଶ୍ଵନାଥ ଏବଂ ମହାବୀର ନାରୀକୁ ନିଜ ସଂଘରେ ଯଥାଯଥ ସ୍ଥାନ ପ୍ରଦାନ କରିଛନ୍ତି । ବୌଦ୍ଧଧର୍ମ ଆରମ୍ଭରେ ବୌଦ୍ଧ ସଂଘକୁ ଭିକ୍ଷୁ, ଉପାସକ ଏବଂ ଉପାସିକା ଏହି ତିନି ଭାଗରେ ବିଭକ୍ତ କରାଯାଇଥିଲା । ଭିକ୍ଷୁଣୀଙ୍କ ପାଇଁ ସେଥିରେ ସ୍ଥାନ ନଥିଲା । ବୁଦ୍ଧଙ୍କ ମାଉସୀ ମହାପ୍ରଜାପତି ଗୌତମୀଙ୍କୁ ବୁଦ୍ଧଙ୍କର ଏତାଦୃଶ ପକ୍ଷପାତ ନୀତି ଭଲ ଲାଗିଲା ନାହିଁ । ନାରୀଙ୍କୁ ମଧ୍ୟ ବୌଦ୍ଧ ସଂଘରେ ଦୀକ୍ଷିତ କରିବାକୁ ସେ ବୁଦ୍ଧଦେବଙ୍କୁ ଅନୁରୋଧ କଲେ । ବୁଦ୍ଧ ମହାପ୍ରଜାପତି ଗୌତମୀଙ୍କର କଥା ମାନିନେଲେ ସତ; କିନ୍ତୁ ତାଙ୍କୁ କହିବାକୁ ପଡ଼ିଲା ଯେ ଏପରି ପରସ୍ଥିତିରେ ବୌଦ୍ଧ ସଂଘ କେବଳ ପାଞ୍ଚଶହ ବର୍ଷ ପର୍ଯ୍ୟନ୍ତ ଶୁଦ୍ଧ ବ୍ରହ୍ମଚର୍ଯ୍ୟ ପାଳନ କରିପାରିବ ।

 

ଜୈନଧର୍ମର ଊନବିଂଶତିତମ ତୀର୍ଥଙ୍କର ମଲ୍ଲିଙ୍କୁ ମଲ୍ଲିକୁମାରୀ କୁହାଯାଇଛି; ଯଦିଓ ଦିଗମ୍ବର ସମ୍ପ୍ରଦାୟ ତାଙ୍କୁ ପୁରୁଷ ବୋଲି ମାନିଥାଏ । ରାଜୀମତୀ ଯେତେବେଳେ ଗିର୍‌ନାର ପର୍ବତ ଉପରେ ତପସ୍ୟାରେ ଲୀନ ଥିଲେ ସେତେବେଳେ ତାଙ୍କୁ ଦେଖି ଅରିଷ୍ଟନେମିଙ୍କର ଭାଇ ରଥନେମିଙ୍କର ମନ ଚଞ୍ଚଳ ହୋଇଉଠିଲା । ସେହି ସମୟରେ ଅନେକ ଉଦାହରଣ ଏବଂ ଦୃଷ୍ଟାନ୍ତ ଦ୍ଵାରା ଶିକ୍ଷା ଦେଇ ରାଜୀମତୀ ତାଙ୍କୁ ସଂଯମରେ ସ୍ଥିର କଲେ । ପାର୍ଶ୍ଵନାଥଙ୍କର ଶ୍ରମଣୀ ସଂଘର ନେତୃତ୍ଵ ନେଇଥିବା ପୁଷ୍ପଚୂଲା ତଥା ମହାବୀରଙ୍କର ପ୍ରଥମ ଶିଷ୍ୟ ଆର୍ଯ୍ୟ ଚନ୍ଦନାଙ୍କ ସଂପର୍କରେ ଆଗରୁ କୁହାଯାଇସାରିଛି । ତାଙ୍କର ମାର୍ଗଦର୍ଶନରେ ସମ୍ୟକ୍‌ ଚାରିତ୍ର ପାଳନ କରି ଅନେକ ସାଧ୍ଵୀ ପରମପଦ ପ୍ରାପ୍ତ ହୋଇଥିଲେ । ଅନ୍ୟ ଶ୍ରାବିକା ମହିଳାଙ୍କ ମଧ୍ୟରେ ଜୟନ୍ତୀ, ସୁଲସା, ରେବତୀ ଆଦିଙ୍କର ନାମ ଉଲ୍ଲେଖଯୋଗ୍ୟ । ବସ୍ତୁତଃ ମାନବସମାଜ ଭିତରେ ଜାତିଭେଦ ସ୍ଵୀକାର କରୁନଥିବା ନିର୍ଗ୍ରନ୍ଥ ସମ୍ପ୍ରଦାୟ ଲିଙ୍ଗଭେଦ ମଧ୍ୟ ସ୍ଵୀକାର କରିବା ଅନୁଚିତ ।

 

କିନ୍ତୁ ବୋଧହୁଏ ପରବର୍ତ୍ତୀ ଯୁଗରେ ନଗ୍ନତା ପ୍ରଶ୍ନନେଇ ଯେତେବେଳେ ଦିଗମ୍ବର ଶ୍ୱେତାମ୍ବର ମତଭେଦ ସୃଷ୍ଟି ହେଲା, ନାରୀ-ସ୍ଵାଧୀନତା ପ୍ରଶ୍ନକୁ ମଧ୍ୟ ତା’ ସହିତ ଯୋଡ଼ିଦିଆଗଲା ଏବଂ ନାରୀର ସ୍ଵାଧୀନତା ପାଇବା ଅଧିକାର ଅପହରଣ କରିନିଆଗଲା ।

 

ଜୈନଧର୍ମର ପ୍ରଚାର

 

ଜୈନ ଶ୍ରମଣ ନିଜର ସଂଘ ତିଆରି କରି ଜଣେ ଆଚାର୍ଯ୍ୟଙ୍କ ନେତୃତ୍ଵରେ ଜନପଦ ବିହାର କରନ୍ତି । ବର୍ଷା ଋତୁରେ ଚାରିମାସ ସେମାନେ ଗୋଟିଏ ସ୍ଥାନରେ ରହନ୍ତି । ବାକି ଆଠମାସ ଆତ୍ମ-ଶୁଦ୍ଧି ନିମିତ୍ତ କୌଣସି ମହାନ୍‌ ଆଚାର୍ଯ୍ୟ ଇତ୍ୟାଦିଙ୍କର ସଂପର୍କରେ ଆସି ନିଜକୁ ଧର୍ମରେ ସ୍ଥିର ରଖିବା ନିମିତ୍ତ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଭ୍ରମଣ କରନ୍ତି । ଏହି ଶ୍ରମଣମାନଙ୍କୁ ବିଭିନ୍ନ ଦେଶର ଭାଷାରେ ପ୍ରବୀଣ ହେବା ଆବଶ୍ୟକ ଥିଲା; କାରଣ ଏହା ଦ୍ଵାରା ସେମାନେ ସାଧାରଣ ଜନତାକୁ ସହଜରେ ନିଜର ଉପଦେଶ ଶୁଣାଇ ଲାଭବାନ୍‌ କରିପାରୁଥିଲେ । ସେହି ସେହି ସ୍ଥାନର ରୀତିନୀତି ସହିତ ମଧ୍ୟ ସେମାନଙ୍କୁ ସୁପରିଚିତ ହେବାକୁ ପଡ଼ୁଥିଲା । ଅନ୍ୟଥା ସେମାନଙ୍କ ଉପହସିତ ହେବାକୁ ପଡ଼ୁଥିଲା । ପଦଯାତ୍ରାର ପରମ୍ପରା ପାର୍ଶ୍ଵନାଥ ତଥା ମହାବୀରଙ୍କ ସମୟରୁ ଚାଲିଆସିଥିଲା ।

 

କେବଳ ଜ୍ଞାନ ପ୍ରାପ୍ତିପରେ ତୀର୍ଥଙ୍କର ମହାବୀର ଯେତେବେଳେ ସାକେତ (ଅଯୋଧ୍ୟା)ରେ ବିହାର କରୁଥିଲେ ଜୈନଶ୍ରମଣ ଓ ଶ୍ରମଣୀମାନଙ୍କୁ ଲକ୍ଷ୍ୟକରି ସେ କହିଥିଲେ, ‘‘ନିର୍ଗ୍ରନ୍ଥ ଏବଂ ନିର୍ଗ୍ରନ୍ଥିନୀ ସାକେତର ପୂର୍ବରେ ଅଙ୍ଗ-ମଗଧ ପର୍ଯ୍ୟନ୍ତ, ଦକ୍ଷିଣରେ କୌଶାମ୍ବୀ ପର୍ଯ୍ୟନ୍ତ, ପଶ୍ଚିମରେ ସ୍ଥୂଣା (ସ୍ଥାନେଶ୍ଵର) ପର୍ଯ୍ୟନ୍ତ ଏବଂ ଉତ୍ତରରେ କୁଣାଳା (ଶ୍ରାବସ୍ତୀ ଜନପଦ) ପର୍ଯ୍ୟନ୍ତ ବିହାର କରିପାରିବେ । ଏହି କ୍ଷେତ୍ର ହିଁ ଆର୍ଯ୍ୟ-କ୍ଷେତ୍ର ଅଟେ; ଏହାର ବାହାର ନୁହେଁ । କେବଳ ଏହି କ୍ଷେତ୍ରରେ ସାଧୁ-ସାଧ୍ଵୀଗଣ ଜ୍ଞାନ, ଦର୍ଶନ ତଥା ଚରିତ୍ର ନିର୍ଦ୍ଦୋଷ ଭାବେ ପାଳନ କରିପାରନ୍ତି ।’’ ଏଥିରୁ ଏହା ବୁଝାପଡ଼ୁଛି ଯେ ସେ ସମୟରେ ଜୈନ ଶ୍ରମଣମାନେ କେବଳ ଉପରୋକ୍ତ କ୍ଷେତ୍ରରେ ବିହାର କରିଥିଲେ; ସୁଦୂର ପ୍ରଦେଶମାନଙ୍କରେ ପହଞ୍ଚି ପାରିନଥିଲେ ।

 

ରାଜପରିବାର ଓ ଜୈନଧର୍ମ

 

ଜୈନ-ପରମ୍ପରା ଅନୁଯାୟୀ ନିର୍ଗ୍ରନ୍ଥ ଧର୍ମ ଅନୁସରଣ କରୁଥିବା ମହାବୀରଙ୍କର ସମସାମୟିକ ଅନେକ ରାଜା ମହାରାଜାଙ୍କ ଉଲ୍ଲେଖ ଜୈନ ଗ୍ରନ୍ଥମାନଙ୍କରେ ଦେଖିବାକୁ ମିଳେ । ଏମାନଙ୍କ ଭିତରୁ କେତେକଙ୍କୁ ସ୍ଵୟଂ ମହାବୀର ଦୀକ୍ଷା ପ୍ରଦାନ କରିଥିଲେ । ଉଦାହରଣ ସ୍ଵରୂପ, ଜୈନ ଗ୍ରନ୍ଥମାନଙ୍କରେ ୧୮ ଜଣ ଗଣରାଜାଙ୍କର ନେତା ବୈଶାଳୀ ରାଜା ଚେଟକ, ରାଜଗୃହର ପ୍ରେଣିକ ବିମ୍ବସାର, ଚମ୍ପାର କୂଣିକ ଅଜାତଶତ୍ରୁ, କୌଶାମ୍ବୀରାଜ ଉଦୟନ, ଚମ୍ପାର ରାଜା ଦଧିବାହନ, ଉଜ୍ଜୟିନୀର ରାଜା ପ୍ରଦ୍ୟୋତ, ବୀତିଭୟର ରାଜା ଭଦ୍ରାୟଶ ପ୍ରଭୃତିଙ୍କୁ ଜୈନ-ପନ୍ଥୀ କୁହାଯାଏ । ଏମାନଙ୍କ ମଧ୍ୟରୁ ଦୁଇ-ଚାରି ଜଣଙ୍କୁ ଛାଡ଼ି ଅନ୍ୟ କାହାରି ସଂପର୍କରେ କୌଣସି ଐତିହାସିକ ତଥ୍ୟ ମିଳୁନାହିଁ । କାଶୀ-କୋଶଳର ଗଣରାଜାମାନଙ୍କର ପ୍ରମୁଖ ନେତା ଚେଟକଙ୍କ ପରି ଜଣେ ବିଶିଷ୍ଟ ବ୍ୟକ୍ତିତ୍ଵଙ୍କର ସୁଦ୍ଧା ଉଲ୍ଲେଖ ଇତିହାସରେ ଦେଖିବାକୁ ମିଳେ ନାହିଁ । ବୌଦ୍ଧ ଗ୍ରନ୍ଥମାନଙ୍କରେ ମଧ୍ୟ ଚେଟକଙ୍କର ନାମ ଦେଖିବାକୁ ମିଳେ ନାହିଁ । ଚମ୍ପାର ରାଜା ଦଧିବାହନ ଏବଂ ଭଦ୍ରାୟଣଙ୍କ ସମ୍ବନ୍ଧରେ ମଧ୍ୟ ଆମେ କିଛି ଜାଣୁ ନାହିଁ । କେବଳ ଏତିକି ଜଣାଯାଏ ଯେ ବୌଦ୍ଧ ଗ୍ରନ୍ଥମାନଙ୍କରେ ଭଦ୍ରାୟଣଙ୍କୁ ରୁଦ୍ରାୟଣ କୁହାଯାଇଛି । ପ୍ରାଚୀନ ଜୈନ ଆଗମମାନଙ୍କରେ ଭଦ୍ରାୟଣଙ୍କର ନାମ ମହାବୀରଙ୍କ ଦ୍ଵାରା ଦୀକ୍ଷିତ ଆଠଜଣ ରାଜାଙ୍କ ସହିତ ଆସିଥାଏ । କିନ୍ତୁ ଜୈନ ଟୀକାକାରମାନେ ଏ ରାଜାମାନଙ୍କ ସଂପର୍କରେ ଏପରି କିଛି ବିଶଦ ବିବରଣୀ ଦେଇନାହାନ୍ତି, ଯାହା କି ସେମାନଙ୍କର ଐତିହାସିକତା ସଂପର୍କରେ ଆଲୋକପାତ କରିବ । ଚମ୍ପାରାଜ ଦଧିବାହନଙ୍କ କନ୍ୟା ଚନ୍ଦନବାଳା (ଆର୍ଯ୍ୟବନ୍ଦନା) ଭଗବାନ ମହାବୀରଙ୍କର ଭିକ୍ଷୁଣୀ ସଂଘର ଗଣିନୀ ଥିବାର ଉଲ୍ଲେଖ ମିଳେ । ଆଉ ଅଧିକ କିଛି ଖୋଜିବସିଲେ ହତାଶ ହେବାକୁ ପଡ଼େ ।

 

ଜୈନ-ପରମ୍ପରା ଅନୁଯାୟୀ ରାଜା ଶ୍ରେଣିକ ଭଗବାନ ମହାବୀରଙ୍କଠାରୁ ଅନେକ ପ୍ରଶ୍ନର ସ୍ପଷ୍ଟୀକରଣ ଚାହିଁଛନ୍ତି । ପରବର୍ତ୍ତୀ କାଳରେ ସେ ସବୁ ଜୈନ ଆଗମମାନଙ୍କରେ ଲିପିବଦ୍ଧ ହୋଇଛି । ରାଜା ଶ୍ରେଣିକଙ୍କ ପତ୍ନୀ ଚେଲନା କୂଣିକଙ୍କର ମାତା । ଚେଲନା ବିଦେହରାଜ ଚେଟକଙ୍କର କନ୍ୟା । ଏଣୁ କୂଣିକଙ୍କୁ ବିଦେହ-ପୁତ୍ର ମଧ୍ୟ କୁହାଯାଇଛି । ଭଗବାନ ମହାବୀରଙ୍କର ଚମ୍ପାରେ ସମବସୃତ ହେବା ପରେ ରାଜା କୂଣିକ ସଦଳବଳେ ତାଙ୍କର ଦର୍ଶନ ପାଇଁ ଯିବାର ବର୍ଣ୍ଣନା ଔପପାତିକ ସୂତ୍ରରେ ମିଳିଥାଏ । ଶ୍ରେଣିକ ବିମ୍ବସାର ଏବଂ କୂଣିକ ଅଜାତଶତ୍ରୁଙ୍କ ପରି କୌଶାମ୍ବୀର ରାଜା ଉଦୟନ ଓ ଉଜ୍ଜୟିନୀ ରାଜା ଅବନ୍ତୀପତି ପ୍ରଦ୍ୟୋତଙ୍କ ସଂପର୍କରେ ବୌଦ୍ଧ ତ୍ରିପିଟକରେ ମଧ୍ୟ ଉଲ୍ଲେଖ ଅଛି । ଶ୍ରେଣିକ ବିମ୍ବସାର ଏବଂ କୂଣିକ ଅଜାତଶତ୍ରୁ ପ୍ରଭୃତିଙ୍କୁ ଯେପିରି ଜୈନ ପରମ୍ପରାରେ ଜୈନ-ଧର୍ମାବଲମ୍ବୀ ବୋଲି ଦାବି କରାଯାଇଛି ସେହିପରି ବୌଦ୍ଧ ପରମ୍ପରାରେ ବୌଦ୍ଧଧର୍ମାଲମ୍ବୀ ବୋଲି ମଧ୍ୟ ଦାବି କରାଯାଇଛି । ଏଥିରୁ ଏହାହିଁ ପ୍ରତିପାଦିତ ହେଉଛି ଯେ ସେ ସମୟରେ ସାମ୍ପ୍ରଦାୟିକତା ଏତେ ପ୍ରବଳ ନ ଥିଲା । ଶାସକଗଣ ବିଭିନ୍ନ ସମ୍ପ୍ରଦାୟ ପ୍ରତି ସମାନ ଆଦର ଭାବ ପୋଷଣ କରି ଉଦାରତାର ପରିଚୟ ଦେଉଥିଲେ ।

 

ଆର୍ଯ୍ୟ କ୍ଷେତ୍ରର ସୀମାବୃଦ୍ଧି

 

ପୂର୍ବରୁ କୁହାଯାଇଛି ଯେ ଭଗବାନ ମହାବୀରଙ୍କ ଅନୁଚରବର୍ଗଙ୍କର ବିହାର କ୍ଷେତ୍ର ପ୍ରାୟ ବିହାର, ବଙ୍ଗଳା ଏବଂ ଉତ୍ତର ପ୍ରଦେଶ ଭିତରେ ହିଁ ସୀମାବଦ୍ଧ ଥିଲା । ଏହି କ୍ଷେତ୍ରକୁ ଭଗବାନ ମହାବୀର ଆର୍ଯ୍ୟ-କ୍ଷେତ୍ର କହୁଥିଲେ । କିନ୍ତୁ ମହାବୀରଙ୍କର ପ୍ରାୟ ୩୦୦ ବର୍ଷ ପରେ ଜୈନ-ଶ୍ରମଣ ସଂଘ ଇତିହାସରେ ଏପରି ଏକ ସମୟ ଆସିଲା ଯେବେଠାରୁ ଜୈନ-ଶ୍ରମଣମାନେ ସୁଦୂର ରାଜ୍ୟମାନଙ୍କୁ ଯିବାକୁ ଲାଗିଲେ । ବୌଦ୍ଧଧର୍ମର ପ୍ରଚାର ତଥା ପ୍ରସାର ନିମିତ୍ତ ସମ୍ରାଟ୍‌ ଅଶୋକ (ଖ୍ରୀ: ପୂ: ୨୭୪-୨୩୭) ଯେଉଁ ଭୂମିକା ଗ୍ରହଣ କରିଥିଲେ, ଜୈନ ପରମ୍ପରା ଅନୁଯାୟୀ ଜୈନଧର୍ମର ପ୍ରଚାର ନିମିତ୍ତ ଅବନ୍ତୀରାଜ (ଖ୍ରୀ: ପୂ: ୨୨୦-୨୧୧) ସମ୍ପ୍ରତି ଦେହ ଭୂମିକା ଗ୍ରହଣ କରିଥିଲେ । ଅବଶ୍ୟ ଏହି ତଥ୍ୟ କୌଣସି ଦୃଢ଼ ଐତିହାସିକ ଭିତ୍ତିଭୂମି ଉପରେ ପର୍ଯ୍ୟବସିତ ନୁହେଁ-। ରାଜା ସମ୍ପ୍ରତି ଅନ୍ଧ କୁନାଳଙ୍କର ପୁତ୍ର ଥିଲେ । କୁନାଳ ଅଶୋକଙ୍କର ପୁତ୍ର ବିନ୍ଦୁସାରଙ୍କର ପୌତ୍ର ଏବଂ ଚନ୍ଦ୍ରଗୁପ୍ତଙ୍କର ପ୍ରପୌତ୍ର ଥିଲେ । ସେ ଯେହେତୁ ଅନ୍ଧ ଥିଲେ, ଏଣୁ ରାଜଗାଦି ପାଇବାରୁ ବଞ୍ଚିତ ହୋଇଥିଲେ । ଜୈନ ପରମ୍ପରା ଅନୁଯାୟୀ ଜୈନ ଆଚାର୍ଯ୍ୟ ସୁହସ୍ତିଙ୍କର ଉପଦେଶ ଶ୍ରବଣ କରି ରାଜା ସମ୍ପ୍ରତି ଜୈନଧର୍ମ ଗ୍ରହଣ କରିଥିଲେ । ତାଙ୍କର ଅନନ୍ୟଭକ୍ତି ଏବଂ ନିଷ୍ଠା ହେତୁ ସେ ପରମ ଧାର୍ମିକ ଉପାଧିରେ ଭୂଷିତ ହୋଇଥିଲେ । ସେ ନଗରର ଚାରୋଟିଯାକ ଦ୍ଵାର ସମ୍ମୁଖରେ ଦାନଶାଳା ଖୋଲିଲେ ଏବଂ ଜୈନ-ଶ୍ରମଣମାନଙ୍କ ଖାଦ୍ୟ-ପେୟର ଯଥାଯଥ ବ୍ୟବସ୍ଥା କଲେ-। ଶ୍ରମଣମାନଙ୍କୁ ପୂଜା-ଭକ୍ତି କରିବା ପାଇଁ ସେ ତାଙ୍କ ଅଧୀନସ୍ଥ ସାମନ୍ତ ରାଜାମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଜା ସମ୍ପ୍ରତି ନିଜର ସିପାହିମାନଙ୍କୁ ଶିକ୍ଷା ଦେଇ ସାଧୁବେଶରେ ସୀମାନ୍ତ ଦେଶମାନଙ୍କୁ ପଠାଇଥିଲେ । ଜୈନ-ଶ୍ରମଣମାନଙ୍କ ପାଇଁ ଶୁଦ୍ଧ ଖାଦ୍ୟ-ପେୟର ଯେପରି ବ୍ୟବସ୍ଥା ହୋଇପାରିବ ତାହା ଦେଖିବା ସେମାନଙ୍କର କାମ ଥିଲା । ଦକ୍ଷିଣାପଥରେ ବିଶେଷ କରି ଆନ୍ଧ୍ର, ଦ୍ରାବିଡ଼, ମହାରାଷ୍ଟ୍ର ଓ କୁର୍ଗ (କୁଡୁକ୍‌କ) ଆଦି ଦେଶରେ ଜୈନଧର୍ମ ପ୍ରଚାରର କୃତିତ୍ଵ ଅବନ୍ତୀପତି ସମ୍ପ୍ରତିଙ୍କୁ ମିଳୁଥାଏ । କୁହାଯାଇଥାଏ ଯେ ଏହି ସମୟରୁ ସାଢ଼େ ପଚିଶଟି ଦେଶ ଜୈନ-ଶ୍ରମଣଙ୍କ ବିହାର-ଯୋଗ୍ୟ ବୋଲି ପରିଗଣିତ ହେଲେ । ଏହି ଦେଶମାନଙ୍କ ମଧ୍ୟରେ ସିନ୍ଧୁ-ସୌବୀର, ଲାଢ଼, ଅର୍ଦ୍ଧକେକୟୀ (ରାଜଧାନୀ ଶ୍ଵେତିକା) ଇତ୍ୟାଦି ଅନ୍ତର୍ଭୁକ୍ତ ।

 

ଦିଗମ୍ବର ସମ୍ପ୍ରଦାୟରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ କାଳରେ ଦକ୍ଷିଣ ଭାରତରେ ଜୈନଧର୍ମ ପ୍ରବେଶ କରିଥିଲା । ମାତ୍ର ଏହାର ମଧ୍ୟ କୌଣସି ଐତିହାସିକ ପ୍ରମାଣ ମିଳେ ନାହିଁ ।

 

ଏହିପରି ଭାବେ ଜୈନଧର୍ମର ଉଦୟ ବିହାରରେ (ସେ ସମୟରେ ବଙ୍ଗଳା, ବିହାର ଏବଂ ଓଡ଼ିଶା ରାଜ୍ୟ ଗୋଟିଏ ରାଜ୍ୟ ଥିଲା) ହେଲା ଏବଂ ସେଠାରୁ ଉତ୍ତରପ୍ରଦେଶର ପୂର୍ବ ଜିଲ୍ଲାମାନଙ୍କରେ ବ୍ୟାପିଲା । ମହାବୀର ନିର୍ବାଣ ପରେ ସୌରାଷ୍ଟ୍ର, ଗୁଜରାଟ (ଗୁଜରାଟ ଏବଂ ରାଜସ୍ଥାନ ଗୋଟିଏ ରାଜ୍ୟ ଥିଲା, ଉତ୍ତରପ୍ରଦେଶର ପଶ୍ଚିମ ଜିଲ୍ଲାସମୂହ, ମଧ୍ୟପ୍ରଦେଶ, ବିଦର୍ଭ, କୋକଣ ଏବଂ ମହାରାଷ୍ଟ୍ର ଦେଇ ଦକ୍ଷିଣ-ଭାରତରେ ଆନ୍ଧ୍ର, ଦ୍ରାବିଡ଼ ଏବଂ କୁର୍ଗ ଆଦି ପ୍ରଦେଶରେ ପହଞ୍ଚିଗଲା । ଆଜିକାଲି ନିଜର ଜନ୍ମସ୍ଥାନ ବିହାରରୁ ଜୈନଧର୍ମ ପ୍ରାୟ ନିଶ୍ଚିହ୍ନ ହୋଇଯାଇଛି ।

 

ହାତୀ-ଗୁମ୍ଫାରେ ଥିବା ସମ୍ରାଟ୍‌ ଖାରବେଳଙ୍କର ଶିଳାଲେଖରୁ ଜଣାପଡ଼େ ଯେ ଖ୍ରୀ:ପୂ: ଦ୍ଵିତୀୟ ଶତାବ୍ଦୀରେ କଳିଙ୍ଗ (ଓଡ଼ିଶା) ଜୈନଧର୍ମର କେନ୍ଦ୍ର ଥିଲା l ଖାରବେଳ ମଗଧରୁ ଜିନ ପ୍ରତିମା ଆଣି ଏଠାରେ ସ୍ଥାପନା କରିଥିଲେ । ଭୁବନେଶ୍ଵର ନିକଟରେ ଉଦୟଗିରି ଏବଂ ଖଣ୍ଡଗିରି ନାମକ ପାହାଡ଼ କଟାଯାଇ ଯେଉଁ ସୁନ୍ଦର ଗୁମ୍ଫା ତିଆରି କରାଯାଇଛି, ତା’ ଭିତରୁ ୧୦୦ଟି ଗୁମ୍ଫା ଜୈନ ଅଟେ । କଳାଦୃଷ୍ଟିରୁ ଏଗୁଡ଼ିକର ସ୍ଥାନ ଖୁବ୍‌ ଉଚ୍ଚରେ । ଉତ୍ତରାପଥରେ ମଥୁରାଠାରେ ସୁବର୍ଣ୍ଣସ୍ତୂପ ଥିବାର ଉଲ୍ଲେଖ ମିଳେ । ବାଦଶାହ ଆକ୍‌ବରଙ୍କ ସମୟରେ ସାହୁ ଟୋଡ଼ର ତା’ର ଜୀର୍ଣ୍ଣୋଦ୍ଧାର କରାଇଥିଲେ । ସେହି ପ୍ରାଚୀନ ସ୍ତୂପ ଆଜିକାଲି କଙ୍କାଳୀଟୋଲି ନାମରେ ପରିଚିତ । ତାହା ଖୋଳାଯିବା ପରେ ପୁରାତତ୍ତ୍ଵ ସମ୍ବନ୍ଧୀୟ ମହତ୍ତ୍ୱପୂର୍ଣ୍ଣ ତଥ୍ୟମାନ ଆଲୋକକୁ ଆସୁଛି । କନିଷ୍କଙ୍କ ସମୟରେ ଯେଉଁ ଶିଳାଲେଖ ଏଠାରୁ ମିଳୁଛି, ସେଥିରୁ ଜଣାପଡ଼ୁଛି ଯେ ପ୍ରଥମ ଖ୍ରୀଷ୍ଟାବ୍ଦରେ ଜୈନମାନଙ୍କର ଏହା ଏକ ମୁଖ୍ୟ ପୀଠ ଥିଲା ।

 

ସୌରାଷ୍ଟ୍ର (କାଠିୟାବାଡ଼)ର ରାଜା ସଂପ୍ରିତି ଜୈନଧର୍ମର ପ୍ରଚାର କରିଥିଲେ । ଦ୍ଵାରକାର ଉତ୍ତର-ପୂର୍ବରେ ସ୍ଥିତ ଗିରନାର୍‌ ପର୍ବତ (ରୈବତକ) ଉପରେ ଅରିଷ୍ଟନେମି ନିର୍ବାଣ ଲାଭ କରିଥିଲେ । ପ୍ରଥମ ଅଥବା ଦ୍ଵିତୀୟ ଖ୍ରୀଷ୍ଟାବ୍ଦରେ ସ୍ଥାନୀୟ ଚନ୍ଦ୍ରଗୁମ୍ଫାରେ ଆଚାର୍ଯ୍ୟ ଧରସେନ ସ୍ଵଶିଷ୍ୟ ଆଚାର୍ଯ୍ୟ ଭୂତବଳ ଏବଂ ପୁଷ୍ପଦନ୍ତଙ୍କୁ ଅବଶିଷ୍ଟ ଶ୍ରୁତଜ୍ଞାନକୁ ଲିପିବଦ୍ଧ କରିବାକୁ ଆଦେଶ ଦେଇଥିଲେ । ପଞ୍ଚମ ଖ୍ରୀଷ୍ଟାବ୍ଦରେ ଦେବର୍ଧିଗଣି କ୍ଷମାଶ୍ରମଣଙ୍କ ନେତୃତ୍ଵରେ ହେଉଥିବା ବଲଭୀ ବାଚନାର ଉଲ୍ଲେଖ କରିଛୁ । ସେଠାରେ ଆଚାର୍ଯ୍ୟ ଦେବର୍ଧିଗଣିଙ୍କ ମୂର୍ତ୍ତି ସ୍ଥାପିତ ହୋଇଛି । ଗୁଜରାତ ଏବଂ ରାଜସ୍ଥାନ ଜୈନ ଆଚାର୍ଯ୍ୟମାନଙ୍କର ଲୀଳାକ୍ଷେତ୍ର ହୋଇ ରହିଛି । ମଧ୍ୟଯୁଗରେ ଯେତେ ସଂଖ୍ୟକ ଜୈନସାହିତ୍ୟ ଏ ଦୁଇ ପ୍ରଦେଶରେ ଲେଖାଯାଇଛି ତାହା ଅନ୍ୟତ୍ର ଦେଖାଯାଏ ନାହିଁ । ଦ୍ଵାଦଶ ଶତାବ୍ଦୀରେ ଚାଲୁକ୍ୟ ନରେଶ ସିଦ୍ଧରାଜ ଏବଂ ତାଙ୍କର ଉତ୍ତରାଧିକାରୀ କୁମାରପାଳଙ୍କ ସମୟରେ ଗୁଜରାତରେ ଜୈନଧର୍ମ ଉତ୍କର୍ଷର ଶୀର୍ଷଦେଶରେ ପହଞ୍ଚିପାରିଥିଲା । କଳିକାଳସର୍ବଜ୍ଞ ରୂପେ ବିଖ୍ୟାତ ଚତୁର୍ବିଦ୍ୟାସମୁଦ୍ର ଆଚାର୍ଯ୍ୟ ହେମଚନ୍ଦ୍ରଙ୍କର ଉପଦେଶ ଅନୁଯାୟୀ ଏହି ରାଜାମାନେ ଜୈନଧର୍ମ ଗ୍ରହଣ କରିଥିଲେ ଏବଂ ଗୁଜରାତ ଜୈନଧର୍ମର ଏକ ସୁଦୃଢ଼ କେନ୍ଦ୍ରରେ ପରିଣତ ହେଲା । ଗୁଜରାତର ରାଜଧାନୀ ଅଣହିଲ୍ଲପୁର ପାଠଣରେ ଆଚାର୍ଯ୍ୟ ହେମଚନ୍ଦ୍ର ରାଜା ସିଦ୍ଧରାଜଙ୍କ ଅନୁରୋଧକ୍ରମେ ସିଦ୍ଧ ହେମ ଶବ୍ଦନୁଶାସନ ବ୍ୟାକରଣ ରଚନା କଲେ । ସେହି ବ୍ୟାକରଣକୁ ହସ୍ତୀପୃଷ୍ଠରେ ରଖି ରାଜଦରବାରକୁ ଅଣାଯାଇଥିଲା । ଆଚାର୍ଯ୍ୟ ହେମଚନ୍ଦ୍ରଙ୍କର ଅନ୍ୟତମ ଅମୂଲ୍ୟ କୃତି ହେଲେ ଦେସୀନାମମାଳା; ଯାହା ଗୁଜରାତୀ ଭାଷାର କ୍ରମିକ ବିକାଶ ଅଧ୍ୟୟନ ଦିଗରେ ଏକ ଅପରିହାର୍ଯ୍ୟ ଦଲିଲ ହୋଇ ରହିଛି । ରାଜା କୁମାରପାଳ ଲକ୍ଷାଧିକ ମୁଦ୍ରା ବିନିଯୋଗ କରି ଶତ୍ତୁଞ୍ଜୟ (ପାଲିତାନା)ର ମନ୍ଦିରଗୁଡ଼ିକର ଜୀର୍ଣ୍ଣସଂସ୍କାର କରିଥିଲେ । ପାଟଣ, ଖମ୍ବାତ, ଇଡ଼ର, ଲିବଣ୍ଡୀ ଆଦି ସ୍ଥାନରେ ଶାସ୍ତ୍ରଗୁଡ଼ିକର ରକ୍ଷା ନିମିତ୍ତ ହେତୁ-ଜ୍ଞାନଭଣ୍ଡାର ସ୍ଥାପନ କରାଯାଇ ଧର୍ମର ପ୍ରଭାବନା କରାଗଲା । ଆବୁ ଜୈନଧର୍ମାବଲମ୍ବୀମାନଙ୍କର ଏକ ପ୍ରସିଦ୍ଧ ତୀର୍ଥସ୍ଥାନ । ଏଠାରେ ଆଦିନାଥ ଏବଂ ନେମିନାଥଙ୍କର ଶଙ୍ଖମର୍ମର ମନ୍ଦିର ଅବସ୍ଥିତ । ସ୍ଥାପତ୍ୟକଳା ଦୃଷ୍ଟିରୁ ଏ ମନ୍ଦିରଗୁଡ଼ିକର ସୌନ୍ଦର୍ଯ୍ୟ ଅନୁପମ । ମନ୍ତ୍ରୀ ବିମଳଶାହ ଏବଂ ତେଜପାଳ ଲକ୍ଷାଧିକ ମୁଦ୍ରା ବ୍ୟୟକରି ଏହି ମନ୍ଦିର ନିର୍ମାଣ କରାଇଥିଲେ । ଦ୍ଵାଦଶ ଏବଂ ତ୍ରୟୋଦଶ ଶତାବ୍ଦୀରେ ଏଠାରେ ଆହୁରି କେତୋଟି ମନ୍ଦିର ନିର୍ମିତ ହେଲା । ଏଥିପାଇଁ ଏହି ସ୍ଥାନ ଦେଲଓ୍ୱାଡ଼ା (ଦେଓଲଓ୍ୱାଡ଼ା ମନ୍ଦିରନଗରୀ) ନାମରେ ବିଖ୍ୟାତ ହେଲା ।

 

ଉତ୍ତର-ଭାରତ ପରି ଦକ୍ଷିଣ-ଭାରତରେ ମଧ୍ୟ ଜୈନଧର୍ମର ବେଶ୍‌ ପ୍ରସାର ଘଟିଥିଲା । ଗଙ୍ଗ, କଦମ୍ବ, ରାଷ୍ଟ୍ରକୂଟ, ଚାଲୁକ୍ୟ ଏବଂ ହୋୟସଲ ବଂଶୀୟ ରାଜାମାନେ ଜୈନଧର୍ମ ଏବଂ ଜୈନ ବିଦ୍ଵାନ୍‌ମାନଙ୍କୁ ଆଶ୍ରୟ ପ୍ରଦାନ କରିଥିଲେ । ଗଙ୍ଗବଂଶ ରାଜତ୍ଵ କରୁଥିବାବେଲେ ଗୋମ୍ମଟେଶ୍ଵର ବାହୁବଳିଙ୍କର ମୂର୍ତ୍ତି ପ୍ରତିଷ୍ଠା କରାଯାଇଥିଲା । ୫୭ ଫୁଟ ଉଚ୍ଚ ଏହି ବିଶାଳକାୟ ମୂର୍ତ୍ତି ଗୋଟିଏ ଶିଳାକୁ କାଟି ତିଆରି କରାଯାଇଥିଲା । ପୃଥିବୀର ବିଭିନ୍ନ ଆଶ୍ଚର୍ଯ୍ୟ ଦର୍ଶନୀୟ ବସ୍ତୁ ଭିତରେ ଏହା ଅନ୍ୟତମ । ଜୈନଧର୍ମ ଉପରେ କଦମ୍ବବଂଶୀୟ ରାଜାମାନଙ୍କର ପ୍ରଗାଢ଼ ଆସ୍ଥା ଥିଲା । ତା’ର ପରିଣାମ ସ୍ଵରୂପ ଏହି ଧର୍ମ କର୍ଣ୍ଣାଟକରେ ପ୍ରସାର ଲାଭ କଲା । ରାଷ୍ଟ୍ରକୂଟବଂଶୀୟ ରାଜାମାନଙ୍କ ସହିତ ଜୈନଧର୍ମର ଘନିଷ୍ଠ ସମ୍ବନ୍ଧ ରହିଛି । ରାଷ୍ଟ୍ରକୂଟର ରାଜଧାନୀ ମାନ୍ୟଖେଟର ରାଜବଂଶୀୟ ବ୍ୟକ୍ତିଗଣ ଜୈନ କଳା ତଥା ସାହିତ୍ୟକୁ ଉନ୍ନତ କରିବା ପାଇଁ ଯେଉଁ ଉଦ୍ୟମ କରିଥିଲେ ତାହା ସେମାନଙ୍କୁ ଅମର କରିଛି । ଜିନସେନ, ଗୁଣଭଦ୍ର, ଶାକଟାୟନ, ପୁଷ୍ପଦନ୍ତ, ସୋମଦେବ, ପଂପି ଆଦି ବହୁ ପ୍ରତିଭାଶାଳୀ ଦିଗମ୍ବର ଆଚାର୍ଯ୍ୟ ଏହି ସମୟରେ ଜନ୍ମଗ୍ରହଣ କରିଥିଲେ । ସେମାନେ ସଂସ୍କୃତ, ପ୍ରାକୃତ, ଅପଭ୍ରଂଶ ଏବଂ କନ୍ନଡ଼ ଭାଷାରେ ଅନେକ ମହତ୍ତ୍ଵପୂର୍ଣ୍ଣ ଗ୍ରନ୍ଥ ରଚନାକରି ଜୈନ ସାହିତ୍ୟଭଣ୍ଡାରକୁ ସମୃଦ୍ଧ କରିଯାଇଛନ୍ତି । ଚାଲୁକ୍ୟ ରାଜନ୍ୟବର୍ଗ ଜୈନଧର୍ମର ସୁରକ୍ଷା ନିମିତ୍ତ ଯଥେଷ୍ଟ ଯତ୍ନଶୀଳ ଥିଲେ । କନ୍ନଡ଼ଭାଷାର ସୁପ୍ରସିଦ୍ଧ କବି ରତ୍ନ ଏହି ସମୟରେ ଆବିର୍ଭାବ ହୋଇଥିଲେ । ହୋସଲବଂଶୀୟ ରାଜାମାନେ ଜୈନ ମନ୍ଦିର ତଥା ଆଶ୍ରମର ଜୀର୍ଣ୍ଣୋଦ୍ଧାର କରାଇ ଜୈନଧର୍ମର ପ୍ରଚାରରେ ବିଶେଷ ସାହାଯ୍ୟ କରିଥିଲେ । ଏହିଭଳି ଭାବେ ଦକ୍ଷିଣ-ଭାରତରେ କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ର ଇତ୍ୟାଦି ଜୈନଧର୍ମର କେନ୍ଦ୍ର ହୋଇପାରିଥିଲେ ।

Image

 

ଭଗବାନ ମହାବୀର

ମହାବୀରଙ୍କର ଉପଦେଶ

 

ଭଗବାନ ମହାବୀରଙ୍କର ଉପଦେଶାବଳୀ ଖୋଜିବା ପାଇଁ ବେଶି ଦୂର ଯିବାକୁ ପଡ଼ିବ ନାହିଁ । ତାଙ୍କର ଜୀବନ ହିଁ ତାଙ୍କ ଉପଦେଶାମୃତର ଉନ୍ମୁକ୍ତ ପୁସ୍ତକ । ଦେହରେ ଯେତେବେଳେ ଯୌବନ ଢେଉ ଭାଙ୍ଗୁଥିଲା, ସେ ସଂସାରର ମୋହମାୟା ତ୍ୟାଗ କଲେ ଏବଂ ମନୁଷ୍ୟଜାତିର କଲ୍ୟାଣ ପାଇଁ ବର୍ଷ ବର୍ଷ ଧରି କୃଚ୍ଛ୍ର ସାଧନାରେ ବ୍ରତୀ ହେଲେ ତଥା ରୋମହର୍ଷଣକାରୀ ଯନ୍ତ୍ରଣା ସହ୍ୟ କରି ଗ୍ରାମାନୁଗ୍ରାମ ପଦଯାତ୍ରା କଲେ । ତାଙ୍କ ଜୀବନଚର୍ଯ୍ୟାର ଯଦି ଆମେ ଗଭୀର ଭାବେ ଅନୁଶୀଳନ କରୁ ତେବେ ତୀର୍ଥଙ୍କରଙ୍କର ସମସ୍ତ ଉପଦେଶର ସମାବେଶ ତାଙ୍କ ଜୀବନରେ ହୋଇଥିବାର ଦେଖିପାରିବୁ ।

 

ଜଣେ ଗଣରାଜାଙ୍କ ପରିବାରରେ ଜନ୍ମଗ୍ରହଣ କରିଥିବାରୁ ତାଙ୍କର ଐଶ୍ଵର୍ଯ୍ୟସମ୍ପଦର ଅଭାବ ନ ଥିଲା । ସେହି ଐଶ୍ଵର୍ଯ୍ୟ ସେ ଇଚ୍ଛା ଅନୁଯାୟୀ ଉପଭୋଗ କରିବାରେ କୌଣସି ବାଧା ନଥିଲା । ତଥାପି ସଂସାର ତ୍ୟାଗକରି ତପସ୍ଵୀ ହେବାର ଉତ୍କଟ ଅଭିଳାଷ ତାଙ୍କ ମନରେ ଜାଗ୍ରତ ହେଲା କାହିଁକି ? ତପସ୍ଵୀ ହେବାରେ ସେ ସମୟରେ କିଛି ଲାଭ ମିଳୁଥିଲା କି ? ମସ୍ତିଷ୍କର ଶୁଭ୍ର କେଶ ଦେଖି କେହି କ’ଣ ଧର୍ମଦୂତ ବୋଲି ଭାବୁଥିଲେ କି ? କିମ୍ବା ବର୍ଷାକାଳୀନ ବାଦଲକୁ କିଛିକ୍ଷଣ ପାଇଁ ଉଭେଇଯିବାର ଦେଖି ଭାବୁକତାବଶତଃ ଦୀକ୍ଷା ଗ୍ରହଣ କରି ନେଉଥିଲେ କି ? କିମ୍ବା ଏହାର ଅନ୍ୟ କୌଣସି ଗଭୀର ସାମାଜିକ ଆର୍ଥିକ ଅଥବା ବୌଦ୍ଧିକ ତାତ୍ପର୍ଯ୍ୟ ରହିଥିଲା ? କ’ଣ କେବଳ ନିଜର ମଙ୍ଗଳ ପାଇଁ କେହି କେହି ସଂସାର ତ୍ୟାଗକରି ଚାଲିଯାଉଥିଲେ ? ସାମାଜିକ ଅଶାନ୍ତି ଏବଂ ଅବ୍ୟବସ୍ଥାର ବାତାବରଣ ତାଙ୍କ ମନରେ କ’ଣ କୌଣସି କ୍ଷୋଭ ଉଦ୍ରେକ କରୁ ନ ଥିଲା ? ଧନ-ସମ୍ପତ୍ତିର ତାରତମ୍ୟ ହେତୁ ଗଣରାଜାମାନଙ୍କ ମଧ୍ୟରେ ସଂଘର୍ଷ, ବର୍ଣ୍ଣ ଏବଂ ଜାତିଗତ ଉଚ୍ଚନୀଚ ଭାବ, ରାଜକୀୟ ଦମନ ତଥା ଦାସ, ଶୂଦ୍ର ଏବଂ ସ୍ତ୍ରୀମାନଙ୍କର ଶୋଷଣ ସାମାଜିକ ବିଦ୍ରୋହର ଭାବନା ଉଦ୍ରେକ କରୁ ନ ଥିଲା ?

ପୁନଶ୍ଚ ଭଗବାନ ମହାବୀର କାୟା-କ୍ଲେଶ ଉପରେ ଏତେ ଗୁରୁତ୍ଵ କାହିଁକି ଦେଉଥିଲେ-? କ’ଣ ତାହା କେବଳ ଶୁଷ୍କ ଆତ୍ମ-ଦମନରେ ପର୍ଯ୍ୟବସିତ ଥିଲା ? କାହିଁକି ସେ ଅହିଂସାକୁ ପରମ ଧର୍ମ ବୋଲି କହୁଥିଲେ ? ଏବଂ ସେ ଅହିଂସା ପୁଣି ସାମାନ୍ୟ ଅହିଂସା ନଥିଲା–ମନ, ବାକ୍ୟ ତଥା ଶରୀରରେ ପ୍ରାଣୀମାତ୍ରାକୁ କଷ୍ଟ ନ ଦେବାର ଅନ୍ତର୍ବୃତ୍ତି । ଅହିଂସା ଧର୍ମ ପାଳନ କରୁଥିବା ବ୍ୟକ୍ତିପାଇଁ ସତ୍ୟ ହେଲେ ମଧ୍ୟ କାହାରି ପ୍ରତି କଟୁବାକ୍ୟ ପ୍ରୟୋଗ କରିବା ନିଷେଧ । ତାକୁ ସତତ ଅପ୍ରମାଦୀ ହେବାର–ଯତ୍ନାଚାରପୂର୍ବକ ବ୍ୟବହାର କରିବାର ନିର୍ଦ୍ଦେଶ ଥାଏ । କାମଭୋଗରେ ମମତ୍ଵ-ବୁଦ୍ଧିକୁ ହିଂସା ତଥା ମନ ଏବଂ ଇନ୍ଦ୍ରିୟର ନିଗ୍ରହ ସାଧନ କରି ନିଜର ପ୍ରବୃତ୍ତିସମୂହକୁ ସଙ୍କୁଚିତ କରିବାର ନାମ ଅହିଂସା ଦିଆଯାଇଛି । ଅହିଂସାକୁ ପରିପୁଷ୍ଟ କରିବା ପାଇଁ ତା’ ସହିତ ସଂଯମ, ତପ, ତ୍ୟାଗ ଏବଂ ଅପରିଗ୍ରହକୁ ଯୋଡ଼ାଯାଇଛି । ଲୋକ-ବ୍ୟବହାରରେ ବିବେକଶୀଳତା ହାସଲ କରିବା ପାଇଁ ତଥା ଅନ୍ୟର ଦୃଷ୍ଟିକୋଣକୁ ଠିକ୍‌ ଠିକ୍‌ ଭାବେ ବୁଝିବା ପାଇଁ ଅନେକାନ୍ତବାଦର ମୋହର ଲଗାଯାଇଛି । ଅନେକାନ୍ତବାଦ ବସ୍ତୁତଃ ଅହିଂସାର ବିକଶିତ ତଥା ବ୍ୟାପକ ରୂପ ଅଟେ-। ମହାବୀରଙ୍କର ଅହିଂସା ଦେବୀ-ଦେବତାମାନଙ୍କୁ ପ୍ରସନ୍ନ କରିବାକୁ ଉଦ୍ଦିଷ୍ଟ ପଶୁଘାତକ ବୈଦିକ ହିଂସାର କେବଳ ପ୍ରତିକ୍ରିୟା ନଥିଲା । ତାହାର ସ୍ଵରୂପ ଥିଲା ଏହାଠାରୁ ଅଧିକ ବିସ୍ତୃତ ଏବଂ ବ୍ୟାପକ । ସାମାଜିକ ବିଷମତା ବିରୁଦ୍ଧରେ ଏହା ଥିଲା ଏକ ପ୍ରଚଣ୍ଡ ସଂଗ୍ରାମ । ସମ୍ପତ୍ତି, ଜାତି ଇତ୍ୟାଦିକୁ ନେଇ ସୃଷ୍ଟିହେଉଥିବା ଉଚ୍ଚନୀଚ ଭେଦଭାବ, ପାରସ୍ପରିକ ଦ୍ଵେଷ, ଘୃଣା, କଳହ, ଅହଂକାର ଇତ୍ୟାଦି ବିରୁଦ୍ଧରେ ଏହା ଥିଲା ଏକ ଅକ୍ଷୟ ପ୍ରତିବାଦ । ନିଜର ଜୀବନଚର୍ଯ୍ୟା ମାଧ୍ୟମରେ ମହାବୀର ପୃଥିବୀକୁ ଶିଖାଇଗଲେ କି ଅନ୍ୟକୁ ଶୋଷଣ କରି, ଅନ୍ୟର ସମ୍ପତ୍ତି ପ୍ରତି ଲୋଲୁପ ଦୃଷ୍ଟି ପକାଇ ଏବଂ ଅନ୍ୟକୁ ହୀନ ମନେକରି ନିଜେ ଯଶସ୍ୱୀ ହେବାର ଅପପ୍ରଚେଷ୍ଟା କେବେ ତୃପ୍ତି ଦିଏନାହିଁ; ବରଂ ଏଥିପାଇଁ ନ୍ୟାୟ ଏବଂ ନୀତିର ପଥ ଅନୁସରଣ କରିବାକୁ ହେବ, କଠୋର ଅନୁଶାସନ ଅବଲମ୍ବନ କରିବାକୁ ହେବ । ଅହିଂସାର ଏହି ସ୍ଵରୂପ ବ୍ୟକ୍ତିଭିତ୍ତିକ ନ ଥିଲା-। ସମଗ୍ର ମାନବସମାଜର ସର୍ବତୋମୁଖୀ କଲ୍ୟାଣର ଭାବନା ଏଥିରେ ଅନ୍ତର୍ନିହିତ ଥିଲା ।

ଅହିଂସା

ଅହିଂସାର ଆବଶ୍ୟକତା ବୁଝାଇବାକୁ ଯାଇ ଆଚାରଙ୍ଗ ସୂତ୍ରରେ କୁହାଯାଇଛି–‘‘ସମସ୍ତଙ୍କୁ ନିଜ ନିଜର ଜୀବନ ପ୍ରିୟ ଅଟେ; ସମସ୍ତେ ସୁଖ ଚାହାନ୍ତି, ଦୁଃଖ କେହି ଚାହେଁନାହିଁ, ବଧ ହେବାକୁ କେହି ଚାହେଁନାହିଁ, ସମସ୍ତଙ୍କୁ ଜୀବନ ପ୍ରିୟ ଏବଂ ପ୍ରତ୍ୟେକ ବଞ୍ଚିରହିବାକୁ ଚାହେଁ ।” ତେବେ କ’ଣ କରିବା ଦରକାର ? ଦୁଃଖକୁ ସେ ବୁଝିଛି, ସେ ଦୁଃଖକୁ ଅହିତକାରୀ ବୋଲି ଜାଣେ । ଯେପରି ସେ ନିଜର ସୁଖ-ଦୁଃଖକୁ ଜାଣେ, ସେହିପରି ଅନ୍ୟର ସୁଖ-ଦୁଃଖକୁ ମଧ୍ୟ ବୁଝିପାରେ । ଯେପରି ଅନ୍ୟର ସୁଖ-ଦୁଃଖକୁ ହୃଦୟଙ୍ଗମ କରେ, ସେହପରି ମଧ୍ୟ ନିଜର ସୁଖ-ଦୁଃଖକୁ ବୁଝେ ।’’ ଅର୍ଥାତ୍‌, ଯାହା ନିଜ ସ୍ଵାର୍ଥର ପ୍ରତିକୂଳ ତାହାକୁ ମଧ୍ୟ ଅନ୍ୟର ସ୍ଵାର୍ଥର ପ୍ରତିକୂଳ ବୋଲି ହୃଦୟଙ୍ଗମ କରିବା ଉଚିତ; ଯାହା ନିଜ ପାଇଁ ସୁଖକର ତାହା ଅନ୍ୟ ପାଇଁ ମଧ୍ୟ ସୁଖକର ବୋଲି ବୁଝିବା ଉଚିତ । ଏହି ଅଭିଜ୍ଞାନ ଅହିଂସାର ଆଧାରଶିଳା ।

ଜୈନ ଶାସ୍ତ୍ରମାନଙ୍କରେ ଅହିଂସା ସହିତ ସଂଯମ ତଥା ତପକୁ ମଧ୍ୟ ଉତ୍କୃଷ୍ଟ ଧର୍ମ ବୋଲି କୁହାଯାଇଛି । ସଂଯମ ଅର୍ଥ ନିଜର ମନ ଉପରେ ତଥା ଇନ୍ଦ୍ରିୟମାନଙ୍କ ଉପରେ ଅଙ୍କୁଶ ରଖିବା । ପୃଥିବୀରେ ଏପରି ଅନେକ ପ୍ରଲୋଭନ ଅଛି ଯାହା ମଣିଷ ମନରେ ଦ୍ଵନ୍ଦ୍ୱ ସୃଷ୍ଟି କରେ, ନିଜର ସଂକଳ୍ପପଥରୁ ମଣିଷକୁ ଓହରାଇ ଆଣେ ଏବଂ ସେ ନିଜର ଭାରସାମ୍ୟ ହରାଇବସେ । ଏହାର ଫଳଶ୍ରୁତି-ସ୍ଵରୂପ ନିଜର ଅଭିଳାଷ ପୂର୍ଣ୍ଣ କରିବା ନିମିତ୍ତ ସେ ବିଭିନ୍ନ ଛଳ-କପଟତା ଆଚରଣ କରେ-। କେବେ କ୍ରୋଧ, କେବେ ଅଭିମାନ, କେବେ ମାୟା, କେବେ ବା ଲୋଭର ବଶବର୍ତ୍ତୀ ହୋଇ ସେ ଅନ୍ୟ ପାଇଁ ଗାତ ଖୋଳେ, ଅସହିଷ୍ଣୁତା ତଥା ସ୍ଵାର୍ଥର ବଶବର୍ତ୍ତୀ ହୋଇ ଯାହା ଅକରଣୀୟ ତାହା କରିବସେ । ଏତଦ୍ଦ୍ୱାରା ଅନ୍ୟକୁ କଷ୍ଟ ହୁଏ ଏବଂ ସମାଜରେ ଅନୀତିର ବାତାବରଣ ଖେଳିଯାଏ-। ମନର ଏତାଦୃଶ ବୃତ୍ତିକୁ କୁହାଯାଏ ହିଂସା ।

ସଂଯମ ବିନା ଅହିଂସା ପାଳନ ସମ୍ଭବ ନୁହେଁ ଏବଂ ସଂଯମ ପାଇଁ ତପ ତଥା ତ୍ୟାଗର–ଅପରିଗ୍ରହର-ବିଶେଷ ଆବଶ୍ୟକତା ରହିଛି । ଭଗବାନ ମହାବୀରଙ୍କର ତପର ଲକ୍ଷ୍ୟ ନିଛକ ଶୁଷ୍କ ଶରୀର ଦମନ ନଥିଲା; ଲୌକିକ ଯଶ ଅଥବା କୀର୍ତ୍ତି-ଲାଭର ଆକାଂକ୍ଷା ପ୍ରଣୋଦିତ ହୋଇ ମଧ୍ୟ ସେ ତପ-ମାର୍ଗ ଅବଲମ୍ବନ କରିନଥିଲେ । ତାଙ୍କର ଶାରୀରିକ କଠୋର ସାଧନା ପଛରେ ଏକମାତ୍ର ଉଦ୍ଦେଶ୍ୟ ଥିଲା ନିଜର ଶରୀରକୁ ଆରାମର ଏକ ସାମଗ୍ରୀରେ ପରିଣତ ନ କରି ଆରାମକୁ ତ୍ୟାଗ କରିବା । ମାନସିକ ସାଧନାର ଲକ୍ଷ୍ୟ ମଧ୍ୟ ଥିଲା ନିଜର ମନ ତଥା ଇନ୍ଦ୍ରିୟ ଉପରେ ନିୟନ୍ତ୍ରଣ ଜାରି କରି ମାନସିକ ହିଂସାରୁ ନିଜକୁ ରକ୍ଷା କରିବା । ତପ ସମ୍ବନ୍ଧରେ ଦିଗମ୍ବର ତଥା ଶ୍ଵେତାମ୍ବର ନିର୍ବିଶେଷରେ ସମସ୍ତ ଆଚାର୍ଯ୍ୟ ସମସ୍ଵରରେ ଘୋଷଣା କରନ୍ତି: ‘‘ନଗ୍ନ ରହି ଅଥବା ପଞ୍ଚାଗ୍ନି ତପସାଧନ କରିବା ଦ୍ଵାରା ପ୍ରକୃତ ତପସାଧନ ହୁଏ ନାହିଁ; ଜ୍ଞାନପୂର୍ବକ ଆଚରଣ ଦ୍ଵାରା ହିଁ ପ୍ରକୃତ ତପ ଆଚରଣ କରାଯାଇଥାଏ ।”

ଅପରିଗ୍ରହ

ଅହିଂସାକୁ ଅଧିକ ବ୍ୟାବହାରିକ କରିବା ପାଇଁ ଅପରିଗ୍ରହର ଆବଶ୍ୟକତା ରହିଛି । ଅପରିଗ୍ରହ ଅର୍ଥ କେବଳ ବସ୍ତ୍ର ଆଦି ତ୍ୟାଗ କରିଦେବା ନୁହେଁ; ତା’ ଅର୍ଥ ମମତ୍ଵର ତ୍ୟାଗ । ଯେଉଁ ବସ୍ତୁରୁ ଅତି କମ୍‌ରୁ କମ୍‌ ଯେତିକି ଗ୍ରହଣ ନକଲେ ନଚଳେ, ସେତିକି ଗ୍ରହଣ କରିବାର ନାମ ଅପରିଗ୍ରହ । ପୃଥିବୀର ସବୁ ସଂଘର୍ଷ, ସବୁ କନ୍ଦଳ ପଛରେ ରହିଛି ନିଜପାଇଁ ସଂଗ୍ରହ କରିବାର ମନୋବୃତ୍ତି ।

 

ପ୍ରତ୍ୟେକ ଚାହୁଁଛି କିପରି ସେ ନିଜ ପାଇଁ ଅଧିକରୁ ଅଧିକ ସଞ୍ଚୟ କରି ଅଧିକ ଶକ୍ତିଶାଳୀ ଓ ଅଧିକ ସୁଖୀ ହେବ । ଏଇ ଭାବନାରୁ ଆରମ୍ଭ ହୋଇଯାଏ ଛଡ଼ାପଡ଼ା, ଦ୍ଵନ୍ଦ୍ଵ, ଯୁଦ୍ଧ ଏବଂ ଏହାର ନାମ ହିଂସା । ଚକ୍ରବର୍ତ୍ତୀ ରାଜାମାନଙ୍କର ଦିଗ୍‌ବିଜୟ ପାଇଁ ପ୍ରଚେଷ୍ଟା–ପୃଥିବୀର ଗୋଟିଏ ପାଖରୁ ଆରପାଖ ପର୍ଯ୍ୟନ୍ତ, ସମୁଦ୍ରର ଆରପାରି ପର୍ଯ୍ୟନ୍ତ ନିଜ କରକବଳିତ କରି ଚକ୍ରବର୍ତ୍ତୀ ରାଜାର ଉପାଧି ପାଇବାର ଲାଳସା କ୍ଷମତା-ଲୋଲୁପତା ନୁହେଁ ତ ଆଉ କ’ଣ ? ବାସ୍ତବିକ ଯଦି ପରିଗ୍ରହ-ଲାଳସା ଉପରେ ଅଙ୍କୁଶ ଲଗାନଯାଏ, ତେବେ ପୃଥିବୀ ଉପରେ ଚଳପ୍ରଚଳ ହେବା ମଧ୍ୟ ଦୁଃସାଧ୍ୟ ହୋଇପଡ଼ିବ । ବାଇବେଲ୍‌ରେ ଗୋଟିଏ କାହାଣୀ ଅଛି । ଯୀଶୁଖ୍ରୀଷ୍ଟ କୌଣସି ଜଣେ ଧନାଢ଼୍ୟ ବ୍ୟକ୍ତିକୁ ଧର୍ମୋପଦେଶ ଦେବାକୁ ଯାଇ କହିଲେ–‘‘ଯଦି ତୋର ଦିବ୍ୟ-ଜୀବନ ଲାଭ କରିବାକୁ ଇଚ୍ଛା ଅଛି ତେବେ ହିଂସା କରିବା ଛାଡ଼ିଦେ, ପର ସ୍ତ୍ରୀଆଡ଼କୁ ମୁହଁ ଉଠାଇକରି ସୁଦ୍ଧା ଚାହାଁନା, ଚୋରି କରିବା ଛାଡ଼ିଦେ, ମିଛ କହିବା ଛାଡ଼ିଦେ, ତୋର ବାପ-ମା’ଙ୍କୁ ଆଦର କର ଏବଂ ପଡ଼ୋଶୀକୁ ପ୍ରେମ କରି ଶିଖ ।” ଯୀଶୁଙ୍କ କଥା ଶୁଣି ସେ ବ୍ୟକ୍ତି କିଛି ସମୟ ଚୁପ୍‌ ରହିଲା ପରେ କହିଲା, “ପ୍ରଭୋ ! ଏ ଆଦର୍ଶ ତ ମୁଁ ପିଲାଟିବେଳୁ ପାଳନ କରିଆସୁଛି-।” ଯିଶୁ କହିଲେ, ‘‘ଯଦି ଏପରି କଥା, ତେବେ ଯା, ନିଜର ସମସ୍ତ ସମ୍ପତ୍ତି ବିକ୍ରି କରିଦେଇ ଯାହା ପାଇବୁ ତାହା ଗରିବମାନଙ୍କ ମଧ୍ୟରେ ବାଣ୍ଟିଦେ । ଏପରି କଲେ ତୋର ଦିବ୍ୟଜ୍ଞାନ ପ୍ରାପ୍ତି ହେବ-।’’ ମାତ୍ର ଆମେ କ’ଣ ଆମ୍ଭର ଧର୍ମାଚାର୍ଯ୍ୟମାନଙ୍କର ଉପଦେଶରୁ କିୟଦଂଶ ମଧ୍ୟ ମାନି ଚଳିବାକୁ ପ୍ରସ୍ତୁତ ?

 

ଜୈନସୂତ୍ରମାନଙ୍କରେ ସ୍ଥାନେ ସ୍ଥାନେ ଅନ୍ତରଙ୍ଗ ଶୁଦ୍ଧି ଉପରେ ଗୁରୁତ୍ଵ ଆରୋପ କରାଯାଇ ବାହ୍ୟ ଶୁଦ୍ଧିକୁ ଅନ୍ତରଙ୍ଗ ଶୁଦ୍ଧିର ଏକ ସାଧନ ରୂପେ ଗ୍ରହଣ କରାଯାଇଛି । ସୂତ୍ରକୃତାଙ୍ଗ ଏବଂ ସମୟସାରରେ ଉଲ୍ଲେଖ ଅଛି । ‘‘ଜଣେ ନଗ୍ନ ଅବସ୍ଥାରେ ରହିଥାଇପାରେ ଏବଂ ମାସ ମାସ ଧରି ଉପବାସ କରୁଥାଇପାରେ; କିନ୍ତୁ ଯଦି ତା’ ମନରେ ମାୟା ରହିଥାଏ ତେବେ ତା’ର ସିଦ୍ଧିପ୍ରାପ୍ତି ଅସମ୍ଭବ ।” ଭଗବାନ ମହାବୀର ନିଜର ଶିଷ୍ୟମାନଙ୍କୁ କହିଲେ । ‘‘ହେ ଶ୍ରମଣ ! ପ୍ରଥମେ ନିଜ ସହିତ ସଂଗ୍ରାମ ଚଳାଅ, ଆତ୍ମଶୁଦ୍ଧି ଦିଗରେ ଯତ୍ନଶୀଳ ହୁଅ, ବାହ୍ୟ ଯୁଦ୍ଧ ଅର୍ଥହୀନ ।” ପୁନଶ୍ଚ ‘‘କୌଣସି ବସ୍ତୁ ନ ପାଇଲେ ତା’ ପ୍ରତି ବୀତସ୍ପୃହ ହୋଇଯିବା ତ୍ୟାଗ ନୁହେଁ । ସୁନ୍ଦର ଏବଂ ପ୍ରିୟବୋଧ ହେଉଥିବା ବସ୍ତୁ ହାତପାହାନ୍ତାରେ ଥାଇ ମଧ୍ୟ ତା’ ପ୍ରତି ଆସକ୍ତି ନ ଜମିବା ହିଁ ପ୍ରକୃତ ତ୍ୟାଗ ଅଟେ’’ (ଦଶବୈକାଳିକ) । ଏହାର ତାତ୍ପର୍ଯ୍ୟ ହେଲା, ପରିଗ୍ରହ ହିଂସାର ସାଧନ ହୋଇଥିବାରୁ ତ୍ୟାଜ୍ୟ ଅଟେ ।

 

ଅନେକାନ୍ତବାଦ

 

ଅପରିଗ୍ରହ ପରି ଅନେକାନ୍ତବାଦ ମଧ୍ୟ ଅହିଂସାର ଏକ ଉପସିଦ୍ଧାନ୍ତ ଅଟେ । ଅହିଂସାର ଏହା ବୌଦ୍ଧିକ ରୂପ । ଯେପରି ଅହିଂସକ ବୃତ୍ତି–ଅପ୍ରମାଦ ଭାବ–ପାଳନ କରିବା ନିମିତ୍ତ ଅପରିଗ୍ରହ–ମମତ୍ଵବୋଧ ତ୍ୟାଗର ଆବଶ୍ୟକତା ରହିଛି, ସେହିଭଳି ଅହିଂସାକୁ ସ୍ଥାୟୀ କରିବା ନିମିତ୍ତ ଅନେକାନ୍ତବାଦର ଆବଶ୍ୟକତା ରହିଛି । ଏ ସମସ୍ତ ବିଷୟ ଏତେ ଜଟିଳ ଅଟେ ଯେ, ଆମେ ପ୍ରଯତ୍ନ କଲେ ମଧ୍ୟ ତାକୁ ବୁଝିବା କଷ୍ଟକର । ଏହାର କେବଳ ଗୋଟିଏ ଅଂଶ ଆମେ ବୁଝିପାରୁ । ଜୈନ ଆଗମ ଗ୍ରନ୍ଥମାନଙ୍କରେ ସେହି ଗୋଟିଏ ବସ୍ତୁକୁ ଦ୍ରବ୍ୟ ଅପେକ୍ଷା ଏକ, ଜ୍ଞାନ-ଦର୍ଶନ ଅପେକ୍ଷା ଅନେକ ତଥା ଯେକୌଣସି ଅପେକ୍ଷାଠାରୁ ଅସ୍ତି, ନାସ୍ତି ଏବଂ ଅବକ୍ତବ୍ୟ ରୂପରେ ପ୍ରତିପାଦିତ କରାଯାଇଛି । ଜାମାଳିଙ୍କର ସନ୍ଦେହ ଦୂର କରିବାକୁ ଯାଇ ଭଗବତୀ-ସୂତ୍ରରେ ମହାବୀର ଭଗବାନ ଜୀବ ଏବଂ ଲୋକକୁ କୌଣସି କୌଣସି ଅପେକ୍ଷାଠାରୁ ଶାଶ୍ଵତ ତଥା କୌଣସି କୌଣସି ଅପେକ୍ଷାଠାରୁ ଅଶାଶ୍ଵତ ବୋଲି ଅଭିହିତ କରିଛନ୍ତି ।

 

ଏହି ବିଶ୍ଵର ଅନ୍ତହୀନ ରହସ୍ୟ ତଥା ଦାର୍ଶନିକ ସିଦ୍ଧାନ୍ତସମୂହ ଦୂରେ ଥାଉ, ବହୁ ଛୋଟ ଛୋଟ ତତ୍ତ୍ଵକୁ ମଧ୍ୟ ଆମେ ସଠିକ୍‌ ପରିପ୍ରେକ୍ଷୀରେ ବୁଝିବାକୁ ସକ୍ଷମ ନୋହୁଁ । ଆମର ଦୈନନ୍ଦିନ ଜୀବନରେ ଆମେ ଏପରି ଅନେକ ଘଟଣାର ସମ୍ମୁଖୀନ ହୋଇଥାଉ, ଯେଉଁ କ୍ଷେତ୍ରରେ କି ଆମକୁ ବିରୋଧ କରୁଥିବା ବ୍ୟକ୍ତିର କଥା ବୁଝିବାକୁ ଆମେ ଅସମର୍ଥ ହେଉ–ଏପରି କି ତା’ କଥା ଶୁଣିବାକୁ ସୁଦ୍ଧା ଆମର ଧୈର୍ଯ୍ୟ ନ ଥାଏ । ଏଥିପାଇଁ ଆମର ପୂର୍ବ ଆଗ୍ରହ ଏବଂ ଆମ ମନୋରାଜ୍ୟରେ ବସା ବାନ୍ଧିଥିବା ବହୁ ଜ୍ଞାତ-ଅଜ୍ଞାତ, ରାଗ-ଦ୍ଵେଷ-ଜନିତ ବୃତ୍ତି ହିଁ ଦାୟୀ । ଉପରୋକ୍ତ ପରିସ୍ଥିତିର ସମ୍ମୁଖୀନ ହୋଇ ଆମେ ଯେଉଁ ଯୁକ୍ତି ନିଜ ସପକ୍ଷରେ ଦେଇଥାଉ ତାହା ଆମର ବୁଦ୍ଧିକୁ ହିଁ ଅନୁସରଣ କରିଥାଏ । ଏ ବୁଦ୍ଧି ଆମର ପୂର୍ବରୁ ହୋଇଥିବା କେତେକ ବଦ୍ଧମୂଳ ଧାରଣା ଉପରେ ପର୍ଯ୍ୟବସିତ । ମୁହୂର୍ତ୍ତକ ପାଇଁ ଆମେ ଭୁଲିଯାଉ ଯେ ବିରୋଧୀ ପକ୍ଷର କଥାରେ ମଧ୍ୟ କିଛି ସତ୍ୟତା ଥାଇପାରେ । ଏତାଦୃଶ ଏକାଙ୍ଗୀ ମନୋବୃତ୍ତିର ପରିଣାମ ସ୍ଵରୂପ ହିଂସାର ବିଭିନ୍ନ ରୂପ ଯଥା: କ୍ରୋଧ, ଅନ୍ଧାନୁସରଣ ତଥା ସଂଘର୍ଷର ଶିକାର ହେବାକୁ ପଡ଼େ । ଏହି ତଥ୍ୟ ବୁଝାଇବା ପାଇଁ ଅନେକାନ୍ତବାଦର ଅବତାରଣା କରାଯାଇଛି । ଅନେକାନ୍ତବାଦ ଅର୍ଥ ଏକାନ୍ତ ଦୃଷ୍ଟିକୋଣ ତ୍ୟାଗ–ବୌଦ୍ଧିକ ସହିଷ୍ଣୁତା–ମାନସିକ ଅହିଂସା । ଏହାର ତାତ୍ପର୍ଯ୍ୟ ହେଲା କେବଳ ଅହିଂସା ଭାବନାରେ–ଅପ୍ରମତ୍ତ ଭାବନାରେ ବ୍ୟବହାର କରିବା ଯଥେଷ୍ଟ ନୁହେଁ । ଏହି ଭାବନାକୁ ବୁଦ୍ଧି-ସଂଗତ କରିବାର ଆବଶ୍ୟକତା ରହିଛି । ଏହା ମନୋବୃତ୍ତିର ଅଧିକାରୀ ହେବା ନିମିତ୍ତ ଉପଶମ ଭାବର–ସାମ୍ୟଭାବର ଆବଶ୍ୟକତା ରହିଛି । ଏଥିନିମିତ୍ତ ପୁନଶ୍ଚ ଆଗ୍ରହ ତ୍ୟାଗ କରି ନିରପେକ୍ଷ ଭାବ ନେଇ ଅନ୍ୟର ଦୃଷ୍ଟିକୋଣକୁ ବୁଝିବାର ଆବଶ୍ୟକତା ରହିଛି । ତା’ ବକ୍ତବ୍ୟର ପୂର୍ବାପର ସଂଗତି ସ୍ଥାପନ କରି ତାକୁ ଅପେକ୍ଷିତଭାବେ ବୁଝିବାର ପ୍ରୟୋଜନୀୟତା ରହିଛି । ଅତଏବ ଅନେକାନ୍ତ ବାଦୀକୁ ସହିଷ୍ଣୁ ହେବାକୁ ପଡ଼ିବ–ନିଜର ରାଗ ଅଥବା ଦ୍ଵେଷରୁ ଉତ୍ପନ୍ନ ମନୋବୃତ୍ତି ଉପରେ ନିୟନ୍ତ୍ରଣ ଜାରି କରିବାକୁ ପଡ଼ିବ । କେବଳ ଏହି ବାଟରେ ହିଁ ସେ ଅନ୍ୟର ବକ୍ତବ୍ୟକୁ ବିଶେଷ କରି ବିରୋଧୀ ଦର୍ଶନକୁ ଠିକ୍‌ଭାବେ ହୃଦୟଙ୍ଗମ କରିପାରିବ ଏବଂ ମଧ୍ୟସ୍ଥ ଭାବନା ନେଇ ବିରୋଧୀ ଭାବସମୂହ ଭିତରେ ସମନ୍ଵୟ ସ୍ଥାପନ କରିପାରିବ । ଏହି ମଧ୍ୟସ୍ଥ ଭାବକୁ ସମସ୍ତ ଶାସ୍ତ୍ରର ଗୂଢ଼ ରହସ୍ୟ ବା ନିର୍ଯାସ କୁହାଯାଇଛି । ମଧ୍ୟସ୍ଥ-ଭାବ ଆସିଗଲେ ପଦେ ଶାସ୍ତ୍ରଜ୍ଞାନ ମଧ୍ୟ ଯଥେଷ୍ଟ; ଅନ୍ୟଥା ଲକ୍ଷ ଲକ୍ଷ ଶାସ୍ତ୍ର ଅଧ୍ୟୟନ ମୂଲ୍ୟହୀନ ଅଟେ । ପୂର୍ଣ୍ଣସତ୍ୟ ଅବକ୍ତବ୍ୟ, ତାହା ପ୍ରକାଶ କରାଯାଇ ନ ପାରେ; କେବଳ ଭିନ୍ନ ଭିନ୍ନ ଦ୍ରବ୍ୟ, କ୍ଷେତ୍ର, କାଳ ଏବଂ ଭାବକୁ ନେଇ ତଥା ନିଜ ନିଜ ରୁଚି ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତି ସତ୍ୟକୁ ହୃଦୟଙ୍ଗମ କରିବାକୁ ଯତ୍ନ କରେ । ଏହି ଦୃଷ୍ଟିରୁ ଅନେକାନ୍ତବାଦ ଅହିଂସାର ଏକ ଆନୁଷଙ୍ଗିକ ତତ୍ତ୍ଵ ଅଟେ ।

 

କର୍ମସିଦ୍ଧାନ୍ତ

 

କର୍ମସିଦ୍ଧାନ୍ତ ମଧ୍ୟ ଅହିଂସା-ଶିଙ୍କୁଳିର ଏକ ମହତ୍ତ୍ୱପୂର୍ଣ୍ଣ କଡ଼ି ଅଟେ । ଏହି ସିଦ୍ଧାନ୍ତ ଆମକୁ ସ୍ଵାବଲମ୍ବନ ଶିଖାଇଥାଏ । ‘‘ଯେପରି କାମ କରିବ, ସେପରି ଫଳ ପାଇବ; ଯେପରି ମଞ୍ଜି ବୁଣିବ, ସେପରି ଗଛ ଉଠିବ । ଯଦି ଭଲ କାମ କରିବ ତେବେ ଭଲ ଫଳ ମିଳିବ, ଖରାପ କାମ କଲେ ଖରାପ ଫଳ ମିଳିବ । କୌଣସି ପରିସ୍ଥିତିରେ ମଧ୍ୟ କର୍ମଫଳରୁ ଜଣେ ତ୍ରାହି ପାଇପାରିବ ନାହିଁ ।” ସଂକ୍ଷେପରେ ଏହା ହିଁ କର୍ମସିଦ୍ଧାନ୍ତ । ଆମ ମନରେ ଯେତେବେଳେ କୌଣସି ସୁଭାବନା ଅଥବା କୁଭାବନା ଉଦ୍ରେକ ହୋଇଥାଏ, ତାହା ମନରେ କ୍ରିୟା ସଂଚାର କରିଥାଏ । ଫଳତଃ, ଠିକ୍‌ ଯେପରି ତୈଳାକ୍ତ ଶରୀର ଉପରେ ଧୂଳିକଣା ଜମିଯାଏ, ସେହିପରି ଜଡ଼ କର୍ମ ଚେତନ ଆତ୍ମା ସହିତ ସଂଯୁକ୍ତ ହୁଏ । କର୍ମର ଏହି ବନ୍ଧନକୁ ପ୍ରତିରୋଧ କରିବା ଉଚିତ । କର୍ମବନ୍ଧନରୁ ତ୍ରାହି ପାଇବା ନିମିତ୍ତ ସଂଯମ, ତପ, ତ୍ୟାଗ ତଥା ଆତ୍ମବଳିର ଆବଶ୍ୟକତା ରହିଛି । କର୍ମ-ନିରୋଧ ପରେ ଯେତେ ଯେତେ ଆମେ ଆତ୍ମଶୁଦ୍ଧି ଦିଗରେ ଅଗ୍ରସର ହେଉ, କର୍ମ ସେତେ ସେତେ କ୍ଷୟପ୍ରାପ୍ତ ହୁଏ ଏବଂ ସମସ୍ତ କର୍ମ ନଷ୍ଟ ହୋଇଯିବା ପରେ ପରମପଦ ପ୍ରାପ୍ତି ହୁଏ–ଜନ୍ମ-ମରଣରୁ ମୁକ୍ତି ମିଳେ ଏବଂ ଆତ୍ମା ପରମାତ୍ମାରେ ପରିଣତ ହୋଇ ଅନନ୍ତ ଜ୍ଞାନ, ଅନନ୍ତ ଦର୍ଶନ, ଅନନ୍ତ ସୁଖ ତଥା ଅନନ୍ତ ବୀର୍ଯ୍ୟର ଅଧିକାରୀ ହୁଏ ।

 

ଭଗବାନ ମହାବୀର ଜୀବନରେ କର୍ମର ଗୁରୁତ୍ଵ ପ୍ରତିପାଦନ କରିବାକୁ ଯାଇ କହନ୍ତି ଯେ ମନୁଷ୍ୟ ସ୍ଵକର୍ମବଳରେ, ସ୍ଵପୁରୁଷାର୍ଥ ମାଧ୍ୟମରେ ସବୁ କିଛି ସାଧନ କରିପାରେ–ଉଚ୍ଚରୁ ଉଚ୍ଚତର ପଦ ପାଇପାରେ । ନିଜେ ନିଜର ଭାଗ୍ୟବିଧାତା । ଏଥିପାଇଁ କୌଣସି ବାହ୍ୟଶକ୍ତି, କୌଣସି ଦୈବୀଶକ୍ତି ଉପରେ ନିର୍ଭର କରିବାର ଆବଶ୍ୟକତା ନାହିଁ । ଏହା ବିଶ୍ଵର ସୃଷ୍ଟିକର୍ତ୍ତା ଓ ଆମର ସମସ୍ତ ଶୁଭ, ଅଶୁଭ କର୍ମର ଫଳଦାତାରୂପେ ପରିକଳ୍ପିତ ଏବଂ ସ୍ଵତନ୍ତ୍ର, ନିତ୍ୟ ବିରାଜମାନ ତଥା ସର୍ବବ୍ୟାପୀରୂପେ ସ୍ଵୀକୃତ ଈଶ୍ୱରଙ୍କର ଜୈନଧର୍ମରେ କୌଣସି ସ୍ଥାନ ନାହିଁ । ମନୁଷ୍ୟ ଯେତେବେଳେ ମିଥ୍ୟାତ୍ଵ, ଅବିରତ, ପ୍ରମାଦ, କଷାୟ ଏବଂ ଯୋଗରୁ ମୁକ୍ତ ହୋଇଯାଏ ଏବଂ ଯେତେବେଳେ ତା’ କର୍ମର ବିନାଶ ଘଟେ; ସେତେବେଳେ ଆତ୍ମ-ବିକାଶର ସେହି ପରମୋଚ୍ଚ ଦଶାକୁ–ଈଶ୍ୱରୀୟ ସ୍ଥିତିକୁ ସେ ପ୍ରାପ୍ତ ହୁଏ । କର୍ମସିଦ୍ଧାନ୍ତ ପରାବଲମ୍ବନ ଭାବନାର ନିରାକରଣ କର ତା’ ସ୍ଥାନରେ ଆମକୁ ପୁରୁଷାର୍ଥୀ ହେବାର ପ୍ରେରଣା ଯୋଗାଏ ।

 

କର୍ମର ପ୍ରାଧାନ୍ୟ

 

କର୍ମକୁ ପ୍ରାଧାନ୍ୟ ଦେଲେ ଜନ୍ମ ଅଥବା ଜାତି ତାତ୍ପର୍ଯ୍ୟହୀନ ବୋଧହୁଏ । ସମ୍ୟକ୍‌ ଦର୍ଶନସମ୍ପନ୍ନ ଚାଣ୍ଡାଳକୁ ବନ୍ଦନୀୟ ବୋଲି କୁହାଯାଇଛି । କାରଣ ମହାବୀରଙ୍କର ଉପଦେଶରେ କର୍ମକୁ ହିଁ ପ୍ରାଧାନ୍ୟ ଦିଆଯାଇଛି; ଜାତିକୁ ନୁହେଁ । ରାଜା ଶ୍ରେଣୀକ ସ୍ଵୟଂ ଉଚ୍ଚ ଆସନ ଉପରେ ଉପବେଶନ କରି କୌଣସି ଜଣେ ଚାଣ୍ଡାଳଠାରୁ କିଛି ବିଦ୍ୟା ଶିକ୍ଷା କରିବାକୁ ଚାହୁଁଥିଲେ । ମାତ୍ର ଯେପର୍ଯ୍ୟନ୍ତ ସେ ଚାଣ୍ଡାଳକୁ ଉଚ୍ଚ ଆସନ ଦେଇ ନିଜେ ତା’ ସ୍ଥାନରେ ଉପବେଶନ ନ କରିଥିଲେ, ସେପର୍ଯ୍ୟନ୍ତ ସେ ଉକ୍ତ ବିଦ୍ୟାରେ ସିଦ୍ଧିଲାଭ କରିପାରିନଥିଲେ । ଜୟୁଘୋଷ ମୁନି ଯେତେବେଳେ ବିଜୟଘୋଷ ବ୍ରାହ୍ମଣଙ୍କର ଯନ୍ତ୍ରଣାଶାଳାରେ ଭିକ୍ଷା ପାଇଁ ପ୍ରବେଶ କଲେ, ସେତେବେଳେ ଉକ୍ତ ବ୍ରାହ୍ମଣ ତାଙ୍କୁ କହିଲେ ଯେ, ତାଙ୍କର ଯଜ୍ଞଶାଳାରେ କେବଳ ବେଦପାଠୀ ବ୍ରାହ୍ମଣମାନଙ୍କୁ ଭିକ୍ଷା ମିଳିବ । ତାପରେ ଜୟଘୋଷ ମୁନି ଯାହା ଉପଦେଶ ଦେଲେ ତାହା ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ । ସେ କହିଲେ: ‘‘ଯେଉଁ ବ୍ୟକ୍ତି ରାଗ, ଦ୍ଵେଷ ଏବଂ ଭୟ ଉପରେ ବିଜୟଲାଭ କରିଅଛି, ଯେଉଁ ବ୍ୟକ୍ତି ସଦାଚାରୀ, ତପସ୍ଵୀ ଏବଂ ଜିତେନ୍ଦ୍ରିୟ ଅଟେ, ଯେ ହିଂସା କରେ ନାହିଁ, ଅସତ୍ୟ କହେ ନାହିଁ, ତାକୁ କୌଣସି ବସ୍ତୁ ସ୍ଵେଚ୍ଛାରେ ଦିଆ ନ ଯିବା ପର୍ଯ୍ୟନ୍ତ ପରଦ୍ରବ୍ୟ ଭାବି ତାହା ଯେ ଗ୍ରହଣ କରେନାହିଁ, କାମ-ଭୋଗରେ ଯେ ଲିପ୍ତ ରହେନାହିଁ, ତାକୁ ବ୍ରାହ୍ମଣ କୁହାଯାଏ । ଓଁ କାର ଜପ କରିବାମାତ୍ରେ କେହି ବ୍ରାହ୍ମଣ ହୋଇଯାଏ ନାହିଁ, ଶିର ମୁଣ୍ଡନ କରିଦେବାମାତ୍ରେ କେହି ବ୍ରାହ୍ମଣ ହୋଇଯାଏ ନାହିଁ, ବନରେ ବାସକରିବା ସଙ୍ଗେ ସଙ୍ଗେ କେହି ମୁନି ହୋଇଯାଏ ନାହିଁ ଅଥବା କୁଶବସ୍ତ୍ର ପରିଧାନ କରିବା ସଙ୍ଗେ ସଙ୍ଗେ କେହି ତପସ୍ଵୀ ହୋଇଯାଏ ନାହିଁ । ସମତା ଭାବରୁ ଶ୍ରମଣ, ବ୍ରହ୍ମଚର୍ଯ୍ୟପାଳନ ଦ୍ଵାରା ବ୍ରାହ୍ମଣ, ଜ୍ଞାନ ହେତୁ ମୁନି ଏବଂ ତପ ଆଚରଣ ଦ୍ଵାରା ମାନବ ତପସ୍ଵୀ ବୋଲାଏ । ମନୁଷ୍ୟ ନିଜର କର୍ମ ହେତୁ ହିଁ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ତଥା ଶୂଦ୍ର ବୋଲାଏ ।” ଏହି ପରିପ୍ରେକ୍ଷୀରେ ବୈଦିକ ଯଜ୍ଞକୁ ସଂଯମ ତଥା ତପ ସହିତ ଯୋଡ଼ି ତା’ର ପରିଭାଷାକୁ ବଦଳାଇ ଦିଆଗଲା । ବେଦ ଅନୁସରଣ କରୁଥିବା ବ୍ରାହ୍ମଣକୁ ଲକ୍ଷ୍ୟ କରି କୁହାଯାଇଛି, ହେ ଯଜ୍ଞ କରୁଥିବା ବ୍ରାହ୍ମଣ ! ଏହି ଜଳକୁ ଶୁଦ୍ଧ ବୋଲି ଭାବି କାହିଁକି ବୃଥାରେ ବାହ୍ୟଶୁଦ୍ଧି ପଛରେ ଗୋଡ଼ାଇଛ ? ଦର୍ଭ, ଯଜ୍ଞ, ସ୍ତମ, ତୃଣ, କାଷ୍ଠ ଓ ଅଗ୍ନି ପ୍ରଭୃତିର ଉପଯୋଗ କରି ତଥା ସକାଳ ସନ୍ଧ୍ୟା ଶରୀରକୁ ଶୁଦ୍ଧ କରି ତୁମ୍ଭେମାନେ ଅଜ୍ଞାନବଶତଃ ଯଜ୍ଞରେ ପ୍ରାଣୀବଧ କରୁଛ । ଏହାଦ୍ଵାରା କେବଳ ତୁମର ପାପ ବୃଦ୍ଧି ହେବା ସାର ହେଉଛି ।” ‘‘ଇନ୍ଦ୍ରିୟ-ନିଗ୍ରହ ଦ୍ଵାରା ହିଁ ପ୍ରକୃତ ଯଜ୍ଞ ସାଧିତ ହୋଇଥାଏ । ତପ ଉକ୍ତ ଯଜ୍ଞର ଅଗ୍ନି; ଜୀବ ଅଗ୍ନିର ସ୍ଥାନ ଅଟେ; ମନ, ବଚନ ଓ କାୟା ଯଜ୍ଞପାତ୍ର ଅଟନ୍ତି; ଶରୀର ଉକ୍ତ ଅଗ୍ନିକୁ ଅଧିକ ପ୍ରଜ୍ଵଳିତ କରୁଥିବା ସାଧନ ଅଟେ, କର୍ମ ଇନ୍ଧନ ଅଟେ ତଥା ସଂଯମ ଶାନ୍ତିମନ୍ତ୍ର ଅଟେ । ଜିତେନ୍ଦ୍ରିୟ ପୁରୁଷ ଧର୍ମଜଳାଶୟରେ ସ୍ନାନ କରି, ବ୍ରହ୍ମଚର୍ଯ୍ୟ ରୂପୀ ଶାନ୍ତି ତୀର୍ଥରେ ପବିତ୍ର ହୋଇ ଶାନ୍ତି-ଯଜ୍ଞ କରେ । ଏହା ହିଁ ଯଜ୍ଞ ଅଟେ । ଏହା ହିଁ ଧର୍ମ ଅଟେ ।’’

Image

 

ଜୈନ ସଂସ୍କୃତିର ଅବଦାନ

 

ଭାରତରେ ଜୈନଙ୍କର ସଂଖ୍ୟା ବିଶେଷ ବେଶି ନୁହେଁ । ୧୯୭୧ ଜନଗଣନା ଅନୁଯାୟୀ ସର୍ବମୋଟ ୨୬ ଲକ୍ଷ ଜୈନଧର୍ମାବଲମ୍ବୀ ଭାରତରେ ଅଛନ୍ତି । ଏମାନଙ୍କର ସଂଖ୍ୟା ମୋଟ ଲୋକସଂଖ୍ୟାର ଶତକଡ଼ା ଅଧେରୁ ମଧ୍ୟ କମ୍‌ । ଜୈନଧର୍ମାବଲମ୍ବୀମାନେ ଚାରିଭାଗରେ ବିଭକ୍ତ–ଦିଗମ୍ବର, ଶ୍ଵେତାମ୍ବର, ସ୍ଥାନକବାସୀ ଏବଂ ତେରାପନ୍ଥ । ଦିଗମ୍ବରମାନେ ପ୍ରାୟଃ ଦକ୍ଷିଣ, ଉତ୍ତର ଏବଂ ମଧ୍ୟ-ଭାରତରେ ଏବଂ ଶ୍ୱେତାମ୍ବରମାନେ ଗୁଜରାତ, ରାଜସ୍ଥାନ, ମଧ୍ୟ-ଭାରତ, ପଞ୍ଜାବ-ହରିୟାଣାରେ ରହିଛନ୍ତି । ଅଧିକାଂଶ ଜୈନ ବ୍ୟବସାୟ-ବାଣିଜ୍ୟ କରିଥାନ୍ତି । ମହାରାଷ୍ଟ୍ର ଓ କର୍ଣ୍ଣାଟକରେ କେତେକ ଜୈନ ଚାଷ କରନ୍ତି । ବ୍ୟବସାୟୀ ହୋଇଥିବା ହେତୁ ସାମାଜିକ ତଥା ରାଜନୈତିକ କ୍ଷେତ୍ରରେ ସେମାନେ ବିଶେଷ ପ୍ରଭାବଶାଳୀ । ନିଜର ଉଦାରତା ତଥା ଦାନଶୀଳତା ପାଇଁ ସେମାନେ ପ୍ରସିଦ୍ଧ । ସେମାନଙ୍କର ଅନେକ ଶିକ୍ଷାୟତନ ତଥା ଆଶ୍ରମମାନଙ୍କରେ ମାଗଣା ଶିକ୍ଷା ଦିଆଯାଏ ଏବଂ ଚିକିତ୍ସାଳୟରେ ବିନାମୂଲ୍ୟରେ ଚିକିତ୍ସା କରାଯାଏ । ପୁରାକାଳରୁ ଜୈନମାନଙ୍କର ଶାସନ-ବ୍ୟବସ୍ଥା ସହିତ ସମ୍ବନ୍ଧ ରହିଆସିଛି । ହିନ୍ଦୁ ଏବଂ ମୁସଲମାନ ରାଜାମାନଙ୍କର ଶାସନକାଳରେ ସେମାନେ ମନ୍ତ୍ରୀ, ସେନାପତି, ଶ୍ରେଷ୍ଠୀ, କୋଷାଧ୍ୟକ୍ଷ, ଜହୁରୀ, ସାର୍ଥବାହ ଇତ୍ୟାଦି ପଦରେ କାର୍ଯ୍ୟ କରିଛନ୍ତି । ବାଦଶାହ ଆକ୍‌ବର ହୀରା ଉପଢ଼ୌକନ ଦେଇ ବିଜୟସୂଚୀଙ୍କୁ ‘ଧର୍ମଗୁରୁ’ ପଦରେ ସମ୍ମାନିତ କରି ତାଙ୍କର ଉପଦେଶ ଅନୁଯାୟୀ ପର୍ଯୂଷଣ ପର୍ବ (ଦଶଲକ୍ଷଣୀ) ଦିନମାନଙ୍କରେ ତାଙ୍କ ରାଜ୍ୟରେ ହିଂସା ନ କରିବାକୁ ଆଦେଶ ଜାରି କରିଥିଲେ । ରାଜସ୍ଥାନରେ ମୋଗଲସେନାଙ୍କର ହୃତ୍‌କମ୍ପ ଜାଗ୍ରତ କରୁଥିବା ମହାରଣା ପ୍ରତାପଙ୍କ ଶାସନକାଳରେ ସୁପ୍ରସିଦ୍ଧ ଭାମାଶାହ ତାଙ୍କ ପାଇଁ ସର୍ବସ୍ଵ ଅର୍ପଣ କରିବାର ପ୍ରସ୍ତାବ ଦେଇ ନିଜର ରାଷ୍ଟ୍ରଭକ୍ତିର ପରିଚୟ ଦେଇଥିଲେ । ଇତିହାସପ୍ରସିଦ୍ଧ ଏହି ଭାମାଶାହ ଜୈନ ଥିଲେ ।

 

ଲୌକିକ ସାହିତ୍ୟ ରଚନା

 

ଧର୍ମ, ସାହିତ୍ୟ ଏବଂ ନ୍ୟାୟ-ନୀତିର ପ୍ରଚାର ତଥା ପ୍ରସାର ଦିଗରେ ଜୈନ ଶ୍ରମଣମାନଙ୍କର ଅବଦାନ କଛି କମ୍‌ ନୁହେଁ । ଧର୍ମପ୍ରଚାର ପାଇଁ ଗ୍ରାମଗ୍ରାମାନ୍ତର ବିହାର କରୁଥିବା ଜୈନ ଶ୍ରମଣମାନଙ୍କର ସ୍ଵାଧ୍ୟାୟ ତଥା ପଠନପାଠନ ସର୍ବଦା ଚାଲୁରହୁଥିଲା । ଗୋଟିଏ ମୁହୂର୍ତ୍ତ ମଧ୍ୟ ସେମାନେ ଅଯଥା ନଷ୍ଟ କରୁ ନ ଥିଲେ । ଧାର୍ମିକ ଏବଂ ଲୌକିକ ବିଷୟମାନଙ୍କ ଉପରେ ଶତ ଶତ ଗ୍ରନ୍ଥ ରଚନା କରି ସେହି ଶ୍ରମଣମାନେ ପ୍ରାନ୍ତୀୟ ସାହିତ୍ୟଭଣ୍ଡାର ପୂର୍ଣ୍ଣ କରିଛନ୍ତି । ସେମାନଙ୍କ ସାହିତ୍ୟ-ସମ୍ଭାର ସେମାନଙ୍କର ଅଧ୍ୟୟନଶୀଳତା ଏବଂ ଅଧ୍ୟବସାୟୀ ପ୍ରବୃତ୍ତିର ପରିଚୟ ଦିଏ । କାବ୍ୟ, କୋଷ, ବ୍ୟାକରଣ, ଅଳଙ୍କାର ଏବଂ ଛନ୍ଦ-ଶାସ୍ତ୍ର ବ୍ୟତୀତ ସେହି ମହାପୁରୁଷଗଣ ଅର୍ଥଶାସ୍ତ୍ର, ବୈଦିକ, ଜ୍ୟୋତିଷ, ହସ୍ତରେଖା, ମନ୍ତ୍ର-ତନ୍ତ୍ର, ରତ୍ନ ପରୀକ୍ଷା, ପାକଶାସ୍ତ୍ର ଇତ୍ୟାଦି ବଡ଼ ଲୌକିକ ସମସ୍ୟା ଆଲୋଚନା କରିଥିବା ପାଣ୍ଡିତ୍ୟପୂର୍ଣ୍ଣ ଶାସ୍ତ୍ରମାନ ରଚନା କରିଯାଇଛନ୍ତି ।

 

କଥା-ସାହିତ୍ୟ ରଚନା

 

କଥା-ସାହିତ୍ୟ କ୍ଷେତ୍ରରେ ମଧ୍ୟ ଜୈନ ଶ୍ରମଣମାନେ ଅନନ୍ୟପ୍ରତିଭାର ପରିଚୟ ଦେଇଛନ୍ତି । ନିଜ କଥାକୁ ଉଦାହରଣ ଏବଂ ଦୃଷ୍ଟାନ୍ତ ଛଳରେ ଧାର୍ମିକ କଥା-କାହାଣୀ ରୂପେ ପ୍ରସ୍ତୁତ କରିବାର ପରମ୍ପରା ଭଗବାନ ମହାବୀରଙ୍କ ସମୟରୁ ଚାଲିଆସିଛି । ଜୈନ ଶ୍ରମଣମାନେ ନିଜର ଉପଦେଶକୁ ସରଳ, ବୋଧଗମ୍ୟ ଏବଂ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ କଥା ଓ କାହାଣୀର ଉପଯୋଗ କରୁଥିଲେ । ବହୁ ସମୟରେ ସେମାନେ ଧର୍ମ-କଥାକୁ ଶୃଙ୍ଗାରର ପୁଟ ଦେଇ ତାକୁ ରୁଚିକର କରିବାକୁ ଚେଷ୍ଟା କରୁଥିଲେ–ଠିକ୍‌ ଯେପରି ବୈଦ୍ୟ କଟୁତିକ୍ତ ଔଷଧକୁ ଗୁଡ଼ରେ ପାଗକରି ରୋଗୀକୁ ଦେଇଥାଏ । ଏହି ଦୃଷ୍ଟିରୁ ଜୈନ ଆଚାର୍ଯ୍ୟମାନେ ଅନେକ ଲୋକପ୍ରିୟ କଥା-ଗ୍ରନ୍ଥ ତଥା କଥାବୋଶ ରଚନା କରିଯାଇଛନ୍ତି; ଯାହାକି ତତ୍‌କାଳୀନ ସାମାଜିକ ଏବଂ ସାଂସ୍କୃତିକ ଜୀବନର ଅଧ୍ୟୟନ ଦୃଷ୍ଟିରୁ ଅତ୍ୟନ୍ତ ଉପଯୋଗୀ ଅଟେ ।

 

ଜ୍ଞାତାଧର୍ମକଥାରେ ଜ୍ଞାତପୁତ୍ର ମହାବୀରଙ୍କର ଧର୍ମକଥା ଅତ୍ୟନ୍ତ ସୁବୋଧ୍ୟ, ରୋଚକ ଶୈଳୀରେ ବର୍ଣ୍ଣନ କରାଯାଇଛି । ଅଣ୍ଡକ ଅଧ୍ୟୟନରେ ମୟୂରୀର ଦୁଇଟି ଅଣ୍ଡା ମାଧ୍ୟମରେ ଧର୍ମୋପଦେଶ ଦିଆଯାଇଛି ।

 

ଚମ୍ପାନଗରୀରେ ଜିନଦତ୍ତ ଏବଂ ସାଗରଦତ୍ତ ନାମରେ ଦୁଇଜଣ ସାର୍ଥବାହ ରହୁଥିଲେ । ଉଭୟଙ୍କର ଗୋଟିଏ ଗୋଟିଏ ପୁତ୍ର ଥିଲେ । ଏକଦା ଉଭୟଙ୍କର ପୁତ୍ରଦ୍ୱୟ ନଗରୀ ବାହାରେ ଥିବା ଏକ ଉଦ୍ୟାନକୁ ବିହାର କରିବା ନିମିତ୍ତ ଯାଇଥିଲେ । ସେଠାରେ ଏକ ମାଲୁକା-କୁଞ୍ଜରେ ଗୋଟିଏ ମୟୂରୀ ଅଣ୍ଡା ଦେଇଥିଲା । ସାର୍ଥବାହ-କୁମାରମାନଙ୍କର କଣ୍ଠସ୍ଵର ଶୁଣି ସେ ଡରିଗଲା ଏବଂ ଉଡ଼ିଯାଇ ନିକଟସ୍ଥ ଏକ ବୃକ୍ଷ ଉପରେ ବସିଲା । ଉକ୍ତ କୁମାରମାନେ ମାଲୁକା କୁଞ୍ଜରେ ପ୍ରବେଶ କରନ୍ତେ ଦୁଇଟି ସୁନ୍ଦର ଅଣ୍ଡା ସେମାନଙ୍କର ଦୃଷ୍ଟିପଥାରୂଢ଼ ହେଲା । ସେ ଅଣ୍ଡା ଦୁଇଟିକୁ ଆଣି ସେମାନେ କୁକୁଡ଼ା ଅଣ୍ଡା ସହିତ ରଖିଦେଲେ ।

 

ସାଗରଦତ୍ତଙ୍କ ପୁତ୍ର ନିଜ ଅଣ୍ଡାଟିକୁ ବାରମ୍ବାର ହଲାଇ, କାନପାଖରେ ବଜାଇ ଜାଣିବାକୁ ଚାହୁଁଥିଲା ଯେ ଉକ୍ତ ଅଣ୍ଡାରୁ ମୟୂର ଶିଶୁ ବାହାରିବ କି ନାହିଁ । ଏହିପରି ବାରମ୍ବାର ହଲାହଲି କରିବାରୁ ତା’ ଅଣ୍ଡାଟି ନିର୍ଜୀବ ହୋଇଗଲା ଏବଂ ସେଥିରୁ ମୟୂର ଶିଶୁ ବାହାରିଲା ନାହିଁ । ତାହା ଦେଖି ସାଗରଦତ୍ତଙ୍କ ପୁତ୍ରର ମନ ବହୁତ ଦୁଃଖ ହେଲା । ମାତ୍ର ଜିନଦତ୍ତଙ୍କ ପୁତ୍ର ଦୃଢ଼ଭାବେ ବିଶ୍ଵାସ କରୁଥିଲେ ସେ ତାଙ୍କ ଅଣ୍ଡାରୁ ନିଶ୍ଚୟ ମୟୂର ଶିଶୁ ଜନ୍ମ ହେବ । ତାଙ୍କର ଏହି ବିଶ୍ଵାସ ଥିବାରୁ ସେ କେବେହେଲେ ଅଣ୍ଡାକୁ ହଲାନ୍ତି ନାହିଁ କିମ୍ବା କାନପାଖରେ ବଜାଇ ଶୁଣିବାକୁ ଚେଷ୍ଟା କରନ୍ତି ନାହିଁ । ଠିକ୍‌ ସମୟରେ ତାଙ୍କ ଅଣ୍ଡାରୁ ମୟୂର ଶିଶୁଟିଏ ଜନ୍ମହେବାରୁ ତାଙ୍କର ଆନନ୍ଦର ସୀମା ରହିଲା ନାହିଁ । ଜିନଦତ୍ତଙ୍କର ପୁତ୍ର ମୟୂରପୋଷକମାନଙ୍କୁ ଡକାଇ ନିଜର ଶିଶୁ ମୟୂରଟିକୁ ନୃତ୍ୟ ଶିଖାଇବା ପାଇଁ ଆଦେଶ ଦେଲେ । ଅଳ୍ପ ସମୟ ମଧ୍ୟରେ ସେହି ଶିଶୁ ମୟୂରଟି ନୃତ୍ୟରେ ପ୍ରବୀଣ ହୋଇଗଲା ।

 

ସାରାଂଶ: ଯେଉଁ ଶ୍ରମଣ-ନିର୍ଗ୍ରନ୍ଥ ଆଚାର୍ଯ୍ୟଙ୍କ ନିକଟରୁ ପ୍ରବ୍ରଜ୍ୟା ଗ୍ରହଣ କରି ଅହିଂସା, ସତ୍ୟ, ଅଚୌର୍ଯ୍ୟ, ବ୍ରହ୍ମଚର୍ଯ୍ୟ ଓ ଅପରିଗ୍ରହ–ଏହି ପାଞ୍ଚ ମହାବ୍ରତକୁ ସନ୍ଦେହଚକ୍ଷୁରେ ଦେଖେ, ବ୍ରଜ-ନିୟମମାନଙ୍କୁ ଠିକ୍‌ ଠିକ୍‌ ଆଚରଣ ନ କରେ, ସେ ସାଗରଦତ୍ତଙ୍କ ପୁତ୍ର ଭଳି ପଶ୍ଚାତ୍ତାପ କରେ । ତା’ର ଏହି ସ୍ଖଳନ ହିଁ ତା’ର ପୁନଃ ପୁନଃ ସଂସାର-ଭ୍ରମଣର କାରଣ ହୁଏ ।

 

ପରନ୍ତୁ ଯେଉଁ ଶ୍ରମଣ-ନିର୍ଗ୍ରନ୍ଥ ଜିନଦତ୍ତଙ୍କ ପୁତ୍ର ପରି ପ୍ରବଚନକୁ ସନ୍ଦେହ ନକରେ, ନିଷ୍ଠା ଓ ବିଶ୍ୱାସର ସହିତ ବ୍ରତ-ନିୟମଗୁଡ଼ିକୁ ପାଳନ କରେ, ସେ ସଂସାର-ସାଗର ପାରିହୋଇଯାଏ ।

 

ଆଉ ଏକ କାହାଣୀ ନିଆଯାଉ ।

 

ବାରାଣସୀର ଉତ୍ତର ପୂର୍ବ ଦିଗରେ ଗଙ୍ଗାକୂଳରେ ଗୋଟିଏ ବଡ଼ ଦୀଘିରେ ଅନେକ ମଗର, କଇଁଛ ଓ କୁମ୍ଭୀର ପ୍ରଭୃତି ଜଳରେ ଜୀବ ରହୁଥିଲେ । ପାଖରେ ମାଲୁକା-କୁଞ୍ଜରେ ଦୁଇଟି ମାଂସଲୋଭୀ ଶୃଗାଳ ରହୁଥିଲେ । ଦୁଇଟିଯାକ ଶୃଗାଳ ରାତିରେ ଶିକାର ଅନ୍ଵେଷଣରେ ଆସନ୍ତି ଏବଂ ଦିନରେ କେଉଁଠି ଛପିଯାଆନ୍ତି ।

 

ଥରକର କଥା । ସୂର୍ଯ୍ୟାସ୍ତ ହୋଇଯିବା ପରେ ଦୁଇଟି କଇଁଛ ସେଇ ଦୀଘିରୁ ବାହାରି ପଦାକୁ ଆସିଲେ ଏବଂ ଖାଦ୍ୟ ଅନ୍ୱେଷଣରେ ଇତସ୍ତତଃ ବୁଲିବାକୁ ଲାଗିଲେ । ସେହି ସମୟରେ ଉଭୟ ଶୃଗାଳ ସେଠି ଘୂରୁଥିଲେ । ସେମାନେ ସେଇ କଇଁଛମାନଙ୍କୁ ଦେଖିଲେ ଓ ଛପି ଛପି ସେମାନଙ୍କ ଆଡ଼କୁ ଆଗେଇଲେ ।

 

କଇଁଛ ଦୁଇଟି ଯେତେବେଳେ ଶୃଗାଳ ଦୁଇଟିଙ୍କୁ ସେମାନଙ୍କ ଆଡ଼କୁ ଆସୁଥିବାର ଦେଖିଲେ ସେମାନେ ଭୟରେ ନିଜର ସମସ୍ତ ଅଙ୍ଗ-ପ୍ରତ୍ୟଙ୍ଗକୁ ନିଜର ଟାଣ ଖୋଳପା ଭିତରକୁ ସଙ୍କୁଚିତ କରିନେଲେ ଏବଂ ନିଶ୍ଚଳ ହୋଇ ବସି ରହିଲେ । କଇଁଛ ଦୁହିଁଙ୍କ ପାଖକୁ ଶୃଗାଳମାନେ ଆସିଲେ ଏବଂ ସେମାନଙ୍କୁ ଗଡ଼ାପଡ଼ା କରିବାକୁ ଲାଗିଲେ । ତାଙ୍କ ଖୋଳପାକୁ ଆମ୍ପୁଡ଼ିବାକୁ ଲାଗିଲେ । ମାତ୍ର କଇଁଛ ଦୁଇଟି ଦେହକୁ କାଠକରି ଚୁପ୍‌ଚାପ ବସିରହିଲେ । ଦୁଇ ତିନି ବାର ଶୃଗାଳମାନେ ସେମାନଙ୍କୁ ଗଡ଼ାପଡ଼ା କଲେ । ଶେଷରେ ସେମାନେ ଥକିଯାଇ ଚାଲିଗଲେ ଓ ଟିକେ ଦୂରରେ ଛପି ବସିଲେ ।

 

କଇଁଛ ଦୁଇଟିଙ୍କ ଭିତରୁ ଗୋଟିଏ ଯେତେବେଳେ ଜାଣିବାକୁ ପାଇଲା ଯେ ଶୃଗାଳମାନେ ଆଉ ପାଖରେ ନାହାନ୍ତି ସେ ଖୋଳପା ଭିତରୁ ବାହାରକୁ ତା’ର ପାଦ ବାହାରକଲା । ଏହା ଦେଖି କାଳ ବିଳମ୍ବ ନକରି ଗୋଟିଏ ଶୃଗାଳ ଶୀଘ୍ର ତା’ ପାଦ ଉପରକୁ ଝାମ୍ପିପଡ଼ିଲା । ଶୃଗାଳଟି ତା’ର ପାଦଟାକୁ ଛିଣ୍ଡାଇ ନେଇ ଚୋବାଇବାକୁ ଲାଗିଲା । କଇଁଛର ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗକୁ ମଧ୍ୟ ସେ କ୍ଷଣକ ମଧ୍ୟରେ ଚାଟିଚୁଟି ସଫା କରିଦେଲା ।

 

ଆର କଇଁଛଟି ବି ଅତିଶୀଘ୍ର ତା’ ଖାଦ୍ୟରେ ପରିଣତ ହେବ ଭାବି ଶୃଗାଳ ତା’ ପାଖରେ ଚକ୍‌କର ମାରିଲା । ତାକୁ ଓଲଟପାଲଟ କଲା । କିନ୍ତୁ ସେ କଇଁଛ ପୂର୍ବପରି ନିଶ୍ଚଳ ହୋଇ ପଡ଼ିରହିଲା । ଶେଷରେ ଉଭୟ ଶୃଗାଳ ହାରମାନି ସେଠାରୁ ଚାଲିଗଲେ ।

 

ଶୃଗାଳମାନେ ସେଠାରୁ ଚାଲିଯାଇଛନ୍ତି ବୋଲି ଯେତେବେଳେ କଇଁଛର ହୃଦବୋଧ ହେଲା ସେ ଧୀରେ ଧୀରେ ତା’ ଖୋଳପା ଭିତରୁ ବେକ ବାହାର କରି ଚାରିଆଡ଼କୁ ଚାହିଁଲା । ଖୁବ୍‌ ଦୂରଯାଏ ତନ୍ନତନ୍ନ କରି ଦେଖିଲା । ତାପରେ ତା’ର ଚାରୋଟିଯାକ ପାଦ ବାହାରକଲା । ତାପରେ ଶୀଘ୍ର ଶୀଘ୍ର ତା’ ଦୀଘିଆଡ଼କୁ ଧାଇଁଲା । ଦୀଘିରେ ପହଞ୍ଚି ନିଜର ଆତ୍ମୀୟ-ସ୍ଵଜନଙ୍କ ସହିତ ପୁନର୍ମିଳନ ଘଟିଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ ହେଲା ।

 

ସାରକଥା: ଯେଉଁ ଶ୍ରମଣ-ନିର୍ଗ୍ରନ୍ଥ ପ୍ରବ୍ରଜ୍ୟା ଗ୍ରହଣ କରିବା ପରେ ନିଜର ଇନ୍ଦ୍ରୟକୁ ବଶ ନକରି, ସ୍ଵେଚ୍ଛାଚାରୀ ହୋଇଯାଏ ତାକୁ ପ୍ରଥମ କଇଁଛ ପରି ବହୁତ ଯନ୍ତ୍ରଣା ସହିବାକୁ ପଡ଼େ ଏବଂ ମୁକ୍ତି ନପାଇ ବାରମ୍ବାର ପୃଥିବୀରେ ଜନ୍ମଗ୍ରହଣ କରେ । ଅନ୍ୟ ପକ୍ଷରେ, ଯେଉଁ ଶ୍ରମଣ ବା ଶ୍ରମଣୀ ପଞ୍ଚ ମହାବ୍ରତକୁ ପାଳନ କରନ୍ତି, ନିଜର ସମୟ ଇନ୍ଦ୍ରିୟକୁ ଆୟତ୍ତାଧୀନ କରନ୍ତି ସେ ଅନ୍ୟ କଇଁଛଟି ପରି ଦୁଃଖରୁ ମୁକ୍ତ ହୋଇ ସୁଗତି ପ୍ରାପ୍ତ ହୁଅନ୍ତି ଏବଂ ସଂସାର ସାଗର ପାରିହୋଇ ଯାଆନ୍ତି ।

 

ଧନ୍ୟ ଏବଂ ତାଙ୍କର ବୋହୂମାନଙ୍କର କାହାଣୀ ମଧ୍ୟ ଏହିଭଳି ଉପଦେଶର ସମାବେଶ-:

 

ରାଜଗୃହରେ ଧନ୍ୟ ନାମକ ବ୍ୟବସାୟୀ ତାଙ୍କର ଚାରି ବୋହୂ ଉଜଝିକା, ଭୋଗବତୀ, ରନ୍ଧିକା ଏବଂ ରୋହିଣୀଙ୍କୁ ଡାକି ପ୍ରତ୍ୟେକକୁ ପାଞ୍ଚପାଞ୍ଚୋଟି ଧାନ ଦେଲେ । ସେ ସେମାନଙ୍କୁ ତାଗିଦ୍‌ କରିଦେଲେ ଯେ ଯେତେବେଳେ ସେ ସେମାନଙ୍କୁ ତାଙ୍କର ଧାନ ମାଗିବେ ସେମାନଙ୍କୁ ତାହା ଫେରାଇ ଦେବାକୁ ପଡ଼ିବ ।

 

ପ୍ରଥମ ବୋହୂ ଭାବିଲା: ‘‘ଶଶୁରଙ୍କ ଅମାର ଘରେ ମହଣ ମହଣ ଧାନ ରହିଛି । ଯେତେବେଳେ ସେ ମାଗିବେ ସେଇଠୁ କାଢ଼ି ଦେଇଦେବି ।’’ ସେ ଉକ୍ତ ପାଞ୍ଚୋଟି ଧାନକୁ ହେୟଜ୍ଞାନ କରି ଫୋପାଡ଼ି ଦେଲା । ଦ୍ଵିତୀୟ ବୋହୂ ଧାନ ଚୋପା ଛଡ଼ାଇ ତାକୁ ପାଟିରେ ପକାଇଦେଲା । ତୃତୀୟ ବୋହୂ ସେଗୁଡ଼ିକୁ ଏକ ସ୍ଵଚ୍ଛ ବସ୍ତ୍ରରେ ବାନ୍ଧି ଏକ ରତ୍ନ ନିର୍ମିତ ଡବା ଭିତରେ ରଖିଦେଲା ଏବଂ ତାକୁ ନିଜ ବିଛଣାର ମୁଣ୍ଡପଟେ ରଖି ସକାଳ ସନ୍ଧ୍ୟା ସତର୍କତା ସହ ଜଗିଲା । ଚତୁର୍ଥ ବୋହୂ ବର୍ଷାଋତୁ ଆସନ୍ତେ ସେ ଧାନଗୁଡ଼ିକୁ ଜମିରେ ବୁଣି ଦେଲା । ଧାନ ପାଚିଯିବା ପରେ ତାକୁ କାଟି ପାଛୋଡ଼ି ଘୁମରେ ଭର୍ତ୍ତିକରି ଅମାରଘରେ ରଖିଦେଲା । ଦ୍ଵିତୀୟ, ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ବର୍ଷ ମଧ୍ୟ ସେହିପରି ବୁଣିଲା ଓ ଅମଳ କରି ଘରେ ରଖିଲା ।

 

ପାଞ୍ଚବର୍ଷ ବିତିଯାଆନ୍ତେ ଧନ୍ୟ ତାଙ୍କର ବୋହୂମାନଙ୍କୁ ଡାକି ଧାନ ଫେରାଇବା ପାଇଁ କହିଲେ ।

 

ପ୍ରଥମେ ଆସିଲା ଉଜ୍‌ଝିକା । ସେ ଶଶୁରଙ୍କ ଅମାରଘରୁ ପାଞ୍ଚୋଟି ଧାନ ଆଣି ଶଶୁରଙ୍କ ଆଗରେ ଥୋଇଦେଲା । ଶଶୁର ଦେଇଥିବା ପାଞ୍ଚୋଟି ଧାନକୁ ସେ ଫୋପାଡ଼ି ଦେଇଥିବା କଥା ଶଶୁରଙ୍କୁ ଜଣାଇଲା । ଭୋଗବତୀ କହିଲେ ଯେ ସେ ଧାନରୁ ଚାଉଳ ବାହାରକରି ପାଟିରେ ପକାଇଦେଇଥିଲା । ରକ୍ଷିକା ନିଜ ସିନ୍ଦୂକରୁ ପାଞ୍ଚୋଟି ଧାନ ବାହାର କରି ଶଶୁରଙ୍କ ନିକଟରେ ରଖିଦେଲେ । ରୋହିଣୀ ଧାନତକ ଆଣିବା ପାଇଁ ଶଗଡ଼ ମାଗିଲେ ।

 

ଶଶୁର କହିଲେ, ‘‘କ’ଣ ପାଞ୍ଚୋଟି ଦାନା ଆଣିବା ପାଇଁ ଶଗଡ଼ ଦରକାର ପଡ଼େ ?” ରୋହିଣୀ ସବୁକଥା ଶଶୁରଙ୍କୁ ଜଣାଇଲେ । ଶଗଡ଼େ ଧାନ ଧନ୍ୟଙ୍କ ଅମାର ଘରେ ଆସି ଜମାହେଲା ।

 

ଧନ୍ୟ ରୋହିଣୀକୁ ବହୁତ ପ୍ରଶଂସା କଲେ । ରୋହିଣୀକୁ ସେ ଘରବାଡ଼ିର ମାଲିକାଣୀ କରିଦେଲେ । ରକ୍ଷିକାକୁ ଭଣ୍ଡାରଘର ଦାୟିତ୍ଵ ଦେଲେ, ଭୋଗବତୀଙ୍କୁ ରୋଷେଇଘର ଦାୟିତ୍ଵ ଓ ଉଜ୍‌ଝିକାକୁ ଘର ଓଳାଓଳି କାମରେ ନିଯୁକ୍ତ କରାଗଲା ।

 

ସାରକଥା: ଯେଉଁ ଶ୍ରମଣ–ନିର୍ଗ୍ରନ୍ଥ ମହାବ୍ରତକୁ ତ୍ୟାଗ କରନ୍ତି, ସେ ଉଜ୍‌ଝିକା (ନଷ୍ଟ କରୁଥିବା) ପରି ସଂଘଦ୍ଵାରା ତିରସ୍କୃତ ହୁଅନ୍ତି ଏବଂ ଅଧୋଗତି ପ୍ରାପ୍ତ ହୁଅନ୍ତି ।

 

ଯେଉଁ ଶ୍ରମଣ–ନିର୍ଗ୍ରନ୍ଥ ପଞ୍ଚ ମହାବ୍ରତ ଗ୍ରହଣ କରିବା ପରେ ମଧ୍ୟ କେବଳ ଆଜୀବିକା ନିମିତ୍ତ ତାହା ପାଳନ କରନ୍ତି, ସେ ଭୋଗବତୀ (ଭୋଗ କରୁଥିବା) ପରି ମୋକ୍ଷରୁ ବଞ୍ଚିତ ହୋଇ ଅଧୋଗତି ପ୍ରାପ୍ତ ହୁଅନ୍ତି ।

 

ଯେଉଁ ଶ୍ରମଣ–ନିର୍ଗ୍ରନ୍ଥ ପଞ୍ଚମହାବ୍ରତ ରକ୍ଷା ପାଇଁ ରକ୍ଷିକା (ସଂରକ୍ଷଣ କରୁଥିବା) ପରି ସଚେଷ୍ଟ ରହନ୍ତି ସେ ସଂଘଠାରୁ ପୂଜା ପାଆନ୍ତି ଏବଂ ତାଙ୍କର ମନୁଷ୍ୟ ଜନ୍ମ ସାର୍ଥକ ହୁଏ ।

 

ଯେଉଁ ଶ୍ରମଣ–ନିର୍ଗ୍ରନ୍ଥ ପଞ୍ଚ ମହାବ୍ରତର ବୃଦ୍ଧି ଓ ପ୍ରସାର ଦିଗରେ ଉଦ୍ୟମ କରନ୍ତି ସେ ରୋହିଣୀ (ଉତ୍ପାଦନ କରୁଥିବା ନାରୀ) ପରି ସଂଘର ବନ୍ଦନୀୟ ହେବା ସଙ୍ଗେ ସଙ୍ଗେ ନିର୍ବାଣ ଲାଭ କରନ୍ତି ।

 

ଅର୍ଥ-ପ୍ରଧାନ କଥା-କାହାଣୀ ଜୈନ ସାହିତ୍ୟରେ ପ୍ରଚୁର ପରିମାଣରେ ଲେଖାଗଲା । ଜୈନ-ଧର୍ମାବଲମ୍ବୀମାନଙ୍କର ବ୍ୟବସାୟ ମୁଖ୍ୟ ବୃତ୍ତି ଥିଲା । ଏହି ବୃତ୍ତିର ମହତ୍ତ୍ଵ ପ୍ରତିପାଦନ ଥିଲା ଅଧିକାଂଶ ଗଳ୍ପର ମୁଖ୍ୟ ଉଦ୍ଦେଶ୍ୟ । ତରୁଣମାନଙ୍କ ଭିତରେ ଏକ ସଂସ୍କାର ଦେଖାଦେଇଥିଲା ଯେ ସେମାନେ ନିଜ ବାପ ଅଜାଙ୍କ ରୋଜଗାର ଉପରେ ନିର୍ଭର ନକରି ନିଜର ପୁରୁଷାର୍ଥ ବଳରେ ସ୍ଵାବଲମ୍ବୀ ହେବେ । ଅର୍ଥୋପାର୍ଜନ ପାଇଁ ସେମାନେ ଦୂରଦୁରାନ୍ତକୁ ସାହସିକ ଯାତ୍ରା କରୁଥିଲେ । ସମୁଦ୍ର ଯାତ୍ରା ସମୟରେ ବିଶାଳକାୟ ସାମୁଦ୍ରିକ ମତ୍ସ୍ୟ ତଥା ବାତ୍ୟାଦ୍ଵାରା ଜାହାଜ ବୁଡ଼ିଯିବାର ଭୟ ଥିଲା, ଜଙ୍ଗଲ ପାରି ହେବା ବେଳେ ଜଙ୍ଗଲି ଜାତି, ଚୋର-ଡକାୟତ ତଥା ହିଂସ୍ର ଜନ୍ତୁ ଆକ୍ରମଣ କରିବାର ଭୟ ଥିଲା । ବଡ଼ ବଡ଼ ପଥରକୁ ଧରି ଦୁର୍ଗମ ପର୍ବତମାନ ଚଢ଼ିବାକୁ ପଡ଼ୁଥିଲା । ଅଙ୍କାବଙ୍କା ପାର୍ବତ୍ୟ ରାସ୍ତାକୁ ବଡ଼ ବଡ଼ ଛେଳି ପିଠିରେ ଚଢ଼ି ଅତ୍ୟନ୍ତ କଷ୍ଟରେ ପାରିହେବାକୁ ପଡ଼ୁଥିଲା । ପଥ ଶ୍ରାନ୍ତି ମେଣ୍ଟାଇବା ପାଇଁ ରୋକେ ଆଖ୍ୟାନ, ନୌବଣିକଙ୍କର ସାହସିକ ଭ୍ରମଣ ବୃତ୍ତାନ୍ତ, ବ୍ୟବସାୟୀମାନଙ୍କର ଭାଷା, ନେଣଦେଣ, ବିଭିନ୍ନ ଦେଶର ସଂସ୍କୃତି, ରୀତି-ନୀତି ଏବଂ ଆଚାର-ବିଚାର-ଏସବୁ କିଛି ଗଳ୍ପଗୁଡ଼ିକୁ ରୋମାଞ୍ଚକର କରିବାରେ ସାହାଯ୍ୟ କରୁଥିଲେ । ଏହି ପରିପ୍ରେକ୍ଷୀରେ ବସୁଦେବ ହିଣ୍ଡିରେ ଉଲ୍ଲିଖିତ ଚମ୍ପାର ବଣିକ-ପୁତ୍ର ଗୁରୁଦତ୍ତଙ୍କ କଥା ପଠନୀୟ ।

 

କଥା–ସାହିତ୍ୟ କେବଳ ପ୍ରାକୃତ ବା ସଂସ୍କୃତ ଭାଷାରେ ନୁହେଁ, ଅପଭ୍ରଂଶ, ମଧ୍ୟଯୁଗୀୟ ଜୂନୀ ଗୁଜରାତୀ, ରାଜସ୍ଥାନୀ ଏବଂ ପ୍ରାଚୀନ ହିନ୍ଦୀରେ ମଧ୍ୟ ରଚିତ ହେଉଥିଲା । ଆଧୁନିକ ଆର୍ଯ୍ୟ-ଭାଷାମାନଙ୍କର କ୍ରମିକ ବିକାଶ ଦୃଷ୍ଟିରୁ ମଧ୍ୟ ଜୈନ-ସାହିତ୍ୟର ଅଧ୍ୟୟନ ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ ଅଟେ-

 

ସେତେବେଳେ ଦକ୍ଷିଣ-ଭାରତ ମଧ୍ୟ ଜୈନଧର୍ମର କେନ୍ଦ୍ର ହୋଇ ସାରିଥିଲା । ଏହାର ଫଳସ୍ଵରୂପ ଜୈନ ବିଦ୍ଵାନ୍‌ମାନେ କନ୍ନଡ଼, ତାମିଲ ଏବଂ ତେଲେଗୁ ସାହିତ୍ୟକୁ ମଧ୍ୟ ସମୃଦ୍ଧ କରିପାରିଥିଲେ । ବିଶେଷ କରି କନ୍ନଡ଼ ଏବଂ ତାମିଲ ଭାଷାର ମାନକୁ ସାହିତ୍ୟ ତଥା ଶୈଳୀକ ଦୃଷ୍ଟିକୋଣରୁ ଜୈନ ସାହିତ୍ୟ ଉନ୍ନତ କରିପାରିଥିଲା । ଏହି ଭାଷାମାନଙ୍କର ଅଧ୍ୟୟନ ପାଇଁ ଜୈନ ବିଦ୍ଵାନ୍‌ମାନେ ମହାକାବ୍ୟ, ବ୍ୟାକରଣ ଏବଂ ଅଭିଧାନମାନ ରଚନା କଲେ । ପମ୍ପ, ରତ୍ନ ଏବଂ ପୋନ୍ମଙ୍କ ଭଳି ଜୈନ-କବିଙ୍କର କୃତି କେବଳ କନ୍ନଡ଼ ସାହିତ୍ୟର ନୁହେଁ, ସମଗ୍ର ଭାରତୀୟ ସାହିତ୍ୟର ବହୁମୂଲ୍ୟ ରତ୍ନରୂପେ ବିବେଚିତ ।

 

ଜ୍ଞାନ-ଭଣ୍ଡାର ସ୍ଥାପନା

 

ବିଶେଷକରି ଯେଉଁ ସମୟରେ ଛାପାଖାନାର ପ୍ରଚଳନ ହୋଇନଥିଲା ସେତେବେଳେ ଏହି ବିପୁଳ ସାହିତ୍ୟର ଅଧ୍ୟୟନ ନିମିତ୍ତ ଦେଶବ୍ୟାପୀ ପୁସ୍ତକଭଣ୍ଡାରମାନଙ୍କର ଆବଶ୍ୟକତା ଅନୁଭବ କରାଯାଉଥିଲା । ଜୈନ ସଂଘ ଉତ୍ତର ଏବଂ ଦକ୍ଷିଣର ଅନେକ ଅଞ୍ଚଳରେ ଜୈନ ଭଣ୍ଡାର ସ୍ଥାପନ କରି ଏହି ଅଭାବ ପୂରଣ କଲା । ପ୍ରଥମେ ପ୍ରଥମେ ଗ୍ରନ୍ଥ ଲେଖିବା ଏବଂ ଲେଖାଇବା କଷ୍ଟସାଧ୍ୟ ମନେହେଉଥିଲା ଏବଂ ଯଦି କୌଣସିମତେ ପୂରଣ ହେଉଥିଲା ତେବେ ନିଆଁ ପାଣି, ଚୋର, ମୂଷା ଏବଂ ଉଇମାନଙ୍କ ଉପଦ୍ରବରୁ ଏହି ଗ୍ରନ୍ଥମାନଙ୍କୁ ରକ୍ଷା କରିବା ଆହୁରି କଠିନ ହୋଇପଡ଼ୁଥିଲା । ଏଥି ନିମିତ୍ତ ଜୈନ ଆଚାର୍ଯ୍ୟମାନେ ଶ୍ରୁତି-ପଞ୍ଚମୀ ଅଥବା ଜ୍ଞାନ ପଞ୍ଚମୀକୁ ଏକ ପୁଣ୍ୟ ପର୍ବରୂପେ ଘୋଷଣା କରିଥିଲେ । ଏହି ଦିବସରେ ଶାସ୍ତ୍ରମାନଙ୍କୁ ଝଡ଼ାଝଡ଼ି, ପୋଛାପୋଛି କରି ପୂଜା ଅର୍ଚ୍ଚନା କରିବା ଏବଂ ସେସବୁକୁ ଲେଖିବା, ଲେଖାଇବା କାର୍ଯ୍ୟ ଖୁବ୍ ଉତ୍ସାହର ସହିତ କରାଯାଉଥିଲା । ଜୈସଲମେର, ଖମ୍ଭାତ, ପାଟନ, ଜୟପୁର, କାରଞ୍ଜୀ, ମୂଡ଼ବିଦ୍ରୀ ଇତ୍ୟାଦି ଅନେକ ସ୍ଥାନରେ ଏହିଭଳି ଗ୍ରନ୍ଥ ଭଣ୍ଡାରମାନ ସ୍ଥାପିତ ହୋଇଥିଲା । ସେସବୁ ସ୍ଥାନରେ କେବଳ ଜୈନ ଗ୍ରନ୍ଥ ନୁହେଁ, ବୌଦ୍ଧ ଏବଂ ବୈଦିକ ସାହିତ୍ୟ ମଧ୍ୟ ସୁରକ୍ଷିତ ହୋଇଥିଲା । ଭାରତର ଶହ ଶହ ସହରରେ ବିଛାଇ ହୋଇ ରହିଥିବା ଏହି ଗ୍ରନ୍ଥାଗାରଗୁଡ଼ିକରେ ତାଳପତ୍ର, କାଗଜ ଏବଂ କନାଉପରେ ସଂସ୍କୃତ, ପ୍ରାକୃତ, ଅପଭ୍ରଂଶ, କନ୍ନଡ଼, ତାମିଲ, ଗୁଜରାତୀ, ହିନ୍ଦୀ, ମରାଠୀ ଏବଂ ଫାରସୀ ଭାଷାରେ ଲିଖିତ ଜୈନ, ବୌଦ୍ଧ ଏବଂ ବୈଦିକ ଧର୍ମ ସମ୍ବନ୍ଧୀୟ ଏପରି ଅନେକ ଦୁର୍ଲଭ ଗ୍ରନ୍ଥମାନ ମିଳୁଛି ଯାହା ଆଉ ମିଳିବ ବୋଲି କେହି ଆଶା ରଖି ନଥିଲେ । ଏପରି ଅନେକ ଗ୍ରନ୍ଥ ମିଳିଛି ଯାହା ଗୁଜରାତୀ ଭାଷାର କ୍ରମିକ ଏବଂ ଶୃଙ୍ଖଳିତ ଇତିହାସ ଅଧ୍ୟୟନ ଦିଗରେ ଅନିବାର୍ଯ୍ୟ ବୋଲି ବିବେଚିତ ହେଉଛି । ଭାରତୀୟ ସଂସ୍କତି ତଥା ସାହିତ୍ୟର ସୁରକ୍ଷା ଦିଗରେ ଜୈନ ଶ୍ରମଣ ତଥା ଶ୍ରାବକମାନଙ୍କର ଏହି ପ୍ରଚେଷ୍ଟା ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବା ଯୋଗ୍ୟ ଅଟେ ।

 

କଳା କ୍ଷେତ୍ରରେ

 

କଳା ଏବଂ ସ୍ଥାପତ୍ୟ କ୍ଷେତ୍ରରେ ମଧ୍ୟ ଜୈନ ଧର୍ମାବଲମ୍ବୀମାନଙ୍କର ପ୍ରଭୃତ ଅବଦାନ ରହିଛି । ଜୈନ ମନ୍ଦିରମାନଙ୍କର ନିର୍ମାଣ ସେ ସମୟରେ ସାମାଜିକ ଆବଶ୍ୟକତା ରୂପେ ଗୃହୀତ ହେଉଥିଲା । ମନ୍ଦିରମାନଙ୍କରେ ଏକତ୍ର ହୋଇ ଲୋକେ ତୀର୍ଥଙ୍କର ଭଗବାନଙ୍କର ଭଜନ-ପୂଜନ କରୁଥିଲେ, ଶାସ୍ତ୍ର ସ୍ଵାଧ୍ୟାୟ କରୁଥିଲେ, ରଥଯାତ୍ରା ବାହାର କରୁଥିଲେ, କ୍ଷମାବାଣୀ ପର୍ବ ପାଳନ କରୁଥିଲେ ଏବଂ ସାଧୁସନ୍ଥଙ୍କର ବ୍ୟାଖ୍ୟାନ ଆୟୋଜନ କରୁଥିଲେ । ଏହି ଦୃଷ୍ଟିରୁ ଉତ୍ତର ଏବଂ ଦକ୍ଷିଣ-ଭାରତରେ ମନ୍ଦିର, ମଠ ଏବଂ ସରାଇଘର ନିର୍ମାଣ କରାଯାଉଥିଲା । ଏହି ନିର୍ମାଣ କାର୍ଯ୍ୟରେ ଜୈନ ରାଜା, ମନ୍ତ୍ରୀ, ଶ୍ରେଷ୍ଠୀ ତଥା ବ୍ୟବସାୟୀମାନେ ବିଶେଷଭାବେ ଅଂଶଗ୍ରହଣ କରୁଥିଲେ । ମନ୍ଦିର ନିମିତ୍ତ ଜମି ତଥା ଗ୍ରାମ ଆଦି ପ୍ରଦାନ କରି ସେମାନେ ନିଜର ଧର୍ମନିଷ୍ଠାର ପରିଚୟ ଦେଉଥିଲେ । ରାଜସ୍ଥାନର ଆବୁ ପାହାଡ଼ ଉପରେ ବସ୍ତୁପାଲ ଏବଂ ତେଜପାଲଙ୍କ ଦ୍ଵାରା ନିର୍ମିତ ଶଙ୍ଖମର୍ମର ପଥର କାଟି ନିର୍ମିତ ହୋଇଥିବା ଦେଲଓ୍ୱାଡ଼ା ମନ୍ଦିର କଳା-କୌଶଳ ଦୃଷ୍ଟିରୁ ଅନୁପମ ଅଟେ । ସୌରାଷ୍ଟ୍ରରେ ଶତ୍ରୁଞ୍ଜୟ ପାହାଡ଼ ଉପରେ ଛୋଟ ବଡ଼ ଶହ ଶହ ମନ୍ଦିର ନିର୍ମିତ ହୋଇଛି । ସେଠାକାର ଆଦିନାଥ ମନ୍ଦିର ବିଖ୍ୟାତ ଅଟେ । ଏହା ପଶ୍ଚିମ ଭାରତରେ ୧୦ମ ଶତାବ୍ଦୀୟ ମୂର୍ତ୍ତିକଳାର ସୁନ୍ଦର ନମୁନା ଅଟେ । ଶ୍ରବଣ ବେଲ ଗୋଲାର ସୁପ୍ରସିଦ୍ଧ ଗୋମ୍ମଟେଶ୍ଵର ବାହୁବଳିର ବିଶାଳକାୟ ମୂର୍ତ୍ତି ସଂପର୍କରେ ପୂର୍ବରୁ କୁହାଯାଇଛି । ରାଜା ରଜମଲ୍ଲଙ୍କର ମନ୍ତ୍ରୀ ଏବଂ ସେନାପତି ଚାମୁଣ୍ଡରାୟ ୧୦ମ ଶତାବ୍ଦୀରେ ବହୁ ଅର୍ଥ ଖର୍ଚ୍ଚକରି ଏହି ମୂର୍ତ୍ତି ନିର୍ମାଣ କରିଥିଲେ । ଏଠାରେ ବହୁ ଧୁମ୍‌ଧାମ୍‌ରେ ମହାମସ୍ତକାଭିଷେକ ଉତ୍ସବ ପାଳନ କରାଯାଏ । ପରେ କାରକଲ୍‌ ଏବଂ ବେନୁର୍‌ଠାରେ ମଧ୍ୟ ବାହୁବଲିଙ୍କ ମୂର୍ତ୍ତି ନିର୍ମାଣ କରାଯାଇଥିଲା । ମୂଡ଼ବିଦ୍ରୀ ଚନ୍ଦ୍ରନାଥ ମନ୍ଦିର ନିମିତ୍ତ ପ୍ରସିଦ୍ଧ । ଏ ମନ୍ଦିର ଚତୁର୍ଦ୍ଦଶ ଶତାବ୍ଦୀରେ ନିର୍ମିତ ହୋଇଥିଲା । ମନ୍ଦିର ପ୍ରାଙ୍ଗଣରେ ଏକ ସୁନ୍ଦର ଚିତ୍ତାକର୍ଷକ ମାନସ୍ତମ୍ଭ ଦଣ୍ଡାୟମାନ । କୁଷାଣକାଳୀନ ମଥୁରାର ସୁପ୍ରସିଦ୍ଧ ଜୈନସ୍ତୂପ ସଂପର୍କରେ ପୂର୍ବରୁ କୁହାଯାଇ ସାରିଛି । ଏହା ବ୍ୟତୀତ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଯକ୍ଷ-ଯକ୍ଷିଣୀମାନଙ୍କର ମୂର୍ତ୍ତି, ଧାତୁ ନିର୍ମିତ ମୂର୍ତ୍ତି, ଗୁମ୍ଫା, ମାନସ୍ତମ୍ଭ, ଭିତ୍ତିଚିତ୍ର, ତାଳପତ୍ର ଚିତ୍ର, କାଷ୍ଠଚିତ୍ର ଆଦି ଜୈନମାନେ ନିର୍ମାଣ କରିଛନ୍ତି । ଏହିଭଳି ଭାବରେ ନବମ ଶତାବ୍ଦୀରୁ ଏକାଦଶ ଶତାବ୍ଦୀ ଏବଂ ତା’ର ପରବର୍ତ୍ତୀ ଯୁଗରେ ଜୈନକଳା ମାଧ୍ୟମରେ ଜୈନଧର୍ମର ଯଥେଷ୍ଟ ପ୍ରଚାର ଏବଂ ପ୍ରସାର ସମ୍ଭବ ହୋଇଥିଲା । ନଗରର କୋଳାହଳଠାରୁ ବହୁ ଦୂରରେ, ପାହାଡ଼ ପର୍ବତ ଉପରେ, ପ୍ରାକୃତିକ ସୁଷମାରେ ଭରପୂର ନିର୍ଜନ ସ୍ଥାନମାନଙ୍କରେ ପ୍ରତିଷ୍ଠିତ ଜୈନ ତୀର୍ଥକ୍ଷେତ୍ର ଯଥା ଶିଳାଗାତ୍ରରେ ଖୋଦିତ ଶିଳାଲେଖମାନଙ୍କରୁ ପୁରଭତ୍ତ୍ଵ ସମ୍ବନ୍ଧୀୟ ଯେଉଁସବୁ ତଥ୍ୟ ମିଳୁଅଛି, ସେଥିରୁ ତତ୍‌କାଳୀନ ସାମାଜିକ, ଧାର୍ମିକ ଏବଂ ରାଜନୈତିକ ଅବସ୍ଥାର ଚିତ୍ର ଦେଖିବାକୁ ମିଳେ ।

 

ଅହିଂସାର ବ୍ୟପକତା

 

ମହାବୀର ଏବଂ ବୁଦ୍ଧଙ୍କ ସମସାମୟିକ ଧର୍ମଚାର୍ଯ୍ୟମାନେ ଖୁବ୍‌ ସହଜ ସରଳ ଭଙ୍ଗୀରେ ନିଜର ଦର୍ଶନକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରୁଥିଲେ । ଏହାକୁ ହିଁ ସେମାନେ ନିଜର ଧର୍ମ ମନେକରୁଥିଲେ । ଏହାର ଏକମାତ୍ର ଉଦ୍ଦେଶ୍ୟ ଥିଲା ଯେ ସାଧାରଣ ମଣିଷ ନ୍ୟାୟ ତଥା ନୀତିର ପଥ ଅନୁସରଣ କରୁ ଏବଂ ସୁଖ, ଶାନ୍ତିରେ ଜୀବନ ଅତିବାହିତ କରୁ । ଏହି ଦୃଷ୍ଟିରୁ ଅହିଂସା ସଂପର୍କୀୟ ଉପଦେଶ ହିତକାରୀ ଥିଲା । ଅହିଂସା ଅର୍ଥ ଅନ୍ୟକୁ କଷ୍ଟ ଦିଅନାହିଁ, ନିଜର ସ୍ଵାର୍ଥ ପାଇଁ ଅନ୍ୟକୁ ଶୋଷଣ କରିବା ନୀତି ତ୍ୟାଗ କର ଏବଂ ଅନ୍ୟଠାରୁ ତୁମେ ଯେଉଁଭଳି ବ୍ୟବହାର ଆଶା କରୁଛ ଅନ୍ୟପ୍ରତି ସେହିଭଳି ବ୍ୟବହାର ପ୍ରଦର୍ଶନ କର । ଏହାହିଁ ପୃଥିବୀରେ ସୁଖ ତଥା ଶାନ୍ତି ପ୍ରତିଷ୍ଠା କରିବାରେ ସହାୟକ ହେବ । ଯେତିକି ଆବଶ୍ୟକ, ସେତିକି ଗ୍ରହଣ କର । ନିଜର ଇଚ୍ଛା ଉପରେ ଅଙ୍କୁଶ ରଖ, ଅନ୍ୟର ସୁଖ ଦେଖି ବିଚଳିତ ହୁଅ ନାହିଁ । ଏହାର ବିପରୀତ ଆଚରଣ ଦ୍ଵାରା ଅହିଂସା ପାଳନ ସମ୍ଭବ ନୁହେଁ । ସଞ୍ଚୟ ଲାଳସାରୁ ହିଁ ପାରସ୍ପରିକ ହିଂସା, ଈର୍ଷା, ଦ୍ଵେଷ ଏବଂ କଳହ ଜନ୍ମନିଏ । ଏହାର ଚରମ ପରିଣତି ହେଲା ପାରସ୍ପରିକ ସଂଘର୍ଷ-ବିଶ୍ଵଯୁଦ୍ଧ । ଏହାକୁ ବନ୍ଦ କରିବା ନିମିତ୍ତ ଏକ ସ୍ଥିତପ୍ରଜ୍ଞ ଅବସ୍ଥାର ଆବଶ୍ୟକତା ରହିଛି । ମାତ୍ର ଦୁଃଖର ବିଷୟ ଆଜି ଆମେ ଏ ଶକ୍ତି ହରାଇ ବସିଛୁ । ଯଦି ଆମେ ଉପରଠାଉରିଆଭାବେ ଅହିଂସା ପାଳନ କରିବାକୁ ଚେଷ୍ଟା କରିବୁ ତେବେ ସଫଳତା ମିଳିବ ନାହିଁ । ଏଥି ନିମିତ୍ତ ରାଗ ଏବଂ ଦ୍ଵେଷ ବୁଦ୍ଧି ତ୍ୟାଗକର ଧୈର୍ଯ୍ୟର ସହିତ ଅନ୍ୟର ଦୃଷ୍ଟିକୋଣକୁ ବୁଝିବା ପାଇଁ ଚେଷ୍ଟା କରିବା ଉଚିତ । ମାନସିକ ସହିଷ୍ଣୁତା ଦ୍ଵାରା ହିଁ ସମାଜ ସୁଖ ଏବଂ ଶାନ୍ତି ଦିଗରେ ଅଗ୍ରସର ହୋଇପାରିବ । ଭଗବାନ ମହାବୀରଙ୍କ ଭାଷାରେ: ‘‘ଶାନ୍ତିଦ୍ଵାରା କ୍ରୋଧକୁ ଜୟକର । ନମ୍ରତା ଦ୍ଵାରା ଅହଙ୍କାରକୁ ଜୟ କର । ସରଳତା ଦ୍ଵାରା କପଟତାକୁ ଜୟ କର ଏବଂ ସନ୍ତୋଷ ଦ୍ଵାରା ଲୋଭକୁ ଜୟକର ।” ଏତାଦୃଶ ବୃତ୍ତି ହୋଇଯିବାପରେ ସବୁ ପ୍ରାଣୀଙ୍କ ପ୍ରତି ମୈତ୍ରୀ, ଗୁଣିଜନଙ୍କ ପ୍ରତି ପ୍ରମୋଦ ତଥା ବିପରୀତଜନଙ୍କ ପ୍ରତି ମଧସ୍ଥତାର ଭାବନା ସୃଷ୍ଟି ହୋଇପାରେ ।

 

ଅଂହିସାର ବ୍ୟବହାରିକ ଦିଗ

 

ଏ ଯୁଗରେ ମହାତ୍ମା ଗାନ୍ଧୀ ଅହିଂସାର ସର୍ବଶ୍ରେଷ୍ଠ ସମର୍ଥକ ଅଟନ୍ତି । ଭାରତର ସ୍ଵାଧୀନତା ଆନ୍ଦୋଳନକୁ ଜନତା ନିକଟରେ ପହଞ୍ଚାଇବା ନିମିତ୍ତ ସେ ଅହିଂସାକୁ ଯେପରି ଏକ ରାଜନୈତିକ ଅସ୍ତ୍ରରୂପେ ବ୍ୟବହାର କରିଛନ୍ତି ତାହା ବିଶ୍ଵ ଇତିହାସରେ ଅନନ୍ୟ । ଗାନ୍ଧିଜୀଙ୍କ ପାଇଁ ସତ୍ୟ ହିଁ ଈଶ୍ଵର ଏବଂ ତାଙ୍କ ମତରେ ଅହିଂସା ବିନା ସତ୍ୟର ସାକ୍ଷାତ୍‌କାର ଅସମ୍ଭବ । ଶାକାହାରୀ ଭୋଜନ, ଉପବାସ, ଆତ୍ମଶୁଦ୍ଧି, କଷ୍ଟ-ସହିଷ୍ଣୁତା ଏବଂ କ୍ଷମା ଅହିଂସା ପାଇଁ ଅନିବାର୍ଯ୍ୟ ବୋଲି ସେ କହୁଥିଲେ । ତାଙ୍କ ମତରେ ତରବାରୀ ଧରି ଶତ୍ରୁର ସମ୍ମୁଖୀନ ହେବା ଅପେକ୍ଷା ଅହିଂସକଭାବେ ତା’ର ସମ୍ମୁଖୀନ ହେବା ନିମିତ୍ତ ଅଧିକ ବୀରତ୍ଵ ଦରକାର ପଡ଼େ । ଅହିଂସା ଅର୍ଥ ପ୍ରତିଶୋଧପରାୟଣ ମନୋଭାବ ଉପରେ ଅଙ୍କୁଶ ଲଗାଇବା । ଏହା କିଛି ସହଜ କାର୍ଯ୍ୟ ନୁହେଁ । ମହାତ୍ମା ଗାନ୍ଧୀ ଜୈନଧର୍ମର ଅହିଂସା ତତ୍ତ୍ଵଦ୍ଵାରା ପ୍ରଭାବିତ ହୋଇଥିଲେ । ସୌରାଷ୍ଟ୍ରବାସୀ ସନ୍ଥ ରାଜଚନ୍ଦ୍ର ଭାଈ (ଶ୍ରୀମଦ୍‌ ରାଜଚନ୍ଦ୍ର)ଙ୍କ ସହିତ ତାଙ୍କର ଘନିଷ୍ଠ ସ୍ଥାପନ ହୋଇଥିଲା । ରାଜଚନ୍ଦ୍ର, ଭାଈ ଗାନ୍ଧିଜୀଙ୍କର ଦକ୍ଷିଣ ଆଫ୍ରିକା ରହଣି ସମୟରେ ତାଙ୍କର ସନ୍ଦେହ ମୋଚନକରି ତାଙ୍କୁ ହିନ୍ଦୁ ଧର୍ମରେ ସ୍ଥିର କରିଥିଲେ । ଏହି ପରିପ୍ରେକ୍ଷୀରେ ଭାରତ ବାହାରେ ଅହିଂସା ଆନ୍ଦୋଳନର ଅଗ୍ରଗାମୀ ପ୍ରବକ୍ତା ନୋବେଲ ପୁରସ୍କାର ବିଜେତା ଅଲବର୍ଟ ସ୍ଵାଇତ୍‌ସର (୧୮୭୫-୧୯୬୫)ଙ୍କର ନାମ ଉଲ୍ଲେଖ କରିବା ଅପ୍ରାସଙ୍ଗିକ ହେବନାହିଁ । ‘ନିଜେ ବଞ୍ଚ ଓ ଅନ୍ୟକୁ ବଞ୍ଚିବାକୁ ଦିଅ’-ଏହା ସିଦ୍ଧାନ୍ତକୁ କାର୍ଯ୍ୟାନ୍ଵିତ କରିବା ନିମିତ୍ତ ସେ ନିଜର ସର୍ବସ୍ଵ ବାଜି ଲଗାଇ ଦେଇଥିଲେ । ସେ କହୁଥିଲେ, ଆମର ପରସ୍ପରର ସାହାଯ୍ୟ ପରସ୍ପର ପାଇଁ ଅପରିହାର୍ଯ୍ୟ । ଏଣୁ ପାରସ୍ପରିକ ଶ୍ରଦ୍ଧା, ନିଷ୍ଠା ଏବଂ ପ୍ରଣତି ଭାବନା ବ୍ୟତିରେକ ଜୀବନ ଅସଂପୂର୍ଣ୍ଣ ରହିଯିବ ।

 

ମହାବୀରଙ୍କ ଧର୍ମ ସମସ୍ତଙ୍କ ପାଇଁ

 

ଭଗବାନ ମହାବୀରଙ୍କର ଉପଦେଶ କୌଣସି ନିର୍ଦ୍ଦିଷ୍ଟ ଜାତି ବା ସଂପ୍ରଦାୟ ବିଶେଷ ପାଇଁ ଉଦ୍ଦିଷ୍ଟ ନୁହେଁ । ତାଙ୍କ ଧର୍ମକୁ ‘ନିଗ୍ରନ୍ଥ ଧର୍ମ’ କୁହାଯାଏ । ଅର୍ଥାତ୍‌, ଏହା ଏପରି ଧର୍ମ ଯାହା ଆଚରଣ କଲେ ମନରେ ଆଉ କୌଣସି ପ୍ରକାରର ‘ଗ୍ରନ୍ଥି’ ବା ‘ଗଣ୍ଠି’ ରହେ ନାହିଁ । ‘ଜୈନ’ର ମଧ୍ୟ ସେଇ ଏକା ଅର୍ଥ; ‘ଜିନ’ଙ୍କର ପଥ ଯେ ଅନୁସରଣ କରେ ସେ ଜୈନ । ‘ଜିନ’ ସେହି ଯେ ନିଜର ରାଗ-ଦ୍ଵେଷାଦି ବୃତ୍ତି ଉପରେ ବିଜୟ ଲାଭ କରିଛି । ଅନ୍ୟ ଭାଷାରେ, ଯେ ଅନ୍ୟକୁ କଷ୍ଟ ଦେଉଥିବା ନିଜର ବୃତ୍ତିଗୁଡ଼ିକୁ ତ୍ୟାଗ କରେ, ନିଜର ଆବଶ୍ୟକତାଗୁଡ଼ିକୁ ଯଥାସମ୍ଭବ କମାଇଦିଏ ଏବଂ ଅନ୍ୟର ଦୃଷ୍ଟିକୋଣକୁ ବୁଝିବାଲାଗି ସର୍ବଦା ଚେଷ୍ଟା କରେ, ସେ ମହାବୀରଙ୍କ ଧର୍ମାବଲମ୍ବୀ ବୋଲାଇବାକୁ ହକଦାର ଅଟେ । ଏଥି ନିମିତ୍ତ ଜାତି, ସମ୍ପ୍ରଦାୟ ଅଥବା ଲିଙ୍ଗଭେଦ ପ୍ରତିବନ୍ଧକ ହୁଏ ନାହିଁ । ମହାବୀରଙ୍କ ସମୟରେ ବ୍ରାହ୍ମଣ ଓ କ୍ଷତ୍ରିୟଙ୍କ ବ୍ୟତୀତ ଅନେକ ଗୃହପତି (ଚାଷ କରୁଥିବା ବୈଶ୍ୟ), କୁମ୍ଭାର, କମାର, ତନ୍ତୀ ଇତ୍ୟାଦି ବୈଶ୍ୟ ସମ୍ପ୍ରଦାୟର ଲୋକେ ମଧ୍ୟ ଜୈନଧର୍ମ ଗ୍ରହଣ କଲେ । ବହୁ ମ୍ଳେଚ୍ଛ, ଚୋର-ଡକାୟତ, ଧୀବର, ଚାଣ୍ଡାଳପୁତ୍ର ଏବଂ ବେଶ୍ୟାଙ୍କୁ ସେ ନିଜ ଧର୍ମରେ ଦୀକ୍ଷିତ କରିଥିଲେ । ଦକ୍ଷିଣ-ଭାରତର ଚତୁର୍ଥ ଅଥବା ସତ୍‌ଶୁଦ୍ର ତଥା ପଞ୍ଚମ ରୂପେ ପରିଚିତ ଜୈନମାନଙ୍କର ଜାତି ପ୍ରମାଣ କରେ ଯେ ଭଗବାନ ମହାବୀରଙ୍କ ଧର୍ମର ଦ୍ଵାର ସମସ୍ତଙ୍କ ପାଇଁ ଉନ୍ମୁକ୍ତ ଥିଲା । ଏହାର ତାତ୍ପର୍ଯ୍ୟ ହେଲା କେବଳ ଜୈନ କୁଳରେ ଜନ୍ମଗ୍ରହଣ କଲେ କେହି ଜୈନ ହୋଇଯାଏ ନାହିଁ । ଭଗବାନ ମହାବୀରଙ୍କ ପ୍ରତିପାଦିତ ‘ନିର୍ଗ୍ରନ୍ଥ ଧର୍ମ’କୁ ଯେ ପାଳନ କରେ–ଅହିଂସା ଏବଂ ଅନେକାନ୍ତ ରହସ୍ୟକୁ ହୃଦୟଙ୍ଗମ କରି ଯେ ତଦୃପ ଆଚରଣ କରେ ସେ ହିଁ ପ୍ରକୃତ ଜୈନ ।

 

ଜୈନଧର୍ମର ଅହିଂସା ବିଭିନ୍ନ ରୂପରେ–କେତେବେଳେ ଆଚାର-ବିଚାର ସ୍ତରରେ, ଆଉ କେତେବେଳେ ବା ଚିନ୍ତନ ସ୍ତରରେ –ଭାରତବାସୀଙ୍କୁ ପ୍ରଭାବିତ କରିଛି । ପ୍ରତ୍ୟେକ ପ୍ରାଣୀ ପ୍ରତି ଅହିଂସକ ବୃତ୍ତି, ସମସ୍ତ ପ୍ରାଣୀଙ୍କ ପ୍ରତି ସମନ୍ଵୟ ବୁଦ୍ଧି–ଏହାହିଁ ଜୈନଧର୍ମର ବୈଶିଷ୍ଟ୍ୟ । ଏହି ଉଦାରତା ଯୋଗୁ ହିଁ ଜୈନଧର୍ମ ଏବେବି ଭାରତ ବର୍ଷରେ ସୁରକ୍ଷିତ ଓ ସୁଦୃଢ଼ ହୋଇ ରହିଛି ।

 

ଆଜି ଆମେ ଏପରି ଏକ ସମାଜର ଅନ୍ଵେଷଣ କରୁଛୁ ଯେଉଁଠି ଶୋଷଣ ନଥିବ, ଉଚ୍ଚନୀଚ୍ଚ ଭେଦଭାବ ନଥିବ, ନିଜର ବିକାଶ ପାଇଁ ପ୍ରତ୍ୟେକକୁ ଯଥେଷ୍ଟ ସୁଯୋଗ ମିଳିବ । କେବଳ ଏହିପରି ଏକ ସମାଜ ପ୍ରତିଷ୍ଠା ହୋଇପାରିଲେ ଯାଇ ଆମେ ପୃଥିବୀର ସମସ୍ତଙ୍କ ସହିତ ମିଳିମିଶି ରହିପାରିବା । ପ୍ରତ୍ୟେକ ପ୍ରତ୍ୟେକକୁ ଶ୍ରଦ୍ଧା କରିପାରିବା । ଭଗବାନ ମହାବୀରଙ୍କ ପ୍ରଦର୍ଶିତ ଏହିଭଳି ସମାଜ ପ୍ରତିଷ୍ଠା ପାଇଁ ଆମକୁ ଅନୁପ୍ରାଣିତ କରେ ।

 

ମହାବୀର ଭାରତର ସେହି ବରପୁତ୍ରମାନଙ୍କ ମଧ୍ୟରୁ ଜଣେ ଯେଉଁମାନେ ବିଶ୍ଵ ଇତିହାସରେ ଅମର ହୋଇଯାଇଛନ୍ତି । ମଣିଷର ବ୍ୟକ୍ତିତ୍ଵର ସଂପୂର୍ଣ୍ଣ ବିକାଶ ଲାଗି ଏକ ସୁସ୍ଥ ସରଳ ସମାଜର ପ୍ରତିଷ୍ଠା ଦିଗରେ ୨୫୦୦ ବର୍ଷ ପୂର୍ବେ ମହାବୀର ବ୍ରତୀ ହୋଇଥିଲେ । ତାଙ୍କର ଜୀବାନାନୁଭୂତ ଓ ଶିକ୍ଷା ମାନବ ସମାଜକୁ ଏକ ଉନ୍ନତ ପଥରେ ଆଗେଇ ନେବାକୁ ସାହାଯ୍ୟ କରିଛି ।

 

ଏହି ମନୀଷୀଙ୍କର ଜୀବନୀ ଲେଖିବାପାଇଁ ଡକ୍ଟର ଜଗଦୀଶ ଚନ୍ଦ୍ର ଜୈନ ବ୍ୟାପକ ଗବେଷଣା କରିଛନ୍ତି । ଡକ୍ଟର ଜୈନ ସଂସ୍କୃତ ଓ ପ୍ରାକୃତ ଭାଷା ସମେତ ଜୈନଧର୍ମ-ଦର୍ଶନ ଓ ଜୈନ-ସାହିତ୍ୟରେ ଜଣେ ପଣ୍ଡିତ ରୂପେ ଦେଶ ବିଦେଶରେ ଖ୍ୟାତ । ସୋଭିଏତ୍‌ ଲ୍ୟାଣ୍ଡ ନେହେରୁ ପୁରସ୍କାରରେ ସମ୍ମାନିତ ଡକ୍ଟର ଜୈନ ବିଭିନ୍ନ ବିଷୟରେ ୫୦ରୁ ଅଧିକ ପୁସ୍ତକ ଲେଖିଛନ୍ତି ।

Image